Friday 26th April 2024
୨୦୧୮ରେ ଖର୍ଚ୍ଚ ହୋଇଥିଲା ୬୭କୋଟି, ଏଥର ୧୦୯୮କୋଟି

୨୦୧୮ରେ ଖର୍ଚ୍ଚ ହୋଇଥିଲା ୬୭କୋଟି, ଏଥର ୧୦୯୮କୋଟି

ରାଜ୍ୟ ସରକାର ୨୦୧୮ରେ ଓଡ଼ିଶାରେ ପ୍ରଥମ କରି ଆୟୋଜିତ ପୁରୁଷ ବିଶ୍ବକପ୍ ହକି ପାଇଁ ୬୬କୋଟି ୯୮ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୩ ହକି ବିଶ୍ବକପ୍‌ ପାଇଁ ୧୦୯୮କୋଟି ୪୦ଲକ୍ଷ ଖର୍ଚ୍ଚ କରୁଛନ୍ତି। ଏନେଇ ଚଳିତବର୍ଷ ରାଜ୍ୟ ବଜେଟରୁ ଅର୍ଥ ଅନୁମୋଦନ ହୋଇଯାଇଛି। ପୁରୁଷ ବିଶ୍ବକପ୍ ହକି ପ୍ରତିଯୋଗିତାର କ୍ରୀଡ଼ା ପରିଚାଳନା ପାଇଁ ଚଳିତ ଆର୍ଥିକ ବର୍ଷ ୭୫କୋଟି ବ୍ୟୟ ବରାଦ କରାଯାଇଛି। ଭିତ୍ତିଭୂମି ନିର୍ମାଣ ଓ ଉନ୍ନତୀକରଣ ପାଇଁ ୧୦୨୩କୋଟି ୪୦ଲକ୍ଷର ବ୍ୟୟ ଅଟକଳ କରାଯାଇଛି ବୋଲି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

୨୦୧୮ରେ ହକି ବିଶ୍ବକପ୍ ଆୟୋଜନରେ ହୋଇଥିବା ଖର୍ଚ୍ଚର ହିସାବ ଦେଇ ମନ୍ତ୍ରୀ କହିଛନ୍ତି ଯେ, ହକି ବିଶ୍ବକପ୍ ଆୟୋଜନ ପାଇଁ ଏଫ୍‌ଆଇଏଚ୍‌ ଓ ହକି ଇଣ୍ଡିଆର ଫି’ ବାବଦକୁ ୨୫କୋଟି ଦିଆଯାଇଥିବାବେଳେ , ଭେନ୍ୟୁ ଏବଂ କାର୍ଯ୍ୟକ୍ରମ ପରିଚାଳନା ପାଇଁ ୧୮କୋଟି ୮୯ଲକ୍ଷ ୨୦୫୪୩ଟଙ୍କା, ପରିବହନ ପାଇଁ ୩କୋଟି ୮୩ଲକ୍ଷ ୧୪ହଜାର ୩୪୪ଟଙ୍କା, ରହଣୀ ପାଇଁ ୧କୋଟି ୪୧ଲକ୍ଷ ୨୨ହଜାର ୬୪୨ଟଙ୍କା, ଷ୍ଟାଚ୍ୟୁଟାରି ଖର୍ଚ୍ଚ ବାବଦକୁ ୮୪ଲକ୍ଷ ୯୬ହଜାର, ବ୍ରାଣ୍ଡିଂ ପରିଚାଳନା ପାଇଁ ୧କୋଟି ୯୦ଲକ୍ଷ ଖର୍ଚ୍ଚ ହୋଇଥିଲା। ସେହିଭଳି ଗଣମାଧ୍ୟମ ଓ ପ୍ରଚାର ପ୍ରସାର ପାଇଁ ୯କୋଟି ୨୩ଲକ୍ଷ ୨୩ହଜାର ୩୭୩ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫କୋଟି ୮୬ଲକ୍ଷ ୨୩ହଜାର ୯୮ଟଙ୍କା ବ୍ୟୟ ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ବି ଦେଇନଥିଲେ।

ହେଲେ ୨୦୨୩ ହକି ବିଶ୍ବକପ୍‌ ଆୟୋ‌ଜନ ପାଇଁ ଭୁବନେଶ୍ବର ଓ ରାଉରକେଲା ଷ୍ଟାଡିୟମର ଉନ୍ନତୀକରଣ, ନିର୍ମାଣ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍‌ରୁ ୧୦୯୮କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରେ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏବଂ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ଓ ଉନ୍ନତୀକରଣ ପାଇଁ ୮୭୫କୋଟି ୭୮ଲକ୍ଷ, ରହିବା ପାଇଁ କୋଠା ବାବଦକୁ ୮୪କୋଟି ୮ଲକ୍ଷ, ରାଉରକେଲାରେ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୧୦କୋଟି ୫୦ଲକ୍ଷ, କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ସିନ୍ଥେଟିକ୍ ଟର୍ଫ ବିଛାଇବା ପାଇଁ ୧୭କୋଟି ୫୦ଲକ୍ଷ, କଳିଙ୍ଗ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍ ଲଗାଇବାକୁ ୫କୋଟି ୩୯ଲକ୍ଷ, ବିପିୟୁଟି କ୍ୟାମ୍ପସରେ ସୁଇମିଂ ପୁଲ୍‌ ପାଇଁ ୯କୋଟି ୧୫ଲକ୍ଷ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଦ୍ୟୁତ କାମ ପାଇଁ ୧୩କୋଟି, କଳିଙ୍ଗ ଷ୍ଟାଡିୟମ ୱେଷ୍ଟ ଷ୍ଟାଣ୍ଡର ସମ୍ପ୍ରସାରଣ ପାଇଁ ୮କୋଟି, ଭେନ୍ୟୁ ପରିଚାଳନା, ରହଣୀ, ପରିବହନ, ବ୍ରାଣ୍ଡିଂ, ଗଣମାଧ୍ୟମରେ ପ୍ରଚାରପ୍ରସାର ପାଇଁ ୭୫କୋଟି ଖର୍ଚ୍ଚ ହେବ।

୪ବର୍ଷ ତଳେ ଯେଉଁ କାମ ପାଇଁ କ୍ରୀଡ଼ା ବିଭାଗ ୬୭କୋଟି ଖର୍ଚ୍ଚ କରିଥିଲା, ଏଥର ସେଥିପାଇଁ ୭୫କୋଟି ଖର୍ଚ୍ଚ କରୁଥିବା ମନ୍ତ୍ରୀଙ୍କ ସୂଚନାରୁ ଜଣାପଡ଼ିଛି।

CATEGORIES
TAGS
Share This

COMMENTS

Wordpress (0)
Disqus ( )