Thursday 28th March 2024
Entertainment : ମନୋଜ ମିଶ୍ର,”ସେଦିନ ଦୂର ନୁହେଁ ଯେବେ ସାରା ଦୁନିଆ ଜାଣିବ ଓଡିଆ ସିନେମାର କଥା”…

Entertainment : ମନୋଜ ମିଶ୍ର,”ସେଦିନ ଦୂର ନୁହେଁ ଯେବେ ସାରା ଦୁନିଆ ଜାଣିବ ଓଡିଆ ସିନେମାର କଥା”…

କଳାକାର ପାଇଁ ସବୁଠୁ ବଡ ପରିଚୟ ତାର ଅଭିନୟ ଦୁନିଆ । ଯେଉଁଠି ସେ ଭିନ୍ନ ଭିନ୍ନ ଚରିତ୍ର କରେ ଓ ଦର୍ଶକଙ୍କ ମନକୁ ବି ଆକର୍ଷିତ କରେ । କିନ୍ତୁ ଆମ ଓଡିଆ ସିନେ ଜଗତର ଜଣେ ଏମିତି କଳାକାର ଅଛନ୍ତି ଯିଏକି ଅଭିନୟ ପାଇଁ ତ ପରିଚିତ କିନ୍ତୁ ତାଛଡା ସେ ଓଡିଆ ସିନେମାର ରଥକୁ ସଫଳତାର ଶୀର୍ଷରେ ପହଂଚାଇବା ପାଇଁ ତାର ସାରଥୀ ସାଜିଛନ୍ତି । ସେ ଆଉ କେହି ନୁହେଁ ବହୁ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର । ଚାଲନ୍ତୁ ଆଜି ମନୋଜ ମିଶ୍ରଙ୍କ କଥା ଓ ତାସହ ଓଡିଆ ସିନେମାକୁ ନେଇ ତାଙ୍କର କଣ କଣ ରହିଛି ଲକ୍ଷ୍ୟ ସେ ସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ।

 

-ସୋସିଆଲ ମିଡିଆ ଜରିଆରେ ଆପଣ ଓଡିଆ ସିନେମାକୁ କେତେ ଦୂର ବଦଳାଇପାରିବେ ?

ଉ-ମୁଁ ବିନ୍ଦୁରୁ ଆରମ୍ଭ କରିବାକୁ ଚାହୁଁଛି । ଜୀବନର ସଂଜ୍ଞା ଯେମିତି ଏକ ବିନ୍ଦୁରୁ ସୃଷ୍ଟି ହୁଏ ଠିକ୍ ସେମିତି ଆମ ଓଡିଆ ସିନେମାର ସଂଜ୍ଞାକୁ ମୁଁ ବୁଝି ବିଚାରୀ ମୂଳରୁ ଆରମ୍ଭ କରୁଛି । ସବୁ ଜିନିଷକୁ କେବଳ କଳ୍ପନା କରିଦେଇ ବସିଗଲେ ହେବନି ସେଥିପାଇଁ ଚେଷ୍ଟା କରିବାକୁ ପଡିବ । ତେଣୁକରି ମୋ ଓଡିଆ ସିନେମାକୁ ଯଦି ସବୁଆଡେ ଲୋକ ଜାଣନ୍ତୁ ଓ ଦେଖନ୍ତୁ ବୋଲି ମୁଁ ଆଶା ରଖିଛି ସେଥିପାଇଁ ମୋତେ ଶୂନରୁ ହିଁ ଆରମ୍ଭ କରିବାକୁ ପଡିବ । ମୋ ଓଡିଆ ସିନେମା କେବଳ ଆଂଚଳିକ ହେଇ ରହିଯାଉ ବୋଲି ମୁଁ ଚାହେଁନି ମୋ ଓଡିଆ ସିନେମା ସାରା ଦେଶ,ବିଦେଶ ସବୁଠି ନିଜର ପରିଚୟ ଗଢୁ ବୋଲି ମୁଁ ଚାହେଁ । ସେଥିପାଇଁ ସୋସିଆଲ ମିଡିଆ ଜରିଆରେ ହେଉ କିମ୍ବା କେଉଁ ବି ସଭା କି ଆଲୋଚନାରେ ହେଉ ମୁଁ ଏଇ ଗୋଟିଏ କଥା ହିଁ କୁହେ ।

-ଓଡିଆ ସିନେମାକୁ କେଉଁ ସ୍ତରକୁ ନେବା ପାଇଁ ଚାହାନ୍ତି ମନୋଜ ମିଶ୍ର ?

ଉ- ”ପ୍ରକୃତରେ ମୁଁ କୌଣସି ସ୍ତର ନିର୍ଦ୍ଧାରିତ କରିବାକୁ ଚାହେଁନି । ପକ୍ଷୀଟିଏ ଯେତେବେଳେ ଖୋଲା ଆକାଶରେ ଉଡେ ବାସ୍ ସେ ଆକାଶରେ ବିଲୀନ ହେବାକୁ ଚାହେଁ ନା କି ଆକାଶର ସ୍ତର ମାପିବାକୁ । ଠିକ୍ ସେମିତି ମୁଁ ବି ଚାହେଁ ଓଡିଶାର ସିନେମା ପରିଚିତ ହେଉ ସଭିଙ୍କ ମନରେ । ଇଂରାଜୀ ଭାଷାର ସିନେମାକୁ ଛାଡିଦେଲେ ଆଉ ସବୁ ଭାଷାର ସିନେମାକୁ ଆମେ ଆଂଚଳିକ କହିପାରିବା । କିନ୍ତୁ ସେହି ଆଂଚଳିକ ଭାଷାର ସିନେମା ଭିତରେ ଆମ ଓଡିଆ ସିନେମା ବି ଅର୍ନ୍ତଭୁକ୍ତ । କିନ୍ତୁ ଦୁଃଖର ବିଷୟ ଯେ ଏଇ ବିଷୟରେ ଆମ ଓଡିଶା ବାହାରେ ବହୁତ ଲୋକ ଜାଣିନାହାନ୍ତି । ଆମ ଓଡିଶାର ଲୋକ କନ୍ନଡ,ତାମିଲ,ତେଲୁଗୁ ,ଆସାମୀ,ମରାଠି ଭଳି ଆଂଚଳିକ ଭାଷାର ସିନେମା ବିଷୟରେ ଯେମିତି ଅପଡେଟ୍ ପାଉଛନ୍ତି ଓ ନିଜ ପଇସା ଖର୍ଚ୍ଛ କରି ସେଇ ଫିଲ୍ମ ଦେଖିବାକୁ ଯାଉଛନ୍ତି । ଠିକ୍ ସେମିତି ଆମ ଓଡିଆ ଭାଷାର ସିନେମା ବାହାର ଲୋକଙ୍କୁ ଅପଡେଟ୍ ମିଳିବା ଦରକାର ଓ ସେମାନେ ବି ଆମ ଫିଲ୍ମ ଦେଖିବାକୁ ଯିବା ଦରକାର । ବାସ୍ ଏଇସବୁ ଜିନିଷ କେମିତି ହେଇପାରିବ ତାହାହିଁ ମୋର ଲକ୍ଷ୍ୟ ଓ ସାଧନା ।

 

ମନୋଜ ମିଶ୍ରଙ୍କର ୟୁଟ୍ୟୁବକୁ ଆସିବାର ଉଦ୍ଦେଶ୍ୟ କଣ ରହିଛି ?

ଉ- ଉଦ୍ଦେଶ୍ୟ ସ୍ପଷ୍ଟ ରହିଛି-ମୋ ଭଳି ବହୁତ ଜଣ ଚାହୁଁଛନ୍ତି ଜାତୀୟ ଅର୍ନ୍ତଜାତୀୟ ସ୍ତରକୁ ମୋ ଭାଷାର ସିନେମା ପହଂଚୁ । ଆଉ ସେଥିପାଇଁ ମୁଁ ମୋ ୟ୍ୟୁଟ୍ୟୁବ ମାଧ୍ୟମରେ ଛୋଟ ପ୍ରୟାସଟେ ଆରମ୍ଭ କରିଛି । ଯେଉଁଥିରେ ମନୋଜ ମିଶ୍ରର କାହାଣୀ ନାହିଁ କି ମନୋଜ ମିଶ୍ରଙ୍କର କମେଡି ଅଭିନୟ କି ନାଚ ଗୀତ ନାହିଁ ବରଂ ଆମ ମାଟିର ସିନେମାର କଥା ଅଛି । କେବଳ ସେହି ମାଧ୍ୟମରେ ମୁଁ ଲୋକଙ୍କ ସହ ଯୋଡି ହେଇପାରୁଛି ଓ ଜାଣିପାରୁଛି କି ମୋ ଭଳି ଓଡିଆ ସିନେମା ପ୍ରେମୀଙ୍କ ମନରେ ପ୍ରକୃତରେ କଣ କଣ ଆଶା ଅଛି ?

-କିଛିଦିନ ତଳେ ମୋତେ ଏକ ପୋଷ୍ଟ ବହୁତ ହିଁ ମର୍ମାହିତ କରିଥିଲା- ଜଣେ ଭଉଣୀ ଫେସବୁକ୍ ରେ ମୋତେ ଲେଖିଥିଲେ କି- “ଆମ ଦେଶର ରାଷ୍ଟ୍ରପତି ଜଣେ ଓଡିଆ । ଆଉ ସେ ବିଭିନ୍ନ ଚଳଚିତ୍ର ପାଇଁ ଜାତୀୟ ପୁରସ୍କାର ଭିନ୍ନ ଭିନ୍ନ ଭାଷା ଭାଷୀର କଳାକାର ମାନଙ୍କୁ ପ୍ରଦାନ କରୁଥିଲେ । କିନ୍ତୁ ସେହିଭଳି ଜାଗାରେ ସେ ନିଜର ମାଟିର ଗୋଟିଏ ବି ଚଳଚିତ୍ରକୁ ପୁରସ୍କାର ପ୍ରଦାନ କରିପାରୁନଥିଲେ । ଯଦି ସେଇଠି ଆମ ଓଡିଆ ସିନେମାକୁ ନିଜେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ପୁରସ୍କାର ଦେଉଥାଆନ୍ତେ ତାହାଲେ ଆମ ଓଡିଆ ସିନେମାର ଗର୍ବ ଆହୁରୀ ଦୁଇଗୁଣା ବଢିଯାଇଥାନ୍ତା ।” ଏହି କଷ୍ଟ ବା ମନର ବେଦନାଟାକୁ ଆଗ ବୁଝିବାକୁ ପଡିବ ବୁଝିଲେ ହିଁ ଆଗକୁ ଏହାର ଉପାୟ କେମିତି କରାଯିବା ଆବଶ୍ୟକ ତାହା ନିର୍ଣ୍ଣୟ କରିହେବ । ଖାଲି ଅନ୍ଧାରରେ ବାଡି ବୁଲାଇଲେ କିଛି ଲାଭ ନାହିଁ ।

 

ମନୋଜ ମିଶ୍ର ବଲିଉଡ୍ ଟଲିଉଡ୍ ଫିଲ୍ମକୁ ଛାଡିକି ଓଲିଉଡ୍ ମୁହାଁ କାହିଁକି ହେଲେ ?

ଉ-ମୁଁ ଅଭିନେତା ମୁଁ ଅଭିନୟ କରିବି । ଆଉ ଏଇଟା ନୁହେଁ ଯେ ମୁଁ କାହାକୁ ଛାଡି ଆଉ କାହାକୁ ଧରିବାକୁ ଆସିଛି । କାରଣ ଏବେ ସିନେମା କେମିତି ରାତାରାତି ଫ୍ଲପ ହେଇପାରେ ତାହା ସମସ୍ତେ ଦେଖୁଛନ୍ତି । ତେଣୁକରି ମୁଁ ମୋ କାମ ତ କରୁଛି । ହେଲେ ଚେଷ୍ଟା ବେଶି ଓଡିଆ ସିନେମା ଓ ଭଲ ସିନେମା କରିବା । ଆଉ ବର୍ତ୍ତମାନ ସିନେମା ଦୁନିଆରେ ଚାଲିଛି ରିଜୋନାଲ ସିନେମାର ସମୟ । ଆଂଚଳିକ ସିନେମାର ଧାରା ଏବେ ସବୁଆଡେ ବ୍ୟାପିବାରେ ଲାଗିଛି । ଯେବେ ମୋ ଓଡିଆ ସିନେମା ମୁମ୍ବାଇର କୌଣସି ହଲ୍ ରେ ପଡିଥିବ ସେଠାରେ ହାଉସ୍ ଫୁଲ୍ ଚାଲିଥିବ ସିନେମା ଓ ମୁଁ ସେଥିରେ ଅଭିନୟ କରୁଥାଏ କି ନଥାଏ ମୋ ପାଇଁ ତାହା ସବୁଠୁ ବଡ ସଫଳତା ହେବ । ଆଉ ମୁଁ ବିଶ୍ୱାସ କରେ ଯଦି ମଣିଷ ସମୟ ସହିତ ତାଳ ନଦେଇ ପାରିବ ତାହାଲେ ସେ ପଛରେ ପଡିଯାଏ । ଆଉ ମୁଁ ଚାହୁଁନି ମୋ ମାଟିର ସିନେମା ପଛରେ ପଡିଯାଉ । ମୁଁ ଏକା ସବୁକିଛି ତ କରିପାରିବିନି କିନ୍ତୁ ରାମସେତୁ ବାନ୍ଧିଲା ବେଳେ ଗୁଣ୍ଡୁଚି ମୂଷା ଭଳି ଚେଷ୍ଟା ତ କରିପାରିବି । ଆଉ ଏଇଟା ହିଁ ବର୍ତ୍ତମାନ ମୋର ଲକ୍ଷ୍ୟ । ମୁଁ ମୋ ଘର ଚଳାଇବା ପାଇଁ ଅଭିନୟକୁ ପେଶା କରି ଟଙ୍କା ତ କମାଉଛି କିନ୍ତୁ ତାକୁ ବାରମ୍ବାର କହି ବୁଲି ମୁଁ ମୋର ପ୍ରମୋସନ କରିବାକୁ ଚାହୁଁନି କି ମୋ ସିନେମା ଗଣତି କରିବାକୁ ଚାହୁଁନି ବାସ୍ ମୋ ଓଡିଶାର ଗଣତି ହେଉ ମୁଁ ସେତିକି ଚାହୁଁଛି । ଓଡିଶାର ସିନେମାର ପ୍ରମୋସନ ହେଉ ସେଇଟା ଚାହୁଁଛି । ଆଉ ସେଇଟା ହେଲେ କେତେ ମନୋଜ ମିଶ୍ର ଗର୍ବ ଅନୁଭବ କରିବେ ନିଜ କଳା ଓ ଅଭିନୟ ପାଇଁ ତାହା ମୋତେ ଏବେ ଠୁ ଦୃଶ୍ୟମାନ ହେଉଛି ।

 

ଓଡିଆ ସିନେମା ନ ଚାଲିବା ପଛରେ କାରଣ କଣ ?

ଉ-”ଓଡିଆ ସିନେମା ଭଲ ନିର୍ମାଣ ହେବା ଦରକାର । ଚାଲୁନି କାହିଁକି ପ୍ରଶ୍ନ ପଚାରୁଥିବା ଲୋକ ଚାଲିବା ପାଇଁ କଣ କରୁଛନ୍ତି ସେଇଟା ବି ଜାଣିବା ଦରକାର । ଚଳଚିତ୍ର ନିର୍ମାତା ମାନେ ଭଲ ସିନେମା କଲେ ହିଁ ଦର୍ଶକ ହଲ୍ କୁ ଆସିବେ । ଆମ ଓଡିଶାରେ କମ୍ ହଲ୍ ରହିଛି ବୋଲି ସମସ୍ତେ କହୁଛନ୍ତି ସତ କିନ୍ତୁ ସେହି କମ୍ ସିନେମା ହଲ୍ ରେ ଅନ୍ୟ ଚଳଚିତ୍ର କୋଟି କୋଟି ଟଙ୍କା କମାଉଥିବା ବେଳେ ଆମ ସିନେମା ଦେଖିବାକୁ କେହି କାହିଁକି ଯାଉ ନାହାନ୍ତି ସେଇଟା ବୁଝିବା ଦରକାର । ଆଉ ବଡ ହିରୋ ରହିଗଲେ ସିନେମା ଚାଲିବ ବୋଲି ଯେଉଁ ଭ୍ରମଟି ରହିଛି ସେଇଟା ଆଗ ଛାଡିବା ଦରକାର । ପ୍ରଥମରୁ ପ୍ରାଥମିକତା ଭଳି ଆରମ୍ଭ କଲେ ହିଁ ସବୁକିଛି ସମ୍ଭବ ହେବ । ଭଲ ସିନେମା ତିଆରି କରିବା ଓ ଯଦି ଅଳ୍ପ ହଲ୍ ଅଛି ତାହାଲେ ବର୍ଷଯାକ ସେହି ଫିଲ୍ମକୁ ହଲ୍ ରେ ପକାଇବା । ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକଙ୍କୁ ସହଜ ସୁବିଧା ଉପାୟରେ ସିନେମା ଦେଖାଇବାର ପ୍ରୟାସ ଆରମ୍ଭ କରିବା ।

ମନୋଜ ମିଶ୍ରଙ୍କ ପାଇଁ ବର୍ତ୍ତମାନ ସମୟରେ ଭଲ ସିନେମାର ଅର୍ଥ କଣ ?

ଉ- ”ଭଲ କାହାଣୀ ,ଭଲ ଡିରେକ୍ଟର,ଭଲ ହିରୋ ହିରୋଇନ ଏସବୁ ତ ରହିବେ କିନ୍ତୁ ତାଠୁ ବଡ ଜିନିଷ ହେଲା ଆଜିର ୟୁଥ୍ କଣ ଚାହୁଁଛନ୍ତି । ସାଉଥ୍ ଫିଲ୍ମ ପୁଷ୍ପା ହିଟ୍ ହେବାର କାରଣ ତାହା ଆଜିର ଜେନେରେସନ୍ ଙ୍କୁ ସଂଯୋଗ କରିପାରିଲା । ଆଜିର ଯୁବପିଢି ଫିଲ୍ମ ଭିତରେ ସତ ଦେଖିବାକୁ ଚାହୁଁଛନ୍ତି, ଚଳଚିତ୍ରର କାହାଣୀ ଭିତରେ ନିଜକୁ ହଜାଇବାକୁ ଚାହୁଁଛନ୍ତି । ଗୋଟେ ସମୟରେ ଅମିତାଭ ବଚନ ଏକ ଡାଇଲଗ୍ କହିଥିଲେ –”ମୁଁ ଯେଉଁଠି ଛିଡା ହୁଏ ଲାଇନ୍ ସେଇଠୁ ଆରମ୍ଭ ହୁଏ ।” ଏହି ଡାଇଲଗ୍ ଆଗ ଯୁବପିଢିଙ୍କୁ ହିଁ ଭଲ ଲାଗିଲେ । ସେମାନଙ୍କୁ ଲାଗିଲା ଏହି ଡାଇଲଗ୍ ଆମ ପାଇଁ ହିଁ ବନା ହେଇଛି । ସେଥିପାଇଁ ତାହା ଇତିହାସ ସୃଷ୍ଟି କଲା । ଯେମିତି ଏବେ ସୀତା ରାମମ ଫିଲ୍ମ ,ଯେଉଁଥିରେ ସତ୍ୟତା ନାହିଁ କିନ୍ତୁ ତାହା ପରଦାରେ ସତଭଳିଆ ଲାଗୁଛି । ସେହି ଭାବନା  ଦର୍ଶକ ସିନେମା ଭିତରୁ ପାଇବାକୁ ଚାହୁଁଛନ୍ତି । ତେଣୁକରି ଆମେ ଭଲ ସିନେମା କରିବାକୁ ଚାହୁଁଛନ୍ତି ଯଦି ତାହାଲେ ଏସବୁ କଥା ଉପରେ ଧ୍ୟାନ ଦେବାକୁ ପଡିବ । ନା କି ଖାଲି ଧୂଳି ଉଡେଇ ନାଚ ଗୀତ କରିଦେଲେ ସିନେମା ଭଲ ସିନେମାରେ ପରିଣତ ହେଇଯିବ । ତେଣକରି ଆମକୁ ବୁଝିବାକୁ ହିଁ ହେବ ପ୍ରକୃତରେ ଆମ ଭିତରେ ଅଭାବଟି କେଉଁଠି ରହୁଛି । ଆଉ ତାସହିତ ଦକ୍ଷତା ଆଣି ସିନେମା ଲାଇନରେ ପାଦ ଦେବା ଦରକାର । ଦକ୍ଷତାର ଅର୍ଥ ଫିଲ୍ମ ନିର୍ମାତ ଫିଲ୍ମ ସ୍କୁଲରେ ପାଠ ପଢିଥିବା ଦରକାର । କେମିତି ସିନେମା ହୁଏ ତା ବିଷୟରେ ସ୍ପଷ୍ଟ ବିବରଣୀ ରହିଥିବା ଦରକାର ।”


ଅଭିନୟରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବପିଢିଙ୍କୁ ଆପଣ କଣ କହିବେ ?

ଉ- ”ମୁଁ ଚାହେଁ ସିନେମା ପାଇଁ ଭଲପାଇବା ସେମାନଙ୍କ ମନରେ ରହିବା ଦରକାର । ସିନେମା କରିବା ଓ ଅଭିନୟ କରିବା ଉପରେ ଧ୍ୟାନ ଦେବା ଦରକାର । ଲୋକ ସେମାନଙ୍କୁ ହିରୋ ହିରୋଇନ କହିବା ପର୍ଯ୍ୟନ୍ତ ଧର୍ଯ୍ୟ ଧରିବା ଦରକାର ନା କି ନିଜେ ନିଜକୁ ବଡ ଷ୍ଟାର ଭାବିଦେଇ ଗର୍ବ ଆରମ୍ଭ କରିଦେବା ଅନୁଚିତ୍ । ଆଉ ଭବିଷ୍ୟତ ପିଢି ଅଭିନୟକୁ ଆସିବାକୁ ଚାହିଁବା ପୂର୍ବରୁ ଓଡିଆ ସିନେମାରେ କିଛି କଳାକାରଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ତେଣୁ କରି ଯଦି ଆଜିର କଳାକାର ଏହି ସ୍ତର ଦେଇ ଗତି କରୁଛନ୍ତି ଆଗାମୀ ଦିନରେ ଯୁବପିଢି କେମିତି ମନ ବଳେଇବେ ଓଡିଆ ସିନେମାରେ କ୍ୟାରିୟର କରିବାକୁ । ”ଆମର କଳାକାର ମାନେ ତ ଖାଲି ନିଜ ପ୍ରମୋସନରେ ବ୍ୟସ୍ତ । ଥରେ ଆଖି ଉଠେଇ ନିଜ ସିନେମା ନିଜ ମାଟିର ଭାଷା,ନିଜ ମାଟିର ଅସ୍ତିତ୍ୱର ଗାଥା କହିବାର ମୁଁ ଦେଖିନି । ମୁଁ ଚାହେଁ ସେମାନଙ୍କ ପାଇଁ ଏକ ଆଶାର ଆଲୋକ ହେବି ।” ମୁଁ ଭବିଷ୍ୟତରେ ଯେତେବେଳେ ବି ବିଦେଶରେ ଫିଲ୍ମ ସମ୍ବନ୍ଧିତ କେଉଁଠି ବି ଯୋଗଦେବି ସେମାନେ ବୁଝିପାରିବେ ଯେ ହଁ ରେ ଇଏ ତ ୟୁଟ୍ୟୁବରେ ବି ଓଡିଶାର ସିନେମା କଥା କହୁଥିଲା ଓ ଏଇ ବିଦେଶରେ ବି କହୁଛି । ସେତେବେଳେ ଓଡିଆ ସିନେମା ପ୍ରତି ଓଡିଆ ,ନନ-ଓଡିଆ ସବୁଧରଣର ଲୋକଙ୍କର ଆଗ୍ରହ ବଢିବ । ତେଣୁ ମାଟି ସହ ଯୋଡି ହେଇ ରହିଲେ ହିଁ ଭଲ କଳାକାର ହେଇପାରିବ ।”

ଆପଣଙ୍କର ଆଗାମୀ ଭେଟି ଓଡିଆ ଦର୍ଶକଙ୍କ ପାଇଁ କଣ ରହିଛି ?

ଉ- ”ମୋର ବାଳୀ ଚଳଚିତ୍ରଟି ତ ରିଲିଜ ହୋଇସାରିଛି । ବାକି ଦର୍ଶକ ତାକୁ ପସନ୍ଦ ମଧ୍ୟ କରିଛନ୍ତି । ହେଲେ ଆଗାମୀ ସମୟରେ ଆଉ ଏକ େଓବ୍ ସିରିଜ ଆନ୍‌ଥୋନୀ ଆସୁଛି ଯାହାକି ଦିପାବଳୀରେ ଆଓ ନେକ୍ସଟରେ ରିଲିଜି ହେବ । ଆଶା ଅଛି ଲୋକେ ଏହି ସିରିଜକୁ ଦେଖିବେ ଓ ପସନ୍ଦ କରିବେ ।”

ମୁଁ ଚାହେଁ ଓଡିଆ ସିନେମା କରି ଆମ ନିର୍ମାତା ମାନେ ବି କୋଟି କୋଟି ଟଙ୍କା ରୋଜଗାର କରନ୍ତୁ । ବାହାର ଜାଗାରେ ଓଡିଆ ସିନେମାର ପରିଚୟ ସୃଷ୍ଟି ହେଉ,ସମସ୍ତେ ନିଜ ଆଂଚଳିକ ଭାଷାର ସମ୍ମାନ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )