Thursday 23rd May 2024
ମହାନ ରାଷ୍ଟ୍ରନାୟକଙ୍କର ହତ୍ୟା ଷଡଯନ୍ତ୍ର !

ମହାନ ରାଷ୍ଟ୍ରନାୟକଙ୍କର ହତ୍ୟା ଷଡଯନ୍ତ୍ର !

ଝଡ ଆସିଲା ଆଖି ପିଛୁଳାକେ ସବୁକିଛି ଧୁଳିସାତ କରିଦେଲା । ୧୯୬୬ ଅପ୍ରିଲ ୨୬ ସେଦିନ ଝଡ ନୁହେଁ ବରଂ ଭୂମିକମ୍ପ ହୋଇଥିଲା ଯାହା ସୋଭିଏତ ସଙ୍ଘର ମୁଖ୍ୟ ସହର ତାସକନ୍ଦର ଲୋକଙ୍କ ମନରେ ଝଡ ସୃଷ୍ଟି କରିଦେଇଥିଲା । ଏକ ବିଧ୍ୱଂସକାରୀ ଭୂମିକମ୍ପ ବ୍ୟାପକ ଧନ ଜୀବନହାନୀ ଓ ୩ଲକ୍ଷରୁ ଅଧିକ ଲୋକଙ୍କର ଘର ଦ୍ୱାରା ଚାଲିଗଲା । ସେଠାକାର ଲୋକଙ୍କ ମୁହଁରେ କେବଳ ଗୋଟିଏ କଥା ଥିଲା- ପ୍ରକୃତି ଆମକୁ ଅଭିଶାପ ଦେଇଛି । ଆମ ମାଟିରେ ଭାରତର ଜଣେ ପ୍ରାଧାନମନ୍ତ୍ରୀଙ୍କର ହତ୍ୟା ହୋଇଛି । ତେଣୁ ଏହା ହେଉଛି ସେହି ଘଟଣାର ପରିଣାମ । ଥରେ ଚିନ୍ତାକଲେ ଯେଉଁ ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁକୁ ଭାରତରେ ଲୋକ ସାଧାରଣ ମୃତ୍ୟୁ ବୋଲି ଘୋଷଣା କରୁଥିଲେ ସେହି ପ୍ରଧାନମନ୍ତ୍ରୀଙ୍କର ହତ୍ୟା ହେଇଛି ବୋଲି ତାସକନ୍ଦ ସହର ଅଧିବାସୀ ଜାଣିସାରିଥିଲେ । ଆଜିର ସମୟରେ ମଧ୍ୟ ତାସକନ୍ଦ ସହରରେ ୧୯୬୬ ଜାନୁଆରୀରେ ଘଟିଥିବା ଦୁଃଖଦ ଘଟଣାକୁ ଭାରତର ଅନ୍ୟତମ ପ୍ରମୁଖ ରାଜନୈତିକ ବିବାଦିତ ଘଟଣା ବୋଲି ବିବେଚିତ କରାଯାଏ; ଅନ୍ୟଟି ହେଉଛି ୧୯୪୫ରେ ସୁଭାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ । ଆଜି ପର୍ଯ୍ୟନ୍ତ ଶାସ୍ତ୍ରୀଙ୍କ ମୃତ୍ୟୁ ଜନମାନସକୁ ଏପରି ଆଚ୍ଛାଦିତ କରି ରଖିଛି ଯେ ତାଙ୍କ ନାମ ଉଚ୍ଚାରଣ ମାତ୍ରେ ହିଁ, ଅତ୍ୟନ୍ତ ସ୍ୱାଭାବିକ ଭାବେ ତାସକନ୍ଦ ଘଟଣାର ଆଲୋଚନା ଆରମ୍ଭ ହେଇଯାଏ..

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ ଉତ୍ତରପ୍ରଦେଶର ମୁଗଲସରାଇରେ ୧୯୦୪ ମସିହା ଅକ୍ଟୋବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଦେଶର ରେଳମନ୍ତ୍ରୀ ଥିବା ସମୟରେ ଏକ ରେଳ ଦୁର୍ଘଟଣା ଘଟିଥିଲା । ଉକ୍ତ ଦୁର୍ଘଟଣା ପାଇଁ ସେ ନିଜକୁ ଦାୟୀ କରି ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହି ଘଟଣା ହିଁ ତାଙ୍କର ମହାନ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରୁଛି । ଶାସ୍ତ୍ରୀଙ୍କ ସମୟରେ ଭାରତ ପଡ଼ୋଶୀ ଖଳରାଷ୍ଟ୍ର ପାକିସ୍ତାନର ଉଚିତ ମୁକାବିଲା କରିବାରେ ସକ୍ଷମ ହୋଇଥିଲା । ସେ ୧୯୬୬ ମସିହା ଜାନୁଆରୀ ମାସ ୧୧ ତାରିଖରେ ପରଲୋକ ଗମନ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱାଧୀନ ଭାରତର ଏହି ମହାନ୍ ଜନନାୟକଙ୍କ ମୃତ୍ୟୁ ରହସ୍ୟ ଆଜି ବି ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ ।

ଶାସ୍ତ୍ରୀଙ୍କ ମୃତ୍ୟୁ କିଏ କାମନା କରୁଥିଲା? ଭାରତ ବିରୁଦ୍ଧରେ ଏପରି ସଙ୍ଗୀନ ଷଡ଼ଯନ୍ତ୍ର କରିବାର ଅଭିପ୍ରାୟ କ’ଣ ହୋଇପାରେ? ଶାସ୍ତ୍ରୀଙ୍କ ବାଲ୍ୟବନ୍ଧୁ ଟି.ଏନ ସିଂହଙ୍କ ଭାଷାରେ – ଶାସ୍ତ୍ରୀ ତ ଅଜାତଶତ୍ରୁ । ଏପରି ବ୍ୟକ୍ତିଙ୍କର କ’ଣ କୌଣସି ଶତ୍ରୁ ଥାଇପାରନ୍ତି ? କେନ୍ଦ୍ରୀୟ ତଦନ୍ତ ସଂସ୍ଥା ( ସି.ଆଇ.ଏ)ର ୧୯୬୫ର ଏକ ରିପୋର୍ଟ ମଧ୍ୟ ଟି.ଏନ ସିଂହଙ୍କ ଉକ୍ତିର ପୁଷ୍ଟି କରିଥିଲା । ଲେଖାଥିଲା, ତାଙ୍କ  ୪୦ ବର୍ଷର ଦୀର୍ଘ ରାଜୈନତିକ ଜୀବନରେ ଅଳ୍ପ ଥାଇପାରନ୍ତି ବା ସେମିତି କେହି ଶତ୍ରୁ ନ ବି ଥାଇପାରନ୍ତି ।

ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ଶାସ୍ତ୍ରୀ ତାସକନ୍ଦ  ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ମୃତ୍ୟୁର ପୂର୍ବଦିନ ଅର୍ଥାତ ଜାନୁଆରୀ ୧୦ ତାରିଖ ଦିନ ଅପରାହ୍ଣ ୪ଟାରେ ସେ ରୁଷ ଦ୍ୱାରା ପ୍ରଦାନ କରାଯାଇଥିବା ଅତିଥି ଭବନକୁ ଫେରିଥିଲେ । ସେ ସମୟରେ ରୁଷରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଟିଏନ୍ କାଉଲଙ୍କ ବାସଭବନରେ ଖାଦ୍ୟ ପ୍ରସ୍ତୁତ ହୋଇ ଶାସ୍ତ୍ରୀଙ୍କୁ ଦିଆଯାଇଥିଲା । ରାତି ୧୧.୩୦ ସମୟରେ କାଉଲଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୀର ସେବନ କରି ଶୋଇଯାଇଥିଲେ । ହଠାତ୍ ରାତି ୧.୨୫ ସମୟରେ ଶାସ୍ତ୍ରୀ ଉଠି ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ରୁମରେ କୌଣସି ଫୋନ୍ ନଥିବାରୁ ସେ ବହୁ କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ତାଙ୍କର ବ୍ୟକ୍ତିଗତ ଡାକ୍ତର ଆରଏନ ଚଘଙ୍କୁ ଖବର ଦେଇଥିଲେ । ମାତ୍ର ବିଧିର ବିଧାନ ଥିଲା ଅଲଗା, ଡା. ଚଘ ପହଞ୍ଚିବା ପୂର୍ବରୁ ଚିରନିଦ୍ରାରେ ଶୋଇଯାଇଥିଲେ ସ୍ୱାଧୀନ ଭାରତର ଏହି ମହାନ ଯୋଗ୍ୟ ସନ୍ତାନ । ଏହାପରେ ଡା. ଚଘ ଭୋ ଭୋ କାନ୍ଦି ଉଠିଥିଲେ ଓ ଅଭିମାନ ଭରା କଣ୍ଠରେ କହିଥିଲେ, ‘ବାବୁଜୀ ମୋତେ ଆପଣ ଟିକିଏ ସମୟ ଦେଲେ ନାହିଁ ।

ତେବେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଯେତେବେଳେ ତାଙ୍କର ମରଶରୀର ଦିଲ୍ଲୀରେ ପହଞ୍ଚିଥିଲା, ସେତେବେଳେ ତାଙ୍କର ଦେହ ନୀଳ ରଙ୍ଗ ହୋଇଯାଇଥିଲା । ଶାସ୍ତ୍ରୀଙ୍କୁ କେହି ବିଷ ଦେଇଥିବା ନେଇ ତାଙ୍କ ମାଆ ଓ ଧର୍ମପତ୍ନୀ ଅଭିଯୋଗ କରିଥିଲେ । ବିଭିନ୍ନ ରାଜନୈତିକ ଦଳରେ ଥିବା ଶାସ୍ତ୍ରୀଙ୍କ ପୁଅ ଓ ନାତିମାନେ ମୃତ୍ୟୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଶାସ୍ତ୍ରୀଙ୍କ ବେକ ପଛପଟେ ଆଘାତ ଓ ରକ୍ତର ଚିହ୍ନ ଦେଖିଥିବା ତାଙ୍କର ଜଣେ ବନ୍ଧୁ ଟିଏନ ସିଂହ ମଧ୍ୟ କହିଥିଲେ । ୧୯୭୭ ମସିହାରେ ଶାସ୍ତ୍ରୀଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ ଡା. ଚଘଙ୍କୁ ତାଙ୍କ ପତ୍ନୀଙ୍କ ସହ ଟ୍ରକ ଚାପି ଦେଇଥିଲା । ଶାସ୍ତ୍ରୀଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଯାଇନଥିଲା । ତାଙ୍କର ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି, ଏଥିରେ ସନ୍ଦେହ ନାହିଁ । ମୃତ୍ୟୁ ପରବର୍ତ୍ତୀ ସମୟର ବିଭିନ୍ନ ଘଟଣାକୁ ଅବଲୋକନ କଲେ ସ୍ପଷ୍ଟ ହୁଏ, ଯେ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ମାତ୍ର ସେ ରହସ୍ୟ ବୋଧହୁଏ ଯୁଗ ଯୁଗ ପାଇଁ ରହିଯିବ ଅଜଣା ହୋଇ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )