Saturday 24th February 2024
ଦେଶର ୮୦ % ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ

ଦେଶର ୮୦ % ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ

ଦେଶରେ ମେଡିକାଲ୍‌ କଲେଜ୍‌ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଅଭାବ ସମସ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗତ ୮ ବର୍ଷରେ ୨୦୧୪-୨୦୨୨ ମଧ୍ୟରେ ମେଡିକାଲ କଲେଜ୍‌ ସଂଖ୍ୟା ୬୭% ବୃଦ୍ଧି ପାଇ ୩୮୭ରୁ ୬୪୮ରେ ପହଞ୍ଚି ଯାଇଛି। ଏହି ସମୟରେ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟ ୭୭% ବଢ଼ି ୫୪,୩୪୮ରୁ ୯୬,୦୭୨ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ‘ଗଭର୍ଣ୍ଣାଂସ ରିଫର୍ମସ୍‌ ଇନ୍‌ ମେଡିକାଲ ଏଜୁକେସନ (୨୦୧୪-୨୦୨୨)’ ରିପୋର୍ଟରେ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବୃଦ୍ଧି ସତ୍ତ୍ବେ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଶେଷ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି।

ଅନ୍ୟ ଏକ ସରକାରୀ ରିପୋର୍ଟ ‘ରୁରାଲ ହେଲ୍‌ଥ ଷ୍ଟାଟିଷ୍ଟିକ୍ସ ୨୦୨୦-୨୧’ ରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ ଦେଶର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଡାକ୍ତର ସମସ୍ୟା ୪.୩ରୁ ୮୦% ପର୍ଯ୍ୟନ୍ତ ରହିଛି। ୨୦୦୫ରେ ଦେଶର ପିଏଚ୍‌ସି ଗୁଡିକରେ ମୋଟ ୨୦,୩୦୮ ଜଣ ଏଲୋପାଥିକ ଡାକ୍ତର ଥିଲେ। ଏହି ସଂଖ୍ୟା ୨୦୨୧ ବେଳକୁ ୩୧,୭୧୬ରେ ପହଞ୍ଚି ଯାଇଛି।

ତଥାପି ଅନେକ ପିଏଚ୍‌ସିରେ ଆବଶ୍ୟକତା ଅନୁସାରେ ଡାକ୍ତର ନାହାନ୍ତି। ସିଏଚ୍‌ସିର ଆବଶ୍ୟକତା ଅନୁଯାୟୀ ୮୩% ଶଲ୍ୟ ଚିକିତ୍ସକ, ୭୪% ସ୍ତ୍ରୀ ରୋଗ ବିଶେଷଜ୍ଞ, ୮୦% ଶିଶୁ ରୋଗ ବିଶେଷଜ୍ଞ ଏବଂ ୮୨% ଡାକ୍ତର ଅଭାବ ରହିଛି। ପିଏଚ୍‌ସିରେ ମହିଳା ଏଏନ୍‌ଏମ୍‌ଙ୍କ ଅଭାବ ୩୧% ଅଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରେ ଦାବି କରାଯାଇଛି ଯେ ଦେଶରେ ପ୍ରତି ୮୩୪ ଲୋକଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି। ଏହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୦୦୦:୧ର ନିକଟତର। ମାତ୍ର ଚିନ୍ତାର ବିଷୟ ଏହି କି ଯେ ଦେଶରେ ୨୭% ଡାକ୍ତର ସକ୍ରିୟ ନାହାନ୍ତି। ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ବିହାରରେ ସର୍ବାଧିକ ଡାକ୍ତର ଅଭାବ ଦେଖାଦେଇଛି।

ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୧୭ ଅନୁଯାୟୀ ୨୦୨୫ ସୁଦ୍ଧା ଦେଶର ସ୍ବାସ୍ଥ୍ୟ ବଜେଟ୍‌ ଜିଡିପିର ୨.୫% ହେବା ଉଚିତ୍‌। କିନ୍ତୁ ୨୦୨୨-୨୩ ବଜେଟ୍‌ରେ ଏହା ୦.୩୫%ରେ ପହଞ୍ଚି ଯାଇଥିଲା। ତେବେ ୨୦୨୧ରେ ଏହା ୧.୧% ଥିଲା। ଅର୍ଥନୈତିକ ସର୍ଭେ ଅନୁଯାୟୀ ଝାଡ଼ଖଣ୍ଡରେ ୧୦ ହଜାର ଲୋକରେ ୪ ଜଣ ଡାକ୍ତର ଅଛନ୍ତି। ସେହିପରି ରାଜସ୍ଥାନରେ ୫ ଜଣ, ପଞ୍ଜାବରେ ୬ ଜଣ, ଛତିଶଗଡ଼ରେ ୭ ଜଣ, ୟୁପି-ବିହାର-ହରିୟାଣା-ମହାରାଷ୍ଟ୍ରରେ ୮ ଲେଖାଏଁ, ଗୁଜରାଟରେ ୯ ଏବଂ ମଧ୍ୟପ୍ରଦେଶରେ ୧୧ ଡାକ୍ତର ଅଛନ୍ତି। ୟୁପିର ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ବାଧିକ ୧୮୭୧, ହିମାଚଳ ପ୍ରଦେଶରେ ୧୨୫୩, ଗୁଜରାଟରେ ୬୧୬ ଏଏନ୍‌ଏମ୍‌ ଅଭାବ ରହିଛି। ଦେଶର ସହରାଞ୍ଚଳରେ ମୋଟ ୫,୪୮୧ ପିଏଚ୍‌ସି ରହିଛି। କିନ୍ତୁ ଜନସଂଖ୍ୟା ଅନୁପାତରେ ଏହା ୪୪% କମ୍‌। କେବଳ ୬୬% ୟୁ-ପିଏଚ୍‌ସି ସରକାରୀ ଭବନରେ ଚାଲିଛି। ଏବେ ବି ୨୭% ଭଡ଼ା ଘରେ ପରିଚାଳିତ ହେଉଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )