Thursday 25th April 2024
Enterpreneur:ଓଡ଼ିଶାର ”Fastech Fashion Start-up” ଆଜି ଏମିତି ପାଇଛି ସଫଳତା

Enterpreneur:ଓଡ଼ିଶାର ”Fastech Fashion Start-up” ଆଜି ଏମିତି ପାଇଛି ସଫଳତା

ଆଜିର ତାରିଖରେ ସମସ୍ତେ ଚାହାନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଉ ସେହି ପରିଚୟ ଗଢିବା ପାଇଁ ଦରକାର ଏକ ଦୃଢଲକ୍ଷ୍ୟ । ବିନା ଲକ୍ଷ୍ୟସ୍ଥଳ ନିର୍ଦ୍ଧାରିତ କରି କଣ କେବେ କେହି ନିଜ ଠିକଣା ଜାଗାରେ ପହଂଚିପାରିଛି ? ଆଜିକାଲି ପ୍ରାୟତଃ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି ରୋଜଗାର । କିଏ ବିଜନେସ୍ କରିବାକୁ ଚାହୁଁଛି କିଏ ଚାକିରୀ କରିବାକୁ ଚାହୁଁଛି ,କିଏ ଚାଷ କରିବାକୁ ଚାହୁଁଛି ତ ପୁଣି କିଏ ବିଦେଶରେ ଯାଇ କାମ କରିବାକୁ ଚାହୁଁଛି । ସମସ୍ତଙ୍କର ଭିନ୍ନ ଭିନ୍ନ ରୁଚି ରହିଛି ।
କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ଷ୍ଟାର୍ଟଅପ୍ ବିଜନେସ୍ ଆରମ୍ଭ କରି ତାର ମୂଳଦୂଆ ପ୍ରତିଷ୍ଠା କରି ନିଜ ରାଜ୍ୟରେ ରୋଜଗାର କରିବା ଏକ ମୁଖ୍ୟକଥା । ତାହାଲେ ଚାଲନ୍ତୁ ଆମ ଓଡିଶାର ସେମିତି ଜଣେ ଷ୍ଟାର୍ଟଅପ୍ ବିଜନେସ୍ ଉଦ୍ୟୋଗୀ ଅଭିଜିତ୍ ସାହୁଙ୍କ ସହ ଆଲୋଚନା କରିବା ଓ ଜାଣିବା ତାଙ୍କ ଷ୍ଟାର୍ଟ ଅପ୍ ଷ୍ଟୋରୀ କଣ ? ତାଛଡା କଣ ସତରେ ଓଡିଶାରେ ଷ୍ଟାର୍ଟଅପ୍ କଂମ୍ପାନୀର କିଛି ମହତ୍ୱ ଅଛି ? ଏଥିରେ କେତେ ମାତ୍ରାରେ ସଫଳତା ମିଳେ ? ଏସବୁ ସମ୍ବନ୍ଧରେ ଏକ ସ୍ୱତନ୍ତ୍ର ଆଲୋଚନା ।

 

ଅଭିଜିତ୍ ସାହୁଙ୍କ ଷ୍ଟାର୍ଟଅପ୍ ଷ୍ଟୋରୀ କଣ ?

-ମୁଁ ଫାଷ୍ଟଟେକ୍ ଫ୍ୟାସନ ପ୍ରାଇଭେଟ୍ ଲିମିଟେଡ ର ସିଇଓ । ଆଜି ଏହି କଂମ୍ପାନୀ ଯାହା କିଛି ସ୍ତରରେ ପହଂଚିଛି ତାହା ମୋର ଓ ମୋ ସହିତ ଜଡିତ ଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ଭବ ହୋଇପାରିଛି । ମୁଁ ଏନଆଇଟି ରାଉରକେଲା ରେ ପାଠ ପଢୁଥିଲି । ୨୦୧୭ରେ ଯେତେବେଳେ ମୁଁ ଇଂଜିନିୟରିଙ୍ଗ ଦ୍ୱିତୀୟ ବର୍ଷରେ ଥିଲି ମୁଁ ଓ ମୋର କିଛି ବନ୍ଧୁମାନେ ମିଶି –FTBI ରେ ଆମ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲୁ । ଏହା NIT ପରିସର ଭିତରେ ହିଁ ଥିଲା । ସେମାନେ ଆମକୁ ମାଗଣାରେ ଅଫିସ୍ ପାଇଁ ଜାଗା ଦେଇଥିଲେ । ଆମେ ଚିନ୍ତାକଲୁ ଯେ ଆମ ଷ୍ଟାର୍ଟ ଅପ୍ ରେ ଆମେ ଓଡିଶା ପାଇଁ ଚିନ୍ତା କରିବୁ । ଅର୍ଥାତ ଆପଣ ଦେଖିଥିବେ Textile  ବଜାରରେ ବହୁତ କୁଶଳୀ ବ୍ୟକ୍ତିଙ୍କର ଆବଶ୍ୟକତା ଥାଏ । ଆଉ ଆମ ଓଡିଶାରେ ହିଁ ସେହିଭଳି ଲୋକ ଅଛନ୍ତି । କିନ୍ତୁ ଅସୁବିଧା ଏହା ଯେ,ଏଠାରେ ଭଲ ସୁଯୋଗ ନଥିବାରୁ ସେମାନେ ବାହାର ରାଜ୍ୟରେ ଯାଇ କାମ କରୁଛନ୍ତି । ସେଥିପାଇଁ ସୁରତ୍‌,ଲୁଧିଆନା,ତିରୁପୁର ଆ୍‌ଦି ଜାଗାରେ ଅଧିକାଂଶ ଲୋକ ଓଡିଶାରୁ ଯାଇ କାମ କରୁଥାନ୍ତି । ଆମ ଓଡିଶାରେ ଦକ୍ଷ ବା କୁଶଳୀ ହେବା ପାଇଁ ଟ୍ରେନିଙ୍ଗ ତ ଅଛି । କିନ୍ତୁ କାମ କରିବାର ପନ୍ଥା ହିଁ ନାହିଁ । ଏସବୁ ଜିନିଷକୁ ଦୃଷ୍ଟିରେ ରଖି ଆମେ ଚିନ୍ତା କଲୁ ଯେ ଆମ ଓଡିଶା ବି Garment ଏବଂ Textile  ର ହବ୍ ହେବା ଦରକାର । ତେଣୁକରି ଆମେ ନିଜେ ବାହାର ଜାଗାକୁ ଯାଇ ଏହି ବିଜନେସ୍ ଉପରେ ରିସର୍ଚ କଲୁ ।

 

 

ଆମେ ତିରୁପୁର ଯାଇ ନିଜେ ଦେଖିଲୁ କି ସେଠାରେ ଥିବା କପଡା ଫେକ୍ଟ୍ରି ମାନଙ୍କରେ ଓଡିଆ ଲୋକ ମ୍ୟାନଜର ,ଓଡିଆ ଲୋକ ସୁପରଭାଇଜର୍ ଆଉ ଓଡିଆ ଲୋକ ହିଁ ଓାରକର୍ । ତେଣୁ ସେମାନଙ୍କ ଭଲ ଭାବରେ ଆଲୋଚନା କରି ଆମ କଂମ୍ପାନୀର ଉଦ୍ଦେଶ୍ୟ କହିଲୁ ଓ ସେମାନଙ୍କ ଭିତରୁ ଦକ୍ଷ ଓ କୁଶଳୀ ଟିମ୍ ବାଛି ଆମେ ଆମ ଷ୍ଟାର୍ଟଅପ୍ ପାଇଁ ଲଗାଇଲୁ । ପ୍ରଥମ ମ୍ୟାନୁଫ୍ୟାକ୍‌ଚର ୟୁନିଟ୍ ଆମେ ଆମ କ୍ୟାମ୍ପସ NITରେ ହିଁ ପକାଇଥିଲୁ । ପ୍ରଥମେ ଆମ କଲେଜର ଡ୍ରେସ ବନାଇଥିଲୁ । ତାପରେ ଧିରେ ଧିରେ କାମ ବଢିଲା ଆମେ ସ୍କୁଲ,କଲେଜ ଓ କର୍ପୋରେଟ କମ୍ପାନୀ ଆଦିରୁ କାମ ପାଇଲୁ । ସେମାନଙ୍କ ପାଇଁ ଆମେ ୟୁନିଫର୍ମ ପ୍ରସ୍ତୁତ କଲୁ । କେବଳ ସେତିକି ନୁହେଁ କରୋନା ସମୟରେ ବି ସରକାରଙ୍କ ସହ ମିଶି ଆମେ ମାସ୍କ,ପିପିଇ କିଟ୍ ଆଦି ପ୍ରସ୍ତୁତ କରିଥିଲୁ । ବର୍ତ୍ତମାନ ସାଢେ ୪ ବର୍ଷ ହେଇଗଲାଣି ଆମର ଏହି ଫାଷ୍ଟଟେକ୍ ଫ୍ୟାସନ ପ୍ରାଇଭେଟ୍ ଲିମିଟେଡ୍ କୁ । ଆଉ ବର୍ତ୍ତମାନ ଖାଲି ଓଡିଶା ନୁହେଁ ବେଙ୍ଗାଲୁରରୁ ବି ଆମେ କାମ କରୁଛୁ । ବାସ୍ ଏମିତି ସବୁଠି ଆମ ଷ୍ଟାର୍ଟଅପ୍ ଚେନ୍ ପହଂଚିଯାଉ ବୋଲି ମୋର ଆଶା ।

 

ଫାଷ୍ଟଟେକ୍ ଫ୍ୟାସନ ପ୍ରାଇଭେଟ୍ ଲିମିଟେଡ୍ କଣ ଯୋଗାଏ?

-ଏହା ଏକ ଗାରମେଣ୍ଟ ମ୍ୟାନୁଫେକର୍ ୟୁନିଟ୍ । ଯେଉଁଠାରେ ଆମେ ଉନ୍ନତ ଧରଣର କପଡା ପ୍ରସ୍ତୁତ କରୁ । ଯେମିତିକି ସ୍କୁଲ କଲେଜ ୟୁନିଫର୍ମ,କର୍ପୋରେଟ୍ କମ୍ପାନୀ ଡ୍ରେସକୋଡ୍ ,ଡିଜାଇନର୍ ଟି ସାର୍ଟ ଇତ୍ୟାଦି ।

ଫାଷ୍ଟଟେକ୍ ଫ୍ୟାସନ ପ୍ରାଇଭେଟ୍ ଲିମିଡେଟ୍ କୁ ଲୋକଙ୍କ ପାଖରେ କେମିତି ପହଂଚାଇଲେ ?

-ପ୍ରକୃତରେ ଆମ କମ୍ପାନୀର ବର୍ତ୍ତମାନ ସୁଦ୍ଧା କେହି ବି ମାର୍କେଟିଙ୍ଗ ପାଇଁ ପିଲା ନାହାନ୍ତି । ଯେହେତୁ ଆମେ ଆମ କଲେଜ ବେଳରୁ କାମ କରୁଥିଲୁ ସେଥିପାଇଁ ଆମକୁ ଭଲ ଭଲ କଣ୍ଟାକ୍ଟ ମିଳିଯାଇଥିଲା । ଆଉ ସେମାନେ ହିଁ ଆମକୁ ଆଗକୁ ପ୍ରମୋଟ୍ କରିଚାଲିଲେ । ମୁଁ ଆଉ ଜଣେ ମୋର ପାର୍ଟନର ଶୁଭ୍ରଜିତ୍‌ଙ୍କୁ ହିଁ ସିଧାସଳଖ କାମର ଅର୍ଡର ଆସେ । ଆଉ ଯେଉଁ ସ୍କୁଲ କିମ୍ବା କଲେଜ ସହିତ ଆମେ ଯୋଡି ହୋଇ କାମ କରିଛୁ ସେମାନେ ହିଁ ଆମକୁ ବାରମ୍ବାର ଅର୍ଡର ଦିଅନ୍ତି । ମୁଁ ଓ ମୋର ପୁରା କମ୍ପାନୀର ଗୋଟିଏ ମୋଟୋ ରହିଛି । ତାହା ହେଲା ସଠିକ୍ ଜିନିଷର ସଠିକ୍ ମୂଲ୍ୟ । ଅର୍ଥାତ ଭ୍ୟାଲୁ ଫର୍ ମନି । ଭଲ କନେକସନ୍ ଯୋଗୁଁ ଆମେ ଆଜିଯାଏଁ ଲୋକଙ୍କୁ ସର୍ଭିସ୍ ଯୋଗାଇପାରୁଛୁ । ତ ଯେଉଁ ବି ମାଧ୍ୟମରେ ହେଉ ନା କାହିଁକି ଭଲ କନେକସନ୍ ହେବା ଦରକାର ।

 

 

ଷ୍ଟାର୍ଟଅପ୍ ରେ କେତେ ମିଳେ ଆତ୍ମସନ୍ତୋଷ ?

-ଷ୍ଟାର୍ଟଅପ୍ ବିଜନେସ୍ ପାଇଁ ହୁଏତ ସମସ୍ତଙ୍କର ଅଲଗା ଅଲଗା ମତାମତ ରହିଥିବ । କିନ୍ତୁ ମୋ ପାଇଁ ଏହା ବଡ ଏଇଥିପାଇଁ କାରଣ ମୁଁ ମୋ ସାଙ୍ଗ ମାନଙ୍କ ସହ ମିଶି କାମ କରୁଛି । ଆରମ୍ଭରୁ ଆଜି ଯାଏଁ ଆମେ ନିଜ ଇଚ୍ଚାଶକ୍ତିକୁ ନେଇ ଏହି ବିଜେନସ୍ ଚାଲୁ ରଖିଛୁ । ମୋ କମ୍ପାନୀର ପୁରା ମ୍ୟାନଜେମେଣ୍ଟ ଟିମ୍ ମୋର ପୁରା ପରିବାର । ଆଜି ମୋଟ ଆମେ ୪୦ ଜଣ ଏଠାରେ କାମ କରୁଛୁ । ଆଉ ସମସ୍ତେ ନିଜ କାମକୁ ନେଇ ବହୁତ ହିଁ ପରିଶ୍ରମୀ । ସେଥିପାଇଁ ମୋତେ ଏହି କଂମ୍ପାନୀକୁ ବହୁତ ଆଗକୁ ନେବାର ଅଛି । ଆଉ ବିଜନେସ୍ ରେ ଲାଭ କ୍ଷତି ତ ଆସେ । କିନ୍ତୁ ତାକୁ ଧର୍ଯ୍ୟର ସହ ସାମ୍ନା କରିବା ସବୁଠୁ ବଡ ଜିନିଷ ।

 

୪୦ଜଣ କର୍ମଚାରୀଙ୍କୁ କେମିତି ଦେଉଛନ୍ତି ଦରମା ?

-ସମସ୍ତେ ଭାବନ୍ତି ଷ୍ଟାର୍ଟ ଅପ୍ କଂମ୍ପାନୀରେ କେବେ ବି ଭରସା କରିବା କଥା ନୁହେଁ । କିନ୍ତୁ ମୁଁ କହିବି ଯେଉଁଠି ଜୀବନକୁ ଭରସା ନାହିଁ ସେଇଠି କମ୍ପାନୀର ମୂଲ୍ୟ ବା କଣ ? ସେଥିପାଇଁ ଯଦି ଦୃଢ ଇଚ୍ଛାଶକ୍ତି ଅଛି ତା ଉପରେ ଭରସା ରଖି କାମ କରନ୍ତୁ । ଆଜି ଆମ କମ୍ପାନୀ ଯେଉଁ ୪୦ ଜଣଙ୍କୁ ଦରମା ଦେଉଛି ତାହା ରାତା ରାତି ସମ୍ଭବ ହୋଇନାହିଁ । ଏହା ଦୀର୍ଘ ୪ ବର୍ଷର ଚେଷ୍ଟା ଓ ପରିଶ୍ରମ । ଆମେ ପ୍ରଥମେ ମାତ୍ର ୩ଜଣ ହିଁ କାମ ଆରମ୍ଭ କରିଥିଲୁ । ଓ ଆରମ୍ଭରୁ ଆଜି ଯାଏଁ କଂମ୍ପାନୀର ଯେଉଁ କୋର୍ ଟିମ୍ ରହିଛି ଆମେ କେବେ ବି ଲାଭ ନିଜେ ନେଇନୁ ବରଂ ତାକୁ ପୁଣି କମ୍ପାନୀର ଉନ୍ନତୀରେ ଲଗେଇଛୁ । ତେଣୁ ଧିରେ ଧିରେ କାମ ବଢୁଛି ଆଉ ଲୋକସଂଖ୍ୟା ବି ବଢୁଛି । ଅଚାନକ କିଛି ବି ନିଷ୍ପତ୍ତି ଆମେ ନେଇନାହୁଁ । ଆମ ଓଡିଶାରୁ ଲୋକ ବାହାରକୁ ଦୁଇଟି କାରଣ ପାଇଁ ଯାଆନ୍ତି-୧-ଅଧିକ ଦରମା ୨-କାମର ସୁଯୋଗ ।
କାମର ସୁଯୋଗ ଓଡିଶାରେ କମ୍ ସେଥିପାଇଁ ବାହାରକୁ ଯାଉଛନ୍ତି । କିନ୍ତୁ ଭଲ ଦରମା କଥା ଯଦି ଦେଖିବା ତାହାଲେ ଓଡିଶାରେ ଯେଉଁ ଜିନିଷର ମୂଲ୍ୟ ୩୦ଟଙ୍କା ବାହାରେ ତାର ମୂଲ୍ୟ ୮୦ ଟଙ୍କା ତେଣୁ ଅଧିକ ଦରମା ପାଇଲେ ବି ଖର୍ଚ୍ଛ ଅଧିକ । ସେଥିପାଇଁ ଲୋକଙ୍କୁ ବୁଝିବା ବି ଦରକାର ଯେ ଅଳ୍ପଦରମାରେ ଘରଲୋକଙ୍କ ସହ ନିଜ ରାଜ୍ୟରେ ରହିବା ଉଚିତ୍ କି ବାହାରକୁ ଯିବା ଉଚିତ୍ ।

 

ଫାଷ୍ଟଟେକ୍ ଫ୍ୟାସନ ପ୍ରାଇଭେଟ୍ ଲିମିଡେଟ୍‌ର ଭବିଷ୍ୟତ କଣ ?

-ସ୍ୱପ୍ନ ତ ବହୁତ ଅଛି । ମୁଁ ଚାହେଁ ସୁରତ ,ତିରୁପୁର ଭଳି ଓଡିଶା ବି ଟେକ୍ସଟାଇଲ୍ ମାର୍କେଟରେ ନିଜର ଏକ ସ୍ୱତନ୍ତ୍ର ଜାଗା ନିର୍ମାଣ କରୁ । ଆମ ଓଡିଶାର ହ୍ୟାଣ୍ଡଲୁମ୍ ,ପଟ୍ଟଚିତ୍ର ବିଷୟରେ ସାରା ବିଶ୍ୱ ଜାଣୁ । ଆମର ଟେକ୍ସଟାଇଲ ବଜାରରେ ବି ଭଲ ଦକ୍ଷତା ଥାଇ କାହିଁକି ଲୋକ ବାହାରେ କାମ କରିବେ ? ତେଣୁକରି ଯେବେ ଓଡିଶାରେ ବାହାରୁ ଆସି ଲୋକ କାମ ଶିଖିବେ ଓ କାମ କରିବେ ତେବେ ଯାଇ ଗାରମେଣ୍ଟ ବିଜନେସର ହବ୍ ପାଲଟିବ ଓଡିଶା । ଏହା ହିଁ ଆମ କମ୍ପାନୀର ଲକ୍ଷ୍ୟ । ଆମ ହ୍ୟାଣ୍ଡଲୁମ୍ ର ଚାହିଦା ସବୁଠି ଅଛି କିନ୍ତୁ ତାର ପ୍ରସାର ପ୍ରଚାର ଆହୁରୀ ହେବା ଦରକାର ।

ଆଜିକାଲି ଯୁବପିଢିଙ୍କୁ ଷ୍ଟାର୍ଟଅପ୍ ବିଷୟରେ କଣ ଟିପ୍ସ ଦେବେ ?

-ଷ୍ଟାର୍ଟଅପ୍ ପାଇଁ ପ୍ରଥମେ ଦରକାର ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ,ପେଶା,ନିଶା,ଧର୍ଯ୍ୟ ଏହି ୪ଟି ଜିନିଷ ରହିବା ନିହାତି ଦରକାର । ଏହିସବୁ ବିନା ଷ୍ଟାର୍ଟଅପ୍ ରେ ନିଜର କ୍ୟାରିୟର କରିବା ସହଜ ନୁହେଁ । ଆଜି ଆମେରିକା ଯାହା କିଛି ବି ଦେଖୁଛନ୍ତି ତାହା ୨ହଜାର ମସିହାରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ସମ୍ଭବ ହୋଇଛି । ୨୦୧୦ ସୁଦ୍ଧା ସେମାନେ ବହୁତ ଅଧିକ ଆଗରେ ପହଂଚିଗଲେ । ସେହିଭଳି ଭାରତରେ ଏବେ ଏହି ଷ୍ଟାର୍ଟଅପ୍ କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଯେଉଁଥିରେ ଯୁବପିଢିଙ୍କୁ ଅଧିକ ଗୁରୁତ୍ୱ ଦେଇ ଆଗକୁ ବଢାଇବାର ପ୍ରେରଣା ଦିଆଯାଉଛି । ଏଥିରେ ନୂଆ ଆଇଡିଆ ପାଇଁ ଜାଗା ମିଳୁଛି । କେବଳ ସେତିକି ନୁହେଁ ବାପା ମା ମାନେ ବି ନିଜର ଚିନ୍ତାଧାରା ଧିରେ ଧିରେ ବଦଳାଇଲେଣି ।

 

 

-ଟିଭିରେ ସାର୍କ ଟ୍ୟାଙ୍କ ଦେଖି ବି ସେମାନେ ଜାଣୁଛନ୍ତି ଉଦ୍ୟୋଗୀ ହେବା କେତେ ଭଲ ଓ ଜରୁରୀ । ସେଥିପାଇଁ ଦେଶ ବଦଳୁଛି ,ଲୋକଙ୍କ ଚିନ୍ତାଧାରା ବି ବଦଳୁଛି । ତେଣୁ ମୋ ମତରେ ଷ୍ଟାର୍ଟଅପ୍ କେବେ ବି ଏକ ଫେଲ୍ ନୁହେଁ ଏଥିରେ ସଫଳତା ମିଳୁ କି ନ ମିଳୁ ଅନୁଭୁତି ତ ନିଶ୍ଚୟ ମିଳେ । ଆଉ ସେହି ଅନୁଭୂତି ହିଁ ଦିନେ ଆପଣଙ୍କ ବଡ ବିଜନେସ୍ କରିବାରେ କାମରେ ଆସେ । ଆଉ ଷ୍ଟାର୍ଟ ଅପ୍ ରେ ଗୋଟିଏ ଭଲ ଜିନିଷ ଉପଲବ୍ଧି ହେଇଯାଏ ଯେ ଆପଣ ଛୋଟରୁ ଛୋଟ ଜିନିଷରୁ ବହୁତ ଭଲ କନେକସନ୍ ତିଆରି କରିନିଅନ୍ତି । ଯଦି ବି ଆପଣ ନିଜ କାମରେ ସଫଳତା ନ ପାଇଲେ ଆପଣଙ୍କୁ ଅନ୍ୟ କମ୍ପାନୀରେ ସୁଯୋଗ ମିଳିବାର ସମ୍ଭାବନା ବି ଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )