Tuesday 19th March 2024
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ , ଆନ୍ଧ୍ରପ୍ରଦେଶର ନୁଆଁ ରାଜଧାନୀ ହେବ ବିଶାଖାପାଟଣା !

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ , ଆନ୍ଧ୍ରପ୍ରଦେଶର ନୁଆଁ ରାଜଧାନୀ ହେବ ବିଶାଖାପାଟଣା !

ଅମରାବତୀ ବଦଳରେ ବିଶାଖାପାଟଣା ହେବ ଦକ୍ଷିଣ ଭାରତୀୟ ରାଜ୍ୟର ନୂଆ ରାଜଧାନୀ । ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା ।  ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡୀ ଏନେଇ ବଡ ଘୋଷଣା କରିଛନ୍ତି । ଏପ୍ରିଲ୍ ୨୩, ୨୦୧୫ରେ ଆନ୍ଧ୍ର ସରକାର ଅମରାବତୀଙ୍କୁ ଏହାର ରାଜଧାନୀ ଭାବେ ଘୋଷଣା କରିଥିଲେ । ତାପରେ ୨୦୨୦ରେ ରାଜ୍ୟର ତିନୋଟି ରାଜଧାନୀ ନିର୍ମାଣ କରିବାକୁ ଯୋଜନା ହୋଇଥିଲା, ଯେଉଁଥିରେ ଅମରାବତୀ, ବିଶାଖାପାଟଣା ଏବଂ କୁର୍ନୁଲ୍ ଅନ୍ତର୍ଭୁକ୍ତ ଥିଲା । ପରେ ସେହି ଯୋଜନା ସରକାର ପ୍ରତ୍ୟାହାର କରିନେବା ସହ ଅମରାବତୀ ଆନ୍ଧ୍ରର ରାଜଧାନୀ ହୋଇ ରହିଥିଲା ।

ତେବେ ତେଲେଙ୍ଗାନା ନୂଆ ରାଜ୍ୟ ଭାବେ ଗଠନ ହେବାର ପ୍ରାୟ ୯ ବର୍ଷ ପରେ ଆନ୍ଧ୍ରପ୍ରଦେଶ ନିଜର ନୂଆ ରାଜଧାନୀର ନାଁ ଘୋଷଣା କରିଛି । ଯେତେବେଳେ ଆନ୍ଧ୍ର-ତେଲେଙ୍ଗାନା ଦୁଇଟି ରାଜ୍ୟ ହେଲେ ସେତେବେଳେ ହାଇଦ୍ରାବାଦକୁ ଏହାର ରାଜଧାନୀ କରାଯାଇଥିଲା । ତେବେ ସେତେବେଳେ ଆନ୍ଧ୍ରର ନୂଆ ରାଜଧାନୀ ଅମରାବତୀ ହେବା ନେଇ କୁହାଯାଉଥିଲା, ହେଲେ ଏବେ ଏହାକୁ ବିଶାଖାପାଟଣା କରିବାକୁ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ଘୋଷଣା କରିଛନ୍ତି ।

୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶରୁ ତେଲାଙ୍ଗାନା ରାଜ୍ୟ ପୃଥକ ହୋଇଥିଲା। ସେତେବେଳେ ହାଇଦ୍ରାବାଦକୁ ୧୦ ବର୍ଷ ଲାଗି ଦୁଇ ରାଜ୍ୟଙ୍କ ମିଳିତ ରାଜଧାନୀ ଘୋଷଣା କରାଯାଇଥିଲା । ଏହି ଅବଧି ଏବେ ଶେଷ ହେବାକୁ ଯାଉଥିବା ବେଳେ ତେଲେଙ୍ଗାନାକୁ ହାଇଦ୍ରାବାଦ ସମର୍ପି ଦେବାକୁ ନିଷ୍ପତ୍ତି ହୋଇଛି। ଏଣୁ ଆନ୍ଧ୍ରପ୍ରଦେଶକୁ ୨୦୨୪ ପୂର୍ବରୁ ନିଜର ରାଜଧାନୀ ଘୋଷଣା କରିବାର ଥିଲା । ଏଥିରେ ଜଗନମୋହନ ବିଶାଖାପାଟଣାକୁ ନୂଆ ରାଜଧାନୀ ଘୋଷଣା କରିଛନ୍ତି ।  ତେବେ ଏହା ପୂର୍ବରୁ ଚନ୍ଦ୍ରବାବୁ ନାୟଡୁଙ୍କ ଟିଡିପି ସରକାର ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଘୋଷଣା କରିଥିଲେ।

ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୱାଇଏସଆର କଂଗ୍ରେସ ପ୍ରମୁଖ କହିଛନ୍ତି, ମୁଁ ଆପଣଙ୍କୁ ବିଶାଖାପାଟଣାକୁ ଆମନ୍ତ୍ରଣ କରୁଛି । ଯାହାକି ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଛି । ସେ ନିଜେ ବି କିଛି ଦିନ ଭିତରେ ବିଶାଖାପାଟଣାକୁ ଜାଗା ବଦଳେଇବେ ବୋଲି ଜଗନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏକ ବୈଶ୍ୱିକ ଶିଖର ସମ୍ମିଳନୀର ଆୟୋଜନ କରୁଛେ । ଆଗାମୀ ମାର୍ଚ୍ଚ ୩ ଓ ୪କୁ ବିଶାଖାପାଟଣାରେ ଏହା ଆୟୋଜିତ ହେବ । ତେବେ ଏହି ସମ୍ମିଳନୀରେ ସମସ୍ତେ ଯୋଗଦାନ କରିବା ସହିତ ବିଶାଖାପାଟଣା ଆସିବାକୁ ଜଗନ୍ ଅନୁରୋଧ କରିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )