Friday 19th July 2024
କାହିଁକି ବିଶ୍ଵକର୍ମା ବୈଦିକ ଓ ପୌରାଣିକ ଦେବତା ?

କାହିଁକି ବିଶ୍ଵକର୍ମା ବୈଦିକ ଓ ପୌରାଣିକ ଦେବତା ?

ବେଦର ସେହି ବିଶ୍ୱସ୍ରଷ୍ଟା ପୁରାଣର ସେହି ବିଶ୍ଵକର୍ମାଙ୍କୁ ସାଧାରଣତଃ ଆମେ ଦେଖିବାକୁ ପାଉ ଦେବଶିଳ୍ପୀ ଭୂମିକାରେ । ସେ ‘କର୍ତ୍ତାଶିଳ୍ପ-ସହସ୍ରାଣମ୍’ ସହସ୍ର ସହସ୍ର ଶିଳ୍ପର ସେ ଅଧିକର୍ତ୍ତା । ସେ ‘ଦେବାନାଂ କାର୍ଯ୍ୟସାଧକଃ’ – ଦେବତା ମାନଙ୍କର ଶିଳ୍ପ କାର୍ଯ୍ୟ ସାଧକ । ବିଶ୍ୱକର୍ମାଙ୍କ ଜନ୍ମ ସମ୍ବନ୍ଧରେ ବିଭିନ୍ନ ପୁରାଣ ଭିନ୍ନଭିନ୍ନ ମତ ଦିଅନ୍ତି । ବ୍ରହ୍ମ ବୈବର୍ତ୍ତ ପୁରାଣ କହେ ବ୍ରହ୍ମାଙ୍କ ନାଭିଦେଶରୁ ବିଶ୍ୱକର୍ମାଙ୍କ ଜନ୍ମ । ମାତ୍ର ବେଦରେ ବିଶ୍ୱକର୍ମାଙ୍କୁ ଅଜାତ ପୁରୁଷ ବା ସନାତନ ପୁରୁଷ ରୂପେ ବର୍ଣନା କରିଛି । ପୁରାଣର ବିଶ୍ଵକର୍ମା ବିମାନ ନିର୍ମାତା ଓ କାରୁକାର ଓ ଚିତ୍ରଶିଳ୍ପକାରକ । ସେ ଅଳଙ୍କାର ଓ ଭୂଷଣ ପ୍ରସ୍ତୁତକାରକ । ମାନବ ଶିଳ୍ପୀମାନେ ବିଶ୍ୱକର୍ମାଙ୍କ ପ୍ରବର୍ତ୍ତିତ ଶିଳ୍ପ ସାଧନାକୁ ଉପଜୀବ୍ୟକରି ବଞ୍ଚି ରହିଛନ୍ତି । କୁଞ୍ଜର ପର୍ବତରେ ଅବସ୍ଥିତ ଅଗସ୍ତ୍ରୀଙ୍କ ଭବନ, କୁବେରଙ୍କ ଅଳକାପୁରୀ, ରାବଣର ସ୍ୱର୍ଣ୍ଣଲଙ୍କା, ଯଦୁପତି ଶ୍ରୀକୃଷ୍ଣଙ୍କର ସୁରକ୍ଷିତ ସୁରମ୍ୟ ଓ ସୁବ୍ୟବସ୍ଥିତ ରାଜଧାନୀ ଦ୍ଵାରକା ବିଶ୍ଵକର୍ମାଙ୍କ ବାସ୍ତୁବିଦ୍ୟା ଓ ନଗର ପରିକଳ୍ପନା ବିଷୟକ ଜ୍ଞାନର ଉଜ୍ଜଳ ଦୃଷ୍ଟାନ୍ତ ।

ବିଶ୍ୱକର୍ମାଙ୍କ ବିରଚିତ ଭାସ୍କର୍ଯ୍ୟ ଶିଳ୍ପର ଅନୁପମ ଦର୍ଶନ – ତିଳୋତ୍ତମା । ଦେବଦେଶୀ ସୁନ୍ଦ ଓ ଉପସୁନ୍ଦଙ୍କୁ ବିନାଶ କରିବା ନିମିତ୍ତ ବିଶ୍ଵର ସମସ୍ତ ସୌନ୍ଦର୍ଯ୍ୟ ତିଳ । ତିଳ କରି ଆହରଣ ପୂର୍ବକ ସେ ଏହି ଲାବଣ୍ୟବତୀ ସ୍ତ୍ରୀକୁ ସୃଷ୍ଟି କରିଥିଲେ । ଅସୁର ଭ୍ରାତୃଦ୍ଵୟ ପରସ୍ପର ଯୁଦ୍ଧ କରି ସେହି ରୂପସୀର । ଅନଳେ ପୋଡ଼ି ହୋଇ ମରିଛନ୍ତି । ମତ୍ସ୍ୟପୁରାଣରେ ଉଲ୍ଲେଖ ଅଛି, କୂପ ଓ ତଡ଼ାଗାଦି ଖନନ, ପ୍ରତିମାଦି ଗଠନ, ଗୃହ ଓ ଉଦ୍ୟାନର ପରିକଳ୍ପନା ସମସ୍ତ ଶିଳ୍ପର ଉଦ୍‌ଭାବକ ଓ କାର୍ଯ୍ୟକାରକ ବିଶ୍ଵକର୍ମା । ଦେବତାମାନଙ୍କ ପାଇଁ ନୂଆନୂଆ ମାରଣାସ୍ତ୍ର ବିଶ୍ଵକର୍ମା ପ୍ରସ୍ତୁତ କରିଛନ୍ତି । ଯେଉଁ ପ୍ରସିଦ୍ଧ ଧନୁ ସାହାଯ୍ୟରେ ଶଙ୍କର ତ୍ରିପୁରାସୁରକୁ ସଂହାର କରିଥିଲେ, ଯେଉଁ ଆୟତଧନୁର ଅମିତ ବିକ୍ରମରେ ପରଶୁରାମ ଏକୋଇଶଥର ପୃଥିବୀ ନିଃକ୍ଷେତ୍ରିୟ କରିଥିଲେ, ସେହି ଦୁଇଟି ଧନୁ ବିଶ୍ୱକର୍ମାଙ୍କ ଅସ୍ତ୍ର ନିର୍ମାଣ କାରଖାନାରେ ନିର୍ମାଣ ହୋଇଥିଲା ।

ବିଶ୍ଵକର୍ମା କେବଳ ନିଜେ ଶିଳ୍ପୀ ନୁହନ୍ତି, ସେ ଶିଳ୍ପୀ – ସମାଜର ସ୍ରଷ୍ଟା ବା ଜନ୍ମଦାତା । ରାମଚନ୍ଦ୍ରଙ୍କ ପାଇଁ ଦୁସ୍ତର ସମୁଦ୍ରବକ୍ଷରେ ବିଶାଳ ସେତୁ ନିର୍ମାଣକାରୀ ବାନର ଶିଳ୍ପୀ ନଳ ବିଶ୍ଵକର୍ମାଙ୍କ ପୁତ୍ର । ବିଷ୍ଣୁ ପୁରାଣରେ ଅଛି – ଶିଳ୍ପୀବର ଦୃଷ୍ଟା ମଧ୍ୟ ବିଶ୍ୱକର୍ମାଙ୍କ ସନ୍ତାନ । ବାୟୁ ଓ ପଦ୍ମପୁରାଣ ମତରେ ଦୈତ୍ୟଶିଳ୍ପୀ ‘ମୟ’ ମଧ୍ୟ ବିଶ୍ୱକର୍ମାଙ୍କ ପୁତ୍ର । ଦୈତ୍ୟରାଜ ପ୍ରହ୍ଲାଦଙ୍କ କନ୍ୟା ବିରୋଚନାଙ୍କ ଗର୍ଭରୁ ବିଶ୍ଵକର୍ମାଙ୍କ ଔରସରେ ମୟର ଜନ୍ମ । ମଲୋକର ମାଳାକାର, କର୍ମକାର, କାଂସ୍ୟକାର, ଶଙ୍ଖାକାର, ସୂତ୍ରଧର, କୁମ୍ଭକାର, ସ୍ୱର୍ଣ୍ଣକାର, ଚିତ୍ରକାର ପ୍ରଭୃତି ସଂପ୍ରଦାୟଗୁଡ଼ିକ ଶିଳ୍ପଜୀବୀ । ବ୍ରହ୍ମବୈବର୍ତ୍ତରେ ପୁରାଣ ଅଛି ବିଶ୍ୱକର୍ମାଙ୍କ ଔରସରେ, ଦେବତ୍ତକୀ ଘୃତାଚୀଙ୍କ ଗର୍ଭରୁ ଏହି ଶିଳ୍ପୀ । ସଂପ୍ରଦାୟ ଜନ୍ମ ଗ୍ରହଣ କରିଥିଲେ । ବିଶ୍ଵକର୍ମା ଓ ଘୃତାଚୀ ଉଭୟ ଶାପଗ୍ରସ୍ତ ହୋଇ ମରଧାମକୁ ଆସନ୍ତି ଓ ଜନ୍ମ ଦିଅନ୍ତି ଏହି ସନ୍ତାନମାନଙ୍କୁ । ବିଶ୍ୱକର୍ମାଙ୍କର ଚିତ୍ରାଙ୍ଗଦା ନାମରେ ଗୋଟିଏ କନ୍ୟା ଥିଲା ।

ଧ୍ୟାନମନ୍ତ୍ରରେ ବିଶ୍ୱକର୍ମାଙ୍କୁ କୁହାଯାଇଛି – ବାସନା ମାନଦଣ୍ଡ ଧୃକ୍ । ବାସନା ଅର୍ଥରେ ମାଲ୍ୟଚନ୍ଦନାଦି ସାହାଯ୍ୟରେ ସୁଗନ୍ଧିକରଣ, ମାନଦଣ୍ଡ ଅର୍ଥରେ ପରିମାପ ଦଣ୍ଡ । ବିଶ୍ୱକର୍ମାଙ୍କ କଣ୍ଠରେ ମାଲ୍ୟ, ଲଲାଟରେ ଚନ୍ଦନ-କୁଙ୍କୁମ, ସର୍ବାଙ୍ଗରେ ଗନ୍ଧାନୁଲେପନ, ହସ୍ତରେ ମାନଦଣ୍ଡ । ବିଶ୍ଵକର୍ମାଙ୍କ ସୃଷ୍ଟି ଧର୍ମ ଓ ଶିଳ୍ପ-କର୍ମ କ୍ଷେତ୍ରରେ ଏଭଳି ରୂପର ତାତ୍ପର୍ଯ୍ୟ ରହିଛି । ଗନ୍ଧ ପୃଥିବୀର ଗୁଣ । ବିଶ୍ଵକର୍ମା ଏହି ପୃଥିବୀର ସ୍ରଷ୍ଟା । ତେଣୁ ସୃଷ୍ଟି ସୌରଭ ସେ ନିଜ ଅଙ୍ଗରେ ମାଖି ନେଇଛନ୍ତି । ସ୍ରଷ୍ଟାର ସୃଷ୍ଟି କେବଳ ରୂପ ବୈଭବ ଓ ଶିଳ୍ପ ବୈଭବର ଆଧାର ନୁହେଁ, ରସ-ଗନ୍ଧାଦି ରେ ତାହା ସମସ୍ତଙ୍କର ଚିତ୍ତ ହରଣ କରିଥାଏ । ମାଲ୍ୟଚନ୍ଦନାଦି ଧାରଣ ଓ ସୁଗନ୍ଧାଦି ଲେପନ ମଧ୍ୟରେ ସୁଚିତା ଓ ରୁଚିବୋଧର ପ୍ରକାଶ ସୁସ୍ପଷ୍ଟ । ବିଶ୍ୱକର୍ମାଙ୍କ ହସ୍ତରେ ମାନଦଣ୍ଡ ବା ପରିମାପ ଦଣ୍ଡ ସ୍ରଷ୍ଟାର ସୃଷ୍ଟି ପ୍ରକାଶ ସୁପରିକଳ୍ପିତ ଭିଭି ଉପରେ ପ୍ରତିଷ୍ଠିତ । ସବୁକୁ ଯେପରି ସେ ମାପିଚୁପି ପିର ନିର୍ମାଣ କରନ୍ତି । ସେ ସୂର୍ଯ୍ୟଙ୍କୁ ମାପିକରି ଦୂରରେ ରଖିଛନ୍ତି  ଯଦ୍ଵାରା ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ପୃଥିବୀ ଯେପରି ଧ୍ୱଂସ ହୋଇନଯାଏ ।

ହେ ଦେବଶିଳ୍ପୀ, ମହାଭାଗ ଦେବତାମାନଙ୍କର କାରୁକାର୍ଯ୍ୟ ସାଧକ, ସର୍ବାଭିଷ୍ଟ ପ୍ରଦାନକାରୀ ହେ ବିଶ୍ଵକର୍ମନ୍, ତୁମକୁ ନମସ୍କାର!

CATEGORIES
TAGS
Share This

COMMENTS

Wordpress (0)
Disqus (0 )