Friday 29th March 2024
ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ

ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ

ଭାରତୀୟ ଦଳ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା

ଆରମ୍ଭ ହେବାକୁ ଯାଉଛି ହକିରମହାକୁମ୍ଭ । ଏହା ଏକ ଅନନ୍ୟ ଜିନିଷ ଆମ ରାଜ୍ୟ ଓଡିଶା ପାଇଁ । କାରଣ ହକିକୁ ଆୟୋଜନ କରିବା ଓ ସାରା ବିଶ୍ୱକୁ ଏଠାରେ ନିମନ୍ତ୍ରଣ କରିବା ସମସ୍ତ ସୁବିଧା ଯୋଗାଇଦେବା କିଛି ଛୋଟକଥା ନୁହେଁ । ଓଡିଶା ଯେବେଠାରୁ କ୍ରୀଡାକୁ ଧ୍ୟାନ ଦେବା ଆରମ୍ଭ କରିଛି । ସେବେଠାରୁ ସାରା ବିଶ୍ୱର ନଜର ଆମ ଓଡିଶା ଉପରେ ରହିଛି ।

ହକି ବିଶ୍ବକପ୍‌ ପାଇଁ ହାତରେ ଆଉ ଦୁଇ ସପ୍ତାହ ବାକି ରହିଛି। ଭାରତୀୟ ଦଳ ମଧ୍ୟ ଓଡ଼ିଶାରେ ପହଞ୍ଚିସାରିଛି। ତେବେ ବିଶ୍ବକପ୍‌ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ବକପ୍‌ରେ ଯଦି ଭାରତ ବିଜେତା ହୁଏ ତାହେଲେ ହର୍ମନପ୍ରୀତ୍‌ ସିଂହଙ୍କ ନେତୃତ୍ବାଧୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ଏହାବାଦ୍‌ ଯଦି ଭାରତ ଉପବିଜେତା ହୁଏ, ତାହେଲେ ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। କାଂସ୍ୟ ପଦକ ପାଇଥିଲେ ଏହି ରାଶି ଯଥାକ୍ରମେ ୧୦ ଲକ୍ଷ ଓ ୨ ଲକ୍ଷକୁ ହ୍ରାସ ପାଇବ ‌ବୋଲି ଉକ୍ତ ଘୋଷଣାରେ ସୂଚନା ଦିଆଯାଇଛି।

ଶେଷଥର ପାଇଁ ଭାରତୀୟ ଦଳ ୧୯୭୫ରେ ମାଲେସିଆର କୁଆଲାଲୁମ୍ପୁରରେ ଖେଳାଯାଇଥିବା ବିଶ୍ବକପ୍‌ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ବିଶ୍ବ ବିଜେତା ହୋଇଥିଲା। ୪୭ ବର୍ଷ ଧରି ଭାରତ ଆଉ ଟ୍ରଫି ଧରିବାର ସୁଯୋଗ ପାଇନଥିବାରୁ ଏବେ ଘରୋଇ ସଂସ୍କରଣରେ ଏହି କାରନାମା କରିବ ବୋଲି ହକି ଇଣ୍ଡିଆ ଆଶା ରଖିଛି। ଏଥିପାଇଁ ଗତ ୨୪ ତାରିଖରେ ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ସମିତିର ଭର୍ଚୁଆଲ୍‌ ବୈଠକ କରାଯାଇ ଅର୍ଥ ପୁରସ୍କାର ନିଷ୍ପତ୍ତି ଉପରେ ମୋହର ମରାଯାଇଥିଲା। ଏସଂପର୍କରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ପୁରୁଷ ବିଶ୍ବକପ୍‌ରେ ଭାରତର ପୋଡିୟମ ଫିନିସ କରିବା ଏତେ ସହଜ ହେବନି। ତଥାପି ଏହି ଘୋଷଣା ଦ୍ବାରା ଖେଳାଳିମାନଙ୍କ ମନୋବଳ ବୃଦ୍ଧି ହେବ। ବିଶ୍ବକପ୍‌ରେ ଯେକୌଣସି ପଦକ ଜିତିଲେ ବି ଭାରତୀୟ ଦଳ ଓ ଖେଳାଳିଙ୍କ ପାଇଁ ସ୍ମରଣୀୟ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ପୂର୍ବରୁ ବିଶ୍ବକପ୍‌ ଇତିହାସରେ ଭାରତ ତିନିଥର ପଦକ ଜିତିବାରେ ସଫଳ ହୋଇଛି। ୧୯୭୧ ପ୍ରଥମ ସଂସ୍କରଣରେ ଭାରତ କାଂସ୍ୟ ଜିତିଥିଲା ବେଳେ ୧୯୭୩ରେ ରୌପ୍ୟ ଓ ୧୯୭୫ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏବେ ପୁଣି ଥରେ ଭାରତକୁ ପଦକ ଧାରାକୁ ଫେରାଇ ଆଣିବା ପାଇଁ ହକି ଇଣ୍ଡିଆ ବଳିଷ୍ଠ ପଦକ୍ଷେପ ନେଇଛି। ଭୁବନେଶ୍ବର ଆସିବା ପୂର୍ବରୁ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଖେଳି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି କରିଛି। ବିଶ୍ବକପ୍‌ ପାଇଁ ଭାରତ ପୁଲ୍‌ ଡି’ରେ ୱେଲ୍ସ, ସ୍ପେନ୍‌ ଓ ଇଂଲଣ୍ଡ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରିବ।

CATEGORIES
TAGS
Share This

COMMENTS

Wordpress (0)
Disqus ( )