Wednesday 8th May 2024
ଓଡ଼ିଆ ସିନେମାକୁ ନେଇ ନିଜର ମତାମତ ରଖିଲେ- ପ୍ରଦ୍ୟୁମ୍ନ ଲେଙ୍କା

ଓଡ଼ିଆ ସିନେମାକୁ ନେଇ ନିଜର ମତାମତ ରଖିଲେ- ପ୍ରଦ୍ୟୁମ୍ନ ଲେଙ୍କା

ଓଡ଼ିଆ ସିନେ ଜଗତରେ ସେ ହେଉଛନ୍ତି ଭୀଷ୍ମ ପିତାମହ । ଅନେକ ଚଳଚିତ୍ର, ଧାରାବାହିକରେ ସେ କାମ କରି ଲୋକ ମାନଙ୍କୁ ଦୀର୍ଘ ବର୍ଷ ଧରି ମନୋରଞ୍ଜନ କରେଇ ଆସୁଛନ୍ତି । କେତେବେଳେ ବାପା ହେଇ ଭଲ ପାଇବା ଦେଇଛନ୍ତି ତ କେତେବେଳେ ନେଗେଟିଭ୍ ରୋଲ୍ କରି ଲୋକଙ୍କ ମନରେ ରାଗ ସୃଷ୍ଟି କରିଛନ୍ତି ତ ପୁଣି କେବେ କମେଡି କରି ଲୋକଙ୍କୁ ହସାଇଛନ୍ତି । ଆମେ କହୁଛୁ ଓଡ଼ିଆ ସିନେ ଜଗତର ବହୁ ପରିଚିତ ଚେହେରା ପ୍ରଦ୍ୟୁମ୍ନ ଲେଙ୍କାଙ୍କ କଥା । ଆସନ୍ତୁ ଆମେ ତାଙ୍କ ସହ କଥା ହେବା ଓ ଜାଣିବା ଓଡ଼ିଆ ସିନେମାରେ ଆଜି ଯାଏଁ ତାଙ୍କର ଯାତ୍ରା ଓ ଓଡ଼ିଆ ସିନେମା ପାଇଁ ତାଙ୍କର ଚିନ୍ତା ସମ୍ବନ୍ଧରେ ।

 

୧-ପ୍ରଦ୍ୟୁମ୍ନ ଲେଙ୍କା ପ୍ରଫେସର ଲାଇଫ୍ ଓ ଅଭିନୟ ଜୀବନ ଏକା ସାଙ୍ଗରେ କେମିତି ମ୍ୟାନେଜ କରିଥାନ୍ତି?

ସବୁଠାରୁ ବଡ଼ କଥା ହେଉଛି ସମୟକୁ ଖାପ ଖୁଆଇ ଚାଲିବା କଥା । ଯଦି କୌଣସି କଥା ପ୍ରତି ଆଗ୍ରହ, ଇଚ୍ଛା କିମ୍ବା ଦୁର୍ବଳତା ଅଛି ତେବେ ସେ କାମ କରି ହେଇଯାଏ । ଯେହେତୁ ପ୍ରଫେସର ଏବଂ ଅଭିନୟ ଦୁଇଟି ଯାକ ମୋର ପ୍ୟାସନ ଥିଲା ତେଣୁ ମୁଁ ସମୟ କାଢ଼ି ପାରୁଥିଲି । ପ୍ରତ୍ୟେକ ମଣିଷର ସମୟାନୁବର୍ତ୍ତିତା ହେଉଛି ବଡ଼ କଥା । ବିନା ପରିବାରର ସହଯୋଗରେ ଆଗକୁ ବଢ଼ିବା ଟିକେ କଷ୍ଟକର ହୋଇଯାଏ, କିନ୍ତୁ ମତେ ପୁରା ସପୋର୍ଟ କରୁଥିଲା ମୋ ପରିବାର, ତେଣୁ ମତେ କେବେ କିଛି ଅସୁବିଧା ହୋଇ ନାହିଁ ।

୨- ଅଭିନୟ ଦୁନିଆକୁ ଆପଣ କେମିତି ଓ କେବେଠୁ ଆସିଲେ?

ପିଲା ବେଳୁ ହିଁ ମୁଁ ଗାଁ ମଞ୍ଚରେ ନାଟକ ଆରମ୍ଭ କରିଥିଲି । ତା ପରେ ସ୍କୁଲ, କଲେଜ ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଧ୍ୟ ନାଟକ କରିଥିଲି । ଆକାଶବାଣୀ, ଦୁରଦର୍ଶନରେ କଳାକାର ହେଲି, ତା ପରେ ଧିରେ ଧିରେ ଅଭିନୟ କ୍ଷେତ୍ରରେ ପାଦ ଦେଲି । ପ୍ରଥମେ “ପୂଜା” ଫିଲ୍ମ ନିର୍ମାଣ ହେଉଥିଲା, ପ୍ରଶାନ୍ତ ନନ୍ଦଙ୍କୁ ନେଇକି ସେତେବେଳେ ମତେ ଗୋଟିଏ ଅଫର ମିଳିଥିଲା ବଡ଼ ପରଦାରେ ଅଭିନୟ ଏବଂ କୋ ପ୍ରଡ୍ୟୁସର ହେବାକୁ । ଯେହେତୁ ମୋର ଇଚ୍ଛା ଥିଲା ତେଣୁ ଆମେ ସେହି ଫିଲ୍ମ ଟି ନାର୍ମାଣ କଲୁ ୧୯୮୧ ମସିହାରେ ଏବଂ ସେଥିରେ ମୁଁ ଗୋଟିଏ ନେଗେଟିଭ୍ କ୍ୟାରେକ୍ଟର କରିଥିଲି । ତାପରେ ୧୯୮୫ ମସିଆରେ ଗୋଟିଏ ଫିଲ୍ମ ନିର୍ମାଣ କଲୁ “ପୂଜା ଫୁଲ” ଯେଉଁଥିରେ ମୁଁ ଏବଂ ଉତ୍ତମ ମହାନ୍ତି ନାୟକ ଭୂମିକାରେ ନଜର ଆସିଥିଲୁ । ସେବେଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଛି । ଆଉ ମୁଁ ଆଶା କରୁଛି ଆଗକୁ ଏମିତି ଅନେକ ଚରିତ୍ରରେ ଅଭିନୟ କରି ମୁଁ ଲୋକ ମାନଙ୍କୁ ଏଣ୍ଟଟେନ୍ କରେଇବି ।

୩- ଆପଣ ସିରିୟଲ ଫିଲ୍ମରେ ଅଭିନୟ କରିଛନ୍ତି କଣ ଏତେ ଦିନ ଭିତରେ ଯେଉଁ ମାନଙ୍କ ସହ ଅଭିନୟ କରିଛନ୍ତି ସେ ସମୟରେ ଆଉ ଆଜି ଭିତରେ କଣ ତଫାତ ଦେଖନ୍ତି?

ସେତେବେଳେ ବି ଭଲ ଅଭିନେତା ଥିଲେ ଏବେ ବି ଅଛନ୍ତି । ସମୟ ପରିବର୍ତ୍ତନ ହେଇଛି, ସମୟର ସଂଜ୍ଞା, କଥା ବଦଳିଛି । ଟେକ୍ନିକାଲ କ୍ଷେତ୍ରରେ ମଧ୍ୟ ବହୁତ ପରିବର୍ତ୍ତନ ହେଇଛି । ସେତେବେଳେ ଅଭିନୟ ଉପରେ ବେସୀ ଫୋକସ କରାଯାଉଥିଲା । ଏବେ ଟେକ୍ନିକାଲ ଓ ଅଭିନୟ ୨ଟି ଯାକ ଉପରେ ଫୋକସ କରାଯାଉଛି । ତେଣୁ ସେତେବେଳେ ହେମନ୍ତ ଦାସ, ଜୌତିରଞ୍ଜନ ସ୍ୱାଇଂ ଏମାନଙ୍କ ସହ ମୁଁ ଅଭିନୟ କରିଛି । ତାପରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ଅଜିତ ଦାସ, ଜଇରାମ ସାମଲ ଅଭିନୟ କଲେ ସେମାନଙ୍କ ସହ ମଧ୍ୟ ମୁଁ କାମ କରିଛି । ଅଭିନୟ ହେଉଛି ଅଭିନୟ ସେବେକା ଆଉ ଏବେକା ଭିତରେ କିଛି ପାର୍ଥକ୍ୟ ନାହିଁ ବୋଲି ମୁଁ ଭାବେ ।

୪- ଅଭିନୟ କ୍ଷେତ୍ରରେ ଆପଣଙ୍କୁ ଅନେକ ଲୋକ ପସନ୍ଦ କରନ୍ତି କିନ୍ତୁ ଆପଣଙ୍କର ପ୍ରିୟ କଳାକାର କିଏ?

ଅମିତାଭ ବଚନ ହଉଛନ୍ତି ଜଣେ ଲେଜେଣ୍ଡ ମତେ ସେ ବହୁତ ଭଲ ଲାଗନ୍ତି । ତାପରେ ଦିଲୀପ୍ କୁମାର ବହୁତ ଭଲ କଳାକାର, ସଞ୍ଜୟ କୁମାର । ସେମିତି ଦେଖିବାକୁ ଗଲେ ବହୁତ ବଡ଼ ବଡ଼ କଳାକାର ଅଛନ୍ତି, ଜ୍ୟୋତି ରଞ୍ଜନ ସ୍ୱାଇଂ, ହେମନ୍ତ ଦାସ ଏଠି ଭଲ ଭଲ ଅଭିନେତା । ପରବର୍ତ୍ତୀ ପିଢ଼ିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ସାଧନା ପରିଜା, ରୁନୁ ପଣ୍ଡା ସେମାନଙ୍କ ଅଭିନୟ ମତେ ବହୁତ ଭଲ ଲାଗେ । ତା’ପରେ ରଚନା ବାନାର୍ଜୀ ଜଣେ ଭଲ ଅଭିନେତ୍ରୀ, ବର୍ତ୍ତମାନ ପିଢ଼ିରେ ବାବୁସାନ ଜଣେ ଭଲ ଅଭିନେତା ତାଙ୍କ ଅଭିନୀତି ସବୁ ଚଳଚିତ୍ର ମତେ ବହୁତ ଭଲ ଲାଗେ ।

୫- ଅଭିନୟ ଦୁନିଆରେ ଜଣେ କେମିତି ସଫଳ କ୍ୟାରିୟର କରିପାରିବ?

ଆମେ ଯେତେବେଳେ ଅଭିନୟ ଆରମ୍ଭ କରିଥିଲୁ ସେତେବେଳେ ଏତେ ସୁବିଧା ନଥିଲା । କେବଳ ଅଭିନୟ କରି ବଞ୍ଚିବା ସହଜ ନଥିଲା । ବହୁତ କମ୍ ଅଭିନେତା ଥିଲେ ଯିଏକି କେବଳ ଅଭିନୟ କରି ବଞ୍ଚୁଥିଲେ । କାହିଁକିନା ସେତେବେଳେ ସେତେ ଚଳଚିତ୍ର ହେଉ ନଥିଲା କି ସିରିଏଲ ହେଉନଥିଲା, ସ୍କୋପ୍ ବହୁତ୍ କମ୍ ଥିଲା । ଏବେ କିନ୍ତୁ ବହୁତ ସ୍କୋପ୍ ଅଛି ଏବେ ବହୁତ ଚଳଚିତ୍ର ହେଉଛି, ସିରିଏଲ, ୱେବସିରିଜ୍ ହେଉଛି । ତେଣୁ ଯଦି କିଏ ଅଭିନୟକୁ ଜଣେ ପେଶା କରିବ, କ୍ୟାରିୟର ଏଥିରେ ଗଢ଼ିବାକୁ ଚାହିଁବ ତେବେ ଭଲସେ ରହିପାରିବ, ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିପାରିବ ସେ ।

୬- ଆପଣଙ୍କୁ କଣ ଲାଗୁଛି ଓଡ଼ିଆ ସିନେମା କେଉଁ ଦିଗକୁ ଯାଉଛି?

ଓଡ଼ିଆ ସିନେମା ଦୀର୍ଘ ଦିନ ଧରି ସଙ୍କଟରେ ଥିଲା ଖାଲି କରୋନା ବେଳୁ ନୁହେଁ କରୋନା ଆସିବା ପୂର୍ବରୁ ମଧ୍ୟ ପ୍ରାୟେ ୫,୭ ବର୍ଷ ଧରି ଓଡ଼ିଆ ସିନେମା ବିପଦରେ ଥିଲା । ଲୋକ ମାନେ ଏତେ ଓଡ଼ିଆ ସିନେମାକୁ ଦେଖିବାକୁ ଆସୁନଥିଲେ ଯେକୌଣସି କାରଣ ପାଇଁ ହେଉ ନା କାହିଁକି । ଟିଭିର ପ୍ରଚାର ପ୍ରସାରଣ , ଫିଲ୍ମର କପି ପେଷ୍ଟ ପାଇଁ ହେଉ ଏମିତି ଅନେକ କାରଣ ପାଇଁ ଲୋକ ଦେଖିବାକୁ ଯାଉନଥିଲେ । ଓଡ଼ିଆ ସିନେମା ସଙ୍କଟରେ ଥିବା ବେଳେ ଏବେ ଯେଉଁ ଫିଲ୍ମ ଆସିଲା “ଦମନ” ତାହା ଲୋକ ମାନଙ୍କ ମନରେ କୋଉଠି ନା କୋଉଠି ଆଶା ସୃଷ୍ଟି କରିଛି, କି ଓଡ଼ିଆ ଇଣ୍ଡଷ୍ଟ୍ରି ନିଜର ଭଲ ଫିଲ୍ମ ନିର୍ମାଣ କରିପାରିବ । ଡାଇରେକ୍ଟ, ପ୍ରଡ୍ୟୁସର ମାନଙ୍କ ମନରେ ମଧ୍ୟ ଆଶା ଜାଗ୍ରତ କରିଛି କି ଏଭଳି ମୌଳିକ ଭିତ୍ତିକ, ସତ ଫିଲ୍ମ ତିଆରି କଲେ ଲୋକ ପସନ୍ଦ କରୁଛନ୍ତି । ଯଦି ଏଭଳି ଫିଲ୍ମ ତିଆରି ହେବ ତେବେ ଲୋକ ନିଶ୍ଚିନ୍ତ ହଲ୍‌କୁ ଆସିବେ । ତେଣୁ ମୋ ମତରେ ଗୋଟିଏ ଆଶା ସୃଷ୍ଟି କରୁଛି ଓଡ଼ିଆ ଫିଲ୍ମ ଆଗକୁ ବଢ଼ିବା ପାଇଁ

୭-ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପସନ୍ଦର ଅଭିନୀତ ଚରିତ୍ର କଣ?

ଅନେକ ଚଳଚିତ୍ରରେ ମୁଁ ଅଭିନୟ କରିଛି, ପ୍ରାୟେ ୧୫୦ ରୁ ୨୦୦ ଫିଲ୍ମରେ ମୁଁ ଅଭିନୟ କରିଛି । ମତେ ଭଲ ଲାଗେ ଯେମିତି “ବାପା ତମେ ଭାରି ଦୁଷ୍ଟ”, “ସମୟ ଚକରେ ସଂସାର ରଥ”, “ଅର୍ଜୁନ” ଏଭଳି ଚଳଚିତ୍ର ମତେ ପପୁଲାର କରିଛି । ଏହି ଚଳଚିତ୍ରରେ ଅଭିନୀତ ମୋର ଚରିତ୍ର ମତେ ବହୁତ ଭଲ ଲାଗେ, ଗୋଟଏ ଆତ୍ମସନ୍ତୋଷ ଦେଇଛି । “ବିଷ୍ଣୁ ସାହୁ”, “ଏଇ ଜୀବନଟା ନାଟକ” ଓ “ସଂସ୍କାର” ଏଭଳି ଅନେକ ସିରିଏଲର ଚରିତ୍ର ଯାହା ମତେ ଭଲ ଲାଗେ

CATEGORIES
TAGS
Share This

COMMENTS

Wordpress (0)
Disqus (0 )