Saturday 27th July 2024
World Diabetes Day:କାହିଁକି ପାଳୁ ବିଶ୍ୱ ମଧୁମେହ ଦିବସ ? ଜାଣନ୍ତୁ ଏହାର ମହତ୍ୱ

World Diabetes Day:କାହିଁକି ପାଳୁ ବିଶ୍ୱ ମଧୁମେହ ଦିବସ ? ଜାଣନ୍ତୁ ଏହାର ମହତ୍ୱ

ଦୁନିଆର ପ୍ରତି ୧୦ ବୟସ୍କଙ୍କ ମଧ୍ୟରୁ ଜଣେ ମଧୁମେହ ଜନିତ ସମସ୍ୟାରେ ପୀଡିତ । ଏହି ରୋଗ ଲୋକଙ୍କ ଭିତରେ ମହାମାରୀ ପରି ବ୍ୟାପୁଛି । କିନ୍ତୁ ତଥାପି ଏହାକୁ କେହି ଗୁରୁତର ଆକାରରେ ଗ୍ରହଣ କରୁନାହାନ୍ତି । ଏହି ରୋଗ ହୃଦୟ,ମସ୍ତିଷ୍କ,କିଡନୀ ,ଆଖି ଇତ୍ୟାଦି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଯାହା ସମୟ ଅନୁସାରେ ସାଂଘାତିକ ବୋଲି ପ୍ରମାଣିତ ହୋଇଥାଏ । ତେଣୁ କରି ଏହି ଡାଇବେଟିକ୍ସ ବିଷୟରେ ଲୋକଙ୍କ ଭିତରେ ସଚେତନତା ଆଣିବା ପାଇଁ ପ୍ରତିବର୍ଷ ବିଶ୍ୱ ଡାଇବେଟିସ୍ ଦିବସ ପାଳନ କରାଯାଉଛି । ଏଥିପାଇଁ ପ୍ରତିବର୍ଷ ଆନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେସନ୍ ର ଏକ ବିଶେଷ ଥିମ୍ ରଖାଯାଉଛି । ପୂର୍ବ ବର୍ଷର ଥିମ୍ ଥିଲା ‘ଡାଇବେଟିସ୍ ଯତ୍ନ ପର୍ଯ୍ୟନ୍ତ ଯାଉ, ଯଦି ଏବେ ନୁହେଁ, ତ କେବେ?’ ଚଳିତ ବର୍ଷର ଥିମ୍‌ ହେଉଛି, ‘ମଧୁମେହ ଶିକ୍ଷାକୁ ଗ୍ରହଣ’ . ଏହି ବିଶ୍ୱ ମଧୁମେହ ଦିବସ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଏ ।

 

ମଧୁମେହ ରୋଗୀ ମାନେ ସହରାଂଚଳ ତୁଳନାରେ ଗ୍ରାମାଂଚଳରେ କମ୍ ଦେଖାଯାଏ । ଆଉ ଗାଁ ଲୋକଙ୍କୁ ମଧୁମେହ ରୋଗର ଆଶଙ୍କା ବି କମ୍ ରହିଥାଏ ଆଉ ଏହାର ସବୁଠୁ ବଡ କାରଣ ହେଲା ଖାଦ୍ୟପେୟ । କାରଣ ଏହି ରୋଗକୁ ରୋକିବା ପାଇଁ କେବଳ ସଚେତନତା ନୁହେଁ ଜୀବନଶୌଳୀରେ ବି ପରିବର୍ତ୍ତନ କରିବା ଜରୁରୀ । ଅନିୟମିତ ଖାଦ୍ୟ ଅଭ୍ୟାସ ଓ କମ୍ ଶାରୀରିକ କାର୍ଯ୍ୟକଳାପ ହେତୁ ମଧୁମେହ ରୋଗୀମାନେ ସହରରେ ଦେଖାଯିବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞ ମତ ଦିଅନ୍ତି ।

ବିଶ୍ୱ ମଧୁମେହ ଦିବସ ହେଉଛି ବିଶ୍ୱର ସର୍ବ ବୃହତ ମଧୁମେହ ସଚେତନତା ଅଭିଯାନ,ଯାହା ୧୬୦ ରୁ ଅଧିକ ଦେଶରେ ୧ ବିଲିୟନରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି । ଏହି ଅଭିଯାନ ମଧୁମେହ ସମସ୍ୟା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ବର୍ଷସାରା ମଧୁମେହ ସମ୍ବନ୍ଧୀୟ ସମସ୍ୟା ପାଇଁ ଏହା ଏକ ବିଶ୍ୱସ୍ତରୀୟ ଫୋରମ୍ ପ୍ରଦାନ କରେ । ଏହା ବ୍ୟତୀତ ବିଶ୍ୱ ମଧୁମେହ ଦିବସରେ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଏ ।

 

ମଧୁମେହର କାରଣ ଓ ପ୍ରକାର-

ଅଗ୍ନାଶୟରୁ ଇନ୍ ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍ ସୁଲିନ୍ ପ୍ରତି ଦେହରେ ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ । ମୂଖ୍ୟତଃ ଦୁଇପ୍ରକାର ମଧୁମେହ ରୋଗ ଦେଖାଯାଏ ।
ମଧୁମେହ ଟାଇପ୍ -୧- ଯଥେଷ୍ଟ ଇନ୍‌ସୁଲିନ୍ ସ୍ରାବ ନ ହେବାର ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଉବେଟିସ୍ ମେଲିଟିସ୍ କିମ୍ବା ଜୁଭେନାଏଲ ଡାଏବେଟିସ୍ କୁହାଯାଉଥିଲା ।
ମଧୁମେହ ଟାଇପ୍‌-୨- ଏହି ରୋଗରେ ଇନ୍‌ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । ରୋଗ ବୃଦ୍ଧି ଘଟିଲେ ଇନ୍‌ସୁଲିନ ଅଭାବ ମଧ୍ୟ ଦେଖାଯାଏ । ପୂର୍ବରୁ ଏହାକୁ ନନ୍‌-ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୁଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ବୋଲି ବିବେଚନା କରାଯାଏ ।

ମଧୁମେହ ନିରାକରଣ-

ଭଲ ଓ ସୁସ୍ଥ ଖାଦ୍ୟ ଗ୍ରହଣ,ବ୍ୟାୟାମ,ଧୁମ୍ରପାନ ବା ଟୋବାକୋ ବର୍ଜନ ଏବଂ ଶାରୀରିକ ଓଜନ ନିୟନ୍ତ୍ରଣରେ ରହିପାରିଲେ ଏହି ରୋଗର ପ୍ରତିଷେଧ ହୋଇପାରିବ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞେକସନ୍ ଦେଇ ମଧୁମେହ ଟାଇପ୍‌-୧ ରୋଗ ଚିକିତ୍ସା କରାଯାଏ । ମଧୁମେହ ଟାଇପ୍‌-୨ ରୋଗକୁ ଔଷଧ ସାହାର୍ଯ୍ୟରେ ଇନ୍‌ସୁଲିନରେ ବିନା ସାହାର୍ଯ୍ୟରେ ଚିକିତ୍ସା କରାଯାଏ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )