Thursday 25th April 2024
ରିଲିଜ ପୂର୍ବରୁ ବନ୍ଦ ହେଇଗଲାଣି ‘ଆଦିପୁରୁଷ’ର ରାସ୍ତା

ରିଲିଜ ପୂର୍ବରୁ ବନ୍ଦ ହେଇଗଲାଣି ‘ଆଦିପୁରୁଷ’ର ରାସ୍ତା

ଟିଜର ରିଲିଜ୍ ପରଠୁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ମୁସ୍କିଲ ବଢିବାରେ ଲାଗିଛି। ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀର ଏକ ଅଦାଲତରେ ଯାଚିକା ଦାୟର କରାଯାଇଛି। ଚଳଚ୍ଚିତ୍ରରେ ଯେଉଁଭଳି ଭଗବାନ ରାମ ଏବଂ ରାବଣଙ୍କୁ ଚିତ୍ରଣ କରାଯାଇଛି, ଏହାକୁ ଦର୍ଶକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଭଗବାନ ରାମ ଏବଂ ହନୁମାନ ଚମଡା ପଟି ପିନ୍ଧିବା ଅନୁଚିତ୍ ଏବଂ ଭୁଲ୍ ଚିତ୍ରଣ କରାଯାଉଥିବା ଆବେଦନ ଜରିଆରେ ଅଭିଯୋଗ କରାଯାଇଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଛି।  ତେଣୁ ଏହାକୁ ରୋକ୍ ଲଗାଇବାକୁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ। ଫିଲ୍ମର ଟିଜର ଗତ ସପ୍ତାହରେ ଜାରି କରାଯାଇଥିଲା। ଫିଲ୍ମରେ ଲଙ୍କେଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଖୁବ୍ ସମାଲୋଚନା କରାଯାଉଛି। ରାମାୟଣର ଇସଲାମୀକରଣ କରାଯାଉଥିବା ଅଭିଯୋଗ ଉଠିଛି।

 

ହନୁମାନଙ୍କ ଚିତ୍ରଣ ଦାଢି ସହିତ ବିନା ନିଶରେ କରାଯାଇଛି ଏବଂ ସେ ଚମଡା ବସ୍ତ୍ର ପରିଧାନ କରିଛନ୍ତି। ଏହାକୁ ନେଇ ଲୋକେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭଗବାନ ରାମ ମଧ୍ୟ ଚମଡା ଚପଲ ପିନ୍ଧିଛନ୍ତି ଏବଂ ତାଙ୍କ ମୁହଁରେ ନିଶ ଥିବା ଦେଖିବାକୁ ମିଳିଛି। ଏହି ସବୁ ବିବାଦ କାରଣରୁ ଫିଲ୍ମର ଆଗାମୀ ରାସ୍ତା ବହୁତ ମୁସ୍କିଲ ହୋଇ ପଡିଛି। ଏଥିରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ଆସି ସାରିଛି। ଆଦିପୁରୁଷରେ ବିବାଦୀୟ ଦୃଶ୍ୟକୁ ନ ହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନେକ ନେତା ନିର୍ଦ୍ଦେଶକ ଓମ ରାଉତଙ୍କୁ ଚେତାବନୀ ଦେଇଛନ୍ତି। ଗୁରୁବାର ସର୍ବ ବ୍ରାହ୍ମଣ ମହାସଭା ଓମ୍‌ଙ୍କୁ ନୋଟିସ୍‌ ଦେଇଛି। ତାଙ୍କୁ କୁହାଯାଇଛି ଯେ, ଚଳଚ୍ଚିତ୍ରରେ ଥିବା ସମସ୍ତ ଆପତ୍ତିଜନକ ସିନ୍‌କୁ ହଟାଇ ଦିଅନ୍ତୁ ନହେଲେ ତାଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସର୍ବ ବ୍ରାହ୍ମଣ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ ମିଶ୍ରଙ୍କ ପକ୍ଷରୁ ଓକିଲ କମଳେଶ ଶର୍ମା ଏହି ନୋଟିସ୍‌ ପଠାଇଛନ୍ତି। ନୋଟିସ୍‌ରେ କୁହାଯାଇଛି ଯେ,ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ରାମାୟଣକୁ ଇସ୍ଲାମିକରଣ କରିଛନ୍ତି। ଫଳରେ ଲୋକମାନଙ୍କ ଧର୍ମ ଭାବନା ଆହତ ହୋଇଛି।

 

ଓମଙ୍କୁ ପଠାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ରାମାୟଣ ଆମର ଇତିହାସ  ଏବଂ ଆତ୍ମା। ଆଦିପୁରୁଷରେ ଭଗବାନ୍‌ ହନୁମାନଙ୍କୁ ମୋଗଲଙ୍କ ଭଳି ପ୍ରଦର୍ଶିତ କରାଯାଇଛି। ଆହୁରି କୁହାଯାଇଛି ଯେ, କେଉଁ ହିନ୍ଦୁ ବିନା ନିଶରେ ଦାଢ଼ି ରଖେ, ଯେମିତି ଏହି ଫିଲ୍ମରେ ହନୁମାନ ରଖିଛନ୍ତି। ଏହି ଫିଲ୍ମରେ ଭଗବାନ୍‌ ରାମ, ମା’ ସୀତା, ଭଗବାନ ହନୁମାନ ଏବଂ ପୁରା ରାମାୟଣର ଇସ୍ଲାମିକରଣ କରାଯାଇଛି। ସେହିପରି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ୍‌ ଅଲ୍ଲି ଖାନ୍‌ ମଧ୍ୟ ତୈମୁର ବା ଖିଲ୍‌ଜି ଭଳି ଦେଖାଯାଉଛନ୍ତି। ‘’ଲୋକମାନଙ୍କୁ ଭାବନା ସହିତ ନଖେଳିବା  ପାଇଁ ଆପଣଙ୍କୁ ଅନୁରୋଧ କରାଯାଉଛି। ଯାହା କରିଛନ୍ତି ସେଥିପାଇଁ ୭ ଦିନ ଭିତରେ ଆପଣ ଲୋକମାନଙ୍କୁ ଭୁଲ୍‌ ମାଗନ୍ତୁ, ସମସ୍ତ ଡାଏଲଗ୍‌ ଏବଂ ଇଲୁଷ୍ଟ୍ରେସନ୍‌କୁ ଡିଲେଟ୍‌ କରନ୍ତୁ ନହେଲେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।

CATEGORIES
TAGS
Share This

COMMENTS

Wordpress (0)
Disqus (0 )