Friday 26th April 2024

”ଇନ୍ଦିରାଙ୍କ ମୁହଁ ବନ୍ଦ କରିଦେଇଥିଲା ବାଜପେୟୀଙ୍କ କଥା”…

କିଛି ଏମିତି ଥିଲେ ଅଟଳ ବିହାରୀ ବାଜପେୟୀ....

ସେ ମାଟିର ପୁଅ,ଦେଶର ଜଣେ ସୁଯୋଗ୍ୟ ଶାସକ,ଟଙ୍କା ପଇସାରେ ନୁହେଁ ବରଂ କଥାରେ ଧନୀ ଥିବା ଜଣେ ସୁମଧୁର ଭାଷୀ ବ୍ୟକ୍ତିତ୍ୱ । ଯାହାଙ୍କ ମହାନତାର କାହାଣୀ ପିଢି ପରେ ପିଢି କିମ୍ବା ଯୁଗ ପରେ ଯୁଗ ଆସିଲେ ବି ସେମିତି ସତେଜ ହୋଇ ରହିଥିବ । ସାରା ଜୀବନ ଭାରତୀୟଙ୍କ ମନରେ ଦେବତା ତୁଲ୍ୟ ସମ୍ମାନିତ ହୋଇ ରହିଥିବା ସେ ଉଦୟମାନ ମହାପୁରୁଷ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ । ସବୁ ଚର୍ଚ୍ଚିତ ନାଁ ପଛରେ ଗୋଟିଏ କିମ୍ବା ଦୁଇଟି ଉପାଧୀ ନିଶ୍ଚୟ ଲାଗେ । ହେଲେ ବାଜପେୟୀ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ପଛରେ ଅଗଣିତ ଉପାଧୀ ଲାଗିଛି । କିନ୍ତୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଖାସ୍ ପରିଚୟ ହିସାବରେ ସେ ଭାରତବାସୀଙ୍କ ଗହଣରେ ପରିଚିତ । ସାଧାରଣ ଲୋକଙ୍କ ପାଇଁ ନେତା ସବୁବେଳେ ପ୍ରତିଶୃତି ଦିଅନ୍ତି ସତ,ହେଲେ କେବେ ପୂରଣ କରନ୍ତି ନାହିଁ । କିନ୍ତୁ ବାଜପେୟୀଙ୍କ ଲୋକେ ବିକାଶର ଅନ୍ୟ ନାଁ ଭାବେ ଜାଣିଥିଲେ । ଅଟଳ ବିହାରୀଙ୍କ ଜୀବନର ଆୟୁଷକୁ କଳ୍ପନା କଲେ ହୁଏତ କାହାକୁ ଛୋଟ ଲାଗିପାରେ କିନ୍ତୁ ସେତିକି ଜୀବନରେ ସେ ଏତେ ବଡ ବଡ କାମ କରିଯାଇଛନ୍ତି ଯେ,ଯାହାକୁ ବର୍ଷ ବର୍ଷ ଧରି ଅନେକ ରାଜନୈତିକ ଦଳ ଚେଷ୍ଟା କରି ବି ବିଫଳ ହୋଇଛନ୍ତି ।

ଯିଏ ଦେଶ ପାଇଁ ଓ ନିଜ ଦେଶର ଲୋକଙ୍କ ହିତ ପାଇଁ ସ୍ୱର ଉଠାଏ । ସେ ହିଁ ପ୍ରକୃତ ରାଜନେତା ବୋଲି ଏହାର ପରିଚୟ ଦେଇଯାଇଥିଲେ ବାଜପେୟୀ । ସେ କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ,କିନ୍ତୁ ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାମ କରୁଥିଲେ । ଏଥିପାଇଁ ବିରୋଧୀ ଦଳ ଗୁଡିକ ମଧ୍ୟ ତାଙ୍କୁ ବେଶ୍ ସମ୍ମାନ କରନ୍ତି । ଏମିତି ରେ ବି ବାଜପେୟୀଙ୍କ ନିଆରା ବ୍ୟକ୍ତିତ୍ୱ ସଂମ୍ପର୍କରେ ଅନେକ କାହାଣୀ ରହିଛି । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । କିନ୍ତୁ ଆଜି ଆମେ ତାଙ୍କ କାହାଣୀ ପେଡିରୁ ନିଆରା କାହାଣୀ ବିଷୟରେ ଜାଣିବା ।

ଇନ୍ଦିରା ଭାରତୀୟ ମହିଳାଙ୍କ ପାଇଁ ବି ଏକ ଆଦର୍ଶ । ସେ ସମୟରେ ଜଣେ ନାରୀ ଘରେ ରହିବା ଓ ପରିବାର ଚଳାଇବା ଛଡା ଆଉ ବା କଣ କରୁଥିଲେ । କିନ୍ତୁ ଦେଶ ସ୍ୱାଧୀନତା ପୂର୍ବରୁ କିଛି ଏମିତି ଖାସ୍ ମହିଳାଙ୍କ ପାଇଁ ଏହି ଧାରଣା ଧିରେ ଧିରେ ବଦଳିବାକୁ ଲାଗିଲା । ଆଉ ତାଙ୍କ ଭିତରେ ଥିଲେ ଇନ୍ଦିରା ଗାନ୍ଧୀ ଯିଏ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ୧୯୬୬ରୁ ୧୯୮୪ ପର୍ଯ୍ୟନ୍ତ ତାଙ୍କର ଏକ ତେଜସ୍ୱୀ ପରିଚୟ ଭାରତରେ ହେଇସାରିଥିଲା । କେହି ବି ଇନ୍ଦିରାଙ୍କ ନିଷ୍ପତ୍ତି ଉପରେ କଥା କହିବା ପୂର୍ବରୁ ୧୦ଥର ଚିନ୍ତା କରୁଥିଲେ । କାହିଁକି ନା ଇନ୍ଦିରାଙ୍କୁ ସେ ସମୟରେ ଦେଶର ଆଇରନ୍ ଲେଡୀ ବୋଲି ସମସ୍ତେ କହୁଥିଲେ । କିନ୍ତୁ ଅଟଳ ବିହାରୀ ବାଜପେୟୀ କେବେ କାହା ଆଗରେ ଠିକ୍ ଉତ୍ତର ଦେବାରେ ଖିଲାଫ ହେଇନାହାନ୍ତି କି କେବେ କାହାକୁ ଡରି ନିଜର ମନ୍ତବ୍ୟ ଦେବାରେ ପଛଘୁଂଚା କରିନାହାନ୍ତି । ଦିନେ ଏକ ଗମ୍ଭୀର ଆଲୋଚନା ଚାଲିଥିବା ସମୟରେ- ଇନ୍ଦିରା ଗାନ୍ଧୀ ବାଜପେୟୀଙ୍କୁ କହିଲେ-“ତୁମେ ହିଟଲର୍ ଙ୍କ ଭଳି ଭାଷଣ କାହିଁକି ଦେଉଛ ? ତୁମର ପ୍ରତ୍ୟେକ ଭାଷଣରେ ହାତ ହଲାଇ କଥା କହିବା କ’ଣ ନିହାତି ଜରୁରୀ ?” ଏମିତି କଥା ଶୁଣି ଅଟଳ ବିହାରୀ କିଛି ସମୟ ସଙ୍କୋଚ ହେଲେ ସତ କିନ୍ତୁ ଚୁପ୍ ରହିଲେନାହିଁ । ତାଙ୍କୁ ଏହିଭଳି କଥାର ସଠିକ୍ ଉତ୍ତର ଦେବାର ଦେଖି ସବୁ ଭାବିଲେ କିଏ ଇନ୍ଦିରା ଗାନ୍ଧୀଙ୍କୁ ବା କେମିତି ପ୍ରତିତ୍ତର ଦେଇପାରେ ?

ସେ କହିଲେ-“ଇନ୍ଦିରା ଜୀ,ଆପଣ କ’ଣ କେବେ କାହାକୁ ଭାଷଣ ଦେବା ବେଳେ ଗୋଡ ହଲେଇ କହୁଥିବାର ଦେଖିଛନ୍ତି କି ? ମୁଁ ତ ଦେଖିନି । ବୋଧହୁଏ ସମସ୍ତେ ହାତ ହଲାଇ ହିଁ ଭାଷଣ ଦିଅନ୍ତି ।”

ଏତିକି କଥା ଶୁଣି ସଭାରେ ସମସ୍ତେ ଚୁପ୍ । କିନ୍ତୁ ଇନ୍ଦିରା ଗାନ୍ଧୀ ସାମାନ୍ୟ ସ୍ମିତହାସ୍ୟ ଦେଇ ରହିଗଲେ । ଏହିଭଳି ରୋକଠୋକ ଜବାବ ଦେବାର କଳା ମୂଳରୁ ହିଁ ତାଙ୍କ ଭିତରେ ଥିଲା । ସେଥିପାଇଁ ବିରୋଧି ହୁଅନ୍ତୁ କି ତାଙ୍କ ନିଜ ଦଳର ନେତା ସମସ୍ତେ ତାଙ୍କୁ ଏକ ନିଡର ଓ ସଚ୍ଚୋଟ ନେତାର ଆଖ୍ୟା ଦିଅନ୍ତି । ଆଉ ଏକ ଘଟଣା ମଧ୍ୟ ହେଇଥିଲା ଯାହା ଅନେକ ଲୋକଙ୍କ ମୁହଁରେ ଆଜି ବି ଚର୍ଚ୍ଚିତ ହୋଇ ରହିଛି ।

୧୯୯୨ ମସିହା। ସେତେବେଳେରାମ ଜନ୍ମଭୂମିକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥାଏ। ସେତେବେଳେ ବାଜପେୟୀ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ସାଂସଦ ଥାଆନ୍ତି। ସେ ତାଙ୍କ ଲକ୍ଷ୍ନୌ ସ୍ଥିତ ବାସ ଭବନରେ ମଧ୍ୟାହ୍ନ ଭୋଜନ କରୁଥାନ୍ତି। ସେତେବେଳେ ହଠାତ୍‌ ଲକ୍ଷ୍ନୌର ତତ୍କାଳୀନ ଜିଲ୍ଲାପାଳ ଓ ରାଜ୍ୟପାଳ ମୋତିଲାଲ୍ ଭୋରାଙ୍କ ଉପଦେଷ୍ଟା ଭୟଭୀତ ଅବସ୍ଥାରେ ବାଜପେୟୀଙ୍କ ବାସଭବନରେ ପହଞ୍ଚିଥିଲେ। ବାଜପେୟୀଙ୍କ ସହ ସାକ୍ଷାତ କରିବାକୁ ଲାଲଜୀ ଟଣ୍ଡନଙ୍କୁ ସେମାନେ ଅନୁରୋଧ କରିଥିଲେ।

ବାଜପେୟୀ ଭୋଜନ କରିସାରିଲେ ଆପଣ ସାକ୍ଷାତ କରିପାରିବେ ବୋଲି ଟଣ୍ଡନ ଉତ୍ତର ଦେଇଥିଲେ। କିନ୍ତୁ ସେମାନେ ଅତି ଜରୁରୀ କାମ ଅଛି କହି ତୁରନ୍ତ କବାଟ ଖୋଲି ଭିତରକୁ  ପଶିଗଲେ। ସେମାନଙ୍କୁ ଦେଖି ବାଜପେୟୀ ହସ ହସ ମୁହଁରେ କହିଥିଲେ “ଡିଏମ୍‌ ସାହେବ୍, ମୋ ପାଖକୁ କେମିତି ଆସିବା ହେଲା? କିଛି ବିଶେଷ କାମ ଅଛି କି ? ଜିଲ୍ଲାପାଳ କହିଲେ…..

“ଏୟାରପୋର୍ଟରେ ଜଣେ ଯୁବକ ବିମାନକୁ ଅପହରଣ କରିଛି। ସେ ବୋମାରେ ବିମାନ ଉଡ଼ାଇ ଦେବାକୁ ଧମକ ବି ଦେଇଛି। ଯାତ୍ରୀଙ୍କ ଜୀବନ ବଦଳରେ ସେ ଆପଣଙ୍କୁ ଭେଟିବାକୁ ଚାହୁଁଛି। ଆପଣ ସେଠାକୁ ଗଲେ ସେ ଯାତ୍ରୀଙ୍କୁ ଛାଡ଼ି ଦେବ ବୋଲି କହୁଛି। ଏହି ମୁହୂର୍ତ୍ତରେ ଯଦି ଆପଣ ଆମ ସହ ଚାଲନ୍ତି ତେବେ ହୁଏତ ଯାତ୍ରୀଙ୍କ ଜୀବନ ରାକ୍ଷା ପାଇଯାନ୍ତା।”

ଏକଥା ଶୁଣିବା ମାତ୍ରେ ଅଧାରୁ ଖାଇବା ଛାଡ଼ି ବାଜପେୟୀ ତୁରନ୍ତ ସେମାନଙ୍କ ସାଙ୍ଗରେ ବାହାରି ପଡ଼ିଲେ। ଲାଲଜୀଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ବାଜପେୟୀଙ୍କୁ ସେହି ଉଦ୍‌ଭ୍ରାନ୍ତ ଯୁବକ ପାଖକୁ ଯିବାକୁ ବାରଣ କଲେ। କିନ୍ତୁ କାହା କଥା ନ ଶୁଣି ବାଜପେୟୀ ସେହି ଯୁବକକୁ ଦେଖା କରିବାକୁ ବାହାରି ପଡ଼ିଲେ। ସେଠାରେ ପହଞ୍ଚିବା ମାତ୍ରେ ଯୁବକ ଜଣକ ବାଜପେୟୀଙ୍କ ପାଦ ଛୁଇଁ ପ୍ରଣାମ କଲେ। ଆଉ ସେତିକି ବେଳେ ଯୁବକଙ୍କୁ କାବୁ କରିନେଲା ପୋଲିସ।

ଏହାପରେ ଯୁବକ ଜଣକ କହିଥିଲେ ‘ମୋ ପାଖରେ କୌଣସି ବମ୍‌ ନାହିଁ। ରାମ ଜନ୍ମଭୂମି ନେଇ ଦେଶରେ ମାତିଥିବା ଅଶାନ୍ତି ବିଷୟରେ ବାଜପେୟୀଙ୍କୁ ଜଣାଇବା ପାଇଁ ମୁଁ ଏପରି କରିଛି’।

ସେଦିନ ସେଇ ଯୁବକ ବାଜପେୟୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା। କିନ୍ତୁ ନିଜ ଜୀବନକୁ ଖାତିର ନ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ବାଜପେୟୀ ଯେଉଁ ମହାନ କାର୍ଯ୍ୟ କରିଥିଲେ ତାହା ଆଜିର ବଡ଼ ବଡ଼ ନେତାମାନେ କରିବେ କି ନାହିଁ ସନ୍ଦେହ।  ଏହି କାହାଣୀ ଶୁଣି ମସସ୍ତେ କହିବେ, ସତରେ ଅଟଳଜୀ ଆପଣ ଖୁବ୍‌ ମହାନ!

୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ନିରବି ଯାଇଥିଲେ ବାଜପେୟୀ। ୯୩ବର୍ଷ ବୟସରେ ସେହି ମହାନ ପୁରୁଷଙ୍କର ଦେହାନ୍ତ ହେଲା।ମାତ୍ର ଜଣେ ମହାନ ବକ୍ତା, ଜଣେ ଅଜାତଶତ୍ରୁ , ଲୋକତନ୍ତ୍ରିକ ମୂଲ୍ୟର ବାହକ, ରାଷ୍ଟ୍ରବାଦୀ କବି, କୁଶଳ ପ୍ରଶାସକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏ ଦେଶ ଚୀର ଦିନ ପାଇଁ ମନେ ରଖିବ।

CATEGORIES
TAGS
Share This

COMMENTS

Wordpress (0)
Disqus ( )