Friday 29th March 2024
ଆତ୍ମହତ୍ୟା ହିଁ ଅନ୍ତିମ ରାସ୍ତା ନୁହେଁ…

ଆତ୍ମହତ୍ୟା ହିଁ ଅନ୍ତିମ ରାସ୍ତା ନୁହେଁ…

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ

ଆତ୍ମହତ୍ୟା ଏହି ଶଦ୍ଦ ପ୍ରତ୍ୟେକ ମଣିଷ କାନରେ ପଡିଥାଏ । କିନ୍ତୁ କାହିଁକି ଜନ୍ମ ନେଲା ଏହି ଆତ୍ମହତ୍ୟାର ଶଦ୍ଧ ? ଆମ ମଣିଷ ସମାଜରେ ଜୀବନ ଜିଇଁବାର ଏହି ଅମୃତକୁ କିଏ ବା କାହିଁକି ହରାଇବାକୁ ଚାହିଁବ ? ଜନ୍ମ ଅଛି ମାନେ ମୃତ୍ୟୁ ତ ନିଶ୍ଚିତ ରହିଛି,ହେଲେ ଏହାର ଅର୍ଥ ଏହାନୁହେଁ ଯେ ଜଣେ ଏହି ପ୍ରକୃତିର ନିୟମକୁ ବାଦ୍ ପକାଇ ନିଜେ ନିଜକୁ ମାରିଦେବ । ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ । ଆଜି ଭଳି ଦିନରେ ଆତ୍ମହତ୍ୟା ଉପରେ ଖୋଲା ଖୋଲି କଥା ହେବା ଉଚିତ୍ । କାହିଁକି ପ୍ରତ୍ୟେକଦିନ ହଜାର ହଜାର ଲୋକ ଆମ ଦେଶରେ ଆତ୍ମହତ୍ୟା କରୁଛନ୍ତି? ନିଜ ଜୀବନକୁ ନିଜେ ଅନ୍ତ କରିବାଠାରୁ ଅଧିକ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଆଉ କିଛି ନହୋଇପାରେ। ଯେଉଁମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଅନ୍ତି ସେମାନେ ଖାଲି ସେମାନଙ୍କ ଜୀବନ ନୁହେଁ, ବରଂ ସେମାନଙ୍କୁ ଭଲ ପାଉଥିବା ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ଅନ୍ୟାୟ କରି ବସନ୍ତି। ଆତ୍ମହତ୍ୟା କେବ‌େ ସମାଧାନର ରାସ୍ତା ନୁହେଁ। ମଣିଷ ଜୀବନରେ ଅନେକ ପରିସ୍ଥିତି ଆସେ। ଆମକୁ ଅନେକ ଆହ୍ବାନ ଏବଂ କଷ୍ଟର ସାମ୍ନା କରିବାକୁ ହୁଏ। ଜୀବନର ସାର୍ଥକତା ହିଁ ପ୍ରତିକୁଳ ପରିସ୍ଥିତିକୁ ସଫଳ ଭାବେ ସାମ୍ନା କରିବାରେ ହିଁ ଲୁଚି ରହିଥାଏ। ଏ ଜୀବନ ଖାଲି ଆମର ଅବଦାନ ନୁହେଁ, ତେଣୁ ଏହାର ଅନ୍ତ କରିବାର ଅଧିକାର ମଧ୍ୟ ଆମର ନାହିଁ।

ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ଆମେ ନିଜେ ହିଁ ନିଜର ଭାଗ୍ୟ ବିଧାତା। ଆମ ଭିତରେ ଅସୀମ ଐଶ୍ବରୀୟ ଶକ୍ତି ରହିଛି। ଆମେ ତାହାର ସନ୍ଧାନ କରିବା ଦରକାର। ବିଶ୍ବାସ, ଧୈର୍ଯ୍ୟ, ପ୍ରେମ ଓ ଅଧ୍ୟବସାୟ ଦ୍ବାରା ସବୁକିଛି ସମ୍ଭବ। ଆମର ବ୍ୟକ୍ତିତ୍ବ ସ୍ବତନ୍ତ୍ର।

ଯଦି ରିପୋର୍ଟ ଅନୁସାରେ ଦେଖିବା ତାହାଲେ ସାରା ବିଶ୍ୱରେ ପ୍ରତିବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତିଦିନ ୩ହଜାର ଲୋକ ଆତ୍ମହତ୍ୟା କରୁଛନ୍ତି । ଏହାତ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତାହାର ରେକର୍ଡ କିନ୍ତୁ ଏହାଠୁ ଅଧିକ ଗୁଣା ଲୋକ ଆତ୍ମହତ୍ୟାର ଉଦ୍ୟମ କରୁଛନ୍ତି । ତାହାଲେ ଏହିଭଳି ମାନସିକତା ଆସେ କାହିଁକି ଚାଲନ୍ତୁ ସେ ବିଷୟରେ ଜାଣିବା ।

-ସାମଜିକ,ପାରିବାରିକ ସମସ୍ୟାରେ ଘେରା ମଣିଷ ନିଜକୁ ଯେତେବେଳେ ବେସାହାର ପାଏ ସେ ଆତ୍ମହତ୍ୟାର ଉଦ୍ୟମ କରେ ।
-ନିଜେ ଚାହୁଁଥିବା ଚାକିରୀ କିମ୍ବା ରୋଜଗାର ଯଦି ମଣିଷ ନ ପାଏ ତାହାଲେ ସେ ଆତ୍ମହତ୍ୟାର ଉଦ୍ୟମ କରେ ।
-ଶାରୀରିକ ଭାବେ କେହି ବେସାହାର ଅନୁଭବ କଲେ ବି ଆତ୍ମହତ୍ୟାର ଉଦ୍ୟମ କରେ ।
-ଆମ ସମାଜରେ ନିର୍ମିତ ଥିବା କାନୁନର ଅବମାନନା କରି ଅପମାନ ପାଇଲେ ବି ଜଣେ ଆତ୍ମହତ୍ୟା କରେ ।
-କିଛି ଲୋକ ନିଜ ଉପରେ ବିତୁଥିବା ଜିନିଷ ଅନ୍ୟମାନଙ୍କୁ ନ କହି ପାରି ଭିତରେ ଭିତରେ ମାନସିକ ବିଷରଦରେ ଗତି କରି ଆତ୍ମହତ୍ୟାର ଉଦ୍ୟମ କରନ୍ତି ।

ଏହିଭଳି ଅନେକ ସମସ୍ୟା ଅଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଘଟୁଥାଏ ହେଲେ ଏହାର ଉପାୟ କି ନିରାକରଣ ସେମାନେ ଆତ୍ମହତ୍ୟାକୁ ହିଁ ବାଛନ୍ତି ।

ଯଦି ଓଡିଶାର କଥା କହିବା-ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି । ପ୍ରତିଦିନ ସହରରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି । ଯାହାକି ପୋଲିସ ଏବଂ ବୁଦ୍ଧିଜୀବୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦି ରାଜଧାନୀର କଥା କହିବା ତାହାଲେ ଗତ ୧୦ ମାସରେ ୪୦୦ ଜଣ ଆତ୍ମହତ୍ୟା କରିଛନ୍ତି ବୋଲି ତଥ୍ୟରୁ ଜଣାପଡୁଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଆର୍ଥିକ ପରିସ୍ଥିତି,ପ୍ରେମ ବ୍ୟାପାର,ପାରିବାରିକ ସମସ୍ୟା,ନିଶା,ସାମାଜିକ ପରିସ୍ଥିତି ଭଳି ପ୍ରମୁଖ କାରଣ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି । ସେଥିପାଇଁ ସେମାନଙ୍କର ସଠିକ୍ ଭାବେ କାଉନସିଲିଂ ହେଲେ ଏହାକୁ ସାମାନ୍ୟ ପ୍ରତିହତ କରିହେବ । ଏନସିଆରବିର ସଦ୍ୟତମ ରିପୋର୍ଟ ଅନୁସାରେ ପ୍ରତିଦିନ ରାଜ୍ୟରେ ୧୫ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି ।

ଅନ୍ୟପଟେ ଯୁବବର୍ଗରେ ଆତ୍ମହତ୍ୟା ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଲା ପାଠପଢ଼ାର ଚାପ। ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ବିଫଳ, ଭଲ ଚାକିରି ନ ପାଇବା, ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ଆଦି କାରଣ ଯୋଗୁଁ ମୁଖ୍ୟତଃ ଯୁବବର୍ଗ ଆତ୍ମହତ୍ୟା କରୁଛନ୍ତି। ପ୍ରକୃତରେ ଯୁବକଯୁବତୀ ମାନଙ୍କ ମଧ୍ୟରେ ଯେଭଳି ଅଧିକ ସକାରାତ୍ମକ ମନୋଭାବ ସୃଷ୍ଟି ହେବ, ସେ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିଲେ ଆତ୍ମହତ୍ୟା ପ୍ରବଣତା ହ୍ରାସ ପାଇପାରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )