Thursday 23rd May 2024
ସବୁଠାରୁ ବଡ଼ ଗ୍ରହ କେମିତି ହେଲା ବୃହସ୍ପତି ?

ସବୁଠାରୁ ବଡ଼ ଗ୍ରହ କେମିତି ହେଲା ବୃହସ୍ପତି ?

ସୌର ମଣ୍ଡଳରେ ସବୁଠାରୁ ବଡ଼ ଗ୍ରହ ବୃହସ୍ପତି। ପୃଥିବୀ ଠାରୁ ୩୦୦ ଗୁଣ ବଡ଼। ହେଲେ ଏହି ଗ୍ରହ ଏତେ ବଡ଼ କେମିତି ହେଲା ?

କଣ ରହିଛି ଏହା ପଛର କାରଣ ?

ସୌର ମଣ୍ଡଳର ରହସ୍ୟ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। କେମିତି ସୃଷ୍ଟି ହେଲେ ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ଓ ଛାୟାପଥ, ଏସବୁର କାରଣ ଖୋଜିବାକୁ ଅନେକ ଗବେଷଣା ଜାରି ରହିଛି। ଏହି ଗବେଷଣାରେ ବେଳେ ବେଳେ ଏମିତି ତଥ୍ୟ ସାମ୍ନାକୁ ଆସିଛି ଯାହା ସାଧାରଣ ଲୋକଙ୍କୁ ଚମକାଇ ଦେଉଛି। ଏବେ ବୃହସ୍ପତି ଗ୍ରହକୁ ନେଇ ଠିକ୍ ଏମିତି ଏକ ଚମକାଇଲା ଭଳି  ତଥ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।ସୌର ମଣ୍ଡଳର ସବୁଠାରୁ ବଡ଼ ଗ୍ରହ କୁହାଯାଉଥିବା ବୃହସ୍ପତି କେମିତି ଏତେ ବଡ଼ ହେଲା ତାର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ। ବୈଜ୍ଞାନିକଙ୍କ ମତରେ ଅତୀତରେ ଅନେକ ଛୋଟ ଛୋଟ ଗ୍ରହମାନଙ୍କୁ ଖାଇଛି ଏହି ଗ୍ରହ। ଅନେକ ଗ୍ରହର ସମାହିତରେ ବିଶାଳ ହୋଇଛି ବୃହସ୍ପତି। ବୃହସ୍ପତି ଉପରେ ଗବେଷଣା କରୁଥିବା ନାସାର ଜୁମା ସ୍ପେସ୍ ପ୍ରୁବ୍ ମାଧ୍ୟାକର୍ଷଣ ତଥ୍ୟର ଅଧ୍ୟୟନ କରି କିଛି ଏଭଳି ତଥ୍ୟ ଜାଣିବାକୁ ପାଇଛି। ଛୋଟ ଛୋଟ ଗ୍ରହପିଣ୍ଡ ବା ଯାହାକୁ ବୈଜ୍ଞାନିକ ଭାଷାରେ ପ୍ଲାନେଟେସିମଲ୍ସ ବୋଲି କହନ୍ତି, ଏଗୁଡ଼ିକ ବୃହସ୍ପତିରେ ମିଶିବାରୁ ଏହି ଗ୍ରହ ସବୁଠାରୁ ବିଶାଳ ହୋଇଛି।

ତେବେ କଣ ଏହି ପ୍ଲାନେଟେସିମଲ୍ସ ?

ସୌରମଣ୍ଡଳରେ ଗ୍ରହର ଗଠନ ପାଇଁ ମହାକାଶରେ ଧୂଳିକଣାରେ ତିଆରି ହୋଇଥିବା ଛୋଟ ଛୋଟ ଗ୍ରହପିଣ୍ଡ, ଯାହା ଏକତ୍ରିତ ହୋଇ ଗ୍ରହମାନଙ୍କୁ ତିଆରି କରେ ବୋଲି କୁହାଯାଏ। ୪.୬ ବିଲିୟନ ବର୍ଷ ପୂର୍ବରୁ ସୌରମଣ୍ଡଳ ତିଆରି କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ବୃହସ୍ପତି ବିଷୟରେ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି ସ୍ରୋନ ନ୍ୟାଦରଲ୍ୟାଣ୍ଡ ଇନଷ୍ଟିଚ୍ୟୁଟର ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନୀମାନଙ୍କର ଏକ ଟିମ୍। ୟାମିଲା ମିଗୁଏଲଙ୍କ ନେତୃତ୍ୱରେ ଏହି ଗବେଷଣା ହୋଇଥିଲା। ଗତ ସପ୍ତାହରେ ସେ ତାଙ୍କ ଗବେଷଣା ଷ୍ଟଡିକୁ ବିଜ୍ଞାନ ପତ୍ରିକା ଆଷ୍ଟ୍ରୋନୋମୀ ଓ ଆଷ୍ଟ୍ରୋଫିଜିକ୍ସରେ ପ୍ରକାଶ କରିଥିଲେ।

 

ଲାଇଭ ସାଇନ୍ସକୁ ପ୍ରତିକ୍ରିୟା ଦେଇ ୟାମିଲ ମିଗୁଏଲ କହିଛନ୍ତି- “ ଆମ ସୌରମଣ୍ଡଳରେ ବୃହସ୍ପତି ପ୍ରଥମ ଗ୍ରହ। ତେବେ ଏହା କେମିତି ଗଠନ ହେଲା ସେ ନେଇ ଆମ ପାଖରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଜୁନୋ ଆପଣଙ୍କୁ ପୂରା ସଠିକ ମାଧ୍ୟାକର୍ଷଣ ତଥ୍ୟ ଦେବ। ଯାହା ଆପଣଙ୍କୁ ବୃହସ୍ପତିର ଅନ୍ତର୍ଭାଗ ବିଷୟରେ ସୂଚନା ଦେବ।  ଏହା ଏକ ନୂଆ ତଥ୍ୟ ଯାହା ବୃହସ୍ପତି ଚାରିପଟେ ପରିକ୍ରମା କରୁଥିବା ସ୍ପେଶ୍‌କ୍ରାଫ୍ଟରୁ ନିଆଯାଇପାରିବ। ”

ମିଗୁଏଲ ଆହୁରି କହିଛନ୍ତି “ବର୍ତ୍ତମାନ ବୃହସ୍ପତି ମୁଖ୍ୟରୂପରେ ଘୃର୍ଣ୍ଣୟମାନ ଏକ ଗ୍ୟାସ୍ ବଲ ହେଇପାରେ। ତେବେ ସୌରମଣ୍ଡଳରେ ଅନ୍ୟ ଗ୍ରହ ପରି ଏହା ଛୋଟ ଛୋଟ ଚଟାଣପିଣ୍ଡକୁ ଏକାଠୀ କରି ତିଆରି ହୋଇଛି। ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଅଧିକରୁ ଅଧିକ ପିଣ୍ଡକୁ ନିଜ ଆଡ଼କୁ ଆକର୍ଷଣ କରିବା ଦ୍ୱାରା ଏଗୁଡ଼ିକ ଏକାଠି ହୋଇ ଏହାର ଘନତ୍ୱ ଏତେ ବଢ଼ିଗଲା ଯେ ଏଗୁଡ଼ିକ ଅନ୍ୟଆଡ଼ୁ ଗ୍ୟାସ୍‌ସବୁ ନିଜ ଆଡକୁ ଟାଣି ଏକାଠି କଲା। ମୁଖ୍ୟତଃ ସୂର୍ଯ୍ୟରୁ ନିର୍ଗତ ହେଉଥିବା ହାଇଡ୍ରୋଜେନ୍ ଏବଂ ହିଲିୟମ ଗ୍ୟାସ୍‌କୁ ଅଧିକାଂଶ ଭାବରେ ଏକାଠି କରି ଜୁପିଟରରେ ବିଶାଳ ଗ୍ୟାସ୍‌ ଆସ୍ତରଣ ତିଆରି କରିଛି।”

CATEGORIES
TAGS
Share This

COMMENTS

Wordpress (0)
Disqus (0 )