Wednesday 24th April 2024
ବିଶେଷଜ୍ଞଙ୍କ ଏହି ୭ ଟି ଟିପ୍ସ ମାନିଲେ ଓଜନ ହ୍ରାସ ଶୀଘ୍ର କରିପାରିବେ !

ବିଶେଷଜ୍ଞଙ୍କ ଏହି ୭ ଟି ଟିପ୍ସ ମାନିଲେ ଓଜନ ହ୍ରାସ ଶୀଘ୍ର କରିପାରିବେ !

ଓଜନ ହ୍ରାସ କାହାପାଇଁ ସହଜ ତ କାହାପାଇଁ ଭାରିକଷ୍ଟ । ତେବେ କିଛି ଲୋକଙ୍କ ମତରେ ଓଜନ ବଢାଇବା ଅପେକ୍ଷା , ଓଜନ କମେଇବା ବେଶି କଷ୍ଟ । ଆଜିର ଦିନରେ ଫ୍ୟାଟ୍ ରୁ ଫିଟ୍ ହେବାପାଇଁ କିଏ କେତେ ଯେ ପରିଶ୍ରମ ନକରୁଛି । କିଏ ଖାଇବା ଛାଡି ଦେଉଛି ତ ପୁଣି କିଏ ଦିନରେ ଥରେ ଖାଉଛି । କିଏ ଜିମ୍‌ରେ ଝାଳ ବୁହାଉଛି ତ ପୁଣି କିଏ ଆୟୁର୍ବେଦିକ୍ ଚୁର୍ଣ୍ଣ ଖାଉଛି । ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟା ପାଲଟିଛି । ଭୁଲ ଖାଇବା ଅଭ୍ୟାସ ଏବଂ ବ୍ୟାୟାମ କରିବାରେ ସକ୍ଷମ ନହେବା ମୋଟାପଣ ର ମୁଖ୍ୟକାରଣ । କେତେକ କ୍ଷେତ୍ରରେ ମାନସିକ ଚାପ ଏବଂ ହରମୋନ୍ ମେଦବହୁଳତାର କାରଣ ପାଲିଟିଥାଏ । ମୋଟାପଣ ରୋଗର ଘର ଭାବରେ ବିବେଚନା କରାଯାଏ । ତେଣୁ ମେଦବହୁଳତାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକ ଭାବନ୍ତି ଯେ, ଖାଦ୍ୟକୁ ନିୟନ୍ତ୍ରଣ କଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିବ କିମ୍ୱା ଖାଇବା କମେଇ ଦେଲେ ଓଜନ ଶୀଘ୍ର ହ୍ରାସ ହେବ । ଡାଏଟ୍ ନିୟନ୍ତ୍ରଣ ନାମରେ ଅନେକ ଥର ଲୋକମାନେ ଅନେକ ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ । ତେଣୁ ସେମାନଙ୍କ ଶରୀର ଆବଶ୍ୟକୀୟ ପୋଷକ ତତ୍ତ୍ୱ ଏବଂ ଉପଯୁକ୍ତ ଭିଟାମିନ୍ ପାଇ ନଥାଏ । କିଛି ଦିନ ମଧ୍ୟରେ ସେମାନଙ୍କ ଶରୀରରେ ଦୁର୍ବଳତା ଆସିବା ଆରମ୍ଭ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ ଡାଏଟିସିଆନ୍ ରେଣୁକା ଡଙ୍ଗ୍ କହିଛନ୍ତି ଯେ ଡାଏଟିଂ କରିବା ଅର୍ଥ ତ୍ୟାଗ କରିବା ନୁହେଁ, ବରଂ ଡାଏଟ୍ ସୁପରିଚାଳନା କରିବା । ଯଦି ଡାଏଟ୍ ପରିଚାଳିତ ହୁଏ, ତେବେ ଓଜନ ମଧ୍ୟ ହ୍ରାସ ହୁଏ ଏବଂ ଶରୀରକୁ ପୁଷ୍ଟିକର ଖାଦ୍ୟ ସହ ମିଳେ ଉପଯୁକ୍ତ ଭିଟାମିନ୍ ।

ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି କି ? ତେବେ ବିଶେଷଜ୍ଞଙ୍କ ଏହି ୭ ଟି ଟିପ୍ସ କୁ ଫୋଲୋ କରନ୍ତୁ –

ପ୍ରଥମ ଟିପ୍ସ –

ଡାଏଟିସିଆନଙ୍କ ଅନୁଯାୟୀ, ଯଦି ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଗୋଟିଏ ଥରରେ ଅନେକ ଖାଦ୍ୟ ଖାଇବା ପରିବର୍ତ୍ତେ, ଆପଣ ଦିନକୁ ପ୍ରତି ଦୁଇ ଘଣ୍ଟାରେ କିଛି ଖାଆନ୍ତୁ ।   ତେବେ କ’ଣ ଏବଂ କିପରି ଖାଇବା ଉଚିତ୍ ?  ବିଶେଷଜ୍ଞଙ୍କ ମତକୁ ଅନୁସରଣ କରନ୍ତୁ –

ଦ୍ୱିତୀୟ ଟିପ୍ସ – 

ଦୁଇ ଗ୍ଲାସ୍ ପାଣି ସହିତ ସକାଳ ଆରମ୍ଭ କରନ୍ତୁ । ଜଳ ହିଁ ଜୀବନ । ସକାଳେ ଦୁଇ ଗ୍ଲାସ୍ ପାଣି ପିଅନ୍ତୁ । ଯେତିକି ପାରିବେ ସେତିକି ପିଅନ୍ତୁ । ପ୍ରଥମେ ପ୍ରଥମେ ନ ପିଇପାରିଲେ, ଅଳ୍ପରୁ ଆରମ୍ଭ କରନ୍ତୁ କିମ୍ବା ଗୋଟେ କପ୍ ରୁ ଆରମ୍ଭ କରିପାରିବେ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ଶୀଘ୍ର ବାହାରିଯାଇଥାଏ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା କିଡନୀକୁ  ରକ୍ତ   ଛାଣିବାରେ ସହଜ ହୁଏ ।

ତୃତୀୟ ଟିପ୍ସ –

ଅଧିକାଂଶ ଲୋକେ ସକାଳେ ଖାଲି ପେଟରେ ଘରେ କିମ୍ବା ବାହାରେ ଚା ପିଇଥାଆନ୍ତି । ବାହାରେ ମିଳୁଥିବା ଚା ରେ ଥାଇପାରେ ଅତ୍ୟଧିକ ଚିନି ଏବଂ ବାସି ଚା ପତି । ତେବେ ସାଧାରଣ ଚା ଅପେକ୍ଷା ନିଅନ୍ତୁ ଗ୍ରୀନ୍ ଟି କିମ୍ବା ଲେମନ୍ ଟି । ଲେମନ୍ ଟି ରେ ଥାଏ ଭିଟାମିନ୍ ସି ଯାହାକି ଶରୀରରେ ଭିଟାମିନ୍ ର ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ ଏବଂ ସକାଳୁ ସକାଳୁ ଦେଇଥାଏ ଚା ର ସ୍ୱାଦ ।

ଗ୍ରୀନ୍ ଟି ରେ ଥାଏ ଆଣ୍ଟିଅକ୍ସିଡ୍ୟାଣ୍ଟ । ଯାହାକି ଶରୀରରେ ଇମ୍ୟୁନିଟି ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଗ୍ରୀନ୍ ଟି ଏବଂ ଲେମନ୍ ଟି ଓଜନ ହ୍ରାସରେ ବହୁତ ସହାୟକ ହୋଇଥାଏ । ଗ୍ରୀନ୍ ଟି ଏବଂ ଲେମନ୍ ଟି ସେବନ କଲେ କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ । ଆପଣ ଯଦି ଖାଲି ପେଟରେ ଚା ନେଉଛନ୍ତି, ତେବେ ନିଶ୍ଚିତ ଭାବରେ ଦୁଇଟି ବିସ୍କୁଟ କିମ୍ବା ଟୋଷ୍ଟ ନିଅନ୍ତୁ, ଯାହାଫଳରେ ଗ୍ୟାସ୍ ସମସ୍ୟା କୁ ଏଡାଯାଇ ପାରିବ ।

ଚତୁର୍ଥ ଟିପ୍ସ –

ଓଜନ ହ୍ରାସ ପାଇଁ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ କିଛି ଜଙ୍କ୍ ଫୁଡ୍ ଖାଆନ୍ତୁ ନାହିଁ । ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ ଭୋକ ଲାଗିଲେ ପେଟକୁ ଖାଲି ମଧ୍ୟ ରଖନ୍ତୁ ନାହିଁ । ଜଳଖିଆ ର ଦୁଇ ଘଣ୍ଟା ପରେ ଏକ ଫଳ ନିଅନ୍ତୁ । ସେଓ ନେଲେ ଭଲ । ସେଓରେ ଥାଏ ଫ୍ରୁକ୍ ଟୋଜ୍ । ପ୍ରତିଦିନ ରଙ୍ଗ ଅନୁଯାୟୀ ବିଭିନ୍ନ ଫଳ ଖାଇବାକୁ ଚେଷ୍ଟା କରନ୍ତୁ । ଏକାଠି ମିଶ୍ରିତ ଅନେକ ଫଳ ନିଅନ୍ତୁ ନାହିଁ କିମ୍ୱା ଗୋଟିଏ ଦିନରେ ଅତ୍ୟଧିକ ଫଳ ଖାଆନ୍ତୁ ନାହିଁ ।

ପଞ୍ଚମ ଟିପ୍ସ –

ଫଳ ଖାଇଥିବା ର ଦୁଇ ଘଣ୍ଟା ପରେ ମଧ୍ୟାହ୍ନ ଭୋଜନ ନିଅନ୍ତୁ । ମଧ୍ୟାହ୍ନ ଭୋଜନରେ ଦୁଇଟି ରୁଟି , ଡାଲି, ପନିପରିବା, କଞ୍ଚା କଦଳୀ ଭଜା ଇତ୍ୟାଦି ଖାଇପାରିବେ । ସପ୍ତାହରେ ଥରେ ମଧ୍ୟାହ୍ନ ଭୋଜନ ରେ ସିଝା ପନିପରିବା ଖାଆନ୍ତୁ । ଖିଚିଡି ମଧ୍ୟ ଖାଇପାରିବେ । ସପ୍ତାହରେ ଥରେ କେବଳ ବହଳିଆ ଫଳ ରସ ପିଅନ୍ତୁ । ଯଦି ଫଳ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ ବ୍ୟବଧାନ ଅଧିକ ତେବେ ଆପଣ ରସ ଗୋଟେ ଗ୍ଲାସ୍ ନେଇପାରିବେ ।

ଷଷ୍ଠ ଟିପ୍ସ –

ମଧ୍ୟାନ୍ନ ଭୋଜନ ଏବଂ ରାତ୍ରି ଭୋଜନ ମଧ୍ୟରେ ଭୋକ ଲାଗିବା ସ୍ୱାଭାବିକ୍ । ତେଣୁ ଦୋସା, ମୋମୋ , ଚାଓମିନ୍ ବଦଳରେ କିଛି ସ୍ୱାସ୍ଥ୍ୟକର ଖାଆନ୍ତୁ । ଗୋଟେ ଗ୍ଲାସ୍ ବଟର ମିଲ୍କ ନିଅନ୍ତୁ । ବଟର ମିଲ୍କରେ ପାଟିକୁ ମିଳିବ ସ୍ୱାଦ ଏବଂ ଭୋକ ମଧ୍ୟ କମିଯିବ । ଆପଣ ସାଲାଡ, ପୋହା ଭଳି କୌଣସି ହାଲୁକା ଜିନିଷକୁ ସ୍ନାକ୍ସ ଭାବରେ ନେଇପାରିବେ । ଯାହାଫଳରେ ଓଜନ ନିୟନ୍ତ୍ରଣରେ ରହିବ ଏବଂ ଗ୍ୟାସ ସମସ୍ୟା ଦେଖା ଦେବନାହିଁ ।

ସପ୍ତମ ଏବଂ ଶେଷ ଟିପ୍ସ –

ଏହା ପରେ ରାତ୍ରୀ ଭୋଜନ କରନ୍ତୁ । ରାତି ୮ ରୁ ୮:୩୦ ମଧ୍ୟରେ ରାତ୍ରୀ ଭୋଜନ କରିବାକୁ ଚେଷ୍ଟା କରନ୍ତୁ । ରାତ୍ରୀ ଭୋଜନ ଶୀଘ୍ରକଲେ ଶୀଘ୍ର ନିଦ ହେବାର ସମ୍ଭାବନା ଥାଏ । ପନିପରିବା ତରକାରୀ ଏବଂ ଗୋଟିଏ କିମ୍ବା ଦୁଇଟି ରୁଟି ଖାଆନ୍ତୁ । ରାତିରେ ରୁଟି ସଂଖ୍ୟା ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ଏହା ବଦଳରେ ଅଧିକ ପନିପରିବା ଖାଆନ୍ତୁ । ଖାଇବାର ୩୦ ମିନିଟ୍ ପରେ ଆପଣ ଶୋଇବାକୁ ଯାଇପାରିବେ । ରାତି ରେ ଭଲ ନିଦ ହେଲେ ଆସନ୍ତା ଦିନଟି energetic ଲାଗେ । ମାନସିକ ଚାପ କମିବା ସହ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସୁସ୍ଥ ରହେ ।

ଉପରୋକ୍ତ ସାତୋଟି ଟିପ୍ସ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଓଜନ ହ୍ରାସ ରେ ବହୁତ ସହାୟକ ହୁଏ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

ଏହି ଡାଏଟ୍ ଚାର୍ଟ ଟି ସାଧାରଣ ଲୋକଙ୍କ ପାଇଁ –

ଡାଏଟିସିଆନ୍ କହିଛନ୍ତି ଯେ ଏହି ଡାଏଟ୍ ଚାର୍ଟ ସାଧାରଣ ଲୋକଙ୍କ ପାଇଁ ଏବଂ ଯେଉଁମାନେ ଦିନସାରା ଘରେ ଖାଆନ୍ତି କିନ୍ତୁ ଶାରୀରିକ ବ୍ୟାୟାମ କରନ୍ତି ନାହିଁ । ତାଙ୍କପାଇଁ ଏହା ଉଦ୍ଧିଷ୍ଟ । ଯଦି ଜଣେ ବ୍ୟକ୍ତି ମଧୁମେହ, ହୃଦ ରୋଗ ଇତ୍ୟାଦିରେ କିମ୍ୱା କୌଣସି ଗମ୍ଭୀର ରୋଗରେ ପୀଡିତ, ତେବେ ସେମାନଙ୍କ ପାଇଁ ଏହି ଡାଏଟ୍ ଚାର୍ଟରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ତେଣୁ, କୌଣସି ଡାଏଟ୍ ଅନୁସରଣ କରିବା ପୂର୍ବରୁ, ଥରେ ବିଶେଷଜ୍ଞଙ୍କ ସହିତ କିମ୍ୱା ନିକଟସ୍ଥ ଡାକ୍ତରଙ୍କ ପାଖରେ ପରାମର୍ଶ କରନ୍ତୁ । ଡାଏଟିଂ ବ୍ୟତୀତ କିଛି ବ୍ୟାୟାମ କରନ୍ତୁ, ଏହା ଆପଣଙ୍କ ଶରୀରକୁ ଠିକ୍ ରଖିବ । ବାହାରେ ବିକ୍ରି ହେଉଥିବା ଜଙ୍କ୍ ଫୁଡ୍, ଫାଷ୍ଟଫୁଡ୍, ଶର୍କରା ପାନୀୟରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଏହିପରି କିଛି ଖାଇବାକୁ ଚାହୁଁଛନ୍ତି, ତେବେ ଏହାକୁ ମାସରେ ଥରେ ଘରେ ପ୍ରସ୍ତୁତ କରନ୍ତୁ ଏବଂ ପାଟିର ସ୍ୱାଦ ପାଇଁ ଖୁବ୍ ଅଳ୍ପ ଖାଆନ୍ତୁ । ଏହାକୁ କିଛି ଲୋକ ଚିଟ୍ ମିଲ୍ ବୋଲି କହନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )