
ସରପ୍ରାଇଜ୍ ଦେଲେ ଅନୁପମ ଖେର୍ , ପ୍ରତୀକ୍ଷାର ହିନ୍ଦୀ ରିମେକ୍ କରିବାକୁ କଲେ ଘୋଷଣା
ପ୍ରଥମେ “ଦମନ” ଆଉ ଏବେ “ପ୍ରତୀକ୍ଷା” । ପଛରେ ପଡ଼ିଯାଇଥିବା ଓଡ଼ିଆ ଇଣ୍ଡଷ୍ଟ୍ରି ନିଜ ପଥ ବଦଳାଇଛି । ଦିନକୁ ଦିନ ଓଡ଼ିଆ ଇଣ୍ଡଷ୍ଟ୍ରି ଭଲରୁ ଭଲ ଭେଟି ଦେଉଛି ଲୋକ ମାନଙ୍କୁ । ରିଜୋନାଲ୍ ସିନେମା ବା ଆଂଚଳିକ ସିନେମାର ପ୍ରଚାର କେବଳ ଗୋଟିଏ ରାଜ୍ୟରେ ହିଁ ସୀମିତ ରହିଯାଏ । ଏହିଭଳି ସିନେମାକୁ କେବଳ ଲୋକାଲ୍ ଦର୍ଶକ ଦେଖିପାରନ୍ତି । କିନ୍ତୁ ଏଇ କିଛି ବର୍ଷ ଭିତରେ ବିଭିନ୍ନ ରିଜୋନାଲ୍ ସିନେମା କେତେବେଳେ ପ୍ୟାନ୍ ଇଣ୍ଡିଆ ଆକାରରେ ରିଲିଜ୍ ହେଇ ନାଁ କମାଇବା ଆରମ୍ଭ କରିଦେଲା ତାହା ଜଣାପଡିଲା ନାହିଁ । ତାମିଲ,ମାଲାୟଲମ୍,ତେଲୁଗୁ,କନ୍ନଡ ଏମାନେ ଧାଡି ପରେ ଧାଡି ସାରା ଭାରତର ଦର୍ଶକଙ୍କ ମନ କିଣିନେଲେ । ଲୋକେ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ସେମାନଙ୍କ ସହ ତୁଳନା କରିବା ଆରମ୍ଭ କରିଦେଲେ ।
କିନ୍ତୁ ଏତେ ଚର୍ଚ୍ଚା ଭିତରେ ମନମାରି ବସିଥିବା ଓଡିଆ ଦର୍ଶକ ବି ଭାବୁଥିଲେ ଆମେ କଣ ରିଜୋନାଲ୍ ନୁହେଁ ? ଆମ ଭାଷାର ସିନେମା କଣ ଏହିଭଳି ପ୍ରସାର ହେବନି ? ଆମ ଓଡିଆ ଫିଲ୍ମକୁ ହିନ୍ଦୀ ଓ ଅନ୍ୟାନ୍ୟ ଭାଷା ଭାଷୀର ଲୋକ ଦେଖି କେବେ ପ୍ରଶଂସା କରିବେ ? ଏମିତି ଅନେକ ପ୍ରଶ୍ନ ଆମ ଓଡିଆଙ୍କ ମନରେ ଥିଲା । ହେଲେ ଏବେ ଏସବୁ ପ୍ରଶ୍ନର ଉତ୍ତର ମିଳିସାରିଛି । ଭଲ କାହାଣୀ ଥିଲେ ଆମ ସିନେମା ବି ସାରା ଦୁନିଆ ଦେଖିବ । ଏହିଭଳି କଥାକୁ ପ୍ରଥମେ ପ୍ରମାଣିତ କରିଲା ଦମନ ଚଳଚିତ୍ର । ନିଚ୍ଚକ କାହାଣୀ ସହିତ ଓଡିଶା ମାଟିର କଥାକୁ ଲୋକଙ୍କ ସାମ୍ନାକୁ ଆଣିଲା ଏହି ଚଳଚିତ୍ର । ବାସ୍ ତାପରେ ଆଉ କଣ ସତେ ଯେମିତି ଓଡିଶା ସିନେ ଦୁନିଆର ଏକ ନୂଆ ସୂର୍ୟ୍ୟ ଉଦୟ ହେଇଗଲା । ଦମନକୁ ହିନ୍ଦୀ ଭାଷାରେ ରିଲିଜ କରିବାର ବ୍ୟବସ୍ଥା ହେଲା ଆଉ ଏସବୁ କେବଳ ଦର୍ଶକଙ୍କର ଭଲପାଇବା ପ।ଇଁ ସମ୍ଭବ ହେଇପାରିଲା ।ତେବେ ଦମନ ପରେ ଆସିବାକୁ ଯାଉଛି ପ୍ରତିକ୍ଷା । ଏହି ସିନେମାକୁ ବି ଏକ ବଡ ସଫଳତା ମିଳିଛି । ବଲିଉଡର ସୁପରଷ୍ଟାର ଏବଂ ଜଣେ ଖ୍ୟାତିନାମ କଳାକାର ହିସାବରେ ପରିଚିତ ଅନୁପମ ଖେର୍ ଏହାକୁ ହିନ୍ଦୀରେ ପ୍ରଡ୍ୟୁସ୍ କରିବାର ପ୍ରତିଶୃତି ଦେଇଛନ୍ତି । ଏବେ ଓଡ଼ିଆ ଚଳଚିତ୍ରରେ ଯୋଡ଼ି ହୋଇଛି ନୂଆ ଏକ ଫର୍ଦ୍ଦ । ଗୋଆରେ ହେଉଥିବା ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ୨୨ ନଭେମ୍ବରରେ ଅନୁପମ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ସ୍କ୍ରିନିଂ ହେବା ପରେ ଏହାକୁ ଦେଖି ଅଭିଭୂତ ହୋଇଛନ୍ତି ବିଶିଷ୍ଟ ଅଭିନେତା ଅନୁପମ ଖେର। ଏଥିସହ ଆଇଏଫଏଫଆଇ ମଞ୍ଚରେ ସେ ଘୋଷଣା କରିଛନ୍ତି କି ସେ ‘ପ୍ରତୀକ୍ଷା’କୁ ହିନ୍ଦୀରେ ନିର୍ମାଣ କରିବେ। କେବଳ ସେତିକି ନୁହେଁ, ଏହି ହିନ୍ଦୀ ରିମେକରେ ସେ ବାପା ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ପୁଣି ନିଜ ପ୍ରତିଶ୍ରୁତିକୁ ନିଶ୍ଚିତ କରିବା ଲାଗି ଚଳଚ୍ଚିତ୍ରର ରାଇଟ୍ ହାସଲ ଲାଗି ୧୧୦୦ଟଙ୍କା ଅଗ୍ରୀମ ମଧ୍ୟ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
▪️ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର
▪️ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା
▪️ଆଇଏଫଏଫଆଇ ୫୩ରେ ପ୍ରଦର୍ଶିତ ହେଲା ପିତା-ପୁତ୍ରର ସମ୍ପର୍କକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାhttps://t.co/iOfQGd6ccj#IFFI53 #IFFI53Goa #IFFI53 pic.twitter.com/b3CKCfasP4
— PIB in Odisha (@PIBBhubaneswar) November 23, 2022
ପ୍ରତୀକ୍ଷାର କାହାଣୀ:
ପ୍ରତୀକ୍ଷା ନିଚ୍ଛକ ଓଡ଼ିଆ ଘରର କାହାଣୀ, ବାପା ଓ ପୂଅର ଜଟିଳ ସମ୍ପର୍କକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପୂଅ ସଞ୍ଜୟ ପିତାଙ୍କ ଅବସର ନେବାର କିଛି ମାସ ପୂର୍ବରୁ ସରକାରୀ ଚାକିରୀ ଖୋଜୁଛନ୍ତି । ତାଙ୍କ ପିତା ବିପିନ୍ ଜିଦ୍ ଧରିଛନ୍ତି ଯେ ସେ ଚାକିରି ଖୋଜନ୍ତୁ! କାରଣ ପରିବାର ଉପରେ ଋଣ ଅଛି। ବିପିନ୍ ମଧ୍ୟ ଏକ ଦୂରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି। ସଞ୍ଜୟ ସରକାରଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନା ବିଷୟରେ ଜାଣନ୍ତି ଯେଉଁଠାରେ ଜଣେ କର୍ମଚାରୀଙ୍କ ଅକାଳରେ ମତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟ ମୃତ ସରକାରୀ କର୍ମଚାରୀଙ୍କ ଚାକିରି ପାଆନ୍ତି। ନିରାଶ ସଞ୍ଜୟ କେବଳ ତାଙ୍କ ବିବ୍ରତ ମନକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରନ୍ତି। ଏହି ଚଳଚିତ୍ର ଟି ଡିସେମ୍ବର ୨ରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ।