Wednesday 24th April 2024

ଏବେ ଟ୍ରେନରେ ମିଳିବ ମାଗଣା ଖାଇବା…ଜାଣନ୍ତୁ କେମିତି ?

ଟ୍ରେନରେ ଯାତ୍ରା କରିବା ଆମ ଭାରତୀୟଙ୍କ ପାଇଁ ଏକ ନିତିଦିନିଆ କଥା । ଆମେ ସବୁବେଳେ ପ୍ରାୟତଃ ନିଜ କାମକୁ ନେଇ ହେଉ କିମ୍ବା କେଉଁଠି ଯାତ୍ରା କରିବାକୁ ଗଲେ ବି ଟ୍ରେନର ହିଁ ସାହାରା ନେଇଥାଉ । ଆଉ ଆପଣମାନେ ଏହା ବି ଜାଣିଥିବେ- ଭାରତୀୟ ରେଲୱେ କେବେ ବି ଠିକ୍ ସମୟରେ ପହଂଚିପାରେ ନାହିଁ । ସେଥିପାଇଁ ବହୁତ ଲୋକ ହଇରାଣ ହରକତ ବି ହୁଅନ୍ତି । ହେଲେ ଟ୍ରେନ ବିଳମ୍ବ ହେବାର ବି ବିଭିନ୍ନ କାରଣ ରହିଥାଏ । କେତେବେଳେ ଟ୍ରେନ ଆସୁଥିବା ରୁଟ୍ ବ୍ୟସ୍ତ ରହିଥାଏ ତ ପୁଣି କେତେବେଳେ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ରହିଥାଏ । ଏମିତି ଅନେକ ଘଟଣା ପାଇଁ ଆମେ ଯାତ୍ରୀଗଣ ଭାରତୀୟ ରେଳବାଇକୁ ହିଁ ଦୋଷ ଦେଇଥାଉ । ହେଲେ ଏବେ ଏହି ଦୋଷକୁ ଏଡେଇବା ପାଇଁ ଭାରତୀୟ ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛି ।

ଲୋକଙ୍କ ଯାତ୍ରା ସୁବିଧାଜନକ କରିବା ପାଇଁ ରେଳବାଇ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାତ୍ରୀଙ୍କ ଲାଗି ଭାରତୀୟ ରେଳ ଏପରି ଅନେକ ସୁବିଧା ଓ ସୁଯୋଗ ଉପଲବ୍ଧ କରନ୍ତି ଯାହା ସମ୍ପର୍କରେ ଅନେକ  ହୁଏତ ଜାଣି ବି ନଥାନ୍ତି। ତେବେ ଭାରତୀୟ ରେଳ ତାଙ୍କ ଯାତ୍ରୀଙ୍କୁ ଦେଉଥିବା ସୁବିଧା ସମ୍ପର୍କରେ ଆସନ୍ତୁ ଜାଣିବା। ଯଦି ଟ୍ରେନ ବିଳମ୍ବିତ ହୁଏ ତେବେ ଯାତ୍ରୀଙ୍କୁ ନାନା ସମସ୍ୟା ଭୋଗିବାକୁ ପଡେ। ଖାଇବା ପିଇବାରୁ ଆରମ୍ଭ କରି ଯାତ୍ରୀ ଯେଉଁ ସବୁ ସମସ୍ୟା ଭୋଗନ୍ତି ସେଥିରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ( ଆଇଆରସିଟିସି)ଙ୍କ ବିଶେଷ ସୁବିଧା ରହିଛି। ଏପରିସ୍ଥଳେ ଆଇଆରସିଟିସିଙ୍କ ପକ୍ଷରୁ ଯାତ୍ରୀଙ୍କୁ ଖାଦ୍ୟ ଓ ଗୋଟିଏ କୋଲ୍ଡ ଡ୍ରିଙ୍କ ଅଫର କରାଯାଇଥାଏ। ଏହି ଖାଦ୍ୟ ଆଇଆରସିଟିସି ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦେଇଥାନ୍ତି।

ଭାରତୀୟ ରେଳଙ୍କ ନିୟମ ଅନୁସାରେ ଟ୍ରେନ ବିଳମ୍ବିତ ହେଲେ ଆଇଆରସିଟିସି କ୍ୟାଟରିଂ ପଲିସି ଅନୁସାରେ ଯାତ୍ରୀଙ୍କୁ ଜଳଖିଆ ଅଥବା ହାଲୁକା ଭୋଜନ ଦିଆଯାଏ। ଯଦି ଆପଣଙ୍କୁ ଏ ସମ୍ପର୍କରେ ଜଣା ତେବେ ଯାତ୍ରୀ ଭାବେ ଆପଣଙ୍କ ଅଧିକାର ସାବ୍ୟସ୍ତ କରିପାରିବେ। ଆଇଆରସିଟିସିଙ୍କ ନିୟମ ଅନୁସାରେ ଟ୍ରେନ ଯଦି ୨ ଘଣ୍ଟାରୁ ଅଧିକ ବିଳମ୍ବିତ ଚାଲୁଥାଏ ତେବେ ଯାତ୍ରୀଙ୍କୁ ନିଶୁଳ୍କ ମିଲ ଦିଆଯାଇଥାଏ।

ଆଇଆରସିଟିସିଙ୍କ ପକ୍ଷରୁ ଲଞ୍ଚ ଅଥବା ଡିନରରେ ଯାତ୍ରୀଙ୍କୁ ଭାତ, ଡାଲି ଓ ଆଚାର ପ୍ୟାକେଟ୍ ଦିଆଯାଇଥାଏ। ନଚେତ ୭ଟି ପୁରୀ, ମିକ୍ସଭେଜ, ଆଳୁ ଭଜା, ଆଚାରପ୍ୟାକେଟ, ଲୁଣ ଓ ଗୋଲମରିଚ ଗୁଣ୍ଡ ଗୋଟିଏ ଲେଖାଏଁ ପ୍ୟାକେଟ୍ ମିଳିଥାଏ। ସେହିପରି ଯାତ୍ରୀଙ୍କୁ ଜଳଖିଆରେ ଚା ଅଥବା କଫି ସହ ୨ଟି ବିସ୍କୁଟ ଦିଆଯାଏ।  ଅପରାହ୍ନ ଜଳଖିଆରେ ଚା ଅଥବା କଫି ସହ ୪ଟି ବ୍ରେଡ୍ ସ୍ଲାଇସ୍‌ ଦିଆଯାଏ। ଏହି ସୁବିଧା କେବଳ ଏକ୍ସପ୍ରେସ୍ ଟ୍ରେନର ଯାତ୍ରୀଙ୍କ ଲାଗି। ଯଦି ଆପଣ ଶତାବ୍ଦୀ, ରାଜଧାନୀ ଅଥବା ଦୂରନ୍ତୋ ଭଳି ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଟ୍ରେନ ବିଳମ୍ବିତ ହେଲେ ଆପଣ ଏହି ସୁବିଧାର ଲାଭ ନେଇପାରିବେ।  ଏହି ସୂଚନା ଆପଣ ମାନଙ୍କ କାମରେ ନିଶ୍ଚୟ ଆସିବ । ତେବେ ଆଗାମୀ ଦିନରେ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହାଲେ ଆପଣଙ୍କୁ ଏହି ଲାଭଦାୟକ ଆଫର ବିଷୟରେ ନିହାତି ଜଣାଥିବା ଆବଶ୍ୟକ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )