Tuesday 23rd April 2024
Career: ଓଡିଶାରେ ଆନିମେସନରେ କ୍ୟାରିୟର କରିବା କେତେ ସମ୍ଭବ ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

Career: ଓଡିଶାରେ ଆନିମେସନରେ କ୍ୟାରିୟର କରିବା କେତେ ସମ୍ଭବ ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଆନିମେସନ୍‌ରେ ଗଢିବାକୁ ଚାହୁଁଛନ୍ତି କି ନିଜର କ୍ୟାରିୟର ? କେମିତି ଓ କେଉଁଭଳି ଏହି ଲାଇନରେ କରିହେବ ରୋଜଗାର ? କେତେ ଦରକାର ଶିକ୍ଷାଗତ ଯୋଗ୍ୟତା ? ଏସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଦେବା ପାଇଁ ଆମେ କିଛି ଏକ୍ସପର୍ଟଙ୍କ ସହ ଆଲୋଚନା କଲୁ । ଆନିମେସନରେ କ୍ୟାରିୟର କରିବାକୁ ଚାହୁଁଥିଲେ ଏହି ସଂମ୍ପୂର୍ଣ୍ଣ ଆର୍ଟିକିଲଟିକୁ ପଢନ୍ତୁ ।

ବିଭୁଦତ୍ତ ତ୍ରିପାଠୀ (ହାଇ ଫ୍ଲେୟାର ଅନୁଷ୍ଠାନର ମୁଖ୍ୟ)

“ଆନିମେସନ ଦୁନିଆକୁ ଆମେ ମନୋରଞ୍ଜନ ସହ ସିଧାସଳଖ ଯୋଡି ପାରିବା । ଆନିମେସନ ଯେ କେବଳ ଛୋଟପିଲାଙ୍କ ଦୁନିଆ ତା ନୁହେଁ ସବୁ ବୟସ ବର୍ଗର ଲୋକଙ୍କୁ ଆନିମେସନ ଆକୃଷ୍ଟ କରେ । ଆନିମେସନ ଆଜି କି କାଲିର କଥା ନୁହେଁ ଏହା ବହୁତ ବର୍ଷରୁ ରହିଛି । ବହୁତ ପୂର୍ବରୁ ଟମ୍ ଏଣ୍ଡ ଜେରୀ,ମୋଗଲୀ,ଆଦ ି କାର୍ଟୁନ ଟିଭିରେ ଦେଉଥିଲା ଓ ସେତେବେଳେ ବି ଆମେ ଏସବୁ ଦେଖୁଥିଲେ । କିନ୍ତୁ ଆମେ ବାସ୍ ଏତିକି ଜାଣିଥିଲୁ ଯେ ଏହା କମ୍ପ୍ୟୁଟର ବ୍ୟବହାର କରି କରାଯାଏ । କିନ୍ତୁ କେମିତି କରାଯାଏ ତାର ଧାରଣା ନଥିଲା ।’’ “ଓଡିଶାର କଥା ଯଦି କହିବା ତାହାଲେ ଆନିମେସନରେ କ୍ୟାରିୟର କରିବାର ଧାରଣା ବିଶେଷ ଲୋକଙ୍କୁ ଜଣାନଥିଲା । ଯାହା ସେ ସମୟରେ ଲୋକଲୋଚନକୁ ଆସିବାର ସଠିକ୍ ପନ୍ଥା ନଥିଲା । ଆଜିର ସମୟରେ ଡିଜିଟାଲୀ ଖୁବ୍ ସହଜରେ ଲୋକଙ୍କ ପାଖରେ ପହଂଚିପାରୁଛି ।’’

ଆନିମେସନରେ କ୍ୟାରିୟର କରିବାର ଉପାୟ-

”ଆନିମେସନରେ କ୍ୟାରିୟର ମାନେ କ୍ରିଏଟିଭ୍ ସେକ୍ଟରରେ କାମ । ଏଥିରେ ଏକ ସାଧାରଣ ଶିକ୍ଷାଗତ ଯୋଗ୍ୟତା ରଖାଯାଏ । ତେଣୁକରି ଯଦି ଦଶମ କିମ୍ବା ଦ୍ୱାଦଶ ପାସ୍ କରି ଜଣେ ଆନିମେସନରେ ସିଧାସଳଖ ଭର୍ତ୍ତି ହେଉଛି ତାହାଲେ ପାଠପଢା ପରେ କୌଣସି ବି କମ୍ପାନୀରେ ଆବେଦନ କରିପାରିବ । ହେଲେ ଯଦି ସ୍କୁଲ କଲେଜରେ ନ ପଢି ଜଣେ କେବଳ ଆନିମେସନ କୋର୍ସ କରିବ ତାହାଲେ ହୁଏତ ତାଙ୍କୁ ଚାକିରୀ ପାଇଁ ସେତେଟା ଭଲ ସୁଯୋଗ ମିଳିବନି ।” ସ୍କୁଲ କଲେଜରେ ପାଠ ପଢିଥିବା ପିଲା ଆର୍ଟିଷ୍ଟିକ ହେବା ଦରକାର ତାସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଦରକାର । କାରଣ ଆନିମେସନର ସମସ୍ତ କାମ କମ୍ପ୍ୟୁଟରରେ ସଫ୍ଟୟୁଏଆର ବ୍ୟବହାର କରି କରାଯାଏ । ”ଆନିମେସନରେ ଦୁଇଟି ପ୍ରକାରର ପାଠ ପଢାଯାଏ-୧-କ୍ୟାରିୟର କୋର୍ସ ୨- ସର୍ଟ ଟର୍ମ କୋର୍ସ । ଯେଉଁମାନେ ଆନିମେସନରେ ନିଜର ଭବିଷ୍ୟତ ଗଢିବାକୁ ଚାହାନ୍ତି ଓ ଭଲ ଜାଗାରେ ପ୍ଲେସମେଣ୍ଟ ପାଇବାକୁ ଚାହାନ୍ତି ସେମାନେ କ୍ୟାରିୟର କୋର୍ସ କରନ୍ତି । ଆଉ ସର୍ଟ ଟର୍ମ କୋର୍ସରେ ଆପଣଙ୍କୁ ଆନିମେସନ ୬ମାସ କି ବର୍ଷେ ପାଇଁ ଶିଖାଯିବ ସତ କିନ୍ତୁ ସେଥିରେ ସବୁକିଛି ଜାଣିବାର ସୁଯୋଗ ନଥିବ ।”

ଆଉ ବର୍ତ୍ତମାନ ଆନିମେଟର ମାନଙ୍କର ଚାହିଦା ଖୁବ୍ ଅଧିକ । କେବଳ କାର୍ଟୁନ ବା କ୍ୟାରେକ୍ଟର ଡିଜାଇନ କରିବା ନୁହେଁ ବରଂ ଇ-ଲର୍ଣ୍ଣିଂଙ୍ଗ ,ଡିଜିଟାଲ ଆପ୍ ଡିଜାଇନିଂ ବିଭିନ୍ନ କମ୍ପାନିର ମଡେଲ ଆଦି ୨ ଡି ଓ ୩ଡିରେ ତିଆରି କରିବାର କାମ ରହିଛି । ଓଡିଶାରେ ତ ଏବେ ସୁଯୋଗ ବଢିଲାଣି । କିନ୍ତୁ ଅଧିକ ଦରମା ଆଶାରେ ଯଦି ପିଲାମାନେ ବାହାରେ ବି ଯାଇ ଚାକିରି କରିବେ ତାହାଲେ ବି ସଫଳତା ପାଇପାରିବେ । ତେଣୁ ଆନିମେସନରେ କ୍ୟାରିୟର କରିବା ଏକ ସଫଳ କ୍ୟାରିୟର ହେବ ବୋଲି ଆମେ କହିପାରିବା ।

ଶୁଭେନ୍ଦୁ ଶେଖର (ଧରିତ୍ରୀ ଆନିମେଟର )

“ଆନିମେସନ ଦୁନିଆ ବହୁତ ହିଁ ନିଆରା ଓ ଭିନ୍ନ ! ଏହି ଦୁନିଆକୁ ଯିଏ ବି ଆସେ ତାକୁ ଏଠାରେ ହଜିଯିବାକୁ ଭଲ ଲାଗିବ । ଆନିମେସନରେ ଗୋଟିଏ ନିର୍ଜିବ ଜିନିଷକୁ ଜୀବନ୍ତ କରିବାର ଅନୁଭୂତି ମିଳେ ।” ଏହି ଅନୁଭୂତିକୁ ଯିଏ ଅଙ୍ଗେ ଲିଭେଇ ପାରିଲା ସେ ହିଁ ଜଣେ ଭଲ ଆନିମେଟର ହେଇପାରିବ । କେବଳ ସେତିକି ନୁହେଁ “ପ୍ରତ୍ୟେକ ଦିନର ଚଳଚଂଚଳ ଦୁନିଆକୁ ଯିଏ ନିଜ ଆଖିରେ ଅଧିକ ସମୟ ଲକ୍ଷ୍ୟ କରିବ ଓ ତାକୁ ନିଜ ମନରେ ଛାପିପାରିବ ସେ ଆନିମେସନ ପ୍ରକୃତରେ କଣ ତାହା ବୁଝିପାରିବ ।”
ଆନିମେସନ ଦୁନିଆ ସବୁବେଳେ ନୂଆ, ତେଣୁ ଏଥିରେ ଯେତେ କ୍ରିଏଟିଭ୍ ଭାବନା ଭର୍ତ୍ତି କରିପାରିବା ଯେତେ ନୂଆ ନୂଆ ଆର୍ଟ ପ୍ରଦର୍ଶନ କରିପାରିବା ନିଜ ମନର ଭାବନାକୁ ଯେତେ ଭିନ୍ନ ରୂପରେ ବିକଶିତ କରିପାରିବା ତାହା ହିଁ ଆନିମେସନର ପ୍ରକୃତ ମର୍ମ ସାଜିବ ।

ଆନିମେସନରେ କ୍ୟାରିୟର କରିବାର ଉପାୟ-

ଦ୍ୱାଦଶ ପରେ ଆନିମେସନ ପଢିବା ପାଇଁ ଯେ କୌଣସି ଆନିମେସନ ଅନୁଷ୍ଠାନ ସହ ଯୋଡି ହୋଇପାରିବେ । ପାଠ ପଢା ଭିତରେ ନିଜର ଶିଖିବାର କୌଶଳକୁ ଅଭିବୃଦ୍ଧି କରିବାର ଚେଷ୍ଟା ରହିବା ଦରକାର । ଆଉ ସବୁ ସମୟରେ ନୂଆ ଜାଣିବାର ଆଗ୍ରହ ରହିବା ଜରୁରୀ । ପାଠପଢା ପରେ ୧ ବର୍ଷ ଟ୍ରେନିଙ୍ଗ କରିବା ନିହାତି ଜରୁରୀ । ଯାହା ଫଳରେ ଆନିମେସନ ପାଇଁ ଚାକିରୀ ମିଳିବା ସହଜ ହେଇପାରିବ । ଓଡିଶାରେ ଯଦି ଆନିମେସନରେ କ୍ୟାରିୟର କଥା କହିବା ତାହାଲେ କିଛି ବର୍ଷ ପୂର୍ବରୁ ଲୋକେ ଏ ବିଷୟରେ ଜାଣିନଥିଲେ କିନ୍ତୁ ବର୍ତ୍ତମାନ ସବୁକିଛି ଡିଜିଟାଲ ଯୁଗରେ ବଦଳିଗଲାଣି ସବୁ କାମରେ ଆନିମେସନର ଆବଶ୍ୟକତା ରହିଛି ତେଣୁ ରୋଜଗାରର ପନ୍ଥା ଓଡିଶାରେ ବଢିବାରେ ଲାଗିଛି । ଓଡିଶାରେ ଫ୍ରେସର ପିଲାଙ୍କ ପାଇଁ ମାସିକ ଦରମା ୧୦ହଜାର ମିଳିପାରିବ ଓ ଅଭିଜ୍ଞ ପିଲାଙ୍କ ପାଇଁ ୨୫ ରୁ ଉର୍ଦ୍ଧ ଦରମା ମିଳିପାରିବ ।

ଆଶୁତୋଷ ମିଶ୍ର (ଲୋଟସ ଆନିମେସନର ମୁଖ୍ୟ)

‘’ଆନିମେସନ ଏକ ରୁଚିର କଥା । ଯଦି ନିଜ ମନରୁ ଏହି ଲାଇନ ପ୍ରତି ଇଚ୍ଛା ଶକ୍ତି ଥିବ ତାହାଲେ ହିଁ ଆନିମେସନ ଦୁନିଆରେ ଜଣେ ଭଲ ଭାବରେ କାମ କରିପାରିବ । ମୋ ପାଇଁ ଏହା ଏକ କଳା । ଏହି କଳାର ଶିକ୍ଷା କରିବାକୁ ହେଲେ ଦୃଢଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଆନିମେସନ ପାଇଁ ଆଜିକାଲିର ପିଲା ଅଧିକ ଆଗ୍ରହୀ ଅଛନ୍ତି । ସେମାନଙ୍କୁ ବିଭିନ୍ନ ଚଳଚିତ୍ର ଓ କାର୍ଟୁନ ଆଦି ଦେଖି ଏଥିରେ କ୍ୟାରିୟର କରିବାକୁ ଇଚ୍ଛା ହେଉଛି । ଓଡିଶାରେ ଆନିମେସନର ଚାହିଦା ଆଗ ଅପେକ୍ଷା ଏବେ ଢେରଗୁଣା ଅଧିକ ହେଇଗଲାଣି । ତେଣୁ ଏ କ୍ଷେତ୍ରରେ ଯେତେ ପ୍ରଚାର ହେବ ଲୋକେ ସେତେ ଏଥିରେ କ୍ୟାରିୟର କରିବାକୁ ଇଚ୍ଛା କରିବେ ।’’

ଆନିମେସନରେ କ୍ୟାରିୟର କରିବାର ଉପାୟ-

”କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନେ କେବଳ ନିଜ ପ୍ୟାସନକୁ ଫୋକସ୍ କରିବା କଥା । ଯଦି ସେମାନେ ଦଶମ,ଦ୍ୱାଦଶ କି ଗ୍ରାଜୁଏସନ କରି ଏ କ୍ଷେତ୍ରକୁ ଆସୁଛନ୍ତି ତାହାଲେ ବି ବହୁତ ଭଲ । “ଆଗରୁ ଆନିମେସନ୍ ଲାଇନରେ ଓଡିଶାରେ ବିଶେଷ କିଛି କାମ ନଥିଲା । ଯାହା ବି ହେଉଥିଲା ତାହା ଖୁବ୍ କମ୍ ବେତନ ଅନୁସାରେ ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିଲାଣି,ତେଣୁକରି ଓଡିଶାରେ ବି ଆନିମେସନ୍ କ୍ଷେତ୍ରରେ ବିଭିନ୍ନ ସୁଯୋଗ ସୃଷ୍ଟି ହେଲାଣି । ଆନିମେସନ୍ ପାଠ ପଢି ଆଉ ବିଦେଶକୁ କିମ୍ବା ଅନ୍ୟରାଜ୍ୟକୁ ପିଲାମାନେ ଯିବା ଆବଶ୍ୟକ ନାହିଁ । ଏଇ ଓଡିଶାରେ ପଢି ୧ ବର୍ଷ ରୁ ୨ ବର୍ଷ ଭିତରେ ଆରମ୍ଭରୁ ୨୦ ରୁ ୨୫ ହଜାର ବେତନ ପାଇବା ଭଳି ଚାକିରୀ କରିପାରିବେ ।’’

“ଲୋଟସ୍ ଆନିମେସନ୍ ରେ ପିଲାମାନଙ୍କୁ ଖୁବ୍ ଅଧିକ ସୁଯୋଗ ମିଳିବ ନୂଆ ନୂଆ ଜିନିଷ ଶିଖିବାରେ । କାହିଁକି ନା ଏଠାରେ ଆମେ ଖୁବ୍ କମ୍ ଟଙ୍କାରେ ପିଲାମାନଙ୍କୁ ଅଧିକ ଆନିମେସନ୍ ଜଡିତ ପାଠ ଶିଖାଇଥାଉ  । କେବଳ ସେତିକି ନୁହେଁ ପାଠ ପରେ ବି ସେମାନଙ୍କର ନିଯୁକ୍ତ କେଉଁଠି ଓ କିଭଳି ହୋଇପାରିବ ତାର ବ୍ୟବସ୍ଥା ମଧ୍ୟ କରିଥାଉ । ଏଠାକୁ ଶିଖିବା ଉଦ୍ଦେଶ୍ୟରେ ଯିଏ କେହି ବି ଆସିବେ ତାଙ୍କୁ ଅନେକ କିଛି ସୁବିଧା ମିଳିପାରିବ ।”

ଉତ୍କଳ ଗୌରବ (ଉତ୍କଳ କାର୍ଟୁନର ଫାଉଣ୍ଡର)-

ଆନିମେସନ ଦୁନିଆ ୩ବର୍ଷ ତଳେ ଓଡିଶା ଲୋକଙ୍କ ପାଇଁ ବେଶି ବଡ ନଥିଲା । ଯାହା ଆଜି ଏକ ନିଦ୍ଧିଷ୍ଟ ମର୍ଯ୍ୟଦା ପାଇଛି । ଅର୍ଥାତ କିଛି ବର୍ଷ ତଳେ ଲୋକ କାର୍ଟୁନ ହିନ୍ଦି ଭାଷାରେ ଟିଭିରେ ଦେଖୁଥିଲେ ନହେଲେ ହିନ୍ଦି କାର୍ଟୁନର ଓଡିଆ ଡବିଙ୍ଗ ଭିଡିଓ ବି ଦେଖୁଥିଲେ । ହେଲେ ଯେବେଠାରୁ ନଟିଆ କାର୍ଟୁନ ଆସିଲା- ସେବେଠାରୁ ଲୋକ ଓଡିଆ ଭାଷା ଆନିମେସନ ସିରିଜ୍ ବା କାର୍ଟୁନ କମେଡି ଦେଖିବାର ମଜା ଜାଣିପାରିଲେ । ସେଥିପାଇଁ ଓଡିଶାରେ କେବଳ ଛୋଟ ପିଲା ନଟିଆକୁ ଦେଖନ୍ତି ନାହିଁ ଆବାଳ ବୃଦ୍ଧ ବନିତା ସମସ୍ତେ ନଟିଆ ଭିଡିଓ ଦେଖନ୍ତି । ତେଣୁ ନିଜ ଭାଷାରେ ଦେଶୀ ଅନ୍ଦାଜରେ ଯେଉଁ ଆନିମେସନ ଦୁନିଆ ଆମ ଓଡିଶାରେ ବର୍ତ୍ତମାନ ଗଠନ ହେଈଛି ତାହା କେବଳ ୟୁଟ୍ୟୁବରେ ସୀମିତ ଅଛି । କିନ୍ତୁ ଆଗାମୀ ସମୟରେ ଏହା ନେଟଫ୍ଲିକ୍ସ,ଆମାଜନ ଆଦି ଜାଗାରେ ବି ସ୍ଥାନ ପାଇବ ବୋଲି ମୋର ଆଶା । ଆଗରୁ ମୁଁ ବି ଯେତେବେଳେ ଷ୍ଟୁଡେଣ୍ଟ ଥିଲି ଅନେକ ଆନିମେସନ କାର୍ଟୁନ ସିରିଜ ତିଆରି କରିଛି ହେଲେ ତାହା ମୁଁ ପଢୁଥିବା ଇନଷ୍ଟିଚ୍ୟଟରେ ସୀମିତ ହୋଇ ରହିଗଲା । ସେ ସମୟରେ ଲୋକଙ୍କ ପାଖରେ ସେତେଟା ପ୍ରସାର ହେଇପାରିଲାନି ତେଣକରି ଚାହିଦା ବି ବଢିଲାନି । ଆଜି ଯେହେତୁ ଡିଜିଟାଲି ଲୋକଙ୍କ ପାଖରେ ପହଂଚିଯାଉଛି ଏହାର ଚାହିଦା ବି ବଢିବାରେ ଲାଗିଛି ।

ଆନିମେସନରେ କ୍ୟାରିୟର କରିବାର ଉପାୟ-

‘’ଆନିମେସନର କୌଣସୀ ବୟସ ସୀମା ନାହିଁ । ସବୁ ବର୍ଗର ଲୋକ ଆନିମେସନ ପାଠ ପଢିପାରିବେ । କିନ୍ତୁ +୨ ପରେ ଆନିମେସନ ପଢିଲେ ଅଧିକ ଭଲ ଏବଂ ଯଦି ଜଣେ ଚାହିଁବ ଆନିମେସନ ପାଠ ପଢିବା ସହ ଗ୍ରାଜୁଏସନ ବି କରିପାରିବ । ଏବଂ ଯେଉଁ ବି ଅନୁଷ୍ଠାନ ସହ ଆନିମେସନ ପଢିବାକୁ ପିଲାମାନେ ଯୋଗ ଦେବେ ସେଠାରେ ୫ ଘଣ୍ଟା ସମୟ ଦେଇ ପରେ ଗ୍ରାଜୁଏସନ ପାଇଁ ପଢାପଢି କରିପାରିବେ । ଏହାଦ୍ୱାରା ଦୁଇଟି ଯାକ ଜିନିଷ ସମାନ ସମୟରେ ପଢିପାରିବେ । ଓ ତାପରେ ଚାକିରୀ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ଆନିମେସନରେ ୨ଡି ଓ ୩ଡିର କାମ ହୁଏ ତେଣୁକରି କାର୍ଟୁନ ସିରିଜ ବା ପିଲାମାନେ ଦେଖୁଥିବା ଭିଡିଓ ସାଧାରଣତଃ ୨ଡିରେ ହୁଏ ଓ ଫିଲ୍ମ ସିରିଜ୍ ଆଦିରେ ଅଧିକ ବଜେଟ୍ ରେ ୩ଡି କାମ ହୁଏ । ତେଣୁ ୨ଡିରେ ଏକ୍ସପୋର୍ଟ ହେଲେ ବି ଭବିଷ୍ୟତ ଅଛି । ‘’

‘’ମୁଁ ବି ଦିନେ ଏକା କାମ କରୁଥିଲି ମୋ ସହ ମୋର କିଛି ସାଙ୍ଗ ଘରୁ ଥାଇ କାମ କରୁଥିଲେ । ଯେତେବେଳେ ଆମେ ଦେଖିଲୁ ଏହା ଲୋକଙ୍କ ଭଲପାଇବା ପାଉଛି ତାପରେ ଆମେ ରିସ୍କ ନେଇ ଏକ ଟିମ୍ ଗଢିଲୁ ଓ ଆଜି ପାଖାପାଖି ୫୫ରୁ ୬୦ ଜଣଙ୍କୁ ନେଇ ଏକ କମ୍ପାନି ଚଲାଉଛୁ । ସାରା ଓଡିଶାବାସୀଙ୍କୁ ନଟିଆର କାହାଣୀ ବହୁତ ଭଲଲାଗିଲା ବୋଲି ଆଜି ଆମେ ଏହି ଜାଗାରେ ପହଂଚିଛୁ । ତେଣୁ କ୍ୟାରିୟର ସଫଳତା ଆନିମେସନ ଲାଇନରେ ନିଶ୍ଚିତ ଅଛି । କେବଳ ପ୍ୟାସନ୍ ଓ ଜିଜ୍ଞାସୁ ପିଲାମାନେ ହିଁ ଏଥିରେ ଭଲ ଓ ବଡ ସଫଳତା ପାଇପାରନ୍ତି ।’’ ଆଉ ଆନିମେସନ ଏକ ଭଲ କ୍ୟାରିୟର ଅପସନ୍ ବୋଲି ବାପା ମା ବି ଜାଣିବା ଆବଶ୍ୟକ ।

ଆନିମେସନ ପାଠ କାହିଁକି ପଢିଲେ ଓ ଆଗକୁ କଣ କରିବାର ଅଛି ଲକ୍ଷ୍ୟ?

ସୌରଭ ସନ୍ଦିପ ମଣ୍ଡଳ-(ଆନିମେଟର )

‘’ମୁଁ ପ୍ରଥମେ ବିଟେକ୍ ପଢୁଥିଲି ଓ ସେହି ଲାଇନରେ ହିଁ ଚାକିରୀ କରିଥାନ୍ତି । କିନ୍ତୁ ମୁଁ ଯେତେବେଳେ ବି ଆନିମେସନ ସମ୍ବନ୍ଧିତ କିଛି ଦେଖେ ମୋତେ ସେ ସବୁଥିରେ କାମ କରିବାର ଉତ୍ସାହ ବେଶି ହୁଏ । ଯେବେ ବାହୁବଳୀ ଫିଲ୍ମ ଆସିଥିଲା ସେତେବେଳେ ସେହି ଫିଲ୍ମର ଭିଏଫଏକ୍ସ ଦେଖି ମୋତେ ବେଶି ଇଚ୍ଛା ହେଲା ଏହି ଲାଇନକୁ ଯିବା ପାଇଁ । ଆଉ ଏମିତିରେ ବି ପିଲାଦିନୁ ମୋତେ କାର୍ଟୁନ ଭିଡିଓ ଆଦି ଦେଖିବା ବେଶି ପସନ୍ଦ ଥିଲା । କିନ୍ତୁ ଏଥିରେ କେମିତି କ୍ୟାରିୟର କରିହେବ ତାର ଧାରଣା ନଥିଲା । ଅନେକ କଥା ଭାବିସାରିବା ପରେ ମୁଁ ବିଟେକ୍ ପଢି ସେ ଲାଇନରେ ଚାକିରୀ ନ କରି ଆନିମେସନରେ କ୍ୟାରିୟର କରିବି ବୋଲି ନିଷ୍ପତ୍ତି ନେଲି । ୟୁଟ୍ୟୁବ ଭିଡିଓରୁ ଆନିମେସନ ବିଷୟରେ ସମ୍ୟକ ଧାରଣା ଆସିଲା ଓ ପରେ ପରେ ମୁଁ ଲୋଟସ୍ ଆନିମେସନ୍ ରେ ଯୋଗ ଦେଲି । ମୁଁ ଯାହା ବି ଭିଡିଓରୁ ଶିଖିଥିଲି ତାକୁ ସତରେ କରିବାର ସୁଯୋଗ ମୋତେ ଲୋଟସ ଆନିମେସନରେ ମିଳିଲା । ତେଣୁକରି ଆଜି ମୁଁ ବାହାରକୁ ନ ଯାଇ ବି ଓଡିଶାରେ ନିଜ ମନମୁତାବିକ କାମ କରି ଭଲ ରୋଜଗାର କରିପାରୁଛି । ଆଉ ୨ଡି ଓ ୩ଡି ଆନିମେସନରେ ନିଜକୁ ଆହୁରୀ ଦକ୍ଷ କରି ଜଣେ ଭଲ ଆନିମେଟର ହିସାବରେ ଓଡିଶାରେ ସୁନାମ କମାଇବା ହିଁ ମୋର ଲକ୍ଷ୍ୟ ।’’

 

ବିଶ୍ୱଶକ୍ତି ପ୍ରସାଦ ସାହୁ-(ଆନିମେଟର )

‘’ମୁଁ ପିଲାଦିନେ ପାଠ ସହ ଚିତ୍ର କରିବାକୁ ବେଶି ଭଲ ପାଉଥିଲି । ମୁଁ +୨ ପଢିସାରିବା ପରେ ଆନିମେସନ କରିବାକୁ ଇଚ୍ଛା କଲି । ଆଉ ଏହି ଲାଇନରେ ମୋତେ ଆତ୍ମ ସନ୍ତୋଷ ମିଳେ । ମୁଁ ଆନିମେସନରେ ୨ଡି କାମ କରୁଛି । ମାତ୍ର ୩ମାସ ପାଠ ପଢା ଭିତରେ ମୁଁ ଆନିମେସନ କାମ କରିବା ଶିଖିଲି ଓ ବର୍ତ୍ତମାନ ବର୍ଷେ ଉପରେ ହେଲାଣି ମୁଁ ୨ଡି ଆନିମେସନ ଡିଜାଈନ କରୁଛି ଓ ସେଥିରୁ ରୋଜଗାର ବି କରୁଛି । । ଲୋଟସ ଆନିମେସନରେ କାମ କରି ମୋତେ ଅନେକ ନୂଆ ନୂଆ ଜିନିଷ ଶିଖିବାକୁ ମିଳିଛି । ଯାହ ମୋ ଭବିଷ୍ୟତ ପାଇଁ ବହୁତ ଲାଭଦାୟକ ହେବ । ଯଦି ଆଗାମୀ ଦିନରେ ଓଡିଶା ବାହାରୁ ମୋତେ ବଡ ଓ ଭଲ ସୁଯୋଗ ମିଳେ ତାହାଲେ ମୁଁ ନିଶ୍ଚୟ କାମ କରିବାକୁ ଚାହିଁବି ।’’

ଉପରକ୍ତ ସମସ୍ତ ଏକ୍ସପର୍ଟ ଆପଣଙ୍କ କ୍ୟାରିୟର ପାଇଁ ଯେଉଁସବୁ ଟିପ୍ସ ଦେଲେ ତାହା ନିଶ୍ଚୟ ଆପଣମାନଙ୍କୁ ଲାଭଦାୟକ ହେବ ବୋଲି ଆମର ଆଶା । ତେଣୁ ଯଦି ଆନିମେସନକୁ ନିଜର କ୍ୟାରିୟର ଭାବରେ ବାଛୁଛନ୍ତି ଏହି ଆର୍ଟିକିଲକୁ ଶେଷଯାଏଁ ପଢନ୍ତୁ ଓ ଅନ୍ୟମାନଙ୍କ ସହ ବି ସେୟାର କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )