Friday 19th April 2024
ଗୋଆରେ ‘ପ୍ରତୀକ୍ଷା’ ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍‌

ଗୋଆରେ ‘ପ୍ରତୀକ୍ଷା’ ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍‌

IFFI’ ରେଡ୍‌ କାର୍ପେଟ୍‌ରେ ‘ପ୍ରତୀକ୍ଷା

ଓଡିଆ ଚଳଚିତ୍ର ଦୁନିଆରେ ଏବେ ବହୁତ ଚହଳ । ଏହି ଚହଳର କାରଣ, ନିଜ ପୁରୁଣା ଦିନକୁ ଫେରିପାଇଛି ଓଡିଆ ସିନେମା । ଓଡିଆ ସିନେମାର ମର୍ମ ବୁଝିବା ପୁଣିଥରେ ଆରମ୍ଭ କରିଛନ୍ତି ଦର୍ଶକ । ଦର୍ଶକ ମାନେ ଜାଣନ୍ତି କାହିଁକି ଓ କେଉଁ କାରଣରୁ ସେମାନେ ସିନେମା ଦେଖୁନଥିଲେ । ଭଲ କାହାଣୀ, ନିଜ ମାଟି କଥା ନରହିବା କାରଣରୁ ସିନେମାରେ ମଜା ଆସୁନି । କିନ୍ତୁ ନଭେମ୍ବର ୪ରେ ଏମିତି ଏକ ଓଡିଆ ଫିଲ୍ମ ରିଲିଜ ହେଲା ଯାହା ସମସ୍ତଙ୍କ ଚିନ୍ତାଧାରାକୁ ବଦଳେଇ ରଖିଦେଲା । ତାହା ଥିଲା ଓଡିଆ ଚଳଚିତ୍ର ଦମନ । ଏହି ଚଳଚିତ୍ର ସାରା ଓଡିଆ ଇଣ୍ଡଷ୍ଟ୍ରିକୁ ଶିଖେଇଦେଲା କେମିତି ନିଜ କଥାକୁ ସିନେମାରେ ପ୍ରଦର୍ଶିତ କରାଯାଏ । କିନ୍ତୁ କଣ ଏତିକିରେ ଆମେ ଓଡିଆ ରହିଯିବା ,ନାଇଁ ବିଲକୁଲ ବି ନୁହେଁ ଦମନ ଭଳି ଆହୁରୀ କେତେ ଓଡିଆଙ୍କ ନିଜସ୍ୱ କାହାଣୀ ନେଇ ଚଳଚିତ୍ର ସବୁ ଆସୁଛି । ସେଥିମଧ୍ୟରୁ ଏବେ ଚର୍ଚ୍ଚାରେ ଅଛି ଚଳଚିତ୍ର ପ୍ରତୀକ୍ଷା । ହଁ ଏହି ଫିଲ୍ମ ପାଇଁ ବି ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଇଣ୍ଟରନେସନାଲ ଫିଲ୍ମ ଫେସଟିଭାଲ୍ ପର୍ଯ୍ୟନ୍ତ ଖୁବ୍ ଚର୍ଚ୍ଚା ସାଉଁଟୁଛି ।

ଗୋଆରେ ଦର୍ଶକ ଦେଖିଲେ ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା’ । ଆଉ ଏହି ଅବସରରେ ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଗତକାଲି ଓଡ଼ିଶାରୁ ଯାଇଥିବା ପ୍ରଡକ୍ସନ୍‌ ଟିମ୍‌ ଆଜି ସେଠାରେ ରେଡ୍‌ କାର୍ପେଟ୍‌ରେ ଚାଲିବା ସହ ଚଳଚ୍ଚିତ୍ର ପଛର କାହାଣୀ ବଖାଣିଥିଲେ । ଚଳଚ୍ଚିତ୍ର ସହ ଜଡ଼ିତ ନିଜ ଅନୁଭୂତିକୁ ବ୍ୟକ୍ତ କରିଥିଲେ । ୫୩ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ) ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହୋଇଛି “ପ୍ରତୀକ୍ଷା’ ।

ପଞ୍ଜିମସ୍ଥିତ ଆଇନକ୍ସରେ ପ୍ରଦର୍ଶିତ ହୋଇଛି ଚଳଚ୍ଚିତ୍ର । ପ୍ରେକ୍ଷାଳୟରେ ଦର୍ଶକ ଚଳଚ୍ଚିତ୍ରକୁ ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଡକ୍ସନ୍‌ ଟିମ୍‌ରେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ସମ୍ଭାଳିଥିବା ଯୁବ ପ୍ରତିଭାବାନ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ପ୍ରଯୋଜିକା ତଥା ମୁଖ୍ୟ ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ମୁଖ୍ୟ ଅଭିନେତା ଦୀପନ୍ୱିତ ଦାଶ ମହାପାତ୍ର, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ରୋଶନ ବିଶୋଇ ଏବଂ ସିନେମାଟୋଗ୍ରାଫର ଦୀପକ କୁମାର ରହିଥିଲେ ।

ନିଶ୍ଚିତ ଭାବେ ଏହା ଆମ ପାଇଁ ଏବଂ ସାରା ଓଡ଼ିଶା ଲାଗି ଗର୍ବର ବିଷୟ । ଏବେ ଅପେକ୍ଷା ଆସନ୍ତା ଡିସେମ୍ବର ୨ ତାରିଖକୁ । ସେହିଦିନ ରେ ସାରା ଓଡ଼ିଶାରେ ହଲ୍‌ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ । ତେଣୁ ସମସ୍ତଙ୍କୁ ହଲ୍‌କୁ ଆସି ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ । ଏହି ଫେଷ୍ଟିଭାଲ୍‌ ପାଇଁ ଫିଚର ଫିଲ୍ମ ବିଭାଗରେ ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ “ପ୍ରତୀକ୍ଷା’ ମନୋନୀତ ହୋଇଥିଲା । ପୂର୍ବରୁ ଡିସି ସାଉଥ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୨ରେ “ପ୍ରତୀକ୍ଷା’ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ କାହାଣୀ ଭାବେ ମନୋନୀତ ହୋଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )