Monday 20th January 2025
ଆଲୋକର ପର୍ବ ଦୀପାବଳୀ ! ସବୁ ଧର୍ମରେ ରହିଛି ଏହି ପର୍ବର ମାହାତ୍ମ୍ୟ…ଜାଣନ୍ତୁ କେମିତି ?

ଆଲୋକର ପର୍ବ ଦୀପାବଳୀ ! ସବୁ ଧର୍ମରେ ରହିଛି ଏହି ପର୍ବର ମାହାତ୍ମ୍ୟ…ଜାଣନ୍ତୁ କେମିତି ?

ହିନ୍ଦୁ ଧର୍ମକୁ ବିଶ୍ୱର ସର୍ବ ପୁରାତନ ଧର୍ମ ଭାବରେ ବିବେଚନା କରାଯାଏ । ଆଉ ଏଥିରେ ପର୍ବ ପର୍ବାଣୀର ଅନେକ ଗୁରୁତ୍ୱ ରହିଛି । ସେଥିମଧ୍ୟରୁ ଦୀପାବଳୀ ଅନ୍ୟତମ । ପୁରାଣ ଅନୁସାରେ ତ୍ରେତେୟା ଯୁଗରୁ ଦୀପାବଳୀ ଆରମ୍ଭ ହୋଇଛି । କିନ୍ତୁ ଭୌଗୋଳିକ ସମ୍ପ୍ରଦାୟ ମଧ୍ୟରେ ଏହାର ଉତ୍ପତିକୁ ନେଇ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳେ । ତଥାପି ଏହି ପର୍ବ ପଛରେ ଅନେକ ବିଜୟର କାହାଣୀ ଅଛି ।  ସାଧରଣତଃ କାର୍ତ୍ତିକ ମାସ ଅମବାସ୍ୟା ଦିନ ଦୀପାବଳୀ ପାଳନ କରାଯାଏ । ଦୀପାବଳୀ ରାତିକୁ ବିଶ୍ୱର ସବୁଠୁ ଅଧିକ କଳାରାତି ବୋଲି କୁହାଯାଏ । ତେଣୁ ଏହି ଦିନ ଲୋକେ ଦୀପ ବା କ୍ୟାଣ୍ଡେଲ ଜାଳି ଅନ୍ଧକାରକୁ ପରାଜିତ କରି ପରିବେଶକୁ ଆଲୋକିତ କରନ୍ତି । ତେବେ ଆସନ୍ତୁ ଜାଣିବା ପୁରାଣ ଅନୁସାରେ ଦୀପାବଳିର କ’ଣ ସବୁ ମାହାତ୍ମ୍ୟ ରହିଛି…

ଉତ୍ତର ଭାରତରେ ଭଗବାନ ଶ୍ରୀରାମଙ୍କ ଜୀବନ କାହାଣୀ ସହିତି ଦୀପାବଳୀ ଜଡିତ । ସାବତ ମା’ଙ୍କ ଷଡଯନ୍ତ୍ରର ଶିକାର ହୋଇ ରାମ ୧୪ ବର୍ଷ ବନବାସ ଯାଇଥିଲେ । ଆଉ ଏହି କାର୍ତ୍ତିକ ମାସ ଅମବାସ୍ୟା ଦିନ ସେ ଅଯୋଧ୍ୟାକୁ ଫେରିଥିଲେ । ତେଣୁ ତାଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟା ନଗରୀକୁ ଦୀପ ଜାଳି ଆଲୋକିତ କରାଯାଇଥିଲା । ସେବେଠାରୁ ଦୀପାବଳୀ ପାଳନ ହେଉଥିବା ମାନ୍ୟତା ରହିଛି ।

ସେପଟେ ଦକ୍ଷିଣ ଭାରତରେ କିନ୍ତୁ ଦୀପାବଳୀକୁ ନେଇ ଭିନ୍ନ ଏକ ମାନ୍ୟତା ରହିଛି । ସେମାନେଙ୍କ ବିଶ୍ୱାସ ରହିଛି ଯେ, ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦିନ ନରାକାସୁରକୁ ବଧ କରିଥିଲେ । ଆଉ ସେହି ଭୟଙ୍କର ରାକ୍ଷସ କବଳରୁ ୧୬୦୦୦ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେପଟେ ପଶ୍ଚିମ ଭାରତରେ ଏହି ଉତ୍ସବ ଭଗବାନ ବିଷ୍ଣୁ ଓ ରାଜା ବାଲିଙ୍କ କାହାଣୀ ଉପରେ ଆଧାରିତ । ବାଳିଙ୍କ ଅପାର ଶକ୍ତି ଦେବତାମାନଙ୍କ ପାଇଁ ବିପଦ ପାଲଟିଥିଲା । ତେଣୁ ବିଷ୍ଣୁ ତାଙ୍କୁ ଏହି କାର୍ତ୍ତିକ ଅମବାସ୍ୟା ଦିନ ପାତାଳି କରିଥିଲେ ।

ଭାରତର ତିନୋଟି ସଂଖ୍ୟାଲଘୁ ଶିଖ୍, ଜୈନ ଏବଂ ବୌଦ୍ଧ ଧର୍ମରେ ବି ଦୀପାବଳୀକୁ ନେଇ ଅନେକ କାହଣୀ ରହିଛି । ପନ୍ଦର ଶହ ଶତାବ୍ଦୀର ଶେଷ ଭାଗରେ ହିନ୍ଦୁ ଧର୍ମ ମଧ୍ୟରେ ଏକ ଆନ୍ଦୋଳନ ଭାବରେ ଉଭା ହୋଇଥିଲା ଶିଖ୍ ଧର୍ମ । ସତର ଶହ ଶତାବ୍ଦୀରେ ଏହାର ଷଷ୍ଠ ଗୁରୁ-ଗୁରୁ ହରଗୋବିନ୍ଦଙ୍କୁ ମୋଗଲ ସମ୍ରାଟ ଜାହାଙ୍ଗୀର ବନ୍ଦି କରି ରଖିଥିଲେ । ଆଉ ଆଜିର ଦିନରେ ୧୨ ବର୍ଷ ପରେ ଗୁରୁ ହରଗୋବିନ୍ଦ ଓ ତାଙ୍କ ୫୨ ଜଣ ଅନୁଗାମୀ ଜେଲରୁ ମୁକୁଳିଥିଲେ ।

ଜୈନଙ୍କ ବିଶ୍ୱାସ ରହିଛି ଯେ , ଦୀପାବଳୀ ଖ୍ରୀଷ୍ଚପୂର୍ବ ପ୍ରଥମ ଶତାବ୍ଦୀରୁ ଆରମ୍ଭ । ଜୈନ ଧର୍ମର ୨୪ତମ ତୀର୍ଥଙ୍କର ମହାବୀର ଏହି ଦିନ ନିର୍ବାଣ ପାଇଥିଲେ । ସେହିପରି ବୌଦ୍ଧ ଧର୍ମରେ ବି ଦୀପାବଳୀର ବର୍ଣ୍ଣନା ରହିଛି । କାର୍ତ୍ତିକ ମାସ ଆମାବସ୍ୟା ଦିନ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ସହ ତାଙ୍କର ପ୍ରତ୍ୟକ ଜନପଦରେ ସ୍ତୁପ ନିର୍ମାଣ କରି ଗୋଟିଏ ଗୋଟିଏ ଦୀପ ଜାଳିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ।

ଏହି କାହାଣୀଗୁଡିକ ବ୍ୟତୀତ, ଦୀପାବଳୀ ଧନ ଓ ଭାଗ୍ୟର ଦେବୀ ଲକ୍ଷ୍ମୀଙ୍କ ଉତ୍ସବ ଅଟେ । ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ । ଶୀତ ପୂର୍ବରୁ ଚାଷୀମାନେ ସେମାନଙ୍କ ଶେଷ ଅମଳ କରିଥାନ୍ତି । ଯାହାକୁ ସେମାନେ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି । ସେପଟେ ବ୍ୟବସାୟୀମାନେ ଦୀପାବଳୀକୁ ଆର୍ଥିକ ନୂତନ ବର୍ଷର ପ୍ରଥମ ଦିନ ବୋଲି ବିଚାର କରନ୍ତି । ତେବେ ଦୀପାବଳୀ କେବଳ ଭାରତ ନୁହେଁ, ନେପାଳ, ଶ୍ରୀଲଙ୍କା, ଭିଏତନାମ ପରି ଅନେକ ବୌଦ୍ଧ ବହୁଳ ଦେଶରେ ପାଳନ କରାଯାଏ ।

କିପରି ପାଳନ କରାଯାଏ ଦୀପାବଳୀ ?

ଯେପରି ଦୀପାବଳିର କିମ୍ବଦନ୍ତୀ ଅଞ୍ଚଳଠାରୁ ଭିନ୍ନ, ସେହିପରି ଏହାର ପାଳନ ପଦ୍ଧତି ମଧ୍ୟ ଭିନ୍ନ । କିନ୍ତୁ ସବୁସ୍ଥାନରେ ସାମଞ୍ଜସ୍ୟ ହେଉଛି, ତାହା ହେଉଛି ମିଠା, ପାରିବାରିକ ସମାବେଶ, ଏବଂ ମାଟି ଦୀପ ଜାଳିବା । ଯାହା ଘରର ଆଧ୍ୟାତ୍ମିକ ଅନ୍ଧକାରରୁ ରକ୍ଷା କରିଥାଏ ।

ସାଧାରଣତଃ ଦୀପାବଳିର ପାଞ୍ଚ ଦିନ ପାଳନ କରାଯାଏ । ପ୍ରଥମ ଦିନରେ ଲୋକମାନେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ପିଠାପଣା ତିଆରି କରିବା ସହ ଦୀପ ଜାଳନ୍ତି ଏବଂ ରଙ୍ଗବେରଙ୍ଗର ଚିତା କାଟନ୍ତି । ତୃତୀୟ ଦିନ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ଲୋକମାନେ ମନ୍ଦିରକୁ ଯାଇପାରନ୍ତି। ବନ୍ଧୁ ଏବଂ ପରିବାରଙ୍କ ସହ ଭୋଜିଭାତ ହୁଏ । ପ୍ରଥମ ଦିନ ପରି ଦୀପ ଜାଳିବା ସହ ବାଣ ଫୁଟାଇ ଖୁସି ମନାନ୍ତି ।

ଅନେକଙ୍କ ପାଇଁ ତୃତୀୟ ଅପକ୍ଷା ଚତୁର୍ଥ ଦିନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହାକୁ ନୂତନ ବର୍ଷର ଆରମ୍ଭ ବୋଲି କୁହନ୍ତି ଏବଂ ଶୁଭେଚ୍ଛା ସହ ଉପହାରର ଆଦାନ ପ୍ରଦାନ କରନ୍ତି। ଶେଷରେ, ପଞ୍ଚମ ଦିନ ସାଧାରଣତଃ ଭାଇ ଭଉଣୀମାନଙ୍କ ପାଳନ ପାଇଁ ଉତ୍ସର୍ଗୀକୃତ । ବର୍ଷ ବର୍ଷ ଧରି ଭାରତର ସବୁଠୁ ବଡ ଛୁଟିଦିନରେ ଦୀପାବଳି ପରିଣତ ହେଉଛି । ଦୋକାନୀମାନେ ଏହାର ଖୁବ ଫାଇଦା ଉଠାନ୍ତି । ଆତସବାଜି ଏହି ଉତ୍ସବର ଏକ ପ୍ରମୁଖ ଅଂଶ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )