Thursday 25th April 2024
ଏହି ୭ଟି ଟିପ୍ସ୍‌ ଦେବ କ୍ୟାନସର ଭଳି ରୋଗରୁ ମୁକ୍ତି

ଏହି ୭ଟି ଟିପ୍ସ୍‌ ଦେବ କ୍ୟାନସର ଭଳି ରୋଗରୁ ମୁକ୍ତି

କ୍ୟାନସର ରୋଗ ମଣିଷର ଜୀବନ ନାଶକାରୀ ରୋଗ । ଏହି ରୋଗ ହେଲେ ତାର କୌଣସି ଏକ ସିଧାସଳଖ ମେଡିସିନ୍ କିମ୍ବା ଚିକିତ୍ସା ନାହିଁ । ଆଉ ଶରୀରର ପ୍ରତି ଅଙ୍ଗରେ ଏହି କ୍ୟାନସର ସେଲ୍ ଜନ୍ମ ନେବାର ସମ୍ଭାବନା ରହିଛି । ତେଣୁ ଏହା ପାଇଁ ଯଦି କାରଣ କଣ ଖୋଜିବା ତାହାଲେ ବହୁତ ଜିନିଷ ଆମ ଦୈନନ୍ଦିନ ଜୀବନଶୌଳୀ ଭିତରେ ବି ଲୁଚିରହିଥାଏ । ଏଇ ଯେମିତି,ଖାଇବା,ବ୍ୟାୟାମ କରିବା ,ଠିକ୍ ସମୟରେ ଶୋଇବା ଇତ୍ୟାଦି । ଏସବୁ ପ୍ରତିଦିନିଆ କାମକୁ ଯଦି ଆମେ ଶୃଙ୍ଖଳିତ ଉପାୟରେ ନ କରିବା ତାହାଲେ କ୍ୟାନସର ଭଳି ରୋଗରୁ କେମିତି ମୁକ୍ତି ପାଇବା । ତେଣୁ ଚାଲନ୍ତୁ ଆଜି ଆମେ ୭ଟି ଏମିତି ଟିପ୍ସ ଉପରେ ଧ୍ୟାନ ଦେବା ଯାହାଦ୍ୱାରା କ୍ୟାନସର ଭଳି ରୋଗ ଆମ ପାଖ ମାଡିବନାହିଁ ।

୧-ତମ୍ବାଖୁ ଜିନିଷ ବ୍ୟବହାର କରନ୍ତୁ ନାହିଁ

ପ୍ରତି ବର୍ଷ ୮ ମିଲିୟନ ଲୋକ ତମ୍ବାଖୁ ସେବନ କରି ମୃତ୍ୟୁବରଣ କରୁଛନ୍ତି । ଆଉ ସେଥିରୁ ୭ ମିଲିୟନ ଲୋକଙ୍କ ମୃତ୍ୟୁ ସିଧାସଳଖ ତମ୍ବାଖୁ ଖାଇବା ଦ୍ୱାରା ହିଁ ହେଉଛି । କିନ୍ତୁ ସେଥିମଧ୍ୟରୁ ୧.୨ ମିଲିୟନ ଲୋକଙ୍କ ମୃତ୍ୟୁ ଏହିଭଳି ବିଷାକ୍ତ ଜିନିଷ ସଂସ୍ପର୍ଶରେ ଆସିବା ଦ୍ୱାରା ହେଉଛି । ୨୦୨୦ରେ ପୁରା ଜନସଂଖ୍ୟାର ୨୨.୩ ପ୍ରତିଶତ ଲୋକ ତମ୍ବାଖୁ ବ୍ୟବହାର କରୁଛନ୍ତି । ତେଣୁ ଏଥିରୁ ହିଁ ଚିନ୍ତା କରନ୍ତୁ ତମ୍ବାଖୁ ଭଳି ଜିନିଷ କ୍ୟାନସରକୁ କେମିତି ଆମନ୍ତ୍ରଣ କରୁଛି । ଧୁମ୍ରପାନ କରିବାର ବି ବହୁତ ଉପାୟ ଅଛି ଆଉ ତାହା ହିଁ କ୍ୟାନସରର କାରଣ ପାଲଟୁଛି । ଫୁସଫୁସ,ଗଳା,ପାଟି,ପାନକ୍ରିୟାଜ୍‌,କିଡନୀ ଆଦି ଶରୀରର ମୁଖ୍ୟ ଅଙ୍ଗ ମାନଙ୍କରେ ତମ୍ବାଖୁ ବ୍ୟବହାର ଦ୍ୱାରା କ୍ୟାନସର ହେଉଛି । ତେଣୁ କେବଳ ଧୁମ୍ରପାନ ହିଁ କ୍ୟାନସରର କାରଣ ନୁହେଁ, ବରଂ ଗୁଟଖା,ପୁଡିଆ,ଗୁଡାଖୁ ଇତ୍ୟାଦି ମଧ୍ୟ ଏଥିରେ ଅର୍ନ୍ତଭୁକ୍ତ । ତେଣୁ ଯଦି ଆପଣ କ୍ୟାନସର ଭଳି ରୋଗକୁ ନିଜ ଶରୀରରେ ଜନ୍ମ ଦେବାକୁ ଚାହୁଁନାହାନ୍ତି ତାହାଲେ ସମସ୍ତ ନିଶାଯୁକ୍ତ ଦ୍ରବ୍ୟଠୁ ଦୂରରେ ରୁହନ୍ତୁ । ଯଦି ଆପଣ ଏହି ଅଭ୍ୟାସରେ ପଡିଯାଇଛନ୍ତି ତାହାଲେ ଡାକ୍ତରଙ୍କର କିମ୍ବା କୌଣସି ନିଶାମୁକ୍ତ କ୍ରେନ୍ଦର ଏକ୍ସପୋର୍ଟଙ୍କର ମତାମତ ନେଇ ଆଜି ହିଁ ତାକୁ ତ୍ୟାଗ କରନ୍ତୁ । କ୍ୟାନସର କାହାକୁ କେତେବେଳେ ହେବ ତାହା ସିନା ମଣିଷ ହାତରେ ନାହିଁ । କିନ୍ତୁ ଯେଉଁ ଯେଉଁ କାରଣ ପାଇଁ କ୍ୟାନସର ହେଉଛି ତାହାକୁ ଯଦି ନିଜଠୁ ଦୂରେଇ ଦେବ ତାହାଲେ ନିଶ୍ଚିତ କ୍ୟାନସର ଭଳି ମାରାତ୍ମକ ଜିନିଷରୁ ନିଜକୁ ଦୂରେଇପାରିବ ।

୨-ସୁସ୍ଥ ଖାଦ୍ୟ ଖାଆନ୍ତୁ

ଆଜିର ସମୟରେ ପ୍ରତ୍ୟେକଟି ଲୋକ ନିଜ ଖାଦ୍ୟକୁ ନେଇ ଚିନ୍ତିତ । କିଏ ଚାକିରୀ କରୁଥିବାରୁ ଠିକ୍ ସମୟରେ ଖାଇପାରୁନାହିଁ ,କିଏ ସବୁସମୟରେ ଜଙ୍କ ଫୁଡ୍ ଖାଇବା ପସନ୍ଦ କରୁଛନ୍ତି । ତେଣୁ ଏସବୁ ଅଭ୍ୟାସକୁ ବଦଳାଇ ଥାଏ ଗୋଟିଏ ସୁସ୍ଥ ଡାଏଟ୍ ପ୍ଲାନ୍ । ଯାହାକୁ ଭଲ ଭାବରେ ମାନି ଖାଇଲେ ମଣିଷ ଶରୀରର ଯାବତୀୟ ଅସୁବିଧା ଦୂର ହେଇଯାଏ । ହଁ ଖାଲି ଯେ ହେଲଦୀ ଖାଦ୍ୟ ଖାଇଦେଲେ କ୍ୟାନସର ହେବନି ଏହା ଆମେ କହୁନାହୁଁ । କିନ୍ତୁ ଏହି ସୁସ୍ଥ ଡାଏଟ୍ ରେ ରହିଲେ ବହୁତ କିଛି ଜିନିଷ ସୁଧୁରିଯାଏ । ଆଉ ଆପଣଙ୍କ ଶରୀରରେ ରୋଗ ଘର କରିବାର ସୁଯୋଗ ପାଏ ନାହିଁ । କ୍ୟାନସରର ସାମାନ୍ୟ ରିକ୍ସ କମିଯାଏ । ତାହାଲେ ସୁସ୍ଥ ଡାଏଟ୍ ଭିତରେ ଆପଣ କଣ କଣ ଖାଇବା ଉଚିତ୍ ତା ଉପରେ ନଜର ପକାନ୍ତୁ ।

ପ୍ରଚୁର ଫଳମୂଳ ଓ ପନିପରିବା ଖାଆନ୍ତୁ-

ଖାଦ୍ୟ କଥା ଆସିବା ମାତ୍ରେ ଆମେ ତଟକା ବା ଫ୍ରେସ୍ ଜିନିଷକୁ ଆଗ ପ୍ରାଧାନ୍ୟ ଦେବା ଉଚିତ୍ । ତେଣୁ ଫଳ ଓ ପନିପରିବା ଏଥିରେ ମୁଖ୍ୟ ଥାଆନ୍ତି । ତେଣୁ ପ୍ରତିଦିନ ନିଜ ଡାଏଟ୍ ରେ ଫଳ ଓ ପନିପରିବା ଯୁକ୍ତ ଖାଦ୍ୟ ରଖନ୍ତୁ । ଆଉ ସବୁବେଳେ ମନେରଖନ୍ତୁ ଅଧିକ ଫ୍ୟାଟ୍ ଥିବା ଖାଦ୍ୟ ଖାଇବେ ନାହିଁ । କିନ୍ତୁ ପ୍ରକୃତରେ ଆମ ଶରୀରକୁ ଫ୍ୟାଟର ଆବଶ୍ୟକତା ରହିଛି ଆଉ ତାହାକୁ ହେଲଦୀ ଫ୍ୟାଟ୍ ବୋଲି କୁହାଯାଏ ।
-ଯଦି ସକାଳ ଜଳଖିଆ ଖାଉଛନ୍ତି ତାହାଲେ ଫଳ କିମ୍ବା ଫଳରସ ଖାଇପାରିବେ ।
-ମିଲ୍ ଖାଇବା ସମୟରେ ବିଭିନ୍ନ ପ୍ରୋଟିନ ଯୁକ୍ତ ପରିବାକୁ ଖାଇପାରିବେ
-ସବୁବେଳେ ଖାଇବାର ଏକ ନିୟନ୍ତ୍ରଣ ସୀମା ମଧ୍ୟ ରଖିବେ
-ଅତ୍ୟଧିକ ଖାଇଲେ ତାହା ସୁଗାର ବଢାଇବାର ଅଧିକ ସମ୍ଭାବନା ରହିଥାଏ

ମଦ୍ୟପାନ ଛାଡିବାର ଅଭ୍ୟାସ-

ବହୁତ ଲୋକ ଅଛନ୍ତି ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି ସବୁଦିନ ନହେଲେ ବି କିଛି ଖାସ୍ ଦିନ ମାନଙ୍କରେ ଖୁବ୍ ଅଧିକ ମଦ୍ୟପାନ କରନ୍ତି । ଏମିତିରେ ବି ମଦ୍ୟପାନ କରିବା ଖରାପ କିନ୍ତୁ ଯଦି ବି ଆପଣ କେବେ କେବେ ପିଉଛନ୍ତି ତାହାଲେ ଏକ ନିଦ୍ଧିଷ୍ଟ ସୀମା ଭିତରେ ତାକୁ ପିଅନ୍ତୁ । ନହେଲେ ଏହା ଆପଣଙ୍କ କିଡନୀ,ଫୁସଫୁସ,ଲିଭର୍ ଆଦିକୁ ଶିଘ୍ର ହିଁ ନଷ୍ଟ କରିଦେବ । ଆଉ କ୍ୟାନସରର ମୁଖ୍ୟ ମାଧ୍ୟମ ପାଲଟିଯିବ ମଦ ।

ପ୍ୟାକେଟ୍ ଖାଦ୍ୟ ନ ଖାଇବା-

ଆଜିକାଲି ମଡର୍ଣ୍ଣ ଯୁଗରେ ସବୁ ଜିନିଷର ସର୍ଟକଟ ଅଛି । ଯଦି ଜଣେ ପ୍ୟାକେଟ୍ ରେ ରୋଷେଇ କରିବାକୁ ନ ପଡିଲା ଭଳି ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି ତାର ଚାହିଦା ଅଧିକ । ପ୍ୟାକେଟ୍ ରେ ରହୁଥିବା ଖାଦ୍ୟକୁ ଅନେକ ଦିନ ଧରି ପ୍ରିଜରଭେଟିଭ୍ ଦେଇ ରଖାଯାଏ । ତାର କୌଣସି ଫ୍ରେସନେସ୍ ନଥାଏ । ତେଣୁ ଯଦି ଆପଣ ନିଜକୁ ସୁସ୍ଥ ଡାଏଟ୍ ଭିତରେ ଆଣିବାକୁ ଚାହୁଁଛନ୍ତି ତାହାଲେ ପ୍ୟାକେଟ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଆଜିକାଲି ଆମିଷ ଜିନିଷ ମଧ୍ୟ ପ୍ୟାକେଟ୍ ରେ ତିଆରି କରି ବିକ୍ରି ହେଉଛି । ଖାଲି ସାମାନ୍ୟ ଗରମ କରି ଲୋକମାନେ ଚିକେନ୍ ,ମଟନ୍ ୧୦ ମିନିଟ୍ ରେ ଖାଇପାରୁଛନ୍ତି । ତେଣୁ ଯଦି ଆପଣ ବି ଏମିତି କରୁଛନ୍ତି ତାହାଲେ ଆଜି ହିଁ ଏହି ଅଭ୍ୟାସ ଛାଡନ୍ତୁ । ପ୍ୟାକେଟ୍ ଯୁକ୍ତ ଖାଦ୍ୟ ଆପଣଙ୍କୁ କ୍ୟାନସର ମୁହାଁ କରିବାରେ ବିଶେଷ ଭୂମିକା ଗ୍ରହଣ କରିପାରେ । ତେଣୁ ଫ୍ରେସ୍ ଥିବା ଜିନିଷକୁ ହିଁ ନିଜ ଖାଦ୍ୟପଦାର୍ଥରେ ଯୋଗ କରନ୍ତୁ ।
ଆଉ ତାସହ କିଛି କାଜୁ,ବାଦାମ୍‌,ଆଲମଣ୍ଡ ଭଳି ଡ୍ରାଏଫ୍ରୁଟ୍ସ କୁ ନିଜ ନିତିଦିନିଆ ଖାଦ୍ୟଅଭ୍ୟାସରେ ସାମିଲ କରନ୍ତୁ ।

୩-ଏକ ସୁସ୍ଥ ଓଜନ ବଜାୟ ରଖନ୍ତୁ

ଓଜନ ବୃଦ୍ଧି ରୋଗର ବୃଦ୍ଧି । ମଣିଷ ଯଦି ନିଜ ଓଜନରେ ନିୟନ୍ତ୍ରଣ ନ କରିପାରିଲା ତାହା ତାକୁ ସବୁଠୁ ବଡ ବିପଦକୁ ଠେଲି ଦିଏ । ଯଦି ଆମେ କ୍ୟାନସର ଭଳି ରୋଗ ସହ ମୁକାବିଲା କରିବା ତାହାଲେ ଆମକୁ ଫିଟନେସ୍ ଅନୁଯାୟୀ ବି ସର୍ତକ ରହିବାକୁ ପଡିବ । ଭଲ ଖାଦ୍ୟ ଖାଇଲେ,ମଦ ସିଗାରେଟ୍ ନ ପିଇଲେ ଖାଲି ହେବନି ତାସହ ନିଜ ଶରୀର ଓଜନକୁ ବି ଧ୍ୟାନ ଦେବାକୁ ପଡିବ । ନିଜ ଉଚ୍ଛତା ଅନୁସାରେ ମଣିଷର ଓଜନ କେତେ ରହିବା କଥା ତାହା ଦେଖିବାକୁ ପଡିବ । ବହୁତ ଜଣ ନ ଖାଇ ନ ପିଇ ଓଜନକୁ କମାଇବାର ଚେଷ୍ଟା କରନ୍ତି । କିନ୍ତୁ ପ୍ରକୃତରେ ଖାଇବା ପୁରାପୁରି ବନ୍ଦ କରିଦେବା ଓଜନ ନିୟନ୍ତ୍ରଣର ସମାଧାନ ନୁହେଁ । ଓଜନ ନିୟନ୍ତ୍ରଣ କରିବା ପାଇଁ –

-ସବୁଦିନ ଯୋଗ କିମ୍ବା ବ୍ୟାୟାମ କରନ୍ତୁ ,ନିଜ ଶରୀରକୁ ଫର୍ତ୍ତିରେ ରହିବାକୁ ସୁଯୋଗ ଦିଅନ୍ତୁ
-ରାତ୍ରି ଅନିଦ୍ରା ନ ହେଇ ଠିକ୍ ସମୟରେ ଶୋଇବାର ଅଭ୍ୟାସ କରନ୍ତୁ । କମ୍ ଶୋଇବା ମଧ୍ୟ ଓଜନ ବଢିବାର ଏକ ବଡ କାରଣ ହୋଇଥାଏ ।
– ବାହାର ଜଙ୍କ ଫୁଡ୍ ଖାଇବା ଛାଡିଦିଅନ୍ତୁ ଏବଂ ଘର ତିଆରି ଖାଇବା ହିଁ ଖାଆନ୍ତୁ
– ଯଦି ଆପଣ ନାଚିବାକୁ ପସନ୍ଦ କରନ୍ତି ତାହାଲେ ବିନା ବ୍ୟାୟାମ ରେ ବି ଆପଣ ଏରୋବିକ୍ସ କରି ଅଳ୍ପ ସମୟ ନାଚିବାର ଅଭ୍ୟାସ କରି ମଧ୍ୟ ଫିଟ୍ ରହିପାରିବେ ।
– ସଙ୍ଗେ ସଙ୍ଗେ ଓଜନ କମାଇବା ପାଇଁ ମାର୍କେଟରେ ମିଳୁଥିବା ଔଷଧ କିମ୍ବା ସପ୍ଲିମେଣ୍ଟର ବ୍ୟବହାର କରନ୍ତୁ ନାହିଁ ।

୪-ସୂର୍ଯ୍ୟକିରଣ ଠାରୁ ସାମାନ୍ୟ ସର୍ତକ ରୁହନ୍ତୁ

ସୂର୍ଯ୍ୟକିରଣ ଆମ ପାଇଁ କଣ କେବେ ଅସୁବିଧାର କାରଣ ହେଇପାରେ ? ନା ବିଲକୁଲ ବି ନୁହେଁ । ବରଂ ସୂର୍ଯ୍ୟର ଉତ୍ସ ଆମ ଭିତରେ ଶକ୍ତି ଭରିଦିଏ । ହେଲେ ଆମେ ମାନେ ଜାଣିବା ଉଚିତ୍ –ସୂର୍ଯ୍ୟ ରଶ୍ମୀରେ ଥିବା ଅତିବାଇଗଣୀ ରଶ୍ମୀ କ୍ୟାନସର ଭଳି ରୋଗର ମୁଖ୍ୟ କାରଣ ହୋଇପାରେ । ତେଣୁକରି ଆମକୁ ପ୍ରଥମେ ବୁଝିବାକୁ ପଡିବ କେଉଁ ସମୟରେ ସୁର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଉଚିତ୍ କିମ୍ବା ଅନୁଚିତ୍ ।

-ଖରାବେଳର ସୂର୍ଯ୍ୟରଶ୍ମୀକୁ ବାହାରନ୍ତୁ ନାହିଁ । ଯଦି ବି କାମରେ ଯାଉଛନ୍ତି ତାହାଲେ ୧୦ ପୂର୍ବରୁ ଓ ୪ ତା ପରେ ଯିବା ପାଇଁ ଚେଷ୍ଟା କରନ୍ତୁ ।
– ଖରାରେ ବାହାରକୁ ଯାଇଥିବା ସମୟରେ ଛାଇରେ ଛିଡାହୁଅନ୍ତୁ । ସାଙ୍ଗରେ ଚଷମା ଓ ଟୋପି ରଖିଥାଆନ୍ତୁ ।
– ଯଦି ବି ଖରାବେଳେ ବାହାରକୁ ଯାଉଛନ୍ତି ନିଜ ଶରୀରକୁ ଭଲ ଭାବରେ ଘୋଡେଇ ଯାଆନ୍ତୁ ।
-ଘରୁ ବାହାରିଲା ବେଳେ ଦେହରେ ଏବଂ ମୁହଁରେ ସନସ୍କ୍ରିନ୍ ନିହାତି ଲଗାନ୍ତୁ । ଯେଉଁଥିରେ ପାଖାପାଖି ୩୦ ପ୍ରତିଶତ ଏସପିଏଫ୍ ଥିବ । ଦିନକୁ ଦୁଇଥର ନିଶ୍ଚିତ ବ୍ୟବହାର କରନ୍ତୁ ।

୫-ନିୟମିତ ଟୀକାକରଣ କରନ୍ତୁ

ଆମକୁ ପ୍ରତ୍ୟେକ ରୋଗ ସହ ଲଢେଇ କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ସାହାର୍ଯ୍ୟ କରେ । ଯାହା ଆମ ଶରୀରରେ ହିଁ ଜନ୍ମନିଏ । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବାରମ୍ବାର ରୋଗ ସହ ଲଢେଇ କରି ଦୁର୍ବଳ ହୋଇଯାଆନ୍ତି । ସେଥିପାଇଁ ଆମେ ଟୀକାକରଣ କରୁ । ଟୀକାକରଣ ଦ୍ୱାରା ଆମ ଶରୀର ବିଭିନ୍ନ ସଂକ୍ରମଣରୁ ମୁକ୍ତି ପାଏ ଏବଂ ଆମ ଶରୀରରେ ନେଚୁରାଲ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ତେଣୁ କ୍ୟାନସରରୁ ମୁକ୍ତି ପାଇବାକୁ ହେଲେ ଆମେ ନିଜ ଶରୀରକୁ ଭେକ୍ସିନେଟେଡ୍ କରି ରଖିବା ଉଚିତ୍ । ତେଣୁ ଡାକ୍ତରଙ୍କ ଅନୁସାରେ ନିଜର ଟୀକାକରଣ କରିବା ଭୁଲନ୍ତୁ ନାହିଁ ।


୬-ଶାରୀରିକ ଖରାପ ଅଭ୍ୟାସରୁ ନିବୃତ ରୁହନ୍ତୁ

ଖରାପ ଅଭ୍ୟାସ ବହୁତ ପ୍ରକାରର ଅଛି । କିନ୍ତୁ ଏଠାରେ ଆମେ ଶାରୀରିକ ଭାବେ ଖରାପ ଅଭ୍ୟାସର କଥା କହୁଛୁ । କାରଣ ଅନେକ ଶାରୀରିକ ବଦଅଭ୍ୟାସ କ୍ୟାନସର ଭଳି ରୋଗର କାରଣ ହୋଇପାରେ ।
– ଗୋଟିଏରୁ ଅଧିକ ପାର୍ଟନରଙ୍କ ସହ ଶାରୀରିକ ସଂମ୍ପର୍କ ରଖିବା ଦ୍ୱାରା ଏଚ୍‌ଆଇଭି ଭଳି ରୋଗ ହୋଇଥାଏ । ତେଣୁ ଏହିଭଳି ଅଭ୍ୟାସରୁ ନିବୃତ ରୁହନ୍ତୁ । ଏବଂ ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମର ବ୍ୟବହାର କରନ୍ତୁ । ଏହା ନ କଲେ ଆପଣଙ୍କ ଗୁପ୍ତଅଙ୍ଗରେ ବି କ୍ୟାନସର ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଆପଣଙ୍କ ପାର୍ଟନର ଠାରୁ ବି ଆପଣ ସଂକ୍ରମିତ ହୋଇପାରିବେ । ଏଥିପାଇଁ ନିଜ ବ୍ୟକ୍ତିଗତ ସମୟକୁ ଭଲ ଭାବରେ କାଟନ୍ତୁ ।
-ବ୍ୟବହୃତ ହୋଇସାରିଥିବା ଛୁଂଚିରେ କେବେ ବି ଇଂଜେକସନ୍ ନିଅନ୍ତୁ ନାହିଁ । ଏହା ଶରୀର ପାଇଁ ବହୁତ ହିଁ ହାନିକାରକ ହୋଇଥାଏ । ସବୁବେଳେ ନୂଆ ଏବଂ ସଫା ହୋଇରହିଥିବା ଛୁଂଚି ବ୍ୟବହାର କରନ୍ତୁ । ଡାକ୍ତରଙ୍କ ପରାମର୍ଶରେ କ୍ରମେ ନିଜର ଚିକିତ୍ସା କରାନ୍ତୁ ।

୭-ସର୍ବଦା ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ

ଆମେ ସାଧାରଣତଃ ଡାକ୍ତରଙ୍କ ସହ ରେଗୁଲାର ଚେକଅପ୍ ପାଇଁ କଥା ହେଇନଥାଉ । କୌଣସି ବଡ ଧରଣର ରୋଗ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେବା କଥା କଳ୍ପନା କରିନଥାଉ । ଯଦି ଆପଣ ସୁସ୍ଥ ଅଛନ୍ତି ତାହାଲେ ବି ପ୍ରତି ୩ ମାସକୁ ଥରେ ପୁରା ଶରୀର ଏକ ଚେକ୍ ଅପ୍ କରିନିଅନ୍ତୁ । କାରଣ ଏହାଦ୍ୱାରା ସଂକ୍ରମିତ ହୋଇଥିବା କିଛି ବି ଭାଇରସ୍ ବିଷୟରେ ଆଗଆ ଜଣାପଡିଯିବ । ବେଳେ ବେଳେ କିଛି ଲକ୍ଷଣ ବାହାରକୁ ଜଣାନପଡିଲେ ବି ତାହା ପ୍ରକୃତରେ ଶରୀର ଭିତରେ ରହିଥାଏ ।

ଏହି ୭ଟି କଥାକୁ ଯଦି ଆପଣ ମୁଖ୍ୟତଃ ଧ୍ୟାନ ଦେବେ ତାହାଲେ ବଡ ରୋଗର ଶିକାର ହେବେନାହିଁ । ଆଉ କ୍ୟାନସର ଭଳି ମାରାତ୍ମକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡିବ ନାହିଁ ।

ବିଭିନ୍ନ ରୋଗକୁ ନେଇ ପୂର୍ବରୁ ମଧ୍ୟ ଆମେ ଅନେକ ଆର୍ଟିକିଲ୍ ପ୍ରସ୍ତୁତ କରିଛୁ । ଯଦି ଆପଣ ସେସବୁ ପଢିବାକୁ ଚାହୁଁଛନ୍ତି ତାହାଲେ ଓଡିଆଡେଲୀର Websiteକୁ https://odiadaily.in/ଯାଇ ସ୍ୱାସ୍ଥ୍ୟ ସଂଞ୍ଜିବନୀରେ ସବୁଧରଣର ସ୍ୱାସ୍ଥ୍ୟଗତ ତଥ୍ୟ ପଢନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )