Friday 26th April 2024
”ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ”,କଳିଙ୍ଗ କେଶରୀ ରଥ

”ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ”,କଳିଙ୍ଗ କେଶରୀ ରଥ

କୋଭିଡ଼ ସମୟରେ ଲୋକମାନେ ଆଇସୋଲେସନରେ ରହିବା କାରଣରୁ ନିଜ ବା ନିଜ ପରିବାର ପାଇଁ ଘରର ଆବଶ୍ୟକତା କ’ଣ ତାହା ଅନୁଭବ କରିଥିଲେ । ଏବେ ସେହି ମାନସିକତା କାରଣରୁ ରାଜ୍ୟରେ ରିୟଲ ଇଷ୍ଟେ୍ଟ ବ୍ୟବସାୟ ଭଲ ସ୍ଥିତିରେ ରହିଛି ।

କୋଭିଡ ପ୍ରଭାବରେ ଶିଳ୍ପ ଜଗତ ପ୍ରଭାବିତ ହୋଇଥିଲା କିନ୍ତୁ ରିୟଲ ଇଷ୍ଟେଟ ବ୍ୟବସାୟ ସେତେଟା ପ୍ରଭାବିତ ହୋଇନାହିଁ । ଅର୍ଥାତ କୋଭିଡ ପରବର୍ତ୍ତୀ ସମୟରେ ରିୟଲ ଇଷ୍ଟେଟ ବ୍ୟବସାୟ ବଢୁଛି । ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, କୋଭିଡ ପ୍ରଭାବ କାରଣରୁ ସାରା ବିଶ୍ୱରେ ଦେଖା ଦେଇଥିଲା ଆର୍ଥିକ ମାନ୍ଦାବସ୍ଥା। ଉଭୟ ଛୋଟ ଓ ବଡ଼ ଶିଳ୍ପ ଏଥିରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ।  ଯଦି ଭାରତ ଭଳି ରାଷ୍ଟ୍ର କଥା ବିଚାରକୁ ନିଆଯାଏ ତେବେ ଏଠାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରତିଷ୍ଠାନ। ସରକାରୀ ଉଦ୍ୟମ ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସିବା ବଦଳରେ ବିଗିଡି ଯାଇଥିଲା।

ଓଡ଼ିଶାରେ ମଧ୍ୟ କୋଭିଡ଼ ସମୟରେ ଦେଖିବାକୁ ମିଳିଥିଲା ଅନୁରୂପ ସ୍ଥିତି । ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଥିବା ହଜାର ହଜାର ଲୋକ କର୍ମସଂସ୍ଥାନ ହରାଇ ବସିଥିଲେ । ଏହାଛଡ଼ା ଛୋଟବଡ଼ ବ୍ୟବସାୟ କରି ଚଳୁଥିବା ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର, ମଧ୍ୟମ ଶିଳ୍ପୋଦ୍ୟୋଗୀ ନିଜର କର୍ମସଂସ୍ଥାନ ହରାଇ ବସିଥିଲେ । ମୋଟ ଉପରେ କୋଭିଡ଼ ସମୟରେ ପ୍ରଭାବିତ ହୋଇଥିଲା ରାଜ୍ୟର କ୍ଷୁଦ୍ରଶିଳ୍ପ ପରିସର । ଏହି ଧାରାରେ ପ୍ରଭାବିତ ହୋଇଥିଲା ରାଜ୍ୟର ରିୟଲ ଇଷ୍ଟେଟ୍ ବ୍ୟବସାୟ । ଆକଳନ ଅନୁସାରେ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦ ଲକ୍ଷ ଲୋକ ବ୍ୟବସାୟ ହରାଇ ବସିଥିଲେ । କିନ୍ତୁ ଖୁସିର କଥା କୋଭିଡ଼ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେବା ପରେ ରାଜ୍ୟରେ ରିୟଲ ଇଷ୍ଟେଟ୍ ବ୍ୟବସାୟ ପୁଣି ଥରେ ଟ୍ରାକକୁ ଫେରିଛି । ଅର୍ଥାତ୍ ଏହି ଶିଳ୍ପ ଉପରୁ ମୁହଁ ଫେରାଇ ନେଇଥିବା ଲୋକେ ଏବେ ଏହାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ।

ଇଭୋସ୍ ରିୟଲ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ମୁଖ୍ୟ ପରିଚାଳକ କଳିଙ୍ଗ କେଶରୀ ରଥଙ୍କ ସୂଚନା ଅନୁସାରେ, ୨୦୨୦ ମସିହାରେ ଯେତେବେଳେ କୋଭିଡ଼ର ପ୍ରଭାବ ଆରମ୍ଭ ହେଲା ସେତେବେଳେ ରିୟଲଇଷ୍ଟେଟ୍ ବ୍ୟବସାୟ ଧୀରେ ଧୀରେ ପ୍ରଭାବିତ ହେଲା । ସେହିବର୍ଷ ଅଗଷ୍ଟ ବେଳକୁ ସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଲା । ସାରା ଦେଶରେ ବାରମ୍ବାର ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ କାରଣରୁ ରିୟଲ ଇଷ୍ଟେଟ୍ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଗଲା । ୨୦୨୧  ଅକ୍ଟୋବର ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଲା । ତେବେ ଚଳିତବର୍ଷ ମାର୍ଚ୍ଚରୁ ସ୍ଥିତି ସ୍ୱଭାବିକ ହେବାରେ ଲାଗିଛି । ରିୟଲ ଇଷ୍ଟେଟ୍ ବ୍ୟବସାୟ ଏବେ ପୂର୍ବସ୍ଥିତି ତୁଳନାରେ ଅଧିକ ବେଗରେ ଆଗକୁ ବଢି ଚାଲିଛି । ଏହାର କାରଣ ହେଲା କୋଭିଡ଼ ।

ଅର୍ଥାତ୍ କୋଭିଡ଼ ସମୟରେ ଲୋକମାନେ ଆଇସୋଲେସନରେ ରହିବା କାରଣରୁ ନିଜ ବା ନିଜ ପରିବାର ପାଇଁ ଘରର ଆବଶ୍ୟକତା କ’ଣ ତାହା ଅନୁଭବ କରିଥିଲେ । ଏବେ ସେହି ମାନସିକତା କାରଣରୁ ରାଜ୍ୟରେ ରିୟଲ ଇଷ୍ଟେ୍ଟ ବ୍ୟବସାୟ ଭଲ ସ୍ଥିତିରେ ରହିଛି । ଗତ ଦୁଇବର୍ଷ ଭିତରେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଯେତିକି କ୍ଷତି ହୋଇଥିଲା ତାହା ଏବେ ପୁରଣ ହେବାରେ ଲାଗିଛି । ମୋଟ ଉପରେ ସଂଖ୍ୟାଧିକ ଲୋକ ଏବେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଅଧିକ ଅର୍ଥ ଲଗାଇବାକୁ ଆଗ୍ରହୀ ହେଉଛନ୍ତି ।

ତାଙ୍କ କହିବା ଅନୁସାରେ, କୋଭିଡ଼ କାରଣରୁ ଲୋକେ ନିଜ ପାଇଁ ଘରଟିଏ ଦରକାର ବୋଲି ଅନୁଭବ କରୁଛନ୍ତି । ସେହି କାରଣରୁ କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ ସାରା ଦେଶରେ ରିୟଲ ଇଷ୍ଟେଟ୍ ବ୍ୟବସାୟର ସ୍ଥିତି ଭଲ ରହିଛି । ଅର୍ଥନିତିଜ୍ଞଙ୍କ ମତରେ ଲୋକଙ୍କ ମାନସିକତା କାରଣରୁ ରିୟଲ ଇଷ୍ଟେଟ୍ ବ୍ୟବସାୟ ବଢିଛି । ତେବେ ଆଗକୁ ଏହି ସ୍ଥିତି  ରହିପାରେ ବୋଲି ସେ ମତ ରଖିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )