Thursday 25th April 2024
‘ଦମନ’ ପାଇଁ ଓଲିଉଡ଼ର ନବକଳେବର,ସରକାର କଲେ Tax Free..

‘ଦମନ’ ପାଇଁ ଓଲିଉଡ଼ର ନବକଳେବର,ସରକାର କଲେ Tax Free..

ଫିଲ୍ମ ଦମନକୁ ଓଡିଆ ଫିଲ୍ମ ଜଗତ ପାଇଁ ସଂଜୀବନୀ ବୋଲି କୁହାଯାଉଛି। ଓଲିଉଡ ପ୍ରତି ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି ବାବୁସାନ ମହାନ୍ତିଙ୍କ ଅଭିନୀତି ଫିଲ୍ମ ଦମନ। ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ଏହି ଫିଲ୍ମ କୁ ଆଉ ଏକ ସଫଳତା ମିଳିଛି। ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ସମୂର୍ଣ୍ଣ କରମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

ଓଲିଉଡ ପ୍ରତି ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି ବାବୁସାନ ମହାନ୍ତିଙ୍କ ଅଭିନୀତି ଫିଲ୍ମ ଦମନ। ପ୍ରାୟ ୧ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ସୋ’ ଦୁଇ ସପ୍ତାହ ହେଲା ହାଉସ୍‌ଫୁଲ୍‌ ରହିଛି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଏ ଚଳଚ୍ଚିତ୍ରର ବିଷୟବସ୍ତୁ। ଏବେ ଏହା ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି। ଅଭିନେତା ବାବୁସାନ୍‌ ମହାନ୍ତି ଓ ଅଭିନେତା ଦୀପନ୍ବିତ୍‌ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିନା ହିରୋଇନ୍‌, ଆଇଟମ୍‌ ଗୀତ, ଫାଇଟ୍‌ ନଥାଇ ମଧ୍ୟ ଚଳଚ୍ଚିତ୍ର ସଫଳତାର ଶୀର୍ଷରେ ପହଞ୍ଚି ପାରିଛି।

ସିନେମାଟି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର ପ୍ରେକ୍ଷାଳୟରେ ମଧ୍ୟ ହାଉସଫୁଲ ରହିଛି । ଅନେକ ପ୍ରବାସୀ ଓଡ଼ିଆ ସୋଶାଲ ମିଡିଆରେ ଫିଲ୍ମ ଦେଖୁଥିବାର ଓ ହାଉସଫୁଲ ଥିବାର ଫଟୋ ସେୟାର କରି ମେକର୍ସଙ୍କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମ ଗୁଣ ଗାନ କରୁଛନ୍ତି । ଧିରେ ଧିରେ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ରୁଚି କମିଯାଉଥିବା ବେଳେ ଏହି ସିନେମାଟି ଓଡ଼ିଆ ସିନେମା ଜଗତ ପାଇଁ ନୂଆ ଦିଶା ପାଲଟିଛି । ସେହିପରି ବାବୁସାନଙ୍କ ଫିଲ୍ମକୁ ମିଳିଛି ୧୦ ରୁ ୯.୭ ଆଇଏମ୍‌ଡିବି ରେଟିଂ । ଫଳରେ ‘ଦମନ’ ସବୁଠାରୁ ଅଧିକ ରେଟିଂ ହାସଲ କରିଥିବା ଭାରତୀୟ ସିନେମା ଲିଷ୍ଟରେ ସାମିଲ ହୋଇପାରିଛି ।

ଦମନର କାହାଣୀ

ସିନେମାଟି ଜଣେ ଡାକ୍ତରଙ୍କ ସଂଘର୍ଷର ସତ୍ୟ କାହାଣୀ ଉପରେ ପର୍ଯ୍ୟବେସିତ । ରାଜଧାନୀ ଭୁବନେଶ୍ୱର ସହରରେ ଡାକ୍ତରୀ ପାଠ ପଢିବା ପରେ  ପୋଷ୍ଟିଂ ହୋଇଛି ଏକଦା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ସୁଦୂର ମାଲକାନାଗିରିର ଏକ ସ୍ଥାନ । ଯେଉଁଠିକାର ସ୍ୱାସ୍ଥ୍ୟ ସେବା ତାଙ୍କୁ ଚିନ୍ତାରେ ପକାଇଛି ଏବଂ ତାକୁ ସୁଧାରିବା ପାଇଁ ଆରମ୍ଭ ହୋଇଯାଇଛି ଡାକ୍ତର ବାବୁଙ୍କ ସଂଘର୍ଷ । ବୃତ୍ତିଗତ ଜୀବନ କେଉଁଠି ନା କେଉଁଠି ବ୍ୟକ୍ତିଗତ ଜୀବନ ଉପରେ ପକାଇଛି ଛାପ ଓ ବଦଳିଯାଇଛି ଜଣେ ସହରି ବ୍ୟକ୍ତି ଓ ଡାକ୍ତରଙ୍କ ସମ୍ପୁର୍ଣ୍ଣ ଜୀବନ । ଡାକ୍ତରଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତା ବାବୁସାନ ମହାନ୍ତି । ତାଙ୍କ ନିପୁଣ ଅଭିନୟ ଫିଲ୍ମରେ ଚାରଚାନ୍ଦ ଲଗାଇଛି । ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା, ସଫଳତା ଏବଂ ବଢୁଥିବା ଆୟକୁ ଦେଖି ମେକର୍ସ ଏବେ ଏହି ଦମଦାର ସିନେମାକୁ ହିନ୍ଦୀ ଭାଷାରେ ରିଲିଜ୍ କରିବାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଫିଲ୍ମ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ନିଜେ ସୂଚନା ଦେଇଛନ୍ତି । ତେବେ ଏହା କହିବା ଭୁଲ ହେବ ନାହିଁ ଯେ ‘ଦମନ’ ପାଇଁ ହେବା ପାଇଁ ଯାଉଛି ଓଲିଉଡ଼ ଇଣ୍ତଷ୍ଟ୍ରିର ନବକଳେବର

CATEGORIES
TAGS
Share This

COMMENTS

Wordpress (0)
Disqus (0 )