ଓଡ଼ିଶାର ଅସଲ ରତ୍ନ-ଉତ୍କଳମଣୀ ଗୋପବନ୍ଧୁ ଦାସ
“ମିଶୁ ମୋର ଦେହ ଏଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ ପଥେ ଯେତେ ଗାଡ଼
ପୁରୁ ତହିଁ ମୋର ମାଂସ ହାଡ଼”ଦେଶ ଏବଂ ରାଜ୍ୟ ଓଡ଼ିଶାକୁ ସ୍ୱାଧୀନ କରିବା ପାଇଁ କେତେ ଯେ ମହାନଆତ୍ମା ନିଜ ଜୀବନର ଜଳାଞ୍ଜଳୀ ଦେଇଛନ୍ତି ତାହା କଳ୍ପନା ମଧ୍ୟ କରି ହେବ ନାହିଁ । ସେ ମଧ୍ୟରୁ ଜଣେ ହେଉଛନ୍ତି ଦୀନ ଦରିଦ୍ରଙ୍କ ବନ୍ଧୁ , କର୍ମଯୋଗୀ, ଧର୍ମପ୍ରାଣ, ଉତ୍କଳମଣୀ ଗୋପବନ୍ଧୁ ଦାଶ । ଯିଏ ଆମ ଦେଶ, ଆମ ରାଜ୍ୟ ପାଇଁ ଅନେକ ଶ୍ମରଣୀୟ କାର୍ଯ୍ୟ କରି ଯାଇଛନ୍ତି । ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ତାଙ୍କ ସମ୍ବନ୍ଧରେ ଅଧିକ କିଛି ଜାଣିବା ।() ଗୋପବନ୍ଧୁ ଦାଶ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରୀ ଦାଶ ଥିଲା ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ ଥିଲା । ପିଲା ବେଳୁ ହିଁ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିଲା । ତେଣୁ ତାଙ୍କର ଲାଳନପାଳନ ତାଙ୍କ ପିଉସୀ କମଳା ଦେବୀ କରିଥିଲେ । ଏହା ପରେ ତାଙ୍କ ପିତା ଆର୍ଥିକ ସାହାର୍ଯ୍ୟ ବଳରେ ଏକ ପ୍ରାଇମେରୀ ସ୍କୁଲ ପ୍ରତିଷ୍ଠା କଲେ । ଯେଉଁଥିରେ ଗୋପବନ୍ଧୁ ପାଠ ପଢ଼ୁଥିଲେ ଏବଂ ପାଠ ପଢ଼ିବା ବୟସ ମାତ୍ର ୧୨ ବର୍ଷ ବୟସରେ ସେ ମୋତି ଦେବୀଙ୍କୁ ବିବାହ କରିଥିଲେ । ପରେ ସେ ପ୍ରାଥମିକ ଶିକ୍ଷା ଶେଷ କରି ମାଧ୍ୟମିକ ଶିକ୍ଷା ପାଇଁ ସୁଆଣ୍ଡୋଠାରୁ ୫ମାଇଲ ଦୂରବର୍ତ୍ତୀ ରୂପଦେଇପୁର ମାଧ୍ୟମିକ ଭର୍ଣ୍ଣାକୁଲାର ସ୍କୁଲରେ ନାମ ଲେଖାଇଲେ । ପରେ ପୁରୀରେ ମଧ୍ୟ ପଢ଼ିଲେ ।ଏହି ସମୟରେ ପୁରୀରେ ହଇଜାର ପ୍ରାଦୁର୍ଭାବ ଭୟଙ୍କର ଭାବେ ବ୍ୟାପିଥିବା ବେଳେ ଶବ ସବୁ ଏଣେତେଣେ ପଚି ଶଢ଼ି ପଡ଼ିରହିଥିଲା । ଏସବୁ ଦୃଶ୍ୟ ସୟ ନକରି ପାରି ଗୋପବନ୍ଧୁ ‘ପୁରୀ ସେବା ସମିତି’ ନାମରେ ଏକ ସ୍ୱେଚ୍ଛାସେବକ ଦଳ ଗଢ଼ି ରାସ୍ତା କଡ଼ରୁ ଶବ ଉଠାଇ ଦାହ କରିଥିଲେ । ପରେ ସେ ୧୮୯୯ରେ କଟକ ସ୍ଥିତ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ସେ ‘କର୍ତ୍ତବ୍ୟ ବୋଧିନୀ’ ସମିତି ନାମରେ ଏକ ଆଲୋଚନା ସଭା ଗଠନ କରି ଦେଶର ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ୧୯୦୪ ମସିହାରେ ସେ ବିଏ ପାସ୍ କରିଥିଲେ ।ସେହି ବର୍ଷ କୁଶଭଦ୍ରା ନଦୀର ବନ୍ଧ ଭାଙ୍ଗିଯାଇ ପ୍ରବଳ ବେଗରେ ସୁଅ ଛୁଟୁଥିଲା ।ସେହି ସମୟରେ ଗୋପବନ୍ଧୁଙ୍କ ଏକ ମାତ୍ର ପୁଅ ଜ୍ୱରରେ ଆକ୍ରାନ୍ତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲା । କିନ୍ତୁ ଗୋପବନ୍ଧୁ ତାଙ୍କ ପୁଅକୁ ଭଗବାନଙ୍କ ହାତରେ ଛାଡ଼ି ଦେଇ ବନ୍ୟା ପ୍ରପିଡ଼ିତା ଲୋକଙ୍କ ସେବା କରିବାକୁ ଚାଲିଗଲେ । କିଛି ଦିନ ପରେ ସେ ଯେତେବେଳେ ଘରକୁ ଆସିଥିଲେ ସେ ଦେଖିବାକୁ ପାଇଥିଲେ ତାଙ୍କ ପୁଅ ଆଉ ଏହି ଦୁନିଆରେ ନାହିଁ ।ସେହି ବର୍ଷ କଲିକତା ଯାଇ ‘ଲ’ ପାଠ ପଢ଼ା ଶେଷ କରି ୧୯୦୬ ମସିହାରେ ଓଡ଼ିଶା ଫେରିଥିଲେ । ଏହାରି ମଧ୍ୟରେ ତାଙ୍କ ଧର୍ମ ପତ୍ନୀ ଏହି ଦୁନଆ ଛାଡ଼ି ଚାଲିଗଲେ । ସେତେବେଳେ ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥାଏ, ତଥାପି ଦେଶ କାମରେ କୌଣସି ବାଧା ସୃଷ୍ଟି ହୋଇପାରେ ବୋଲି ସେ ଦ୍ୱିତୀୟ ବିବାହ କରିନଥିଲେ ।ପରେ ସେ ବାଲେଶ୍ୱର ଜିଲ୍ଲା ନୀଳଗିରି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପ୍ରାୟ ଦେଢ଼ ବର୍ଷ ପୁରୀରେ ଓକିଲାତି କରିଥିଲେ ।ଗୋପବନ୍ଧୁ ୧୯୦୯ ମସିହାରେ ମାତ୍ର ୧୯ଜଣ ଛାତ୍ରଙ୍କୁ ନେଇ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ । ଗୋପବନ୍ଧୁ ୧୯୧୦ ମସିହା ଜାନୁଆରୀ ମାସରେ ମୟୁରଭଞ୍ଜରେ ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଥିଲେ ।୧୯୧୭ ମସିହାରେ ମଧୁବାବୁଙ୍କ ସହାୟତାରେ ନିର୍ବାଚନ ଜିଣି ବିହାର-ଓଡ଼ିଶା ବିଧାନ ସଭାର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ରେ ଗାନ୍ଧିଜୀଙ୍କ ଅସହାୟ ଆନ୍ଦୋଳନରେ ଯୋଗ ଦେଇ ସେଥିପାଇଁ ସେ ଜେଲ ଦଣ୍ଡ ମଧ୍ୟ ଭୋଗିଥିଲେ । ଗୋପବନ୍ଧୁ ‘ସତ୍ୟବାଦୀ’ ନାମକ ମାସିକ ସାହିତ୍ୟ ପତ୍ରିକା ଓ ‘ସମାଜ’ ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରି ଦେଶସେବା, ଜନସେବା ଓ ସାହିତ୍ୟ ସେବା କାର୍ଯ୍ୟ ପରିଚାଳନା କରିଥିଲେ । ଏଭଳି ଅନେକ ପୁସ୍ତକ, ପତ୍ରିକା, କବତା ସେ ଲେଖିଥିଲେ ଏବଂ ପ୍ରତ୍ୟେକ ଟି ଲେଖାରେ ଦେଶ ପାଇଁ ତାଙ୍କ ଭଲ ପାଇବା ସେଥିରେ ଝଲସୁଥିଲା । ୧୯୨୮ ମସିହା ଜୁନ୍ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ନିସ୍ୱାର୍ଥପର ସେବାପରାୟଣ ମନବୃତି, ଉତ୍ସର୍ଗୀକୃତ ଚିନ୍ତାଧାରା ଆଦି ଜନସାଧାରଣଙ୍କ ପାଖରେ ତାଙ୍କୁ ଆଜି ବି ଅମର କରି ରଖିଛି ।