Friday 26th July 2024

ସେପ୍ଟେମ୍ବର ୨ – ”ବିଶ୍ୱ ନାରିକେଳ ଦିବସ”

ଶ୍ରୀଫଳକୁ ନେଇ ଆମ ଦେଶରେ ବହୁତ ଗୁଡିଏ ମହତ୍ୱ ରହିଛି । ଧାର୍ମିକ ସ୍ତରରେ ହେଉ କିମ୍ବା ବ୍ୟବସାୟ ସ୍ତରରେ । ସବୁଠି ରହିଛି ନଡିଆର ଆବଶ୍ୟକତା । ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖରେ ବିଶ୍ୱ ନାରିକେଳ ଦିବସ ପାଳନ କରାଯାଏ । ୨୦୦୯ ସେପ୍ଟେମ୍ବର ୨ ତାରିଖରେ ଏସିଆ ପ୍ୟାସିଫିକ୍ କୋକୋନଟ୍ କମ୍ୟୁନିଟି ଗଠନ କରାଯାଇଥିଲା । ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ‘ବିଶ୍ୱ ନାରିକେଳ ଦିବସ’ ପାଳନ କରାଯାଏ । ନଡିଆ ଚାଷ ଓ ତାର ଉତ୍ପାଦନ କିପରି ବୃଦ୍ଧି କରାଯାଇପାରିବ ,ତାହା ଉପରେ ଗୁରୁତ୍ୱ ପ୍ରଦାନ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ଏହା ସହ ସ୍ୱାସ୍ଥ୍ୟ ପାଇଁ ନଡିଆର ଆବଶ୍ୟକତା ବିଷୟରେ ବି ସଚେତନତା ସୃଷ୍ଟି କରାଯାଇଥାଏ ।


ଭାରତରେ ଏହି ଦିବସକୁ କୋକୋନଟ୍ ଡେଭଲପମେଣ୍ଟ ବୋର୍ଡ ଦ୍ୱାରା ନଡିଆ ଚାଷ କରାଯାଉଥିବା ଅଂଚଳଗୁଡିକରେ ପାଳନ କରାଯାଉଛି । ଭାରତୀୟ ସଂସ୍କୃତିରେ ନଡିଆ ବା ଶ୍ରୀଫଲର ଗୁରୁତ୍ୱ ଯଥେଷ୍ଟ ଅଧିକ । ନିତିଦିନିଆ ଜୀବନଶୈଳୀଠାରୁ ଆରମ୍ଭ କରି ପତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡିଆ ଲୋଡା ହୋଇଥାଏ । ବିଶେଷକରି ଆମ ଓଡିଆ ଘରେ ନଡିଆରେ ପୂର ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ । ନଡିଆ ଫଳମାନଙ୍କ ଭିତରେ ଶ୍ରେଷ୍ଠ ଭାବେ ପରିଗଣିତ ହେଉଥିବାରୁ ଏହାର ଅନ୍ୟନାମ ଶ୍ରିଫଳ । ସବୁ ଦେବାଦେବୀଙ୍କୁ ଆବାହନ କରିବାବେଳେ ନଡିଆର ଆବଶ୍ୟକତା ଆଗ ଥାଏ । ପ୍ରତ୍ୟେକ ଦେବାଦେବୀଙ୍କ ପାଖରେ ଭୋଗ ଆକାରରେ ନଡିଆ ଲାଗିଥାଏ । କିଛି ବି ଶୁଭକାର୍ଯ୍ୟର ପ୍ରାରମ୍ଭ କଲେ ପ୍ରଥମେ ନଡିଆ ଭଙ୍ଗାଯାଏ ।

ଭାରତରେ ମନ୍ଦିରରେ ପ୍ରମୁଖ ଦାନ ଭାବରେ ନଡିଆକୁ ଗ୍ରହଣ କରାଯାଏ । ବିବାହ,ବ୍ରତୋପନୟନ,ପର୍ବପର୍ବାଣି ନୂତନ ଯାନବାହାନ କିଣିବା ବେଳେ ମଧ୍ୟ ଭଗବାନଙ୍କ ପାଖରେ ଶ୍ରିଫଳ ସର୍ମପଣ କରାଯାଏ । ଆମ ହିନ୍ଦୁ ଧର୍ମରେ ଯଞକୁଣ୍ଡରେ ନଡିଆ ପକାଇବାର ବିଧି ମଧ୍ୟ ରହିଛି । ଏହି ପରମ୍ପରା ଆଦିମ ଯୁଗରୁ ରହିଆସିଛି । ସମସ୍ତକର୍ମ ତଥା ଆରାଧନାରେ ନଡିଆର ସ୍ଥାନ ସର୍ବାଗ୍ରେ ରହିଛି । ଏହା ଏକ ପବିତ୍ର ଫଳ । ଶୁଭ କଳସ ସ୍ଥାପନା ହେଉ କି ଭୋଗ କିମ୍ବା ପ୍ରସାଦରେ ନଡିଆ ବ୍ୟବହାର ତ ନିଶ୍ଚୟ ହୋଇଥାଏ । ନଡିଆ ଗଛର ଚେରଠାରୁ ଆରମ୍ଭ କରି ଗଛର ଅଗ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ଆମ କାମରେ ଲାଗେ । ନଡିଆ ରସରୁ ତେଲ, ନଡିଆ କତାରୁ ବିଭିନ୍ନ ପ୍ରକାର ସାମାଗ୍ରୀ ଓ ସାଜସରଞ୍ଜାମ ପ୍ରସ୍ତୁତ ହୋଇଥାଏ । ନଡିଆ ଗଛର ଗଣ୍ଡିକୁ ଖୁଣ୍ଟ ରୂପରେ ଏବଂ ବାହୁଙ୍ଗାକୁ ଛପର ରୂପରେ ବ୍ୟବହାର କରାଯାଏ । ନଡିଆର ଶଢେଇ ଓ ଶୁଖିଲା ବାହୁଙ୍ଗାକୁ ଜାଳ ରୂପେ ବ୍ୟବହାର କରାଯାଏ ।

ଦକ୍ଷିଣ ଭାରତରେ ନଡିଆର ଉପଯୋଗ ବହୁ ଅଧିକ ସେଥିପାଇଁ ସେଠାରେ ଏହାକୁ ସବୁଜ ସୁନା ବୋଲି କୁହାଯାଏ । ନଡିଆ ଗଛର ବଟାନିକାଲ ନାମ ହେଉଛି କୋକୋସ୍ ନ୍ୟୁସିଫେରା । ନଡିଆ ଯୋଗୁଁ ସମୃଦ୍ଧ ହୋଇଥିବା ଅଂଚଳରେ ଦକ୍ଷିଣ ପୂର୍ବ ଏସିଆ,ଇଣ୍ଡୋନେସିଆ,ଭାରତ,ଅଷ୍ଟ୍ରେଲିଆ,ପ୍ରଶାନ୍ତ ମହାସାଗର ଦ୍ୱୀପପୁଞ୍ଜ,ଦକ୍ଷିଣ ଆମେରିକା,ଆଫ୍ରିକା ଆଦି ରହିଛି । ଆମ ଦେଶରେ ତାମିଲନାଡୁ,କେରଳ ଏବଂ କର୍ଣ୍ଣାଟକ ଅଧିକ ମାତ୍ରାରେ ନଡିଆ ଉତ୍ପାଦନ କରାଯାଏ । ଆମ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରଚୁର ନଡିଆଗଛ ଦେଖିବାକୁ ମିଳେ । ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଏତିପାଇଁ ସ୍ୱତନ୍ତ୍ର ବଜାର ରହିଛି ।

ଚଳିତବର୍ଷ ‘ବିଶ୍ୱ ନାରିକେଳ ଦିବସ’ର ବିଷୟବସ୍ତୁ ରହିଛି –ଏକ ସୁନ୍ଦର ଭବିଷ୍ୟତ ଏବଂ ସୁସ୍ଥ ଜୀବନ ପାଇଁ ନଡିଆ ଉତ୍ପାଦନ କରିବାକୁ ହେବ’ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )