Friday 26th April 2024
ଦଶହରା : ସଂଖ୍ୟା ଦଶର ମହତ୍ୱ

ଦଶହରା : ସଂଖ୍ୟା ଦଶର ମହତ୍ୱ

ସଂଖ୍ୟା ଦଶର ମହତ୍ୱ କଣ? ଯେତେସବୁ ସାଧନା ସଂସାରରେ ଅଛି, ତନ୍ମଧ୍ୟରେ ମହାବିଦ୍ୟା ସାଧନା ଅନ୍ୟତମ ଏବଂ ଅଗ୍ରଗଣ୍ୟ । ଏହି ଦଶ ମହାବିଦ୍ୟା ପାଠର ଅଧିଷ୍ଠାତ୍ରୀ ଦେବୀଙ୍କ ସଂଖ୍ୟା ଦଶ । ସେମାନେ ହେଲେ,

୧-ମାଆ କାଳୀ

୨-ତ୍ରୀପୁର ସୁନ୍ଦରୀ

୩-ଭୈରବୀ

୪-ଛିନ୍ନମସ୍ତା

୫-କମଳା

୬-ମାତଙ୍ଗୀ

୭-ବଗଲାମୂଖୀ

୮-ଧୂମବତୀ

୯-ଭୂବନେଶ୍ୱରୀ

୧୦-ତାରା

ଭଗବାନ ବିଷ୍ନୁଙ୍କର ଅବତାର ବି ଦଶ । ପ୍ରଥମ ଅବତାର ମତ୍ସ୍ୟ, ଦ୍ୱିତୀୟ ଅବତାର କଛପ, ତୃତୀୟ ଅବତାର ବରାହ, ଚତୁର୍ଥ ଅବତାର ନରସିଂହ, ପଞ୍ଚମ ଅବତାର ବାମନ, ଷଷ୍ଠ ଅବତାର ପରଶୁରାମ, ସପ୍ତମ ଅବତାର ରାମ, ଅଷ୍ଟମ ଅବତାର କୃଷ୍ନ, ନବମ ଅବତାର ବଳରାମ ଆଉ କେହି କେହି ଭଗବାନ ବୁଦ୍ଧଙ୍କୁ ମଧ୍ୟ ନବମ ଅବତାର ଭାାବେ ଗ୍ରହଣ କରିଥାନ୍ତି । ଦଶମ ଅବତାର କଳକୀ, ଯାହା କଳିଯୁଗକୁ ବିନାଶ କରି ସତ୍ୟଯୁଗର ପୁନଃ ପ୍ରତିଷ୍ଠା ସମୟରେ ଦେଖିବାକୁ ମିଳିବ ବୋଲି ହିନ୍ଦୁ ଧର୍ମଶାସ୍ତ୍ରର ମତ । ଧଳା ଘୋଡ଼ାରେ ମହାପ୍ରଭୁ କଳକୀ ଆରୋହଣ କରି ବାରହାତ ଖଣ୍ଡା ସାହାଯ୍ୟରେ ପାପିକୂଳ ବିନାଶ କରି ଧାର୍ମିକ ମାନଙ୍କୁ ସଂସାର କରିବାକୁ ଆଦେଶ ଦେଇ ସତ୍ୟ ଯୁଗର ସ୍ଥାପନା କରିବେ ବୋଲି ବହୁ ପ୍ରାଚିନ ପୁରାଣରେ ବର୍ଣ୍ଣନା କରାଯାଇଛି ।

ସଂଖ୍ୟା ଦଶ ଉପରେ ଏପରି ଅନେକ ଉଦାହରଣ ଅଛି । ଯେମିତି କି ଆମେ ଜାଣିଛେ ସମୁଦାୟ ଦିଗର ସଂଖ୍ୟା ମଧ୍ୟ ଦଶ । ୧-ପୁର୍ବ (ପ୍ରାଚି), ୨-ପଶ୍ଚିମ (ପ୍ରତିଚି), ୩-ଉତର (ଉଦିଚି), ୪-ଦକ୍ଷୀଣ (ଅବାଚି), ୫-ଇଶାନ୍ୟ (ଊତର ପୁର୍ବ), ୬-ଅଗ୍ନି (ଦକ୍ଷୀଣ ପୁର୍ବ), ୭-ନୈରୁତ (ଦକ୍ଷୀଣ ପଶ୍ଚିମ), ୮-ବାୟୁ (ଉତର ପଶ୍ଚିମ), ୯-ଉର୍ଦ୍ଧ (ଆକାଶ), ଅଦ୍ଧସ୍ତ (ପାତାଳ) । ଏମିତିରେ ଦେଖିବାକୁ ଗଲେ ଖାଲି ହିନ୍ଦୁ କାହିଁକି ସମସ୍ତ ମାନବ ସମାଜ ସହ ସଂଖ୍ୟା ଦଶ ଓତପ୍ରୋତ ଭାବେ ଜଡ଼ିତ । ଶିଶୁଟିଏ ଜନ୍ମ ହେବା ପୂର୍ବରୁ ମାଆ ଗର୍ଭରେ ଦଶ ମାସ ଦଶ ଦିନ ରହିବାକୁ ପ୍ରକୃତିର ଗୋଟିଏ ନିୟମ ଆବାହନ କାଳରୁ ଅଛି ଏବଂ ଧରା ପୃଷ୍ଠରେ ମାନବ ସମାଜ ବଞ୍ଚିଥିବା ଯାଏ ଏହି ନିୟମ ପରିବର୍ତନ ହେବାର ଲକ୍ଷଣ ଦେଖାଯାଉନି । ଜନ୍ମ ହେବା ପରେ ଷଷ୍ଠିଘର କରାଯାଇ ଷଷ୍ଠଦିନ ଘରଦ୍ୱାର ଲିପାପୋଛା ହୁଏ ମାତ୍ର ଦଶଦିନ ପରେ ମାତାପିତାଙ୍କୁ ପୂଜାପାର୍ବଣ କରିବାର ଅଧିକାର ମିଳେ । ବିବାହ ସମୟରେ କନ୍ୟାପିତା ବରପିତାଙ୍କୁ କନ୍ୟାର ଦଶଦୋଷ କ୍ଷମା କରିବାକୁ ପ୍ରାର୍ଥନା କରନ୍ତି । ଭାଗବତ ମହାପୁରାଣର ଦଶମ ସ୍କନ୍ଦର ମହତ୍ୱ ଅନ୍ୟ ସ୍କନ୍ଦଠାରୁ ଭିନ୍ନ । ହିନ୍ଦୁ ସମାଜରେ ପ୍ରଚଳିତ ରୀତିନିତି ଅନୁସାରେ, ଯେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ଦଶମ ଦିନ ମୂଖ୍ୟ କର୍ମକାଣ୍ଡ ଆଦି କରାଯାଇ ପ୍ରେତଶାନ୍ତି ଓ ପ୍ରେତହାଣ୍ଡି ବିଷର୍ଜନ କରାଯାଏ ।

ମୋଟାମୋଟି କହିବାକୁ ଗଲେ ସଂଖ୍ୟା ଦଶ ଏକ ପୂଣ୍ଣତାର ଏବଂ ବ୍ୟାପକ ଜୀବନ ଚକ୍ରର ପ୍ରତିକ । ସମସ୍ତ ଛାତ୍ରଛାତ୍ରୀ୍ଙ୍କ ପାଇଁ ଦଶମ ପରୀକ୍ଷାଟି ବହୁତ ଗୁରୁତ୍ୱ ରଖେ । ସଂଯୋଗ ଦେଖନ୍ତୁ କ୍ରିକେଟ ସାମ୍ରାଜ୍ୟର ବେଦାଗ୍ ବାଦ୍ସାହା ସଚିନ ତେନ୍ଦୁଲକର୍ଙ୍କ ଜର୍ସି ନମ୍ବର ବି ଦଶ । ସଂଯୁକ୍ତ ରାଷ୍ଟ୍ରର ପ୍ରଧାନ ମନ୍ତ୍ରୀ ଦଶ ଡ଼ାଉନିଂ ଷ୍ଟ୍ରୀଟ୍‌ରେ ରହୁଥିବା ବେଳେ ଆମ ଦେଶର ବି ଦଶ ଜନପଥ ଠିକଣାକୁ ଭାରତରେ କିଏ ବା ନ ଜାଣେ ? ଭବିଷ୍ୟ ଅନୁମାନ କରାଯାଉଥିବା ଭାଗ୍ୟଚକ୍ରରେ ବି ଦଶଟି ଘର ଥାଏ । ଆମେ ଯେ କୌଣସି ଆକଳନ କିମ୍ବା ମାନ ନିର୍ଦ୍ଧାରଣ ସମୟରେ ଦଶ ସଂଖ୍ୟାକୁ ସର୍ବୋଚ୍ଚ ବୋଲି ମାନିଥାଉ । ଗ୍ରାହକ ମାନଙ୍କ ସନ୍ତୁଷ୍ଟି ବି ଦଶ ନମ୍ବରରୁ କେତେ ଦେବେ ବୋଲି ପଚାରୁ । ବାସ୍କେଟ୍ ବଲର ରିଙ୍ଗ୍‌ଟିକୁ ଦଶଫୁଟ ଉପରେ ଲଗାଯାଏ ଏବଂ ଅଲମ୍ପିକ୍ ଖେଳରେ ଜଣେ ପ୍ରତିଯୋଗୀ ସର୍ବାଧିକ ଦଶ ନମ୍ବର ପାଇବାର ସମ୍ଭାବନା ରହିଥାଏ ।

ଶିଖ ଧର୍ମାବଲମ୍ବୀମାନଙ୍କର ବି ଦଶ ସଂଖ୍ୟା ସହ ବହୁତ ଅନୋଖା ସଂମ୍ପର୍କ । ସବୁଠାରୁ ମହତ୍ୱପୂଣ୍ଣ କଥା ହେଲା ଧର୍ମଗୁରୁଙ୍କର ସଂଖ୍ୟା ବି ଦଶ । ପ୍ରଥମ ଶିଖଗୁରୁ ନାନକ (୧୪୬୯-୧୫୩୯) ଏବଂ ଶେଷ ଓ ଦଶମ ଗୁରୁ ହେଲେ ଗୋବିନ୍ଦ ସିଂ । ଗୁରୁ ଗୋବିନ୍ଦ ସିଂଙ୍କର ସ୍ୱର୍ଗବାସ ପରେ ଗୁରୁ ପରଂପରାର ଅନ୍ତ ହୁଏ ଏବଂ ଗୁରୁ ଗ୍ରନ୍ଥ ସାହେବ ବୋଲି ମାନ୍ୟତା ପାଇ ଗୁରୁବାଣୀକୁ ପୂଜା ଅର୍ଚ୍ଚନା କରାଯାଇ ପ୍ରତ୍ୟେହ ଗୁତୁଦ୍ୱାର ମାନଙ୍କରେ ପାଠ କରାଯାଉଛି । ଏହିପରି ପାଠକ ମାନଙ୍କ ପାଖରେ ମଧ୍ୟ ସଂଖ୍ୟା ଦଶ ବିଷୟରେ ଏଭଳି ଅନେକ ତଥ୍ୟ ଥାଇପାରେ । ତେବେ ସମସ୍ତ ତଥ୍ୟ ପ୍ରମାଣକୁ ପରଖି ନିରିଖି ଏହି ସିଦ୍ଧାନ୍ତରେ ଉପନିତ ହେଉ ଯେ ସଂଖ୍ୟା ଦଶର ମହତ୍ୱ ଅନ୍ୟ ସଂଖ୍ୟାଠାରୁ ବୋଧହୁଏ ଟିକିଏ ଅଧିକ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )