Friday 19th April 2024
ଏବେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାରଙ୍କୁ ମିଳିବ ନିଯୁକ୍ତି….

ଏବେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାରଙ୍କୁ ମିଳିବ ନିଯୁକ୍ତି….

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହିଳା ଅମ୍ପାୟାର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ । ଏନେଇ ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପାଳନଙ୍କୁ ଚୟନ କରାଯାଇଛି । ମହିଳା ଆଇପିଏଲ ପାଇଁ ଘୋଷଣା ପରେ ବିସିସିଆଇ ମହିଳାଙ୍କୁ ନେଇ ଏହି ବଡ ନିଷ୍ପତ୍ତି ନେଇଛି ।

ଅନେକ ରାଜ୍ୟର କ୍ରିକେଟ ସଂଘ ଏବେ ମହିଳା କ୍ରିକେଟ ବ୍ୟତୀତ ସ୍ଥାନୀୟ ସ୍ତରରେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାର୍ସମାନଙ୍କୁ ସୁଯୋଗ ଦେଇଛି । ହେଲେ ଏପର୍ଯ୍ୟନ୍ତ ବିସିସିଆଇ ତରଫରୁ କେବେ ବି ମହିଳା ଅମ୍ପାୟାର୍ସ ମାନଙ୍କୁ ପୁରୁଷଙ୍କ ସିନିୟର୍ସ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରିବାକୁ ନିଯୁକ୍ତି ଦେଇ ନଥିଲା । ସେପଟେ ବୃନ୍ଦା ରାଠୀ ଓ ଜନନୀ ନାରାୟଣନ ଅଣ୍ଡର-୨୩ ପୁରୁଷ ସିକେ ନାଇଡୁ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଥିଲା ।

ମୁମ୍ବାଇର ୩୨ ବର୍ଷିୟା ବୃନ୍ଦା ରାଠୀ ଜଣେ ମିଡିୟମ ସ୍ପେଶ ବୋଲର ଭାବେ ମୁମ୍ବାଇ ୟୁନିଭରସିଟି ପାଇଁ ପ୍ରତିନିଧିତ୍ୱ କରୁଥିଲେ । ସେ ୨୦୧୦ ରେ ବିସିସିଆଇର ସ୍କୋରିଂ ପରୀକ୍ଷା ପାସ୍ କରିଛନ୍ତି   । ୨୦୧୩ ମସିହାରେ ହୋଇଥିବା ମହିଳା ବିଶ୍ୱକପରେ ସେ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି କ୍ରମରେ ବୃନ୍ଦା ନ୍ୟୁଜିଲାଣ୍ଡର ଅମ୍ପାୟାର କୈଥୀ କ୍ରାସଙ୍କ ସହ ଭେଟ ହୋଇଥିଲା । ଏହାପରେ ସେ ମୁମ୍ବାଇ କ୍ରିକେଟ ଆସୋସିଏସନ ଓ ବିସିସିଆଇର ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ ।

ସେପଟେ ୩୬ ବର୍ଷିୟା ଜନନୀ ନାରାୟଣନ କେବେ ବି ଉଚ୍ଚସ୍ତରର କ୍ରିକେଟ ମ୍ୟାଚ ଖେଳି ନାହାଁନ୍ତି । ସେ ୨୦୦୯ ଓ ୨୦୧୨ ମସିହାରେ ତାମିଲନାଡୁ କ୍ରିକେଟ ଆସୋସିଏସନ ସହ ଯୋଗାଯୋଗ କରି ଅମ୍ପାୟାର ହେବାକୁ ଚେଷ୍ଟା କରିଥିଲେ । ୨୦୧୫ ମସିହାରେ ଜନନୀଙ୍କ କଥାରଖି ତାମିଲନାଡୁ କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଏକ ଫର୍ମ ଦିଆଯାଇଥିଲା । ଏହାପରେ ଜନନୀ ବିସିସିଆଇର ଲେବଲ ୨ ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ ।

ଦିଲ୍ଲୀରେ ରହୁଥିବା ୪୩ ବର୍ଷିୟା ଗାୟତ୍ରୀ ବେଣୁଗୋପାଳନ ଜଣେ ପେଶାଦାର କ୍ରିକେଟର ହେବାକୁ ଚେଷ୍ଟା କରିଥିଲେ । ହେଲେ କାନ୍ଧରେ ମାଡ ହୋଇଥିବା ଯୋଗୁଁ ତାଙ୍କ ସ୍ୱପ୍ନ ପୁରଣ ହୋଇପାରି ନଥିଲା । ହେଲେ ଗାୟତ୍ରୀ ପରାଜୟ ସ୍ୱିକାର କରିନଥିଲେ । ସେ ନିଜର କର୍ପୋରେଟ ଚାକିରି ଛାଡି ବିସିସିଆଇର ଅମ୍ପାୟାରିଂ ପରୀକ୍ଷା ପାସ୍ କରିଥିଲେ । ସେ ୨୦୧୯ ରୁ ଜଣେ ଅମ୍ପାୟାର ଭାବେ ମନୋନ୍ନୀତ ହୋଇଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )