Friday 19th April 2024
Career: ଆଶୁତୋଷ ମିଶ୍ର,ଆନିମେସନ୍ ରେ କ୍ୟାରିୟର କରି ଆଜି ସଫଳ…

Career: ଆଶୁତୋଷ ମିଶ୍ର,ଆନିମେସନ୍ ରେ କ୍ୟାରିୟର କରି ଆଜି ସଫଳ…

ଅନେକ ଯୁବପିଢିଙ୍କୁ ଯୋଗାଉଛନ୍ତି ପ୍ରେରଣା

ପିଲାଦିନେ ପ୍ରାୟତଃ ସମସ୍ତେ ଟେଲିଭିଜିନରେ କାର୍ଟୁନ ସିରିଜ୍ ଦେଖିଥିବେ । ସେତେବେଳେ ଛୋଟପିଲା ମାନଙ୍କର କାର୍ଟୁନ ଦେଖିବାର ଉତ୍ସାହ ଦେଖି ବହୁତ ପ୍ରକାରର ଶୋ ଆସିବା ଆରମ୍ଭ ହୋଇଥିଲା-ଯେମିତିକି ଛୋଟା ଭିମ୍‌,ଡୋରେମନ୍‌,ବାଲ୍ ଗଣେଷ ଇତ୍ୟାଦି । କିନ୍ତୁ ସେତେବେଳେ ବି ଅନେକ ଭାବୁଥିବେ ଯେ ଏହିସବୁ କେମିତି ଓ କେଉଁମାନେ ତିଆରି କରନ୍ତି ? ଓ ସେମାନେ କେଉଁ ପାଠ ପଢିଲେ ଏହିଭଳି କାମ କରିବାର ସୁଯୋଗ ପାଉଥିବେ ?

ତେବେ ଏହାକୁ ଆନିମେସନ୍ କୁହାଯାଏ । ଆନିମେସନର ଟେକ୍‌ନିକ୍ ବ୍ୟବହାର କରି ବିଭିନ୍ନ ସଜୀବ ଓ ନିର୍ଜିବ ବସ୍ତୁର ଚରିତ୍ରକୁ ଫୋଟଚିତ୍ରର ଆକାର ଦେଇ ତାହାକୁ ଭିଡିଓ ମାଧ୍ୟମରେ ଚଳନ୍ତି ପ୍ରକାଶ କରିବାକୁ କୁହାଯାଏ ଆନିମେସନ୍ । ଆଜିକାଲି ଟେଲିଭିଜିନ ଓ ଫିଲ୍ମ ଦୁନିଆରେ ବିଜ୍ଞାପନ ଉଦ୍ୟୋଗରେ ଆନିମେସନ ଏବଂ ସ୍ପେସାଲ ଇଫେକ୍ଟସର ଚାହିଦା ଖୁବ୍ ଅଧିକ । ଆପଣମାନେ ବାହୁବଳୀ,ରୋବର୍ଟ,ଅବତାର୍ ଆଦି ଅନେକ ବିଗ୍ ବଜେଟ୍ ଫିଲ୍ମରେ ଆନିମେସନ୍ ର ଝଲକ ପାଇଥିବେ । ଖାଲି ଟିଭି କି ଫିଲ୍ମରେ ଆନିମେସନ୍ ସୀମିତ ହେଇ ନାହିଁ ,ବରଂ ଗେମ୍ସ,ଆଡଭଟାଇଜିଂ,ନ୍ୟୁଜ,ପ୍ରିଟିଙ୍ଗ,େଓବ୍ ଡିଜାଇନିଂ,ସପିଙ୍ଗ ସାଇଟ୍ ଆଦି ବିଭିନ୍ନ କ୍ଷେତ୍ରରେ ରହିଛି ଆନିମେସନ୍ ର ଆବଶ୍ୟକତା । ଆଉ ଆଜି ପ୍ରାୟତଃ ଅଧିକାଂଶ ଯୁବପିଢି ଏହା ଉପରେ ହିଁ ନିଜର କ୍ୟାରିୟର କରିବାକୁ ଚାହାନ୍ତି । ଚାଲନ୍ତୁ ଆଜି ସେମିତି ଜଣେ ଖାସ୍ ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବା ଯିଏ ଆନିମେସନ୍ ଦୁନିଆରେ ପାଦ ଥାପି ଆଜି ଅନେକ ଯୁବପିଢିଙ୍କୁ ପ୍ରେରଣା ଯୋଗାଉଛନ୍ତି ଓ ନିଜେ ଏକ ଆନିମେସନ୍ ଇନଷ୍ଟିଚ୍ୟୁଟ ମଧ୍ୟ ଚଲାଉଛନ୍ତି । ଆଶୁତୋଷ ମିଶ୍ର ଜଣେ ୨୫ ବର୍ଷର ଯୁବକ କିନ୍ତୁ ସେ ଏତେ କମ୍ ବୟସରେ ବି ନିଜ ଇଚ୍ଛାଶକ୍ତି ପାଇଁ ଆଜି ଅନେକ କିଛି ହାସଲ କରିପାରିଛନ୍ତି । ତାଙ୍କ ଆନିମେସନ ପାଠ ପଢା, ତାଙ୍କ ପିଲାଙ୍କ ପାଇଁ ଆନିମେସନ ଇନ୍ସଟିଟିଉଟର ଆରମ୍ଭ ଏ ସବୁ ବିଷୟରେ ଆଲୋଚନା ଆଶୁତୋଷ ମିଶ୍ରଙ୍କ ସହ ॥।

କାହିଁକି ପଢିଲେ ଆନିମେସନ୍ ? କିଏ ଦେଇଥିଲେ ପ୍ରେରଣା?

“ଛୋଟବେଳୁ ମୋତେ ବିଭିନ୍ନ କାର୍ଟୁନ ସିରିଜ୍‌,ଭିଡିଓ,ଫିଲ୍ମ ଦେଖିବାକୁ ଭଲ ଲାଗେ । ହେଲେ ବଡ ହେବା ପରେ ଏସବୁ ପ୍ରତି ମୋର ଆଗ୍ରହ ଓ ଇଚ୍ଛା ଆହୁରୀ ଦ୍ୱିଗୁଣା ବଢିଗଲା । ମୋର ସବୁଠୁ ଅଧିକ ପସନ୍ଦ ଥିଲା ବେନ୍ ଟେନ୍ ର ସିରିଜ୍ ,ମାର୍ଭଲର ସିରିଜ୍ .ମୁଁ ଭାବୁଥିଲି କେମିତି ମୁଁ ବି ଏସବୁ ବନେଇପାରିବି ? ମୋର ଜଣେ ବଡ ଭାଇ ଶୁଭେନ୍ଦୁ ଯିଏକି ଆନିମେସନ୍ ପାଠ ପଢୁଥିଲେ ଓ ଧରିତ୍ରୀରେ କାମ ମଧ୍ୟ କରୁଥିଲେ । ମୁଁ ତାଙ୍କଠୁ ଭଲ ଭଲ ଆନିମେସନ୍ ଇନଷ୍ଟିଚ୍ୟଟ୍ ବିଷୟରେ ଜାଣିଲି ଓ ଭୁବନେଶ୍ୱର ଜିକାରେ ଆନିମେସନ୍ ପଢିବାର ନିର୍ଣ୍ଣୟ ନେଇ ଏଇ ଲାଇନରେ ନିଜର ଯାତ୍ରା ଆରମ୍ଭ କଲି ।”

ଆନିମେସନ ଛାତ୍ରରୁ ଗୋଟିଏ ଆନିମେସନ୍ ଇନଷ୍ଟିଚ୍ୟୁଟର ଏମ୍‌ଡିର ଯାତ୍ରା କେମିତି ଥିଲା ?

“ମୁଁ କୋର୍ସ କରିସାରିବା ପରେ କେବେ ବି ଚାକିରୀ କଥା ଭାବିନାହିଁ । ମୋତେ ବ୍ୟକ୍ତିଗତ ଭାବେ କାହାକୁ ପଢେଇବା ପାଇଁ ବେଶି ଭଲଲାଗେ । ତେଣୁକରି ମୁଁ ୍‌ଯାହା ଶିଖିଲି ତାକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ସ୍ଥିର କଲି । ଯେଉଁ ପିଲାମାନେ ଆନିମେସନ୍ ପଢିବାକୁ ଆଗ୍ରହୀ କିନ୍ତୁ ଟଙ୍କା ଅଭାବରୁ ଏହି ପାଠ ପଢିବାକୁ ସୁଯୋଗ ପାଆନ୍ତି ନାହିଁ ସେମାନଙ୍କୁ ଅଳ୍ପ ପଇସାରେ ଆନିମେସନ୍ ପଢାଇବାର ନିଷ୍ପତ୍ତି ନେଲି । ସେଥିପାଇଁ ମୁଁ ଲୋଟସ୍ ଆନିମେସନ୍ କଂମ୍ପାନୀ ଆରମ୍ଭ କଲି ଓ ପିଲାମାନଙ୍କୁ ଖୁବ୍ କମ୍ ମୂଲ୍ୟରେ ଆନିମେସନ୍ କ୍ଷେତ୍ରରେ ଅଧିକରୁ ଅଧିକ ଶିଖିବାକୁ ମିଳୁ ବୋଲି ଚେଷ୍ଟା କଲି ।’’

 

ଆନିମେସନ୍ ରେ ଜଣେ କେମିତି ନିଜର କ୍ୟାରିୟର କରିପାରିବେ ?

“ଆନିମେସନ୍ ଲାଇନ୍ ରେ ଜଣେ ଦଶମ ପାସ୍ କରି କିମ୍ବା ପ୍ଲସ-୨ ପାସ୍ କରିବା କୋର୍ସ କରିପାରିବେ । କିନ୍ତୁ ବିଶେଷତଃ ଦଶମ ପରେ କଲେ ବେଶି ଭଲ । ଆରମ୍ଭରୁ ଆନିମେସନ୍ ର ମୂଳଦୂଆ ପଡିଲେ ଜାଣିବାକୁ ଶିଖିବାକୁ ଆଗକୁ ଅନେକ ସମୟ ଥାଏ । ଏବଂ ଏହି ଲାଇନରେ କାମ କରିବାକୁ ହେଲେ ଚିତ୍ର ଆଙ୍କିବା,ଏବଂ ଆର୍ଟିଷ୍ଟିକ ଲାଇନରେ ରୁଚି ରହିବା ବି ଦରକାର । ଯଦି ଜଣଙ୍କର ଚିତ୍ର ଆଙ୍କିବା ଭଲ ହେଉଥିବ ସେ ନିଶ୍ଚିତ ରୂପେ ଏହି ଲାଇନ୍ ରେ ଆଗକୁ ଭଲ କରିପାରିବ । ଜଣେ ପାଖାପାଖି ୧ବର୍ଷରୁ ୨ ବର୍ଷର କୋର୍ସ କଲେ ଏହି ଲାଇନରେ ନିଜର ଭଲ କ୍ୟାରିୟର କରିପାରିବେ ।”

ଆନିମେସନ୍ ରେ ଓଡିଶାରେ କେମିତି ରହିଛି ନିଯୁକ୍ତିର ସୁଯୋଗ ?

“ଆଗରୁ ଆନିମେସନ୍ ଲାଇନରେ ଓଡିଶାରେ ବିଶେଷ କିଛି କାମ ନଥିଲା । ଯାହା ବି ହେଉଥିଲା ତାହା ଖୁବ୍ କମ୍ ବେତନ ଅନୁସାରେ ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିଲାଣି,ତେଣୁକରି ଓଡିଶାରେ ବି ଆନିମେସନ୍ କ୍ଷେତ୍ରରେ ବିଭିନ୍ନ ସୁଯୋଗ ସୃଷ୍ଟି ହେଲାଣି । ଆନିମେସନ୍ ପାଠ ପଢି ଆଉ ବିଦେଶକୁ କିମ୍ବା ଅନ୍ୟରାଜ୍ୟକୁ ପିଲାମାନେ ଯିବା ଆବଶ୍ୟକ ନାହିଁ । ଏଇ ଓଡିଶାରେ ପଢି ୧ ବର୍ଷ ରୁ ୨ ବର୍ଷ ଭିତରେ ଆରମ୍ଭରୁ ୨୦ ରୁ ୨୫ ହଜାର ବେତନ ପାଇବା ଭଳି ଚାକିରୀ କରିପାରିବେ ।’’

ଆନିମେସନ୍ ମାନେ କଣ ?

“ଆନିମେସନ୍ ମାନେ କିଛିଟା ଫୋଟର ମିଶ୍ରଣ । ଅର୍ଥାତ ଯଦି ଏବେ ଏକ ଚରିତ୍ର ତିଆରି କରାଯାଉଛି । ସେ କେମିତି ହସିବ,ସେ କେମିତି ଚାଲିବ,ସେ କେମିତି ଦେଖିବ ସେ ସବୁକୁ ବିଭିନ୍ନ ଆକାରରେ ଚିତ୍ର ମାଧ୍ୟମରେ ପ୍ରଥମେ ପରିବେଷଣ କରାଯାଏ । ଯାହାକୁ ଆମେ ଆନିମେସନ୍ ଭାଷାରେ ୨୪ ଫ୍ରେମ କରି ଅର୍ଥାତ ସେଥିରେ ମିନିମମ୍ ୨୪ଟି ଫଟୋର ବ୍ୟବହାର କରାଯାଏ । ଏହାଠୁ ଅଧିକ ବି ବ୍ୟବହାର ହୁଏ । ଆଉ ଏସବୁକୁ ଏକାସାଙ୍ଗରେ ଚଲାଇବା ପରେ ଏହାକୁ ମୋସନ୍ ଦେଲା ପରେ ଏହା ଆନିମେସନ୍‌ରେ ପରିଣତ ହୁଏ । ଆଉ ଆନିମେସନ୍ ବହୁତ ପ୍ରକାରର ରହିଛି-୨ଡି ଆନିମେସନ୍ ୩ଡି-ଆନିମେସନ୍ ମାୟା ଆଦି ବିଭିନ୍ନ ପ୍ରକାରର କାମକୁ ଆନିମେସନ୍ ପାଠ କୁହାଯାଏ । ଆପଣମାନେ ଯେଉଁ ଗେମ୍ ଖେଳୁଛନ୍ତି ତାହା ବି ଆନିମେସନ୍ ଦ୍ୱାରା ହିଁ ହୋଇଥାଏ । ଏଥିରେ ଆର୍ଟିଷ୍ଟିକ ହେବା ଯେତିକି ଜରୁରୀ ନୁହେଁ ଟେକନିକାଲ ଜିନିଷର ଜ୍ଞାନ ରହିବା ସେତିକି ଜରୁରୀ ।”

ଆଜିକାଲିର ଯୁବପିଢି ନିଜ ଚାକିରୀକୁ ନେଇ ଦ୍ୱନ୍ଦରେ ତେଣୁକରି ସେମାନଙ୍କୁ ଆପଣ କଣ ମେସେଜ୍ ଦେବାକୁ ଚାହିଁବେ ?

“ମୁଁ ଏତିକି କହିବି ଯେ ଆଜିକାଲି ପିଲାମାନଙ୍କ ପାଇଁ ଚାକିରୀ କରିବା ମାନେ ନୁହେଁ ସରକାରୀ ଚାକିରୀ କରିବା । ଡିଜିଟାଲ କ୍ଷେତ୍ରରେ ହେଉ କିମ୍ବା ଏହିଭଳି ଆନିମେସନ୍ କ୍ଷେତ୍ରରେ ନିଜର ଭବିଷ୍ୟତ ଦେଖିପାରିବେ । ତାସହ ନିଜ ରୁଚିକୁ ନିଜ ବୃତ୍ତି କରିବାର ସୁଯୋଗ ଏବେ ସବୁଆଡେ ରହିଛି । କେବଳ ଆଗ୍ରହର ସହ କାମ କରିପାରିଲେ ଆନିମେସନ୍ ଲାଇନ୍ ରେ ବହୁତ ଭଲ ଓ ଉଜ୍ଜଳ ଭବିଷ୍ୟତ ରହିଛି ।”

ଲୋଟସ୍ ଆନିମେସନ୍ ରେ ଯୋଗ ଦେଲେ କଣ ସୁବିଧା ରହିଛି ?

“ଲୋଟସ୍ ଆନିମେସନ୍ ରେ ପିଲାମାନଙ୍କୁ ଖୁବ୍ ଅଧିକ ସୁଯୋଗ ମିଳିବ ନୂଆ ନୂଆ ଜିନିଷ ଶିଖିବାରେ । କାହିଁକି ନା ଏଠାରେ ଆମେ ଖୁବ୍ କମ୍ ଟଙ୍କାରେ ପିଲାମାନଙ୍କୁ ଅଧିକ ଆନିମେସନ୍ ଜଡିତ ପାଠ ଶିଖାଇଥାଉ  । କେବଳ ସେତିକି ନୁହେଁ ପାଠ ପରେ ବି ସେମାନଙ୍କର ନିଯୁକ୍ତ କେଉଁଠି ଓ କିଭଳି ହୋଇପାରିବ ତାର ବ୍ୟବସ୍ଥା ମଧ୍ୟ କରିଥାଉ । ଏଠାକୁ ଶିଖିବା ଉଦ୍ଦେଶ୍ୟରେ ଯିଏ କେହି ବି ଆସିବେ ତାଙ୍କୁ ଅନେକ କିଛି ସୁବିଧା ମିଳିପାରିବ ।”

CATEGORIES
TAGS
Share This

COMMENTS

Wordpress (0)
Disqus (0 )