Saturday 27th April 2024
ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର

ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର

ବିବାହ କରିବାର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଅଂଶ । ସଭ୍ୟ ସମାଜରେ ପୁରୁଷ ଏବଂ ସ୍ତ୍ରୀ କୁ ଗୋଟିଏ ଘରେ ରହି ସଂସାର ଗଢିବା ର ଅଧିକାର କେବଳ ବାହାଘର ପରେ ହିଁ ମିଳେ । ଦୁଇଟି ପରିବାର ମଧ୍ୟରେ ବାହାଘର ଏକ ସଂମ୍ପର୍କ ସ୍ଥାପନ କରିଥାଏ । ଆଗକାଳ ରେ ବାହାଘର ମାନେ ହସଖୁସି , ବୁଝାମଣା ଏବଂ ଖିଆପିଆ କୁ ବୁଝାପଡୁଥିଲା । କିନ୍ତୁ ଏବେ ବାହାଘର ମାନେ ଚାକଚକ୍ୟ ଏବଂ କିଏ କେତେ ଟଙ୍କା ଖର୍ଚ୍ଚ କଲା ତା ଉପରେ ଅଧିକ ଚର୍ଚ୍ଚା ।  ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର । ସତେ ଯେମିତି ଟଙ୍କା ଖର୍ଚ୍ଚ ନ ହେଲେ ତାକୁ ବାହାଘର କୁହାଯାଏନି । ବିବାହ ହେଉଛି ଦୁଇ ଜଣ ଏବଂ ଦୁଇ ପରିବାରର ଏକ ବୁଝାମଣା ଯାହାକି ଶାନ୍ତିରେ ବଞ୍ଚିବା ଓ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବାକୁ ବୁଝାଏ । ଚାକଚକ୍ୟ ଜୀବନ ଶୈଳୀ ପାଇଁ ଦେଶରେ ବାହାଘର ଖର୍ଚ୍ଚ ବଢ଼ିବାରେ ଲାଗିଛି ।

ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଜନିତ କଟକଣା ପାଇଁ ୨୦୨୦ ଏବଂ ୨୦୨୧ ମସିହାରେ ଅପେକ୍ଷାକୃତ କମ୍ ସଂଖ୍ୟକ ବାହାଘର ହୋଇଥିଲା । କିନ୍ତୁ ୨୦୨୨ ମସିହାରେ ବିବାହ ସଂଖ୍ୟା ବଢ଼ିଛି । କେବଳ ସଂଖ୍ୟା ନୁହେଁ, ‌ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି । ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ବାହାଘର ର ହାରାହାରି ଖର୍ଚ୍ଚ ୨୧ ଲକ୍ଷ ଟଙ୍କା ରହିଥିଲା । ୨୦୨୨ ରେ ଉକ୍ତ ଖର୍ଚ୍ଚ ୩୩.୩୩ ପ୍ରତିଶତ ବୃଦ୍ଧି ଘଟି ୨୮ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଏସବୁ ସତ୍ତ୍ବେ ଅଧିକାଂଶ ବ୍ୟକ୍ତି ‌ସେମାନଙ୍କ ବିବାହ ଉତ୍ସବକୁ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କରିଛନ୍ତି । ୬୦.୨୧ ପ୍ରତିଶତ ବାହାଘର ୧୦୦ ଜଣରୁ କମ୍ ଅତିଥିଙ୍କୁ ନେଇ ହୋଇଛି । କେବଳ ୧୩ ପ୍ରତିଶତ ବାହାଘର ୩୦୦ ରୁ ଅଧିକ ଅତିଥିଙ୍କୁ ନେଇ ହୋଇଛି ବୋଲି ବିବାହ ପ୍ରଯୁକ୍ତି ପ୍ଲାଟଫର୍ମ ୱେଡିଂଓୟାର ଇଣ୍ଡିଆ ତଥ୍ୟରୁ ଜଣାଯାଇଛି ।୨୦୨୨ ବର୍ଷର ଅନ୍ୟାନ୍ୟ ମାସଗୁଡ଼ିକ ତୁଳନାରେ ଡିସେମ୍ବର ମାସରେ ଅଧିକ ବାହାଘର ହୋଇଥିଲା । ବର୍ଷକର ମୋଟ ବିବାହ ସଂଖ୍ୟା ମଧ୍ୟରୁ ୨୧.୫ ପ୍ରତିଶତ ଡିସେମ୍ବରରେ ହୋଇଥିଲା । ଅର୍ଥାତ୍ ପ୍ରତି ୫ଟିରୁ ଗୋଟିଏ ବାହାଘର ଏହି ମାସରେ ଦେଖିବାକୁ ମିଳିଥିଲା । ଏହା ପଛକୁ ଫେବ୍ରୁଆରିରେ ୧୫.୪୯ ପ୍ରତିଶତ ହୋଇଥିଲା । ତାରିଖ ହିସାବରେ ଡିସେମ୍ବର ୨ରେ ସବୁଠୁ ଅଧିକ ବାହାଘର ହୋଇଥିଲା ।

ୱେଡିଂଓୟାର ଇଣ୍ଡିଆର ମୁଖ୍ୟ ଅନାମ ଜୁବେର୍ କହିଛନ୍ତି, ୨୦୨୦ ଏବଂ ୨୦୨୧ରେ କରୋନା ମହାମାରୀଜନିତ କଟକଣା ପାଇଁ ଅନେକଙ୍କ ବାହାଘର ହୋଇ ପାରି ନଥିଲା । ତେଣୁ ସେମାନେ ୨୦୨୨କୁ ଅପେକ୍ଷା କରିଥିଲେ । ବାହାଘର ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ପୂର୍ବରୁ ଖର୍ଚ୍ଚ ପାଇଁ ରଖାଯାଇଥିବା ବଜେଟ୍‌ରେ ସେତେଟା ପରିବର୍ତ୍ତନ ଅଣାଯାଇ ନଥିଲା ବୋଲି ସେ କହିଛନ୍ତି ।

ନିକଟରେ ଏକ ବାହାଘର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯେତେବେଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପୋଷା କୁକୁର ଏକ ରିଙ୍ଗ୍ ଧାରକ ଭାବରେ ବିବାହ ମଞ୍ଚକୁ ପ୍ରବେଶ କଲା । ତେବେ ଆମ୍ବାନୀ ପରିବାରର ପ୍ରତ୍ୟେକଟି ବାହାଘର ବେଶ୍ ବିଳାଶପୂର୍ଣ ହେଇଥାଏ । ବ୍ୟବସାୟ ଟାଇଟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଗୁଜରାଟୀରେ ‘ଗୋଲ୍ ଧାନା’ ସମାରୋହ ହେଉଛି ବିବାହ ପୂର୍ବରୁ ଏକ ରୀତିନୀତି । ଗୋଲର ଅର୍ଥ ହେଉଛି ଗୁଣ୍ଡ ଏବଂ ଧାନର ଅର୍ଥ ଧନିଆ ମଞ୍ଜି । ଏହି ସମାରୋହରେ ଏହି ଦୁଇଟି ଜିନିଷ ବରର ସ୍ଥାନରେ ବଣ୍ଟନ କରାଯାଏ । ବରର ପରିବାର ଘରକୁ ଉପହାର ଏବଂ ମିଠା ନେଇ ଆସନ୍ତି ଯାହା ପରେ ଦମ୍ପତି ମଧ୍ୟରେ ରିଙ୍ଗ୍ ସେରିମନୀ ହୋଇଥାଏ ।

ସମାରୋହରୁ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ପରିବାର ସଦସ୍ୟମାନେ ମଧ୍ୟ ନୂଆ ଦମ୍ପତିଙ୍କ ପାଇଁ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ । ତେବେ, ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ଅନନ୍ତ ଏବଂ ରାଧିକାଙ୍କ ପୋଷା କୁକୁର ।

୨୦ ପ୍ରତିଶତ ଲୋକ ରବିବାର ଦିନ ବାହା ହେବାକୁ ପସନ୍ଦ କରିଛନ୍ତି । ଏହା ପଛକୁ ଶୁକ୍ରବାର (୧୯.୭ ପ୍ରତିଶତ) ରହିଛି । ଭାରତର ବଡ଼ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସବୁଠୁ ଅଧିକ ବାହାଘର ହୋଇଛି । ଅନ୍ୟପକ୍ଷରେ ତ୍ରିପୁରା, ସିକ୍କିମ ଏବଂ ଇମ୍ଫାଲରେ ସବୁଠୁ କମ୍‌ସଂଖ୍ୟକ ବାହାଘର ରହିଛି। ଟାଏର-୨ ସହରଗୁଡ଼ିକ ମଧ୍ୟରେ ଲକ୍ଷ୍ନୌ, ଜୟପୁର ଏବଂ ଗୁରୁଗ୍ରାମରେ ସବୁଠୁ ଅଧିକ ବାହାଘର ହୋଇଛି ।

ଅନ୍ତର୍ଜାତୀୟ ସ୍ତରରେ ଲୋକମାନେ ବିବାହ ପାଇଁ ଚୟନ କରିଥିବା ସ୍ଥାନଗୁଡ଼ିକ ମଧ୍ୟରେ ସିଙ୍ଗାପୁର , ଆବୁଧାବି ଏବଂ ନ୍ୟୁୟର୍କ ଶୀର୍ଷ ତିନିଟି ମଧ୍ୟରେ ରହିଛି । ବିବାହ ସ୍ଥଳ ଏବଂ ହଲ୍‌ର ଚାହିଦା ସବୁଠାରୁ ଅଧିକା । ଏହା ପଛକୁ ୱେଡିଂ ଫଟୋଗ୍ରାଫର ଏବଂ ମେକଅପ୍ ଆର୍ଟିଷ୍ଟଙ୍କ ଚାହିଦା ମଧ୍ୟ ଅଧିକ ରହୁଛି । ତେବେ ବିବାହ ରେ ଏତେ ଚାକ ଚକ୍ୟ ର ଆବଶ୍ୟକତା ନଥାଏ । ପ୍ରିଓ୍ୱେଡିଂ ଏବଂ ପୋଷ୍ଟ ଓ୍ୱେଡିଂ ସୁଟ୍ ଏବେ ଟ୍ରେଣ୍ଡରେ ଚାଲିଛି । ଏଥିରୁ ଲାଭବାନ୍ ହେଉଛନ୍ତି ଷ୍ଟେଜ୍ ଡ୍ୟାନ୍ସର୍ , ଇଭେଣ୍ଟ୍ ମ୍ୟାନେଜମେଣ୍ଟ କମ୍ପାନୀ ଏବଂ କ୍ୟାମେରା ମ୍ୟାନ୍ । ବିଶେଷକରି ଛୋଟମୋଟ ଫୁଲ ବ୍ୟବସାୟୀ ରୁ ଆରମ୍ଭକରି ରୋଷେୟା ସମସ୍ତଙ୍କୁ ମିଳିଛି ରୋଜଗାର । ବର୍ତ୍ତମାନ ର ଯୁବପିଢି ର ଆଗ୍ରହ ବାହାଘର ଅପେକ୍ଷା ବାହାଘରର ପ୍ରସ୍ତୁତି , କ୍ୟାମେରା ସୁଟିଂ , ନାମିଦାମୀ ଡ୍ରେସିଂ ଏବଂ ଅତ୍ୟନ୍ତ ବିଳାସପୂର୍ଣ୍ଣ ବାହାଘର ସେଟ୍ ଉପରେ ରହୁଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )