
ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପରଲୋକ ..
ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପରଲୋକ । ୯୬ ବର୍ଷ ବୟସରେ ଆଖି ବୁଜିଲେ କ୍ବିନ୍ ଏଲିଜାବେଥ୍। ଗୁରୁବାର ଦିନ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ।ଏଲିଜାବେଥଙ୍କର ସ୍କଟଲାଣ୍ଡର ବାଲମୋରାଲ ମହଲରେ ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଥିଲା। ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ଏବଂ ରାଷ୍ଟ୍ରର ସମୃଦ୍ଧି ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ।୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ ।
କଞ୍ଜରଭେଟିଭ ପାର୍ଟିର ମୁଖିଆ ପଦ ପାଇଁ ହୋଇଥିବା ନିର୍ବାଚନ ବାଜିମାତ କରିଥିବା ଲିଜ୍ ଟ୍ରସଙ୍କୁ ରାଣୀ ଏଲିଜାବେଥ ୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତି କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀଙ୍କ ୭୦ ବର୍ଷର କ୍ଷମତା ଭିତରେ ସେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ବାଲମୋରାଲରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ପୂର୍ବରୁ ଲଣ୍ଡନରେ ଥିବା ବକିଂହାମ ପ୍ୟାଲେସରେ ସେ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଉଥିଲେ। ଏଥର ଲିଜ୍ ଟ୍ରସଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଥିଲା ।
ଯୁବରାଜ ଚାର୍ଲସ୍ ସିଂହାସନ ଆରୋହଣ କଲେ ତାଙ୍କ ପତ୍ନୀ ତଥା ଡଚେସ୍ ଅଫ୍ କର୍ଣ୍ଣୱାଲ୍ କାମିଲା ରାଣୀ ହେବେ ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ରାଣୀ ଦ୍ବିତୀୟ ଏଲିଜାବେଥ୍ ଘୋଷଣା କରିଥିଲେ। ଗୁରୁବାର ଅପରାହ୍ଣରେ ୯୬ ବର୍ଷ ବୟସରେ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କର ମୃତ୍ୟୁ ପରେ ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ରାଜପରିବାର ଉଲ୍ଲେଖ କରିଛନ୍ତି.ଚାର୍ଲସ୍ ସିଂହାସନ ଆରୋହଣ କରିବା ପରେ ରାଣୀ ମାଆଙ୍କର ପ୍ରସିଦ୍ଧ କୋହିନୂର ମୁକୁଟ କାମିଲା ଗ୍ରହଣ କରିବେ ବୋଲି ଇଂଲଣ୍ଡ୍ର ସମ୍ବାଦପତ୍ର ‘ଡେଲି ମେଲ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯୁବରାଜ ଚାର୍ଲସ୍ ରାଜା ହେଲେ ଉକ୍ତ ଅମୂଲ୍ୟ ପ୍ଲାଟିନ୍ ଓ ହୀରା ମୁକୁଟ କାମିଲାଙ୍କ ମସ୍ତକରେ ଶୋଭା ପାଇବ। କୋହିନୂର ୧୦୫.୬ କାରେଟ୍ ହୀରା। ଏହି ହୀରା ୧୪ଶ ଶତାବ୍ଦୀରେ ଭାରତରୁ ମିଳିଥିଲା। ଶତାବ୍ଦୀ ଶତାବ୍ଦୀ ଧରି ଏହି ହୀରା ଅନେକ ବ୍ୟକ୍ତିଙ୍କ ହାତକୁ ଯାଇଥିଲା। ଶେଷରେ ୧୮୪୯ ମସିହାରେ ବ୍ରିଟିସ୍ ପଞ୍ଜାବ ବିଜୟ କରିବା ପରେ କୋହିନୂର ହୀରା ରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କରାଯାଇଥିଲା। ସେବେଠାରୁ ତାହା ବିଟ୍ରିସ୍ ମୁକୁଟ-ରତ୍ନ ହୋଇ ରହିଆସିଛି। କିନ୍ତୁ, ଏହାର ଐତିହାସିକ ମାଲିକାନା ନେଇ ଭାରତ ସମେତ ଅନ୍ୟୂନ ୪ଟି ଦେଶ ବିବାଦ କରୁଛନ୍ତି।
ଅପରେସନ ୟୁନିକର୍ଣ୍ଣ ଆରମ୍ଭ
ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି । ନିଧନରୁ ଅନ୍ତିମ ସଂସ୍କାର ମଧ୍ୟରେ ଥିବା ୧୦ ଦିନ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହ ୧୦ ଦିନିକିଆ ଶୋକ ମଧ୍ୟ ପାଳନ ହେବ ।