Friday 26th April 2024
ଜଗନ୍ନାଥ ମନ୍ଦିର ଦେଉଛି ମୌସୁମୀ ସଂଙ୍କେତ….

ଜଗନ୍ନାଥ ମନ୍ଦିର ଦେଉଛି ମୌସୁମୀ ସଂଙ୍କେତ….

ଚମତ୍କାରର ଦେଶ ଭାରତ । ଏଇଠି ଅନେକ ଘଟଣା ଦେଖିବାକୁ ମିଳେ ଯାହାର ରହସ୍ୟ ଆଚମ୍ବିତ କରେ । ଯେମିତିକି ଉତ୍ତରପ୍ରଦେଶର ଏକ ମନ୍ଦିର ବର୍ଷାର ସଂକେତ ଦେବାରେ ଅନେକ ବର୍ଷ ହେବ ଚର୍ଚ୍ଚାରେ ଅଛି । କେବେ ବର୍ଷା ହେବ, ଏହି ମନ୍ଦିର ୧୫ ଦିନ ଆଗରୁ ସଂକେତ ଦିଏ । ଯାହା ଦ୍ବାର ଚାଷୀକୁ ଫସଲ ରକ୍ଷା କରିବାରେ ସୁବିଧା ହୁଏ । ଉତ୍ତର ପ୍ରଦେଶର କାନପୁର ସହରରେ ଅବସ୍ଥିତ ଭଗବାନ ଜଗନ୍ନାଥଙ୍କ ମନ୍ଦିର । ସ୍ଥାନୀୟ ଅଧିବାସୀ ଏହାକୁ ଠାକୁରଜୀ ବାବା ବୋଲି ମାନିଥାନ୍ତି । ବର୍ଷା ହେବା ପୂର୍ବରୁ ଏହି ମନ୍ଦିର ଛାତରୁ ପାଣି ଗଳେ । ଲୋକମାନେ ଏହାକୁ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ମାନିଥାନ୍ତି । ସେମାନଙ୍କ କହିବା ମୁତାବିକ ଭଗବାନ ଜଗନ୍ନାଥ ଅତି କୃପାଳୁ ଅଟନ୍ତି । ସେ ନିଜ ଭକ୍ତମାନଙ୍କୁ ଏହି ସୂଚନା ଦେଇ ସଚେତ କରିଥାଆନ୍ତି ଯାହା ଫଳରେ କୃଷକମାନେ ଚାଷବାସ ସମ୍ବନ୍ଧୀୟ ସଜବାଜ କରିବାରେ ସୁବିଧା ହୁଏ । କିନ୍ତୁ ଏପରି ଚମତ୍କାର କିପରି ହୁଏ ଏହା ସମସ୍ତଙ୍କୁ ଅଗୋଚର ।

ଏହି ମନ୍ଦିର ଜନପଦରୁ ଆହୁରି ଭିତରକୁ ବିକାଶଖଣ୍ଡ ମୁଖ୍ୟାଳୟରୁ ତିନି କିଲୋମିଟର ଦୂର ବେହେଁଟା ଗ୍ରାମରେ ଅବସ୍ଥିତ । ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ କଳା ମୁଗୁନି ପଥରରେ ତିଆରି ମୁର୍ତ୍ତି ସହିତ ସୂର୍ଯ୍ୟ ଏବଂ ପଦ୍ମନାଭଙ୍କ ମୁର୍ତ୍ତି ଦେଖିବାକୁ ମିଳେ । ମନ୍ଦିରର କାନ୍ଥ ୧୪ ଫୁଟ ମୋଟେଇ ବିଶିଷ୍ଟ ବର୍ତ୍ତମାନ ଏହି ମନ୍ଦିରଟି ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଅଛି । ପୁରୀ ଭଳି ଏହି ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ପାଳିତ ହୁଏ ।“ବିଶ୍ଵାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ । ଆଉ ସବୁଠୁ ବଡ଼ ଆଶ୍ଚର୍ୟ କଥା ହେଉଛି ଏଥିରୁ ଝରୁଥିବା ପାଣି ଠିକ ବର୍ଷା ବୁନ୍ଦା ଭଳି । କେବଳ ଏତିକି ନୁହେଁ ଯେଉଁଦିନ ବର୍ଷା ହୁଏ ସେଇଦିନ ଏହି ପାଣି ଝରିବା ବନ୍ଦ ହୋଇଯାଏ । ଏହା ଜାଣି ଏଠାରେ ପୂଜା କରୁଥିବା ପୂଜାରୀ ବର୍ଷା ଆଗମନର ସୂଚନା ଗ୍ରାମବାସୀଙ୍କୁ ଦେଇଥାନ୍ତି ।”

ସ୍ବତଃ ପାଣି ଗଳିବା ରହସ୍ୟ ସର୍ବେକ୍ଷଣ ପରେ ମଧ୍ୟ ସନ୍ଧାନ ମିଳିନାହିଁ । ମନ୍ଦିର ପୂଜାରୀ ଦିନେଶ ଶୁକ୍ଲାଙ୍କ ମତରେ ଅନେକ ଥର ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ, ଆଇଆଇଟି ବୈଜ୍ଞାନିକ ଏବଂ ବହୁ ପୁରୁଣା ବୈଜ୍ଞାନିକ ଏହାର ରହସ୍ୟ ଭେଦ କରିବାକୁ ଅସମର୍ଥ ହୋଇଛନ୍ତି । କିଛି ସର୍ବେକ୍ଷଣରୁ ଦାବୀ ହୋଇଛି ଯେ ଏହି ମନ୍ଦିର ୧୧ ଶ ଶତାବ୍ଦୀରେ ନିର୍ମାଣ ହୋଇଛି । ଏହାର କେତେଥର ପୁନରୁଦ୍ଧାର ହୋଇଛି ତାହାର କୌଣସି ହିସାବ ବା ତଥ୍ୟ ନାହିଁ । ଏହି ମନ୍ଦିର ବାବଦରେ ଅନେକ ମତ ପ୍ରକାଶ ପାଏ । କେହି କୁହନ୍ତି ଏହି ମନ୍ଦିର ଏକ ବୌଦ୍ଧ ମଠ ସଦୃଶ ଅଟେ ଯାହାକୁ ଅଶୋକ ନିର୍ମାଣ କରିଥାଇ ପାରନ୍ତି ।

କାନ୍ଥରେ ଚିତ୍ରିତ ମୟୁର ଏବଂ ଚକ୍ର ଚିହ୍ନ ଦେଖି ଅନେକ କୁହନ୍ତି ଏହି ମନ୍ଦିର ଚକ୍ରବର୍ତ୍ତୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ସ୍ଥାପିତ ହୋଇଥାଇ ପାରେ । ଏହି ଗ୍ରାମରେ ରହୁଥିବା ବୃଦ୍ଧ କୁହନ୍ତି ସେମାନଙ୍କ ପୂର୍ବ ପୁରୁଷ ସେମାନଙ୍କୁ ଅନେକ ପୁରାଣିକ କଥା କହି ଯାଇଛନ୍ତି । ସେମାନଙ୍କ ଅନୁସାରେ ଯେବେ ଭଗବନ ହନୁମାନ ସୂର୍ଯ୍ୟକୁ ଗିଳି ବାହାର କରିଥିଲେ ଏହି ମନ୍ଦିର ସ୍ବତଃ ତିଆରି ହୋଇଥିଲା । ଆହୁରି ମଧ୍ୟ ବିଶ୍ଵାସ ଅଛି ଭଗବାନ ରାମ ଏହି ମନ୍ଦିରକୁ ପରିଦର୍ଶନ କରିଥିଲେ ଏହି ତଥ୍ୟରେ କେତେ ସତ୍ୟତା ଅଛି କେହି ଜାଣନ୍ତି ନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )