Saturday 27th July 2024
ଇତିହାସର କାହାଣୀ: ”ଆଳୁ ପାଇଁ ଯୁଦ୍ଧ ଜିତିଥିଲା ଆମେରିକା”

ଇତିହାସର କାହାଣୀ: ”ଆଳୁ ପାଇଁ ଯୁଦ୍ଧ ଜିତିଥିଲା ଆମେରିକା”

ଦ୍ୱିତୀୟ ବିଶ୍ୱଯୁଦ୍ଧ ଆମ ବିଶ୍ୱ ଇତିହାସର ଏକ ସ୍ମରଣୀୟ ଅଘଟଣ । ଏହି ଯୁଦ୍ଧ ସଂକ୍ରାନ୍ତରେ ଆଜି ବି ଲୋକେ ଚର୍ଚ୍ଚା କରନ୍ତି । ତାସହିତ ଭୁଲ ଠିକ୍ ର ହିସାବ ମଧ୍ୟ କରନ୍ତି । କିନ୍ତୁ ଏହି ଯୁଦ୍ଧରେ ଯାଇଥିବା ସହ ସହ ଜୀବନର ଭରଣା ବା କିଏ କରିବ ? ସାଧାରଣ ଜୀବନର ଅକାରଣ ବାଜି ଏହି ଦିତ୍ୱୀୟ ବିଶ୍ୱଯୁଦ୍ଧ ସମୟରେ ହିଁ ଅଧିକ ଦେଖିବାକୁ ମିଳିଥିଲା । ତେବେ ବିଶ୍ୱଯୁଦ୍ଧର କଥା ଆସୁଛି ମାନେ ଏଥିରେ ଘଟିଥିବା ଗୋଟିଏ କାହାଣୀ ବିଷୟରେ ଚାଲନ୍ତୁ ଜାଣିବା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର କଥା । ୧୯୪୩ ଏପ୍ରିଲ ୪ ସଂନ୍ଧ୍ୟାରେ ମିତ୍ର ଶକ୍ତି ପକ୍ଷରୁ ଆମେରିକାର ଯୁଦ୍ଧ ଜାହାଜ ଓ’ବାନନ୍ ସମେତ ଅନ୍ୟ ଯୁଦ୍ଧ ଜାହାଜଗୁଡିକ ଜାପାନର ନ୍ୟୁ ଜର୍ଜିଆ ଇଲାକାରେ ପଇଁତରା ଦେଉଥିବା ବେଳେ ସେମାନଙ୍କ ଆଡକୁ ଏକ ଶକ୍ତିଶାଳୀ ଜାପାନୀ ବୁଡାଜାହାଜ ମାଡି ଆସୁଥିବା ଜଣାପଡିଥିଲା ।

ଓ’ ବାନନ୍ ର କମାଣ୍ଡର ଜାହାଜର ବେଗକୁ ବଢାଇ ପାଣି ଉପରେ ଉପରେ ଆସୁଥିବା ଉକ୍ତ ଜାପାନୀ ବୁଡାଜାହାଜ ଉପରେ ଚଢି ବୁଡାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେଥିରେ ଥିବା ସାମ୍ଭାବ୍ୟ ବୋମା ଯୋଗୁଁ ପରିସ୍ଥିତି ଆତ୍ମଘାତୀ ହେବା ଆଶଙ୍କାରେ ସେପରି ନକରି ଓ’ବାନନ୍‌କୁ ଜାପାନୀ ବୁଡା ଜାହାଜ ସହ ସମାନ୍ତରାଳ ଭାବେ ଅତିକ୍ରମ କରିବାକୁ କୁହାଯାଇଥିଲା । ତେବେ ଏଥିରେ ଜାପାନୀ ଜାହାଜର କୌଣସୀ ପ୍ରତିକ୍ରିୟା ନଥିବା ଦେଖି,ଲକ୍ଷ୍ୟ କଲାରୁ ଡେକ୍ ଉପରେ ସୈନିକମାନେ ଶୋଇଥିବା ଜଣାପଡିଥିଲା । ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୁଦ୍ଧାସ୍ତ୍ର ସହ ଆମେରିକା ସୈନିକମାନେ ପ୍ରସ୍ତୁତ ହେବା ପାଇଁ ସମୟ ଦରକାର ଥିଲା । ଏହି ଅବସରରେ ଜାପାନୀ ସୈନିକମାନେ ଉଠି ସଜାଗ ହୋଇପଡିବା ସହ ତଳେ ଥିବା ଅସ୍ତ୍ରାଗାରକୁ ଦୌଡିଥିଲେ ।

ଏତିକି ବେଳେ ଓ’ବାନନ୍ ରେ ଖାଦ୍ୟ ଉଦ୍ଦେଶ୍ୟରେ ଗଚ୍ଛିତ ଥିବା ଆଳୁ ଟିଣଗୁଡିକୁ ଜାପାନୀ ଜାହାଜର ଡେକ୍ ଉପରକୁ ଫିଙ୍ଗିବା ପାଇଁ କମାଣ୍ଡର ନିର୍ଦ୍ଦେଶ ଦେଲେ । ଜାପାନୀ ସୈନିକମାନଙ୍କ ପାଖରେ ପ୍ରଭୂତ ଅସ୍ତ୍ରଶସ୍ତ୍ର ଥିବା ସତ୍ତ୍ୱେ ସେମାନେ ଜାହାଜ ଭିତରୁ ଆଉ ଆକ୍ରମଣ ପାଇଁ ବାହାରକୁ ବାହାରିନଥିଲେ । ସେମାନଙ୍କର ଭୟ ହେଲା କି,ଆମେରିକା ତା ଜାହାଜରୁ ଗ୍ରେନେଡ୍ ମାଡ କରୁଛି । ଏହି ଅବସରରେ ଆମେରିକାର ସୈନିକମାନେ ଗୁଳିଗୋଳା ସହ ବାହାରକୁ ଆସିଗଲେ ଏବଂ ଜାପାନୀ ବୁଡାଜାହାଜକୁ ଗୁଳିକରି ବୁଡାଇ ଦେଇଥିଲେ । ଏହିପରି ଭାବରେ ଏକ ନିଆରା ରଣନୀତି ସେମାନଙ୍କୁ ଯୁଦ୍ଧରେ ଜିତାଇଥିଲା । ବହୁତ କମ୍ ଲୋକ ହୁଏତ ଏହି କାହାଣୀ ବିଷୟରେ ଅବଗତ ଥିବେ । କିନ୍ତୁ ଚିନ୍ତାକଲେ ଉପସ୍ଥିତ ବୁଦ୍ଧି ଲଗେଇ ଆମେରିକା ଯଦି ଏହିଭଳି ପଦକ୍ଷେପ ନ ନେଇଥାନ୍ତା ତାହାଲେ କ୍ଷତି ଜାପାନର ନୁହେଁ ବରଂ ଆମେରିକାର ହେଇଥାନ୍ତା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )