Friday 26th April 2024
International Animation Day :ଉତ୍କଳ ଗୌରବଙ୍କ ମୁହଁରୁ ଆନିମେସନର କଥା…

International Animation Day :ଉତ୍କଳ ଗୌରବଙ୍କ ମୁହଁରୁ ଆନିମେସନର କଥା…

ଆନିମେସନ୍ ହୁଏତ ଆମ ପ୍ରତି ଦିନ ଜୀବନରେ ଘଟୁଥିବା ଏକ ସାଧାରଣ ଜିନିଷ । କିନ୍ତୁ ଏହି ସାଧାରଣ ଜିନିଷକୁ କରିବା ପାଇଁ କେତେ ଯେ ପରିଶ୍ରମ ଲାଗେ ତାହା ହୁଏତ ଆପଣମାନେ ଜାଣିନଥିବେ । ଆଜି ହେଉଛି ଆର୍ନ୍ତଜାତୀୟ ଆନିମେସନ୍ ଡେ । ଏହି ଦିନରେ ପ୍ରାୟତଃ ସମସ୍ତେ ଆନିମେସନକୁ ନେଇ ଚର୍ଚ୍ଚା କରନ୍ତି । କାରଣ ଏହା ଏମିତି ଏକ ଜିନିଷ ଯାହାର ସାରା ବିଶ୍ୱରେ ଚାହିଦା ରହିଛି । ଆମେ ପୂର୍ବରୁ ବି ଆପଣମାନଙ୍କୁ ଆନିମେସନରେ କ୍ୟାରିୟର,ଆନିମେସନ ପ୍ରକୃତରେ କଣ ଏସବୁ ସମ୍ବନ୍ଧରେ ଜଣାଇଛୁ । ଯଦି ଆପଣ ଆନିମେସନ ଦୁନିଆ ବିଷୟରେ ଉତ୍ସାହର ସହ କିଛି ଜାଣିବାକୁ ଚାହାନ୍ତି ତାହାଲେ ଓଡିଆ ଡେଲୀରେ ଆପଣଙ୍କୁ ସେ ସବୁ ବିଷୟରେ ସୂଚନା ମିଳିଯିବ । ଆମ ଓଡିଶାରେ ବି ଆନିମେସନର କ୍ରେଜ ବହୁତ ରହିଛି ।

 

ଏଇ କେଇଟା ବର୍ଷ ଭିତରେ ଜଣେ ଏମିତି କ୍ୟାରେକ୍ଟର ଓଡିଶାରେ ଆସିଲା । ଯାହାକୁ ଘରେ ଘରେ ଲୋକ ଚିହ୍ନିଗଲେ । ପ୍ରତ୍ୟେକଦିନ ତାର କଥା ନ ଶୁଣିଲେ ଛୋଟ ପିଲା ମାନେ ଜିଦ୍ ଧରି ବସିଲେ । ଆଉ ସେ ଚାହୁଁ ଚାହୁଁ ବୁଢାରୁ ଛୁଆ ସମସ୍ତଙ୍କୁ ଏମିତି କିମିଆ କରିଲା ଯେ ତା ବିନା କାହାରି ମନ ଲାଗିଲାନାହିଁ । ସେ ଆଉ କେହି ନୁହେଁ ଆପଣଙ୍କର ଅତି ପ୍ରିୟ ନଟିଆ । ଆଜି ଆନିମେସନ୍ ର କଥା ପଡିଛି ମାନେ ଆମ ଓଡିଶାର ନଟିଆର କଥା କେମିତି ବାଦ୍ ପଡିଯିବ । ତାହାଲେ ଚାଲନ୍ତୁ ଜାଣିବା ନଟିଆର କର୍ତ୍ତାଧତ୍ତା ଉତ୍କଳ ଗୌରବଙ୍କ ପାଖରୁ ଉତ୍କଳ କାର୍ଟୁନ୍ସର କାହାଣୀ ଓ ଓଡିଶାରେ ତାର ଚାହିଦା ବିଷୟରେ ।

ଉତ୍କଳ କାର୍ଟୁନସ୍ କେମିତି ଓଡିଶା ଲୋକଙ୍କ ଅତିପ୍ରିୟ ହେଲା ?

-ହୁଏତ ୩ ବର୍ଷ ତଳେ ଓଡିଶାର ଲୋକଙ୍କ ପାଖରେ ଆନିମେସନ କହିଲେ କିଛି ବି ଧାରଣା ନଥିଲା । ସେମାନେ ଟିଭିରେ ହିନ୍ଦୀ କାର୍ଟୁନ ଗୁଡିକର ଡବିଙ୍ଗ ଦେଖିବାର ସୁଯୋଗ ପାଉଥିଲେ । କିନ୍ତୁ କେହି କେବେ ଭାବିନଥିଲେ ଆମ ଓଡିଆ ଭାଷାରେ ଦେଶୀ ଅନ୍ଦାଜରେ ଏମିତି କିଛି ଜିନିଷ ଆସିପାରିବ । ଯେବେଠାରୁ ନଟିଆ ଓଡିଆରେ ଗାଁର କଥା,ଓଡିଆଙ୍କ ପୂଜା ପର୍ବାଣୀର କଥା ,ସାଙ୍ଗସାଥୀ,ଖେଳକୂଦ ଏସବୁ କରିବା ଆରମ୍ଭ କଲା । ସେତେବେଳେ ଓଡିଆ ଲୋକ ନିଜକୁ ନଟିଆ ସହ ସଂଯୋଗ କଲେ । ସେମାନେ ବୁଝିପାରିଲେ ଯେ ନଟିଆ ସେମାନଙ୍କ ପିଲାଦିନର କଥା କହୁଛି । ତେଣୁ ଓଡିଆ କାର୍ଟୁନ ପ୍ରତି ଲୋକଙ୍କର ଭଲପାଇବା ବଢିଲା ।

 

ଉତ୍କଳ କାର୍ଟୁନର ସଂଘର୍ଷ କାହାଣୀ କଣ ?

-ଉତ୍କଳ କାର୍ଟୁନକୁ ଆପଣ ମୋ କଳ୍ପନା କହିପାରନ୍ତି । ଯାହା ଆଜି ବାସ୍ତବରେ ପରିଣତ ହୋଇଛି । ଆଗକୁ ଆହୁରି ଅନେକ ବାଟ ଯିବାର ଅଛି । କିନ୍ତୁ ମୋର ଆରମ୍ଭ ବହୁତ ହିଁ ସଂଘର୍ଷମୟ ଥିଲା । ପ୍ରଥମେ ମୁଁ ମୋ ଘରେ କାମ କରୁଥିଲେ ମୋ ସହ ମୋର କିଛି ବନ୍ଧୁ ମିଶି ଫ୍ରିଲାସିଂ ହିସାବରେ ନିଜ ନିଜ ଘରୁ ସାହାର୍ଯ୍ୟ କରୁଥିଲେ । ତାପରେ ଆମେ ଗୋଟିଏ ଗୋଟିଏ ଭିଡିଓ କରିବା ଆରମ୍ଭ କଲୁ । ପ୍ରଥମରୁ ସେତିକି ଲୋକପ୍ରିୟ ହେଇନଥିଲା । କିନ୍ତୁ ମୁଁ ଭାବିଲି ଯଦି ରିକ୍ସ ନେଇ ମୁଁ ଟିମ୍ ଗଢି କାମ କରେ ତାହାଲେ ନିଶ୍ଚୟ ଭଲ ଭିଡିଓ କରିପାରିବି । ତାପରେ ଆମେ ୬ ରୁ ୭ ଜଣ ଫ୍ରେସର ପିଲାଙ୍କୁ ନେଇ ପ୍ରଥମ କାମ ଆରମ୍ଭ କଲୁ । ସେମାନଙ୍କୁ କାମ କରିବାର ସ୍କୋପ ମିଳିଲା ଓ ନଟିଆ କାର୍ଟୁନକୁ ଏକ ନୂଆ ପରିଚୟ ମିଳିଲା । ତାପରେ ଲୋକଙ୍କ ସପୋର୍ଟ ପାଇବା ପରେ ଆଜି ୫୫ଜଣଙ୍କୁ ନେଇ ନଟିଆ କାର୍ଟୁନ କାମ କରୁଛି । ତେଣୁକରି ଏତିକି କରିବାକୁ ମୋତେ ୪ବର୍ଷ ଲାଗିଲା । ବହୁତ ଖରାପ ଆଉ ଭଲ ସମୟ ଏହି ବର୍ଷ ଭିତରେ କଟିଛି । ବାସ୍ ଆଜି ବି ମୁଁ ଭାବେ ମୋ ଟିମ୍ ମୋ ଖରାପ ସମୟରେ ମୋର ସାଥ୍ ଦେଇଥିବା ସାଙ୍ଗମାନେ ଯଦି ନଥାନ୍ତେ ତାହାଲେ ହୁଏତ ଆଜି ଉତ୍କଳ କାର୍ଟୁନ ବା ନଟିଆ କମେଡି ଆପଣଙ୍କ ପାଖରେ ପହଂଚିପାରିନଥାନ୍ତା । ସମସ୍ତଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଏହା ଆଜି ଲୋକପ୍ରିୟ ହୋଇପାରିଛି ।

 

ଓଡିଆକାର୍ଟୁନ ଓ ହିନ୍ଦୀ କାର୍ଟୁନ ଭିତରେ ତଫାତ୍ କଣ ?

-ଦେଖନ୍ତୁ ଆନିମେସନ୍ କାମରେ କ୍ୱାଲିଟି ବହୁତ ମହତ୍ୱ ରଖେ । ଆପଣ ଯେତେ କ୍ୱାଲିଟି କାମ କରିବେ ଆପଣଙ୍କ ଆନିମେସନ ସ୍କ୍ରିନରେ ସେତେ ସୁନ୍ଦର ଦେଖାଯିବ । ତାସାଙ୍ଗରେ ଦରକାର ବାନ୍ଧିରଖିପାରୁଥିବା କାହାଣୀ । ଏମିତିରେ ବି ବିନା ଡାଇଲଗ୍ ବାଲା ଆନିମେସନ୍ ବିଶ୍ୱ ପ୍ରସିଦ୍ଧ ହେଇଛି ଯାହାକୁ ଆମେ ଟମ୍ ଏଣ୍ଡ ଜେରୀ ଭାବରେ ଜାଣିଛୁ । କିନ୍ତୁ ସେଥିରେ କାହାଣୀ ଅଛି ସେଥିପାଇଁ ଲୋକେ ନିଜକୁ ତାସହ କନେକ୍ଟ କରିପାରନ୍ତି । ତେଣୁ ହିନ୍ଦୀ କାର୍ଟୁନ ତାଙ୍କ ଭାଷାରେ ଭଲ ଚାଲେ ଓ ବେଶିକରି ଛୋଟ ପିଲାମାନେ ହିନ୍ଦୀ କାର୍ଟୁନ ଦେଖନ୍ତି । କିନ୍ତୁ ଓଡିଶାରେ ଓଡିଆ କାର୍ଟୁନ କ୍ଷେତ୍ରରେ ସେଇଟା ଟିକେ ବଦଳିଛି କହିଲେ ହେବ । କାରଣ ଏଠାରେ କେବଳ ଛୋଟ ପିଲା ନୁହେଁ ସମସ୍ତେ ନଟିଆର କାର୍ଟୁନ ଦେଖନ୍ତି । ତେଣୁ ଅଳ୍ପ ବହୁତ ତଫାତ୍ ତ ରହିଛି ।

 

ଓଡିଶାରେ କ’ଣ ନଟିଆ ପୂର୍ବରୁ ଆନିମେସନ ଷ୍ଟୋରୀ ହେଇନି ?

-ନିଶ୍ଚିତ ହେଇଛି ,ମୁଁ ନିଜେ ପାଠ ପଢୁଥିବା ସମୟରେ ବହୁତ କାର୍ଟୁନରେ ଓଡିଆରେ କାମ କରିଛି । କିନ୍ତୁ ଏହା ବହୁତ ବର୍ଷ ତଳର କଥା । ସେତେବେଳେ ଯେ କୌଣସି ଇନଷ୍ଟିଚ୍ୟଟ ନିଜ କଲେଜରେ ପିଲାଙ୍କ ଆଡମିଶନ ପାଇଁ ସେହିଭଳି ସୁନ୍ଦର ଆନିମେଟେଡ୍ ଭିଡିଓ ତିଆରି କରୁଥିଲେ । କିନ୍ତୁ ତାର ପ୍ରମୋସନ କରାଯାଉନଥିଲା ବା ଏମିତି ଜାଗାରେ ତାକୁ ପ୍ରସାରଣ କରାଯାଉନଥିଲା ଯାହା ସିଧାସଳଖ ଲୋକ ଦେଖିପାରିବେ । ଏବେ ଡିଜିଟାଲି ଆମ କାମ ଖୁବ୍ ସହଜରେ ଲୋକଙ୍କ ପାଖରେ ପହଂଚିଯାଉଛି । କିନ୍ତୁ ସେତେବେଳେଠୁ ଯଦି ଆନିମେସନକୁ ଗୁରୁତର ସହ ଲୋକଙ୍କ ପାଖରେ ପହଂଚାଇବାର ପ୍ରୟାସ କରାଯାଇଥାଆନ୍ତା ତାହାଲେ ନଟିଆ ଆଗୁରୁ ଅନେକ ବର୍ଷ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହେଇଯାଇଥାନ୍ତା ।

ଓଡିଶାରେ ଆନିମେସନରେ କ୍ୟାରିୟର କେମିତି ?

-ବର୍ତ୍ତମାନ ଓଡିଶାରେ ଆନିମେସନ ପାଇଁ ବହୁତ ହିଁ ସ୍କୋପ ରହିଛି । ପିଲା ଜାଣୁଛନ୍ତି ଯେ ଏଥିରେ କ୍ୟାରିୟର କଲେ ସେମାନେ ଏକ ନୂଆ ଧରଣର କାମ କରିବାର ଅଭିଜ୍ଞତା ନେବେ । ଆଉ ଆନିମେସନ ଏମିତି ପାଠ ଯାହା ସବୁ ସେକ୍ଟରର କାମ ପାଇଁ ଦରକାର ଥାଏ । ଆନିମେସନ ପଢିଲେ ଯେ କେବଳ ନଟିଆ ଭଳି କାର୍ଟୁନ ତିଆରି କରିବେ ତା ନୁହେଁ ବରଂ ବହୁତ ଅଲଗା ଅଲଗା କାମ ମଧ୍ୟ କରିପାରିବେ । ପ୍ଲସ-୨ ପରେ ଆନିମେସନ କରନ୍ତୁ କିମ୍ବା ଗ୍ରାଜୁଏସନ ପରେ ସବୁ ସମୟରେ ଏହି କୋର୍ସ ସମସ୍ତେ କରିପାରିବେ । କିନ୍ତୁ ସେଥିପାଇଁ ପ୍ରଚୁର ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଷ୍ଟୁଡେଣ୍ଟ ଟାଇମରୁ ଦିନକୁ ୫ ଘଣ୍ଟା କାମ ଯଦି କରିବା ଆରମ୍ଭ କରିବେ ତାହାଲେ କାମ କରିବା ବେଳେ ସେମାନେ ଭଲ ପରଫରମାନ୍ସ ଦେଇପାରିବେ ।

 

 

ଓଡିଆ କାର୍ଟୁନର ଭବିଷ୍ୟତ କେଉଁଠି ଆପଣ ଭାବନ୍ତି ?

-ନଟିଆ କାର୍ଟୁନର ସଫଳତା ପରେ ଆମେ ଜାଣିବାକୁ ପାଇଲୁ ଯେ ଆନିମେସନ୍ ପାଇଁ ଲୋକଙ୍କର ଭଲପାଇବା ବହୁତ ରହିଛି । ତେଣୁ ଓଡିଆ କାର୍ଟୁନ ଭଲ ଭାବରେ ପରିବେଷଣ କରାଗଲେ ନିଶ୍ଚୟ ଓଡିଶାରେ ଏହାର ଚାହିଦା ଆହୁରୀ ବଢିବ । ବର୍ତ୍ତମାନ ଏହା ୟୁଟ୍ୟବରେ ସୀମିତି ରହିଛି । କିନ୍ତୁ ଆଗକୁ ଓଡିଆ କାର୍ଟୁନ Netflix ,Amazon ଆଦିରେ ପ୍ରସାରିତ ହେବ ବୋଲି ମୋର ଆଶା । ଆନିମେସନ ଇଣ୍ଡଷ୍ଟ୍ରୀ ପାଇଁ ପେସନେଟ୍ ପିଲା କାମ କରିବାକୁ ଆସିଲେ ଆହୁରି ଦ୍ରୁତ ଗତିରେ ଏହା ଅଗ୍ରସର ହେବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )