Tuesday 15th October 2024
ଜଗନ୍ନାଥଙ୍କ ଦାରୁମୂର୍ତ୍ତି ଓ ବିଶ୍ୱକର୍ମାଙ୍କ କଥା

ଜଗନ୍ନାଥଙ୍କ ଦାରୁମୂର୍ତ୍ତି ଓ ବିଶ୍ୱକର୍ମାଙ୍କ କଥା

ବିଶ୍ୱର ସୃଷ୍ଟିକର୍ତ୍ତା ଓ ବିଶ୍ଵବିଧାତା ବିଶ୍ଵକର୍ମା

ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି । ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।

ଅବତାର ଓ ପଞ୍ଚମୁଖ

ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।

ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ଓ ବିଶ୍ୱକର୍ମା

କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍‌ ଠକ୍‌ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” ।

ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ । ବିଶ୍ୱକର୍ମା ସାରା ବିଶ୍ୱର ଦେବଶିଳ୍ପୀ ଏବଂ ଚାରି ହସ୍ତରେ ସେ କମଣ୍ଡଳୁ, ପୁସ୍ତକ ଓ ନିହଣ ଆଦି ଆୟୁଧ ଧାରଣ କରିଥାନ୍ତି ବୋଲି ପୁରାଣମାନଙ୍କରେ ବର୍ଣ୍ଣିିତ ହୋଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )