Friday 29th March 2024
ଭାରତୀୟ ସେନା ଦିବସ : ଶାନ୍ତି,ସୁରକ୍ଷା,ଏକତା ସୁନିଶ୍ଚିତ କରେ ସେନା

ଭାରତୀୟ ସେନା ଦିବସ : ଶାନ୍ତି,ସୁରକ୍ଷା,ଏକତା ସୁନିଶ୍ଚିତ କରେ ସେନା

ଜାନୁଆରୀ ୧୫ ତାରିଖ ୧୯୪୯ ମସିହାରୁ ପାଳନ ହେଉଛି ଏକ ଖାସ୍ ଦିନ । ଯାହାକୁ ଆମେ ଭାରତୀୟ ସେନା ଦିବସ ବୋଲି କହିଥାଉ । ଏହିଦିନରେ ଫିଲ୍ଡ ମାର୍ଶଲ କେଏମ୍ କରିୟପ୍ପା ଜେନେରାଲ୍ ଫ୍ରାନ୍ସିସ୍ ବୁଚରଙ୍କଠୁ ଭାରତୀୟ ସେନାର କମାଣ୍ଡ ନେଇଥିଲେ । ଜେନେରାଲ ଫ୍ରାନ୍ସିସ୍ ବୁଚର ଭାରତର ଶେଷ ବ୍ରିଟିଶ୍ କମାଣ୍ଡର ଇନ୍ ଚିଫ୍ ଥିଲେ । ସେ ଏହି ଦିନ ବିଧିବଦ୍ଧ ଭାବେ ସେନାର ଦାୟିତ୍ୱ ନେଇଥିଲେ । ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ଆଜି ବି ମନେପଡେ ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ତାଙ୍କର ଅଦମ୍ୟ ସାହାସ ଓ ଦମଦାର ନେତୃତ୍ୱର ଗାଥା ।

ଫିଲ୍ଡ ମାର୍ସଲ କରିଅପ୍ପା ନିଜ ସେବା ସମୟରେ ଅନେକ କାରନାମା କରିଥିଲେ କିନ୍ତୁ ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସରେ ନେବା ପରେ ତାଙ୍କ ଜୀବନରେ ଏମିତି ଘଟଣା ଘଟିଲା ଯାହା ଜାଣିଲେ ଆପଣଙ୍କ ଛାତି ଗର୍ବରେ ଫୁଲି ଉଠିବ । ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କରିଅପ୍ପା ଅବସର ନେଇ କର୍ଣ୍ଣାଟକରେ ରହୁଥିଲେ । ତାଙ୍କ ପୁଅ ସେହି ସମୟରେ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିଲେ । ଯୁଦ୍ଧ ସମୟରେ ତାଙ୍କ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରିଗଲା । ୍‌ଯାହାକୁ ପାକ୍ ସୈନିକମାନେ ତଳେ ପକାଇଦେଲେ । କରିଅପ୍ପାଙ୍କ ପୁଅ ବିମାନରୁ ଡେଇଁ ନିଜ ଜୀବନ ତ ବଂଚାଇଦେଇଥିଲେ କିନ୍ତୁ ସେ ପାକିସ୍ତାନ ସେନା ହାତରେ ଧରାପଡିଗଲେ । ସେଇସମୟରେ ପାକିସ୍ତାନର ରାଷ୍ଟ୍ରପତି ଥିଲେ ଅୟୁବଖାନ୍ । ଯିଏକି ଗୋଟିଏ ସମୟରେ କରିଅପ୍ପାଙ୍କ ଜୁନିୟର ଥିଲେ ଓ ଭାରତୀୟ ସେନାରେ ମଧ୍ୟ ଚାକିରୀ କରିସାରିଥିଲେ । ତେଣୁ କରିଅପ୍ପାଙ୍କ ପୁଅ ବିଷୟରେ ଶୁଣି ସେ ତୁରନ୍ତ ତାଙ୍କ ପିତାଙ୍କୁ ଫୋନ କରିଥିଲେ ଓ କହିଥିଲେ ମୁଁ ଆପଣଙ୍କ ପୁଅକୁ ଛାଡିଦେଉଛି । କିନ୍ତୁ ଜାଣନ୍ତି ପ୍ରତିଉତ୍ତରରେ କରିଅପ୍ପାଙ୍କ ବୟାନ କଣ ଥିଲା- “ସେ କେବଳ ମୋର ପୁଅ ନୁହେଁ ,ଭାରତ ମାଆର ସନ୍ତାନ ମଧ୍ୟ ତାକୁ ଛାଡିବା ବଦଳରେ ଯୁଦ୍ଧ ବନ୍ଦି କରି ରଖନ୍ତୁ । ଯେତେବେଳେ ଯୁଦ୍ଦର ପରିସମାପ୍ତି ହେବ ସେତେବେଳେ ଅନ୍ୟ ଯୁଦ୍ଧବନ୍ଦୀଙ୍କ ସମେତ ଆପଣ ତାକୁ ବି ଛାଡିଦେବେ ।’’ ଆଉ ସତକୁ ସତ ସେଇଆ ହିଁ ହୋଇଥିଲା ।

ଏହିଭଳି ଅନେକ କାହାଣୀ ଆମ ଦେଶର ପ୍ରତ୍ୟେକଟି ଯବାନଙ୍କ ଜୀବନରେ ରହିଛି । ଭାରତୀୟ ସେନାଙ୍କ ସାହାସ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥାନ୍ତି । ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କର ଅତୁଳନୀୟ ଅବଦାନ ରହିଛି । ପୁଣି ଦେଶର ଯେ କୌଣସି ସ୍ଥାନରେ ହିଂସାକାଣ୍ଡ ଅଣାୟତ୍ତ ହେଲେ ସେଠାରେ ବି ଖୋଜାପଡେ ଭାରତୀୟ ସେନାଙ୍କୁ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେନାଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ । କିନ୍ତୁ ସୈନିକମାନଙ୍କୁ ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଅନୁଯାୟୀ ଯେତିକି ସମ୍ମାନ ମିଳିବା କଥା ତାହା ମିଳୁନାହିଁ ବୋଲି ସମୟରେ ସମୟରେ ଦେଖିବାକୁ ମିଳେ । କେବଳ ଅଗଷ୍ଟ ୧୫ କିମ୍ବା ଜାନୁଆରୀ ୨୬ ଭଳି ଦିନମାନଙ୍କରେ ସେହି ମହାନ ବଳିଦାନ ଦେଇଥିବା ଯବାନମାନଙ୍କୁ ସମ୍ମାନିତ କରିଦେବା କିମ୍ବା ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଦେବା କଣ ଏତିକି ହିଁ ଆମ କର୍ତ୍ତବ୍ୟ ।

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ ଫେରିବି’। ତାଙ୍କର ଏହି ଉକ୍ତିରୁ ଜଣାପଡେ ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର ଯବାନ। ଆମକୁ ସୁରକ୍ଷିତ ଓ ସୁଖରେ ରଖିବା ପାଇଁ ସେମାନଙ୍କ ତ୍ୟାଗର ତୁଳନା ନାହିଁ। ଏଣୁ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତରେ ପ୍ରତିବର୍ଷ ୧୫ ଜାନୁୟାରୀରେ ଭାରତୀୟ ସେନା ଦିବସ ପାଳନ କରାଯାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )