Saturday 25th January 2025
କୋରିଆ ନିବେଶକଙ୍କୁ ଆମନ୍ତ୍ରଣ କରିଛି ଓଡ଼ିଶା…

କୋରିଆ ନିବେଶକଙ୍କୁ ଆମନ୍ତ୍ରଣ କରିଛି ଓଡ଼ିଶା…

‘ମେକ ଇନ ଓଡ଼ିଶା’ ଏହା ଆମ ଓଡ଼ିଶା ପାଇଁ ଏକ ଉନ୍ନତିର ବାଟ । ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଲାଗି ଉଦ୍ୟମ ଜାରି ରଖିଥିବା ରାଜ୍ୟ ସରକାର ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀ ‘‌ମେକ୍ ଇନ୍ ଓଡ଼ିଶା’ରେ ଅଂଶଗ୍ରହଣ କରିବା ଲାଗି କୋରିଆ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କୋରିଆ ବାଣିଜ୍ୟ-ନିବେଶ ପ୍ରସାର ଏଜେନ୍ସି ର ପ୍ରତିନିଧିମାନଙ୍କୁ ସାକ୍ଷାତ କରିଛନ୍ତି। ନିଜ ପ୍ରତିନିଧି ମଣ୍ଡଳୀ ସହ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବା ଲାଗି ଶ୍ରୀ ଶର୍ମା ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି।

ନୂଆଦିଲ୍ଲୀରେ ଇସ୍ପାତ ଓ ଖଣି ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ଏକ ସମ୍ମିଳନୀରେ ଭାଗ ନେଇ ଶିଳ୍ପ ସଚିବ ଶ୍ରୀ ଶର୍ମା ଓଡ଼ିଶାର ଖଣିଜ ଓ ଧାତବ କ୍ଷେତ୍ରରେ ରହିଥିବା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିଳ୍ପ ପ୍ରତିନିଧିମାନଙ୍କୁ ମଧ୍ୟ ସେ ମେକ୍ ଇନ୍ ଓଡ଼ିଶାରେ ଭାଗ ନେବା ଲାଗି ଆମନ୍ତ୍ରଣ କରିଛନ୍ତି। ରାଜ୍ୟରେ ସ୍ଥିର ସରକାର, ପ୍ରଗତିଶୀଳ ନୀତି, ପ୍ରାକୃତିକ ସମ୍ପଦ, ଶିଳ୍ପ ପାଇଁ ସୁହାଇବା ଭଳି ଭିତ୍ତିଭୂମି ବିକାଶ, ଶିଳ୍ପ ପାଇଁ ଜମି ଉପଲବ୍ଧତା, ବନ୍ଦର ନେତୃତ୍ବାଧୀନ ବିକାଶ ମଡେଲ୍ ଓ ଦକ୍ଷ ମାନବ ସମ୍ବଳ ଯୋଗୁଁ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ପାଇଁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ରହିଥିବା ସେ କହିଛନ୍ତି। ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣକୁ ବଡ଼ ଧରଣରେ ଆୟୋଜନ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ। ଏହା ପରେ ଚଳିତ ମାସରେ ଅହମ୍ମଦାବାଦରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ନିବେଶକ ସମ୍ମିଳନୀ ଆୟୋଜନ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୧୬ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨.୦୩ ଲକ୍ଷ କୋଟି ଟଙ୍କା ଓ ୨୦୧୮ରେ ଅନୁଷ୍ଠିତ ଦ୍ବିତୀୟ ସଂସ୍କରଣରେ ୪.୨୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା।

CATEGORIES
TAGS
Share This

COMMENTS

Wordpress (0)
Disqus (1 )