Saturday 27th July 2024
‘ଦମନ’ ଶିଖାଇଲା ନିଜ ଭାଷାକୁ ମର୍ଯ୍ୟଦା କଲେ ଉନ୍ନତି କେମିତି ହୁଏ ?

‘ଦମନ’ ଶିଖାଇଲା ନିଜ ଭାଷାକୁ ମର୍ଯ୍ୟଦା କଲେ ଉନ୍ନତି କେମିତି ହୁଏ ?

କଥାରେ ନାହିଁ –”ଉଚ୍ଚ ହେବା ପାଇଁ କର ଯେବେ ଆଶା ,ଉଚ୍ଚ କର ଆଗେ ନିଜ ମାତୃଭାଷା ।” ଏକଥା କହିବାର ଅର୍ଥ ଆମ ମାତୃଭାଷାକୁ ଯେତେବେଳେ ଆମେ ଆଗକୁ ନେବା ତାପରେ ହିଁ ଆମର ପରିଚୟ ସାରା ବିଶ୍ୱରେ ହେବ । ଯେମିତି ମା ବିନା ପୁଅର ବା ପରିଚୟ କଣ ? ଠିକ୍ ସେମିତି ଆମ ଭାଷା ବିନା ଆମର ବା ପରିଚୟ କଣ ? ଏମିତି ଉଦାହରଣକୁ ଅନେକ ଦିନ ପରେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ପ୍ରମାଣ କରିପାରିଛି । ଦୀର୍ଘ ୧୫ରୁ ୨୦ ବର୍ଷ ହେଲା ଓଡିଶାରେ ଓଡିଆ ସିନେମା ତ ହେଉଥିଲା କିନ୍ତୁ କାହିଁକି କି କେଜାଣି ସେ ସିନେମା ପ୍ରତି ଆତ୍ମିୟତା ଭାବ ଆମ ଓଡିଆଙ୍କ ମନରେ ନଥିଲା ।

ଦର୍ଶକ ସିନେମା ହଲ୍ ରେ ନିଜ ଭାଷାର ଫିଲ୍ମ ଦେଖିବାକୁ ପସନ୍ଦ କରୁନଥିଲେ । ସାଉଥ୍ ଫିଲ୍ମରୁ ଛପା ହେଉଛି,କାହାଣୀକୁ ଜବରଦସ୍ତି ସିରିୟଲ ଭଳି ଲମ୍ବା ଯାଉଛି କହି ଲୋକଙ୍କର ମନ ଓଡିଆ ସିନେମା ଠାରୁ ଉଠିଯାଇଥିଲା । ଯେଉଁଥିପାଇଁ ଓଡିଆ ସିନେମା ଧିରେ ଧିରେ ତାର ଅସ୍ତିତ୍ୱ ହରେଇବସିଥିଲା । ହେଲେ ଅଚାନକ ଜାଗ୍ରତ ହେଲା ଏକ ନୂଆ ଆଶାର କିରଣ । ଯିଏ ବଦଳାଇ ଦେଲା ଲୋକଙ୍କ ଚିନ୍ତାଧାରା ଓ ଦର୍ଶକଙ୍କୁ ବାଧ୍ୟ କଲା ସିନେମା ହଲ୍ ରେ ଆସି ଏହି କାହାଣୀକୁ ଦେଖିବା ପାଇଁ । ଯାହାର ନାଁ ଥିଲା ଦମନ । ଏକ ନିଚ୍ଛକ ସତ କାହାଣୀ ଉପରେ ଆଧାରିତ ଓଡିଆଙ୍କ ମାଟିର କଥା କହୁଥିବା ଚଳଚିତ୍ର । ଯାହା ଲୋକଙ୍କୁ ଏମିତି ଦିଓାନା କଲା ଯେ ଆଜି ଯାଏଁ ଫିଲ୍ମ ହଲ୍ ରେ ହାଉସ୍ ଫୁଲ୍ ଚାଲିଛି । ଲୋକଙ୍କ ଲାଗୁଥିଲା ଆମ ମାଟିରେ କଣ ଭଲ ସିନେମା କେବେ ହେବନି ? କିନ୍ତୁ ଏହି ଦମନ ଫିଲ୍ମ ସେମାନଙ୍କୁ ଜଣାଇଦେଲା,କି ନିଜ ମାତୃଭାଷାକୁ ଭଲ ପାଇଲେ ଆଉ ନିଜ ମାଟିର କଥାକୁ ପରଦାରେ ପ୍ରକାଶ କଲେ ଲୋକ ନିଶ୍ଚୟ ବୁଝିପାରିବେ ଯେ ଓଡିଆ ସିନେ ଜଗତ କଣ ?

ଏହି ଫିଲ୍ମ ନିଜ ଭିତରେ ବି ଏକ ‘ସଂଘର୍ଷ’ । କାହିଁକି ନା ଏହି ଫିଲ୍ମକୁ ନିଜ ମାଟିରେ ରିଲିଜ୍ ହେବା ପାଇଁ ଦୀର୍ଘ ୧ ବର୍ଷର ସମୟ ଲାଗିଥିଲା । କେହି ହଲ୍ ଦେଉନଥିଲେ । ଖୁବ୍ ଅଳ୍ପ ସିନେମାଘର ମିଳୁଥିଲା । କିନ୍ତୁ ମାନିବାକୁ ପଡିବ ଏହି ଚଳଚିତ୍ରର ନିର୍ମାତା ମାନଙ୍କୁ ସେମାନେ ଧର୍ଯ୍ୟର ସହ ଅପେକ୍ଷା କରିଥିଲେ ଆଉ ବିନା ପୂଜା ବଜାରରେ ବି ଫିଲ୍ମ ହଲ୍ ପାଇ ରିଲିଜ୍ କଲେ । ସାଧାରଣତଃ ଲୋକେ ପୂଜା ବଜାରରେ ଓଡିଆ ସିନେମା ଦେଖିବାକୁ ଯାଆନ୍ତି । କିନ୍ତୁ ଏହି ଦମନ ଚଳଚିତ୍ର କି କିମିଆ କଲା କେଜାଣି ବିନା ପୂଜା ପର୍ବାଣୀରେ ବି ସିନେମା ଘରକୁ ଦର୍ଶକଙ୍କର ସୁଅ ଛୁଟିଲା । ଓଡିଆ ଲୋକ ତ ପୂର୍ବରୁ ବାବୁସାନ୍ ଙ୍କ ଫିଲ୍ମ ଦେଖିଥିଲେ କିନ୍ତୁ ଏହି ଫିଲ୍ମରେ ସେମାନେ ବାବୁସାନ୍‌ଙ୍କୁ ନୁହେଁ ବରଂ ବାବୁସାନ୍‌ଙ୍କ ଅଭିନୀତ ଚରିତ୍ରକୁ ଦେଖୁଥିଲେ । ସତରେ ଯେତେବେଳେ ଜଣେ -ହିରୋର ପ୍ରକୃତ ନା କୁ ଭୁଲି ତାର ଚରିତ୍ରକୁ ମନେରଖେ ସେତେବେଳେ ଅଭିନେତାକୁ ତାର ଅଭିନୟ ଯଥାର୍ଥ ଲାଗେ ।

ଫିଲ୍ମ ଦୁଇ ସପ୍ତାହ ଓଡିଶାରେ ସୁପରହିଟ୍ ହେବା ପରେ, ଆଉ ଏକ ବଡ ଜିନିଷ ଦେଖିବାକୁ ମିଳିଲା । ବଲିଉଡ୍ ଫିଲ୍ମଠୁ ଅଧିକ ଦମନର ଚର୍ଚ୍ଚା ହେଲା,ଏମିତି କେହି ଲୋକ ନାହାନ୍ତି ଯିଏ ହିନ୍ଦୀ,ଉର୍ଦ୍ଧୁ,ବଙ୍ଗାଳୀ,ତେଲୁଗୁ,ଇଂରାଜୀ ଭାଷାରେ ଏହି ଫିଲ୍ମର ରିଭ୍ୟୁ କରିନାହାନ୍ତି । ସବୁ ଭାଷା ଭାଷୀ ର ଲୋକ ଦମନକୁ ପ୍ୟାନ୍ ଇଣ୍ଡିଆ ରିଲିଜ୍ କରିବାକୁ ନିବେଦନ କଲେ । ଏମିତି ଫିଲ୍ମ ହିଁ ସମାଜକୁ ଦରକାର ବୋଲି ସମସ୍ତେ ମନ୍ତବ୍ୟ ଦେଲେ । ବାସ୍ ପ୍ରଥମଥର ପାଇଁ ଅନୁଭବ ହେଲା ଯଦି ଅରିଜିନାଲିଟି ଅଛି ତାହାଲେ ଦର୍ଶକଙ୍କ ହିଁ ଫିଲ୍ମକୁ ବିଶ୍ୱ ସ୍ତରରେ ନେଇ ପହଂଚାଇଦେବେ । ଏବେ ଦମନ ଆଉ ରିଜିନାଲ୍ ଫିଲ୍ମ ହେଇ ନାହିଁ ବରଂ ତା ଠୁ ଖୁବ୍ ଉର୍ଦ୍ଧକୁ ଯାଇ ସାରା ଭାରତରେ ଚହଳ ପକାଇଦେଇଛି । କେବଳ ଭାରତ ନୁହେଁ ପାକିସ୍ତାନର ବି କିଛି ଚଳଚିତ୍ର ପ୍ରେମୀ ଦମନକୁ ନେଇ ଚର୍ଚ୍ଚା କଲେଣି । ସେଥିପାଇଁ ଦମନ ଟିମ୍ ଲାଗିପଡିଛି ନିଜର ଦ୍ୱିତୀୟ ଇନିଙ୍ଗସ୍ ଖେଳିବା ପାଇଁ ,ଅର୍ଥାତ ବିଭିନ୍ନ ଭାଷାରେ ଏହି ଚଳଚିତ୍ରକୁ ସିନେ ପ୍ରେମୀଙ୍କ ପାଖରେ ପହଂଚାଇବା ପାଇଁ ।

ସତରେ ପ୍ରତିଟି ଓଡିଆ ଆଜି ଗର୍ବ କରୁଛି । ଆଉ ମନେ ମନେ ଖୁସି ବି ହେଉଛି ,କାରଣ ତା ଭାଷାର ସିନେମାକୁ ସାରା ଦୁନିଆ ଚିହ୍ନୁଛି । ସେଥିପାଇଁ ଆମ ପୂର୍ବପୁରୁଷ କହିଯାଇଥିବା କଥା ଏଇଠି ପ୍ରମାଣିତ ହେଉଛି । ଯଦି ନିଜ ଭାଷା ପ୍ରତି ସମ୍ମାନ,ଭଲପାଇବା ଓ ସଚ୍ଚୋଟତା ଅଛି ତାହାଲେ ସେହି ଭାଷା ହିଁ ତୁମ ଉନ୍ନତିର କାରଣ ପାଲଟିବ । ଦମନର ଏହି ସଫଳତା କେବଳ ଓଡିଆ ଫିଲ୍ମ ଜଗତ ପାଇଁ ନୁହେଁ ପୁରା ଓଡିଶା ପାଇଁ ଏକ ନୂତନ ଯୁଗର ଅୟମାରମ୍ଭ

CATEGORIES
TAGS
Share This

COMMENTS

Wordpress (0)
Disqus (0 )