Friday 29th March 2024
ଓଡିଶାର ସିନେମା ମାଟିରେ ମିଶିଯାଇଥିଲା,କିନ୍ତୁ ଏବେ ସମୟ ବଦଳିଛି ;ପାର୍ଥ ସାରଥୀ ରାୟ

ଓଡିଶାର ସିନେମା ମାଟିରେ ମିଶିଯାଇଥିଲା,କିନ୍ତୁ ଏବେ ସମୟ ବଦଳିଛି ;ପାର୍ଥ ସାରଥୀ ରାୟ

ଆଜି ଓଡିଶାର ସିନେମାକୁ ଲୋକ ଚିହ୍ନୁଛନ୍ତି ,ଜାଣୁଛନ୍ତି ଯାହା ଆମକୁ ଖୁବ୍ ଗର୍ବ ଅନୁଭବ ହେଉଛି । କିନ୍ତୁ ଏହିଭଳି ଗୋଟିଏ କି ଦୁଇଟି ସିନେମା କରି ଆମ ଇଣ୍ଡଷ୍ଟ୍ରି ଏଇଠି ରହିଯିବ । କାହିଁକି ଆଗରୁ ଓଡିଆ ସିନେମା ଦେଖିବାକୁ ଲୋକ ହଲ୍ କୁ ଆସୁନଥିଲେ । ଓଡିଆ ସିନେମାରେ ଭୁଲ୍‌,ନା ଫିଲ୍ମ ନିର୍ମାତାଙ୍କର ଭୁଲ୍ ନା ଦର୍ଶକଙ୍କର ଭୁଲ୍ କେଉଁ କାରଣ ଯୋଗୁଁ ଆମ ଓଡିଆ ସିନେ ଜଗତ ଆଗକୁ ବଢିପାରୁନି । ଅନ୍ୟ ଆଂଚଳିକ ଭାଷା ର ସିନେମା ସାରା ଦେଶରେ ପରିଚୟ ପାଉଛି ତାହାଲେ ଆମ ଓଡିଆ ସିନେମା କାହିଁକି ନୁହେଁ । ଚାଲନ୍ତୁ ଏ ବିଷୟରେ ଆଜି କଥା ହେବ ଜଣେ ଜଣାଶୁଣା କଳାକାର ପାର୍ଥ ସାରଥୀ ରାୟଙ୍କ ସହ ଓ ଜାଣିବା ଆମ ଓଡିଆ ସିନେମାର ଦିଗ କେଉଁଆଡେ ?

୧-ଓଡିଶାର ସିନେମା କେମିତି ଆଗକୁ ବଢିବ ?

-”ଆମେ ଯେ ପର୍ଯ୍ୟନ୍ତ ଆମ ସମାଜରେ ଆମ ଚଳଚିତ୍ରର ସ୍ୱତନ୍ତ୍ରତାକୁ ନେଇ ଏକ ଇକୋସିଷ୍ଟମ ତିଆରି କରିନୁ ସେ ଯାଏଁ ଆମେ କିଛି ବି କରିପାରିବୁ ନାହିଁ । ଆଉ ଏହା କେବଳ ନିଜ ମାଟିର କଳା ସଂସ୍କୃତିକୁ ସିନେମା ମାଧ୍ୟମରେ ପ୍ରକାଶ କଲାପରେ ହିଁ ହେବ । ଯାହା ବର୍ତ୍ତମାନ ସମୟରେ ଦମନ ଚଳଚିତ୍ର କରି ଦେଖାଇଲା । ଆମ ଆଂଚଳିକ କଥା ସେ ଲୋକଙ୍କ ସାମ୍ନାରେ ପହଂଚାଇବାରେ ସଫଳ ହେଲା । ଯଦି ଆମେ ଆମ ନିଜ ରାଜ୍ୟର ଲୋକଙ୍କ ମନ ଜିତିପାରିବାନି ତାହାଲେ ଆମ ଓଡିଶାର ସିନେମା ଆଗ୍ରଗତି କରିବ ବୋଲି ଭାବିବା କେମିତି ?”

 

୨-ଓଡିଆ ସିନେମାର ରିଲିଜ ସୂଚନା ସବୁ ଦର୍ଶକଙ୍କୁ ମିଳୁନି କାହିଁକି ?

-”ଦେଖନ୍ତୁ ଓଡିଆ ସିନେମା ପ୍ରଥମତଃ ଭଲ ହେଉନି । ଆଉ ଯାହା ବି ଗୋଟିଏ ଦିଟା ଭଲ ହେଉଛି ତାର ସଠିକ୍ ପ୍ରମୋସନ ହେଇପାରୁନି । କାରଣ ଖୁବ୍ କମ୍ ବଜେଟ୍ ଭିତରେ ସିନେମା କରାଯାଉଛି ଆଉ ତାକୁ ପ୍ରମୋସନ କରିବା ପାଇଁ ସକ୍ଷମ ରହୁନାହିଁ । ଯାହା ଫଳରେ ଭଲ ସିନେମା ଆସିଲେ ବି ଲୋକଙ୍କ ପାଖରେ ସୂଚନା ପହଂଚିପାରୁନାହିଁ । ନୂଆ ଜିନିଷ କରିବାର ଫାଇଦା ରହୁନାହିଁ । ମୁଁ ବିଶ୍ୱାସ କରେ ଏହା ଗୋଟିଏ କାରଣ ,କିନ୍ତୁ ତା ମାନେ ନୁହେଁ ଆମେ ଭଲ ସିନେମା କରିବା ନାହିଁ । ଏହି ଜିନିଷର ଆଉ ଏକ ମାଧ୍ୟମ ଆଜିର ସମୟରେ ଅଛି – ଯାହା ହେଉଁ ଦର୍ଶକଙ୍କ ଭଲ ପାଇବା । ଯଦି ଉଦାହରଣ ଦେବି- କାନ୍ତାରା ଯାହକି ଏକ କନ୍ନଡ ଫିଲ୍ମ ଓ ତାହା କେବଳ କନ୍ନଡ ଭାଷାରେ ହିଁ ରିଲିଜ ହୋଇଥିଲା । କିନ୍ତୁ ଲୋକେ ତାକୁ ଏତେ ମାତ୍ରାରେ ଭଲ ପାଇବା ଦେଲେ ଯେ ତାହା ଆଉ ରିଜୋନାଲ୍ ହେଇ ରହିଲାନାହିଁ ବରଂ ପ୍ୟାନ୍ ଇଣ୍ଡିଆ ସ୍ତରରେ ଯାଇ ପହଂଚିଲା । ଏବେ ଦମନ ଚଳଚିତ୍ର ବି ସମାନ ରୂପେ ସଫଳତା ପାଇଲା । ଲୋକ ଦେଖି ଏତେ ପ୍ରଚାର କଲେ ଯେ ପ୍ରଡକ୍ସନ ହାଉସ୍ କୁ ପ୍ରମୋସନ କରିବାକୁ ପଡିଲାନି ବରଂ ଲୋକଙ୍କ ପ୍ରଶଂସାରେ ଆଜି ତାହା ହିନ୍ଦୀରେ ଆସିବାକୁ ଯାଉଛି । ତେଣୁ ମୁଁ ମାନେ,କି ଭଲ କଣ୍ଟେଣ୍ଟ ହେବା ଦରକାର । ବାକି ଭଲ ଖରାପ ମାର୍କେଟରେ ଚାଲିବ ନ ଚାଲିବ ସବୁ ଦର୍ଶକଙ୍କ ହାତରେ ।”

 

୩-ଓଡିଶାରେ କ୍ୱାଲିଟି କଣ୍ଟେଣ୍ଟ କାହିଁକି ହେଉନି ?

-”ଓଡିଶାରେ ଭଲ ସିନେମା ହେଉଛି କିନ୍ତୁ ଆମର କିଛି ଫିଲ୍ମ ମେକର୍ ତାଙ୍କର ଧାରଣା ବଦଳାଉନାହାନ୍ତି । ସେମାନେ ଏହା ଅଭିଯୋଗ କରୁଛନ୍ତି କି ତାଙ୍କ ଫିଲ୍ମ ଭଲ କିନ୍ତୁ ହଲ୍ ନାହିଁ ବୋଲି ଫିଲ୍ମ ଚାଲୁନି । କିନ୍ତୁ ମୁଁ କହିବି ସେମିତି କିଛି ବି ନୁହେଁ ଆଜି ହଲ୍ କୁ ଯଦି ଲୋକେ ଓଡିଆ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ତାର ଅର୍ଥ ହେଲା- ଆମେ ଦୀର୍ଘ ୧୫ରୁ ୨୦ ବର୍ଷ ହେଲା ପାପ କରିଚାଲିଛୁ । ଯଦି ଗୋଟିଏ କପି ଫିଲ୍ମ ଭଲ ଚାଲିଗଲା ବାସ୍ ଆମେ ମେଣ୍ଡାଙ୍କ ଭଳିଆ ତାକୁ ଛାପି ଚାଲିଲୁ । କିଛି ବି ନୂଆ ଆମେ ଆମ ଦର୍ଶକଙ୍କୁ ଭେଟି ଦେଇନୁ । ତେଣୁକରି ଓଡିଆ ସିନେମା କିଏ କାହିଁକି ଦେଖିବାକୁ ଆସିବ ? ଯେଉଁମାନେ ଜାଣିନାହାନ୍ତି କାମ ସେମାନେ ଆମ ଇଣ୍ଡଷ୍ଟ୍ରିରେ ଫିଲ୍ମ ମେକର୍ । କିନ୍ତୁ ଯେଉଁମାନେ ପାଠ ପଢି ଏଇ ଲାଇନରେ କାମ କରିବାକୁ ଚାହାନ୍ତି ସେମାନଙ୍କୁ ସ୍କୋପ୍ ମିଳୁନି । ଆଉ ସବୁଠୁ ମୁଖ୍ୟ କଥା ହେଉଛି କାଷ୍ଟିଙ୍ଗ୍ । ଭଲ ଅଭିନୟ କରୁଥିବା କଳାକାର ଅଭାବ । ମ୍ୟୁଜିକ ଭିଡିଓ ଆଲବମ୍ ରୁ ଆମେ କଳାକାର ନେଇ ଫିଲ୍ମ କରିଦେଉଛୁ ,ଯାହା ଫଳରେ ଫିଲ୍ମର ଚରିତ୍ର ଗୁଡିକ ଜୀବନ୍ତ ଲାଗୁନାହାନ୍ତି । ସେମାନଙ୍କର ଅଭିନୟ ଫେକ୍ ଲାଗୁଛି ମନଗଢା ଲାଗୁଛି ସେଥିପାଇଁ ଲୋକ ହଲ୍ କୁ ଯାଇ ସିନେମା ଦେଖୁନାହାନ୍ତି । ହେଲେ ଏହି କଳାକାରମାନେ ଆମର ଏଇଠି ସୁପରଷ୍ଟାର । ଏଇସବୁ ଫେକ୍ ଜିନିଷ ପାଇଁ ଆମ ଇଣ୍ଡଷ୍ଟ୍ରିରେ ଭଲ କଣ୍ଟେଣ୍ଟ ହେଇପାରୁନି ।”

 

୪-ଓଡିଶାରେ ସିନେ ସାମ୍ବାଦିକତା କେତେ ଭଲ ?

-”ଦେଖନ୍ତୁ ଆମ ଓଡିଶାରେ ସାମ୍ବାଦିକତାର ବିଭିନ୍ନ ସ୍ତର ରହିଛି । ଆଉ ସବୁଥିରେ ଭିନ୍ନ ଭିନ୍ନ ବିଭାଗ ରହିଛି । ଆଗରୁ ଲୋକେ ବିଶ୍ୱାସ କରୁଥିଲେ ସିନେ ସାମ୍ବାଦିକ ମାନଙ୍କୁ । ସେମାନଙ୍କର ଗୋଟିଏ ଗୋଟିଏ ରିଭ୍ୟୁ ବହୁତ ହିଁ ମହତ୍ୱ ରଖୁଥିଲା,ଆଉ ତାକୁ ପଢି,ଶୁଣି ଦର୍ଶକ ସିନେମା ଦେଖିବାକୁ ଯାଉଥିଲା । କିନ୍ତୁ ଏବେ ସିନେ ସାମ୍ବାଦିକତା କହିଲେ ୪ ଟି ଶଦ୍ଧ -ଚତ୍ମକାର ଅଭିନୟ,ଚତ୍ମକାର କାହାଣୀ,ଚୁଲବୁଲି ନାୟିକା,ହ୍ୟାଣ୍ଡସମ୍ ଅଭିନେତା । ବାସ୍ ଏତିକିରେ ସିନେମା ରିଭ୍ୟୁ ଶେଷ ।”

୫-ଓଡିଶାରେ ଭଲ ସିନେମାକୁ କେମିତି ଚିହ୍ନିବେ ଦର୍ଶକ ?

-”ଓଡିଶାରେ ଭଲ ସିନେମା ହେଇପାରିବ,ହେଉଛି ମଧ୍ୟ । କିନ୍ତୁ ଅସୁବିଧା ହେଉଛି ସିନେମାକୁ ଭଲ ଭାବରେ ଜାଣିଥିବା ଲୋକ ଏହାର ଅବଗତି କରୁଛନ୍ତି । ଧରାଯାଉ ଗୋଟିଏ ସିନେମା ଭଲ ହେଲା ଓ ତାହା ଇଣ୍ଟରନେସନାଲ ଫିଲ୍ମ ଫେସ୍ଟିଭାଲ୍ କୁ ଗଲା ,ତାହାଲେ ତାହାକୁ ଏଇଠି ଲୋକ ଆର୍ଟ ସିନେମାର ଆଖ୍ୟା ଦେଇଦେଉଛନ୍ତି । ମୁଁ ବୁଝିପାରୁନି ବିନା ଆର୍ଟ/କଳାରେ କଣ ସିନେମା ହୁଏ । ଆଉ କର୍ମସ ସିନେମା କଣ ? ତାର ପ୍ରକୃତ ଅର୍ଥ ନ ବୁଝି ଆଉ ଦର୍ଶକଙ୍କୁ ବି ନ ବୁଝେଇ ଆମ ଇଣ୍ଡଷ୍ଟ୍ରିକୁ ଡାଉନ୍ କରିସାରିଲେଣି । ଏହିଭଳି ଘଟଣା ଯଦି ଆପଣଙ୍କୁ ଉଦାହରଣ ଦେବି-ତାହାଲେ “ଏଡିୟୁ ଗୋଦାର” ତାର ବଡ ଉଦାହରଣ । ତାକୁ ଆର୍ଟ ଫିଲ୍ମ କହି ପ୍ରମୋଟ କରିବା ହିଁ ବନ୍ଦ କରିଦେଉଛନ୍ତି । ଲୋକ ବୁଝିହିଁ ନାହାନ୍ତି ଭଲ ସିନେମା କଣ ? ତାକୁ ହଲ୍ ପର୍ଯ୍ୟନ୍ତ ଆଣିବାକୁ ହେଲେ ତାଙ୍କୁ ଆପଣଙ୍କ କାହାଣୀର ମର୍ମ ବୁଝାଇବାକୁ ହେବ । ଯାହା ବର୍ତ୍ତମାନ ବହୁତ ଫିଲ୍ମ କରି ଦେଖାଇଲାଣି । ଏବେ ଲୋକେ ଠିକ୍ ବୁଝିପାରିବେ କେଉଁଟା ଭଲ ସିନେମା ଓ କେଉଁଟା ଖରାପ ସିନେମା । ଭଲ କାମ କଲେ ହିଁ ଖରାପଟି ଆପେ ଆପେ ବାରି ହେଇଯିବ ।”

 

୬-ପାର୍ଥ ସାରଥୀ କେମିତି କାହାଣୀ ବାଛନ୍ତି ?

-”ମୁଁ ପ୍ରଥମେ କାହାଣୀ ଶୁଣେ ମେକର୍ ମାନଙ୍କ ସହ କଥା ହୁଏ ଓ କଥା ହେବା ପରେ ମୁଁ ବୁଝିପାରେ କି ଏହା କେଉଁ ଦିଗକୁ ଯିବ । ଜଣଙ୍କ କଥା ବାର୍ତ୍ତାରୁ ହିଁ ଜଣାପଡିଯାଏ ସେ ଶିକ୍ଷିତ ଓ ଯେଉଁ କାମ କରିବାକୁ ଯାଉଛି ତାପାଇଁ ପେସନେଟ୍ । ବାସ୍ ସେମିତି ରେ ହିଁ ମୁଁ ନିଜ ପାଇଁ କାମ ବାଛେ । ଆଗାମୀ ସମୟରେ ମୋର ବଡ ପ୍ରଜେକ୍ଟ ଏକ ଭଲ େଓବ୍ ସିରିଜ୍ ଆସୁଛି ଯାହାର ନାଁ ଆନ୍‌ଥୋନି । ଆପଣମାନଙ୍କୁ ନିହାତି ପସନ୍ଦ ଆସିବ । ତାପରେ ଦାହନ,ଡାଲଚିନି,ପ୍ରସ୍ଥାନମ୍ ,ଆଦି ଫିଲ୍ମ ଆଗକୁ ଆସିବାର ଅଛି ମୋର । ଏସବୁ ଫିଲ୍ମ ପରସ୍ପର ଠାରୁ ଭିନ୍ନ । କାହାକୁ କାହା ସହ ଆପଣ ତୁଳନା କରିପାରିବେନି । ବାସ୍ ମୁଁ ଏମିତି ହିଁ ନୂଆ କରିବାକୁ ସବୁବେଳେ ଚାହେଁ ଆଉ କରେ ମଧ୍ୟ ।”

୭- ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭିନୟକୁ କ୍ୟାରିୟର କେମିତି କରିପାରିବ ?

-”ଦେଖନ୍ତୁ ଆମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ସମୟରେ ଯଦି କହିବି ତାହାଲେ କ୍ୟାରିୟର ଟିକେ କଷ୍ଟ ଦାୟକ । କାରଣ ବର୍ତ୍ତମାନ ଏହି ଲାଇନ୍ ରେ କ୍ୟାରିୟର କରିବାର ଅର୍ଥ ଖୁବ୍ ଧର୍ଯ୍ୟ ଦରକାର । ସବୁ ଇଣ୍ଡଷ୍ଟ୍ରିରେ ଷ୍ଟ୍ରଗଲ୍ ଥାଏ । କିନ୍ତୁ ଆମ ଇଣ୍ଟଷ୍ଟ୍ରିରେ ଟିକେ ଅଧିକ । ଯଦି ଭଲ କାମ ହେଲା ତାହାଲେ ଜଣେ ଚାହିଁଲେ ଏହି ଆକଟିଙ୍ଗକୁ ନିଜର କ୍ୟାରିୟର,ରୋଜଗାରର ମାଧ୍ୟମ ସବୁକିଛି କରିପାରିବ ।”

CATEGORIES
TAGS
Share This

COMMENTS

Wordpress (0)
Disqus (0 )