Thursday 25th April 2024
ପେସ୍ ମେକର୍ ଲଗାଇ ଏହିସବୁ ଭୁଲ କରନ୍ତୁ ନାହିଁ : ଡାକ୍ତର ଜେ.କେ ପାଢୀ (କାର୍ଡିଓଲୋଜୀ)

ପେସ୍ ମେକର୍ ଲଗାଇ ଏହିସବୁ ଭୁଲ କରନ୍ତୁ ନାହିଁ : ଡାକ୍ତର ଜେ.କେ ପାଢୀ (କାର୍ଡିଓଲୋଜୀ)

ଆଜିକାଲି କାର୍ଡିଆକ୍ ଆରେଷ୍ଟ ଯୋଗୁଁ ବହୁତ ମୃତ୍ୟୁ ହେଉଛି । ସାଧାରଣତଃ ଆଜିକାଲି ହାର୍ଟ ଆଟାର୍କ କାହାକୁ କେତେବେଳେ ହେଉଛି ତାହା ଜାଣିବା ବି କଷ୍ଟକର ଲାଗିଲାଣି । ତେଣୁ ଯଦି ଆପଣ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନ କରିବେ ତାହାଲେ ଆପଣ ବି ଅସୁବିଧାରେ ପଡିପାରନ୍ତି । ସାଧାରଣ ଏହି ହାର୍ଟ ଜନିତ ସମସ୍ୟାର କଥା ଆସିଲେ ଆମେ ପେସ୍ ମେକର୍ କଥା ଶୁଣୁ । କିନ୍ତୁ ପ୍ରକୃତରେ ଏହା କେଉଁଭଳି ରୋଗୀଙ୍କ ଦେହରେ ଲାଗେ ଏହାର କାମ କଣ ଥାଏ ଓ ଏହିଭଳି ଜିନିଷ ଲାଗିବା ପରେ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଚାଲନ୍ତୁ ସେ ବିଷୟରେ ଜଣେ ବିଶେଷଜ୍ଞଙ୍କ ଠାରୁ ଜାଣିବା । ଆମରି ହସ୍ପିଟାଲରେ ଡାକ୍ତର ଜେ.କେ ପାଢୀ (ଡିରେକ୍ଟର ଅଫ୍ କାର୍ଡିଓଲୋଜୀ) ଡିପାଟମେଣ୍ଟରେ କାର୍ଯ୍ୟରତ । ତାଙ୍କ ମତରେ ଚାଲନ୍ତୁ ଜାଣିବା ପେସ୍ ମେକର ସମ୍ଭନ୍ଧରେ ସବିଶେଷ ତଥ୍ୟ ।

ପେସ୍ ମେକର କାହାର ଲାଗେ ?

ଉ- ଯେଉଁମାନଙ୍କ ହାର୍ଟ ବିଟ୍ ଧିରେ ଧିରେ ଚାଲେ । ଯେଉଁମାନେ ଦୌଡିଲେ କିମ୍ବା ଚାଲିଲେ ଶୀଘ୍ର ଥକିପଡନ୍ତି । ବାରମ୍ବାର ହାର୍ଟ ବିଟ୍ ସ୍ଲୋ ହେଲେ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇଦେଇଥାଏ । ସେମାନେ ନିଜେ ବି ବୁଝିପାରନ୍ତି ନାହିଁ କାହିଁକି ସେମାନଙ୍କର ମୁଣ୍ଡ ବୁଲାଇ ଦେଉଛି । ଏହିଭଳି କ୍ଷେତ୍ରରେ ତାଙ୍କର ଇସିଜି କରି ପ୍ରକୃତ କାରଣ ବାହାର କରାଯାଏ । ସାଧାରଣତଃ ବ୍ୟକ୍ତିର ହାର୍ଟ ବିଟ୍ ୭୨ ରହିବା କଥା ,କିନ୍ତୁ ୫୦ ରୁ ୧୦୦ ଭିତରେ ବି ରହିଲେ ତାହାକୁ ସୁସ୍ଥ ବୋଲି କୁହାଯାଇଥାଏ । କିନ୍ତୁ ଯେଉଁବ୍ୟକ୍ତିର ହାର୍ଟବିଟ୍ ଧିର ହେଇ ୪୦ ରୁ କମ୍ ହେଇଯାଏ ସେମାନଙ୍କ କ୍ଷେତ୍ରରେ ପେସ୍ ମେକର୍ ର ବ୍ୟବହାର କରାଯାଏ ।

ପେସ୍ ମେକର ଲଗାଇବା ପରେ କଣ କରାଯାଏ ?

ଉ- ପେସ୍ ମେକର ଲଗାଇବାର ବି ଭିନ୍ନ ଭିନ୍ନ ତରିକା ରହିଛି । ବ୍ୟକ୍ତିଟିର ଯାଂଚ ପରେ ହିଁ ଜଣାପଡିଥାଏ କି କାହାକୁ କେଉଁ ପ୍ରକାରର ପେସ୍ ମେକର୍ ଲଗାଯିବ । କାହିଁକି ନା ପେସ୍ ମେକରରେ ସିଙ୍ଗଲ ଚେମ୍ବର ଓ ଡବଲ୍ ଚେମ୍ବର ବି ରହିଛି । ସିଙ୍ଗଲ ଚେମ୍ବରରେ ଗୋଟିଏ ତାର ଲାଗିଥାଏ ଓ ଡବଲ୍ ଚେମ୍ବରରେ ଦୁଇଟି । ପେସ୍ ମେକର ଲାଗିସାରିବା ପରେ ଡାକ୍ତର ଆପଣଙ୍କୁ ୩ ରୁ ୪ ଦିନ ହସ୍ପିଟାଲରେ ରଖି ଆପଣଙ୍କ ପରିସ୍ଥିତିକୁ ଲକ୍ଷ୍ୟ କରନ୍ତି । ତାସହିତ ଇଂଜେକସନ୍ ଆଣ୍ଟିବାୟୋଟିକ୍ ଆଦି ଦିଆଯାଏ । ପ୍ରତ୍ୟେକ ପେସ୍ ମେକର ଲଗାଇଥିବା ବ୍ୟକ୍ତି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମାସେ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ବିଶ୍ରାମ ନେବା ଦରକାର । ବାମ କିମ୍ବା ଡାହାଣ ପାଶ୍ୱର୍ରେ ପେସ୍ ମେକର୍ ଲାଗିଥାଏ ତେଣୁ ଯେଉଁ ଭାଗରେ ଲାଗିଥିବ ସେହି ହାତ ସାହାର୍ଯ୍ୟରେ କିଛି ଭାରୀ ଜିନିଷ ଉଠାଇବେ ନାହିଁ । ଏହିଭଳି ନିୟମ ଅନ୍ତତଃ ମାସେ କରିବା ଉଚିତ୍ ଯାହାଫଳରେ ପେସ୍ ମେକର୍ ମସିନ୍ ଟି ଆପଣଙ୍କ ଶରୀରରେ ଠିକ୍ ଭାବେ ଖାପଖୁଆଇ ଲାଗିବା ପାଇଁ ସମୟ ପାଇଥାଏ ।

ପେସ୍ ମେକର ଯୋଗୁଁ ପୂର୍ବଭଳି ବ୍ୟକ୍ତିଟିଏ କାମ କରିପାରିଥାଏ କି ନାହିଁ ?

ଉ- ପେସ୍ ମେକର୍ ଲାଗିଲା ପରେ ଯେ ଜଣେ ବ୍ୟକ୍ତି ସାରା ଜୀବନ ପାଇଁ ପଙ୍ଗୁ ହେଇଗଲା ଏହିଭଳି ଚିନ୍ତାଧାରା ରଖନ୍ତୁ ନାହିଁ । କାହିଁକି ନା ଏହି ମେସିନ୍ ଲାଗିବାର ୨ ରୁ ୩ ମାସ ପରେ ବ୍ୟକ୍ତିଟିର ହାର୍ଟରେ ଏହା ପୁରାପୁରି ଫିକ୍ସ ହେଇଯାଏ । ତେଣୁ ତାପରେ ସମସ୍ତେ ନର୍ମାଲ କାମ କରିପାରିବେ ଏମିତିକି ବିଲ ବାଡିରେ ବି କାମ କରିପାରିବେ । କିନ୍ତୁ କିଛିଟା ଜିନିଷକୁ ଧ୍ୟାନ ଦେବା ନିହାତି ଦରକାର ।
୧- ବିଜୁଳି ଘଡଘଡି ସମୟରେ ବାହାରକୁ ଯାଆନ୍ତୁ ନାହିଁ । କରେଣ୍ଟ ମାରିଲେ ଆପଣଙ୍କ ପେସ୍ ମେକରକୁ ବି କରେଣ୍ଟ ଧରିବ
୨- ଏୟାରପୋର୍ଟରେ କିମ୍ବା ମଲ୍ ଆଦିରେ ମେଟାଲ୍ ଡିଟେକ୍ଟରରେ କରାଯାଉଥିବା ଚେକିଙ୍ଗ୍ ସମୟରେ ଆପଣ ନିଜ ପେସ୍ ମେକର୍ କଥା କହିପାରିବେ । ଯାହା ଦ୍ୱାରା ସେମାନେ ହାର୍ଟକୁ ଛାଡି ଅନ୍ୟ ସ୍ଥାନରେ ଯାଂଚ କରିବେ ।

ଗୋଟିଏ ପେସ୍ ମେକର୍ କେତେ ଦିନ ଚାଲେ ?

ଉ- ଗୋଟିଏ ପେସ୍ ମେକର୍ ୧୦ ବର୍ଷ ପର୍ଯ୍ୟନ୍ତ ଚାଲେ । କିନ୍ତୁ ହଁ ମଝିରେ ମଝିରେ ବେଳେ ବେଳେ ମେସ୍ ମେକର ଜନିତ ଅସୁବିଧା ଦେଖାଦିଏ । କାହାର ଲିଡ୍ ଭାଙ୍ଗିଯାଏ କିମ୍ବା ଛିଡିଯାଏ ଯାହାଦ୍ୱାରା ପେସ୍ ମେକର କାମ ଦିଏନି । ତେଣୁ ଏଥିପାଇଁ ପେସ୍ ମେକର୍ ଲଗାଇବା ପରେ ବର୍ଷକୁ ଥରେ ହେଲେ ଡାକ୍ତରଙ୍କ ପାଖରେ ଚେକ୍ ଅପ୍ କରାନ୍ତୁ । କାରଣ ପେସ୍ ମେକର୍ ରେ ଏକ ବ୍ୟାଟେରୀ ଲାଗିଥାଏ ଓ ସେହି ବ୍ୟାଟେରୀର ସମୟ ସୀମା ୧୦ ବର୍ଷ ରହିଥାଏ । କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ନ ହେଉ ସେଥିପାଇଁ ପେସ୍ ମେକର୍ ଟି ଯେଉଁ କମ୍ପାନୀର ଲାଗିଛି ତାଙ୍କ ସହ ବି ଯୋଗାଯୋଗ କରିବେ

ତେଣୁ ଏସବୁ ସାଧାରଣ ଜିନିଷ ଉପରେ ଧ୍ୟାନ ଦେଲେ ଆପଣ କିଛି ବି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଡାକ୍ତରଙ୍କ ପରାମର୍ଶରେ ହିଁ କାମ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )