Health-”ଡାକ୍ତରଖାନା ଯିବା ପୂର୍ବରୁ ରୋଗୀଙ୍କୁ ଏସବୁ ଧାରଣା ରହିବା ଜରୁରୀ”: ଡାକ୍ତର ମଳୟ ରଞ୍ଜନ ମଲ୍ଲିକ
ରୋଗକୁ ଭଲ କରେ ଡାକ୍ତର । ରୋଗୀଟିଏ ନିଜ ଅସୁବିଧା ନେଇ ଯେତେବେଳେ ଡାକ୍ତରଖାନା ଯାଏ ତାର ଆଶା ଥାଏ ଯେ ଡାକ୍ତର ସବୁ ଜାଣିଛନ୍ତି ଓ ତାକୁ ତୁରନ୍ତ ଭଲ କରିଦେବେ । ଅନେକ ଲୋକ ନିଜ ରୋଗକୁ ନେଇ ବହୁତ ଡେରୀରେ ଡାକ୍ତରଙ୍କ ପାଖରେ ପହଂଚିଥାଆନ୍ତି । ଯେଉଁଥିପାଇଁ ଚିକିତ୍ସାରେ ବି ବିଳମ୍ବ ହେଇଯାଏ ଓ ଭଲ ହେବାକୁ ଥିବା ରୋଗ ବି ବହୁତ ଖରାପ ସ୍ଥିତିରେ ପହଂଚିଯାଏ । ତେଣୁକରି ପ୍ରାଥମିକତା ସ୍ତରରୁ କେଉଁ ରୋଗ ପାଇଁ ଚିନ୍ତିତ ହେବା ଦରକାର ଓ କେଉଁ ସମୟରେ ଡାକ୍ତରଖାନା ଯିବା ଦରକାର ଏହାର ସଂମ୍ପୂର୍ଣ୍ଣ ଧାରଣା ପ୍ରତିଟି ବ୍ୟକ୍ତିଙ୍କୁ ରହିବା ଦରକାର । ଆଜି ଆମେ ଏହି ପ୍ରସଙ୍ଗରେ ସିଧାସଳଖ ଜଣେ ଯୁବ ଡାକ୍ତର ମଳୟ ରଞ୍ଜନ ମଲ୍ଲିକଙ୍କ ସହ ଆଲୋଚନା କରିବା ଓ ଜାଣିବା ଓଡିଶାରେ ଲୋକଙ୍କୁ ରୋଗ ପ୍ରତି କେମିତି କରିହେବ ସଚେତନ ?
ମଳୟ ରଞ୍ଜନ ମଲ୍ଲିକ (ଏମ୍ ବି ବି ଏସ୍,ମେଡିକାଲ ଅଫିସର୍)reg.no-୨୭୫୧୦/୨୦୨୧
କେଉଁ ସମୟରେ ଡାକ୍ତରଙ୍କ ପାଖକୁ ଯିବା ଦରକାର ରୋଗୀ ?
”ଡାକ୍ତରଙ୍କ ପାଇଁ ରୋଗୀକୁ ଭଲ କରିବା ଯେତିକି ଜରୁରୀ । ତାଠୁ ଅଧିକ ଜରୁରୀ ରୋଗର ବିନାଶ ମୂଳରୁ କରିବା । ଆମ ସମାଜରେ ଏମିତି ବି ବହୁତ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଡାକ୍ତରମାନେ ନିଜ ଫାଇଦା ପାଇଁ ରୋଗୀଙ୍କର ରୋଗକୁ ପୁରାପୁରି ଭଲ କରନ୍ତି ନାହିଁ । ଯାହାଫଳରେ ସେମାନଙ୍କୁ ବାରମ୍ବାର ଡାକ୍ତରଖାନା ଆସିବାକୁ ପଡିଥାଏ । ହେଲେ ଏମିତି ଚିନ୍ତାଧାରା ଜଣେ ପ୍ରକୃତ ଡାକ୍ତର କେବେ ବି କରେନାହିଁ ।” କାରଣ ବହୁତ ଲୋକ ଜାଣନ୍ତି ନାହିଁ ଯେ ରୋଗକୁ ଦୂର କରିବା ପାଇଁ ଆମର ଅନେକ ଗୁଡିଏ ଡିପାର୍ଟମେଣ୍ଟ ରହିଛି । ତା ଭିତରୁ ଗୋଟିଏ ଡିପାର୍ଟମେଣ୍ଟ ହେଲା- ପ୍ରିଭେଣ୍ଟିଭ୍ ଏଣ୍ଡ ସୋସିଆଲ ମେଡିସିନ୍ । ଯାହାକୁ ଆହୁରୀ ମଧ୍ୟ କୁହାଯାଏ କମ୍ୟୁନିଟି ମେଡିସିନ୍,ପବ୍ଲିକ ହେଲ୍ଥ୍,ଇତ୍ୟାଦି । ଏହାର ଲକ୍ଷ୍ୟ ହେଉଛି ରୋଗର ନିରାକରଣ ଓ ସୁସ୍ଥତାର ପ୍ରସାର ।
ଏଥିରେ କାମ କରୁଥିବା ଡାକ୍ତରଙ୍କ କାମ ହେଲା- ”କେମିତି ସମାଜରେ ରୋଗ ନ ହେଉ ସେ ନେଇ ସଚେତନତା ସୃଷ୍ଟି କରିବା । କେବଳ ସେତିକି ନୁହେଁ କେଉଁ ଷ୍ଟେଜରେ ରୋଗ ଭଲ ହୁଏ ଓ କେଉଁ ଷ୍ଟେଜରେ ରୋଗ ସାଂଘାତିକ ରୂପ ଧାରଣ କରେ ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା । ଯଦି ଜଣେ ଡାକ୍ତର ଗୋଟିଏ ବ୍ୟକ୍ତିର ରୋଗକୁ ପ୍ରଥମ ସ୍ତରରୁ ଦେଖି ତାର ଚିକିତ୍ସା କରୁଛି ତାହାଲେ ତାର ପରିଣାମ ବହୁତ ଭଲ ରହିବ । କିନ୍ତୁ ଯଦି ସେହି ରୋଗକୁ ସେ ଅନେକ ଦିନ ବିତିଗଲା ପରେ ଚିକିତ୍ସା କରୁଛି ତାର ପରିଣାମ ବହୁତ ହିଁ ଜଟିଳ ହେଇଯାଏ ।” ଯାହାଦ୍ୱାରା ଅନେକ ଅସୁବିଧା ହୋଇଥାଏ । ତେଣୁକରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାଧାରଣ ଜ୍ଞାନ ଯୋଗାଇବା ଦରକାର, କେଉଁ ରୋଗର କଣ ଲକ୍ଷଣ ସେ ବିଷୟରେ ଯଦି ସମସ୍ତେ ସହଜରେ ବୁଝିପାରିବେ ଓ ଜାଣିପାରିବେ ତାପରେ ସେମାନେ ନିଜେ ନିଷ୍ପତ୍ତି ନେଇପାରିବେ କି କେତେବେଳେ ଡାକ୍ତରଖାନା ଯିବା ଉଚିତ୍ ।
ଯଦି ଉଦାହରଣ ଅନୁସାରେ କହିବି- ଆପଣଙ୍କୁ ଯଦି ”ଡାଇବେଟିକ୍ସ ହେଇଛି ଓ ଡାକ୍ତର ଆପଣଙ୍କୁ ବର୍ତ୍ତମାନ ମେଡିସିନ୍ ଖାଇବାକୁ କହୁଛନ୍ତି,ବିଭିନ୍ନ ଧରଣର ଖାଦ୍ୟକୁ ସଂମ୍ପୂର୍ଣ୍ଣ ଛାଡିବାକୁ କହୁଛନ୍ତି । ତାହାଲେ ଆପଣ ନିଶ୍ଚୟ ବିରକ୍ତ ହେଉଥିବେ । କିନ୍ତୁ ପୂର୍ବରୁ ଯଦି ଡାଇବେଟିକସ୍ ବିଷୟରେ ଆପଣଙ୍କୁ ଅଳ୍ପ ବହୁତ ଧାରଣା ଥାଆନ୍ତା ତାହାଲେ ପ୍ରି-ଡାଇବେଟିକ୍ ଷ୍ଟେଜରୁ ଏହାକୁ ଆପଣ ନିଜ ଖାଦ୍ୟପେୟ ଅନୁସାରେ ଘରୋଇ ଉପଚାରରେ ଠିକ୍ କରିପାରିଥାନ୍ତେ । ଆଉ ସେ ସମୟରେ ଡାକ୍ତର ବି ଆପଣଙ୍କୁ ମେଡିସିନ୍ ଖାଇବାକୁ କେବେ ବି କହିନଥାନ୍ତେ । ସେଥିପାଇଁ ହିଁ ରୋଗର ଲକ୍ଷଣ ଓ କାରଣ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ ।”
ରୋଗକୁ ନେଇ କେମିତି କରାଯିବ ଲୋକଙ୍କୁ ସଚେତନ ?
”ସଚେତନତାର ଅନେକ ମାଧ୍ୟମ ରହିଛି ।’‘ ଯେମିତିକି- ଗାଁ ଗାଁ ବୁଲି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା,ଗୀତିନାଟ୍ୟ ମାଧ୍ୟମରେ ଜଟିଳ କଥାକୁ ସହଜରେ ବୁଝାଇବା,କିଛି ସୂଚନାତ୍ମକ ଭିଡିଓ ଦେଖାଇ ସେମାନଙ୍କୁ ସଚେତନ କରିବା,ପୋଷ୍ଟର ଆଦିରେ ଚିତ୍ର ସହଜରେ ଅପାଠୁଆ ଲୋକଙ୍କୁ ବୁଝାଇବା । ଟିଭିରେ ବିଜ୍ଞାପନ ମାଧ୍ୟମରେ ସଚେତନା କରାଇବା । ”ଏସବୁ ମାଧ୍ୟମ ବହୁତ ଦିନରୁ ସରକାରଙ୍କ ଦ୍ୱାରା କରାଯାଉଛି । ହେଲେ ଏସବୁ ବହୁତ ଧିର ମନ୍ଥର ଗତିରେ ଚାଲୁଛି । କାରଣ ବର୍ତ୍ତମାନ ସମୟରେ ଏହାକୁ କାର୍ଯ୍ୟକାରୀ କରି ସବୁ ବର୍ଗର ଲୋକଙ୍କୁ ସଚେତନ କରିବା ସମ୍ଭବ ହେଉନାହିଁ ।” ତେଣୁ ଆମକୁ ଅଧିକ ସ୍ମାର୍ଟ ଉପାୟରେ କାମ କରିବାକୁ ହେବ ।
”ତେଣୁକରି ମୋ ମତରେ ଆଜିର ସମୟରେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି । ଆଉ ସେହି ସ୍ମାର୍ଟ ଫୋନ ଜରିଆରେ ବର୍ତ୍ତମାନ ଲୋକମାନେ ସବୁଠୁ ଅଧିକ କ୍ରିକେଟର କିମ୍ବା ସେଲିବ୍ରିଟି ଏହିଭଳି ଲୋକଙ୍କୁ ଦେଖୁଛନ୍ତି । ଯଦି ସେମାନଙ୍କ ଜରିଆରେ ସମାଜର କଲ୍ୟାଣ ପାଇଁ କିଛି ସଚେତନମୂଳକ ବାର୍ତ୍ତା ଦିଆଯାଏ ରୋଗକୁ ଚିହ୍ନିବାର ସହଜ ଉପାୟ ଦିଆଯାଏ । ତାହାଲେ ଖୁବଶୀଘ୍ର ଲୋକେ ବୁଝିପାରିବେ କେଉଁଥିପାଇଁ ଡାକ୍ତରଖାନା ଯିବା ଦରକାର ଓ କେତେବେଳେ ଯିବା ଦରକାର । ଆଜିର ସମୟରେ ଡାକ୍ତର ଓ ସମାଜକୁ ସିଧାସଳଖ ଯଦି କିଛି ଯୋଡିପାରିବ ତାହା ହେଉଛି ସୋସିଆଲ ମିଡିଆ ।”
”ସୋସିଆଲ ମିଡିଆକୁ ବଡ ମାଧ୍ୟମ କରି ଆମେ ଘରେ ଘରେ ପହଂଚିପାରିବା । ବର୍ତ୍ତମାନର ଡିଜିଟାଲ ଯୁଗରେ ଆଉ ପୁରୁଣା ଢଙ୍ଗରେ ସଚେତନ କଲେ ହେବନାହିଁ । ଆମକୁ ବି ସମୟ ସହ ତାଳଦେଇ ଯିବାକୁ ପଡିବ । ଆଉ ଲୋକଙ୍କ ହାତ ପାହାନ୍ତାରେ ପହଂଚିବାର ଏହା ଠୁ ସହଜ ଉପାୟ ଆଉ କଣ ହେଇପାରେ ? ଏହା ବ୍ୟତୀତ ଓଡିଶାର ଲୋକେ ସବୁଠୁ ଅଧିକ,ନ୍ୟୁଜ ଏବଂ ଟିଭି ସିରିୟଲ୍ ଦେଖୁଛନ୍ତି । ତେଣୁକରି ଏଥିରେ ବି ଆମେ ଲୋକଙ୍କୁ ସଚେତନ କରିପାରିବା । ଆଜିକାଲି ଟିଭିରେ ଯେଉଁ ବି ଗଣମାଧ୍ୟମ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ଦେଖାଉଛନ୍ତି ତାର କିଛି ନିଦ୍ଧିଷ୍ଟତା ନାହିଁ କହିଲେ ଚଳେ । ରାତି ୧୦ ଟା ପରେ କିଏ କାହିଁକି ବା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ଦେଖିବ ? ଏହାକୁ ପ୍ରାଇମ୍ ଟାଇମ୍ ର ଷ୍ଟୋରୀ କରିବା ଦରକାର । ଆଉ ସହଜ ଓ ସରଳ ଭାଷାରେ ଲୋକଙ୍କ ଆଗରେ ପରିବେଷଣ କରିବା ଦରକାର । ସୋସିଆଲ ମିଡିଆର ସେନସେସନ୍ ଖବରକୁ ବାଦ୍ ପକାଇ ଯଦି ସ୍ୱାସ୍ଥ୍ୟ,ଅର୍ଥନୀତି,ସାମାଜିକ ଅସୁବିଧା ଆଦି ବିଷୟବସ୍ତୁକୁ ଗୁରୁତର ଦିଆଯାଆନ୍ତା ତାହାଲେ ଆହୁରୀ ଭଲ ଭାବରେ ଲୋକ ସଚେତନ ହୁଅନ୍ତେ ।
ଦେଖନ୍ତୁ ଡାକ୍ତରମାନେ କେବେ ବି ଚାହାନ୍ତି ନାହିଁ ରୋଗ ସାରା ଜୀବନ ରହୁ କି କାହାରି କ୍ଷତି କରୁ । ତେଣୁ ସବୁ ଜିନିଷ ଜାଣିବା ସମସ୍ତଙ୍କର ଅଧିକାର । ଡାକ୍ତର ପାଠ ପଢି ରୋଗୀର ସେବା କରୁଛି ମାନେ ସେ ଚିକିତ୍ସାର ପଦ୍ଧତି ଜାଣିଛନ୍ତି । କିନ୍ତୁ ରୋଗ ହେବା ପୂର୍ବରୁ ଯେଉଁ ସବୁ ଲକ୍ଷଣ ଅଛି ତାକୁ ବୁଝିବା ଉଭୟ ଡାକ୍ତର ଓ ରୋଗୀ ଦୁହିଁଙ୍କ ପାଇଁ ଜରୁରୀ । ତେବେ ଯାଇ ରୋଗୀ ଠିକ୍ ସମୟରେ ଡାକ୍ତରଖାନା ଆସିବ ଓ ଠିକ୍ ସମୟରେ ତାର ଉଚିତ୍ ଚିକିତ୍ସା ହେଇପାରିବ ।