Thursday 25th April 2024
ନିର୍ମଳ ‘ଭାବମୂର୍ତି’ର ଅନନ୍ୟ ପରିଚୟ ନବୀନ ..

ନିର୍ମଳ ‘ଭାବମୂର୍ତି’ର ଅନନ୍ୟ ପରିଚୟ ନବୀନ ..

ଆଜି ଅକ୍ଟୋବର ୧୬ ତାରିଖ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ।

ନବୀନଙ୍କର ବଡ଼ ପୁଞ୍ଜି ହେଉଛି ତାଙ୍କର ‘ଭାବମୂର୍ତି’। ଏଥିରେ ସାମାନ୍ୟ ଆଞ୍ଚ ଆଣିବା ଲାଗି ସେ ସୁଯୋଗ ଦେଇନାହାନ୍ତି। ତାଙ୍କ ପ୍ରତି ଲୋକଙ୍କର ଭଲପାଇବା ପଛର ରହସ୍ୟ ହେଉଛି ସାଧାରଣ ଜୀବନ ଶୈଳୀ, ଦୁର୍ନୀତି ବିରୋଧୀ ଆଭିମୁଖ୍ୟ। ଏଣୁ ‘‘ସର୍ବାନ୍ତରୀକୃତ ପରିବର୍ତ୍ତନ’’ ପ୍ରକ୍ରିୟାର ଏକ ଅଂଶ ଭାବେ ପ୍ରଶାସନର ଚେହେରାକୁ ସ୍ବଚ୍ଛତାର କଷଟି ପଥରେ ମାଜିବା ଲାଗି ଗତ ବର୍ଷକ ଭିତରେ ବହୁ ସଂଖ୍ୟକ ଅଧିକାରୀଙ୍କୁ ‘ଦୁର୍ନୀତିଗ୍ରସ୍ତ’ ଆଖ୍ୟା ଦିଆଯାଇ ସରକାର ସେବାରୁ ତଡ଼ିଛନ୍ତି। ‘ଦଲାଲଙ୍କୁ ସାବାଡ୍‌’ ଲାଗି ରାଜସ୍ବ ପ୍ରଶାସନ, ଥାନା, ତହସିଲକୁ ବୈଷୟିକ ସହାୟତାରେ ଇ-ସେବା ଭୁକ୍ତ କରାଯାଇଛି। ଅଭିଯୋଗ ଲାଗି ଥାନାକୁ ଯିବା ଦରକାର ନାହିଁ କି ଖଜଣା ଲାଗି ଆର୍‌ଆଇ ଅଫିସ। ଜମି ମ୍ୟୁଟେସନ୍ ଠାରୁ ଆରମ୍ଭ କରି ବିଦ୍ୟୁତ ଶୁଳ୍କ ଆଦି ସାଧାରଣ ସେବାର କମ୍ପ୍ୟୁଟରୀକରଣ କରାଯାଇଛି। ଏହା ଦ୍ବାରା ନୂଆପିଢି ବିଶ୍ବର ଯେ କୌଣସି ସ୍ଥାନରେ ରହି ହାତପାହାନ୍ତାରେ ନିଜ ରାଜ୍ୟରୁ ସେବା ନେଇପାରିବ ଓ ଅସହାୟ, ନିଷ୍ପେସିତ ଶୋଷଣରୁ ମୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସରକାରରେ ମାଗଣା ସ୍ବାସ୍ଥ୍ୟ ବ୍ୟବସ୍ଥା ବର୍ତମାନ ସମୟର ଏକ ବଡ଼ ଆହ୍ବାନ ରଖୁଛି। କରୋନା ମହାମାରୀ କ୍ଷେତ୍ରରେ ଏହା ଦେଶ ସାମ୍ନାରେ ଏକ ବଡ଼ ଉଦାହରଣ।

 

ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା, ଓଡ଼ିଶା ରାଜନୀତି ଇତିହାସରେ ଏକ ରେକର୍ଡ। ସବୁ ବିରୋଧର ହାଵାକୁ ପ୍ରତିହତ କରି ସେ ନିଜର ପ୍ରତିଷ୍ଠା ଓ ପରକାଷ୍ଠା ତଥା ପତିଆରାକୁ ଅତୁଟ ରଖିଛନ୍ତି ଓ ଜାତୀୟ ନେତାଙ୍କ ଦୃଷ୍ଟିର କେନ୍ଦ୍ରରେ ବି ନିଶ୍ଚଳ ଅଛନ୍ତି। ନବୀନଙ୍କୁ କେନ୍ଦ୍ର କରି ଓଡ଼ିଶା ରାଜନୀତିର ଅନ୍ୟ ମଜାଦାର ଦିଗଟି ହେଲା, ତାଙ୍କ ରାଜନୈତିକ ଗୋଟିଚାଳନା ଆଜି ମଧ୍ୟ ପ୍ରତିପକ୍ଷ ଦଳମାନଙ୍କର ଆୟତ୍ତ ବାହାରେ। ସେମାନେ ବିଭ୍ରାନ୍ତିରେ ଅଛନ୍ତି ଯେ ନବୀନ କଂଗ୍ରେସ ନା ବିଜେପି କାହାର ଅଧିକ ଘନିଷ୍ଠ? କେବଳ ସେତିକି ନୁହେଁ, ନବୀନ ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟା ଭିତରେ ଯେଉଁ ସରଳତା, ସ୍ବଚ୍ଛତା ଓ ସାବଧାନତାକୁ ଗୁରୁତ୍ବ ଦେଇଛନ୍ତି, ତାହା ଯେତିକି ଈର୍ଷଣୀୟ, ସେତିକି ବିରୋଧୀ ଶକ୍ତିଙ୍କ ପାଇଁ ଅସହଜ। ରାଜନୈତିକ ପଟୁତା ପ୍ରଦର୍ଶନରେ ମାହିର୍ ନବୀନଙ୍କ ପାଖରୁ ଯିଏ ଯେତେବେଳେ ଦୂରେଇଛନ୍ତି, ତାଙ୍କ କ୍ୟାରିଅରରେ ଗ୍ରହଣ ଲାଗିଛି।

 

ଏସବୁ ସତ୍ତ୍ବେ ସମସ୍ୟା ବହୁଳ ଓଡ଼ିଶାକୁ ଦେଶର ସବୁଠାରୁ ବିକଶିତ ରାଜ୍ୟରେ ପରିଣତ କରିବା ରାସ୍ତାରେ ଟାଣିନେବା ଲାଗି ନବୀନଙ୍କ ପାଇଁ ଆହୁରି ଅନେକ ଆହ୍ବାନ ରହିଛି। ରାଜ୍ୟବାସୀଙ୍କ ପ୍ରତି ପ୍ରଶାସନର ନିଷ୍ଠା, ସଂକଳ୍ପ,ପ୍ରତିବଦ୍ଧତା, ସହନଶୀଳତା, ବିଚାରବୋଧ ଏବଂ ନବୀନଙ୍କ କ୍ୟାବିନେଟ୍ ସହଯୋଗୀଙ୍କର ଆଚରଣ ଏବଂ ଉଚ୍ଚାରଣ ଆକର୍ଷଣୀୟ ତଥା ନମନୀୟ ହେବା ଉଚିତ୍, ଠିକ୍ ତାଙ୍କ ପାଖାପାଖି। ତେବେ ଯାଇ ଓଡ଼ିଶା ଆଗକୁ ଯିବ, ଜାତୀୟସ୍ତରରେ ସାମାଜିକ ଆନ୍ଦୋଳନର ନେତୃତ୍ବ ନେବାର ସାମର୍ଥ୍ୟ ରଖିବ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )