Thursday 23rd May 2024
ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ..

ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ..

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପ୍ରତିବର୍ଷ ଏହି ପର୍ବ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆସିଥାଏ ନୂଆ ଉନ୍ମାଦନା। ଏହି ପର୍ବ ଏକାଧାରାରେ କୃଷି, ଶାନ୍ତି, ମୈତ୍ରୀ ଓ ପୂଜାପୂଜ୍ୟର ପର୍ବ। ଏଇ ପର୍ବ ଆରମ୍ଭ ହୁଏ ଚାଷୀଙ୍କଠାରୁ। ଆଣ୍ଠୁଏ ବହଳର କାଦୁଅରେ ଘାଣ୍ଟି ସାଉଣ୍ଟି ହୋଇ ଚାଷୀ ଯେଉଁ ପ୍ରଥମ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିଥାଏ ତାକୁ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲଗାଇ ଆତ୍ମତୃପ୍ତି ଲାଭ କରେ। ପାଞ୍ଜି ଅନୁସାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ପାଳିତ ହୁଏ କୃଷିଭିତ୍ତିକ ଏହି ଗଣପର୍ବ-ନୂଆଁଖାଇ। ନୂଆଁଖାଇରେ ଝଲସି ଉଠେ ସାମାଜିକ ଚାଲିଚଳଣୀର ନିଚ୍ଛକ ପ୍ରତିଛବି। ସଂସ୍କୃତି ଏବଂ ପରମ୍ପରାର ମହତ୍ତ୍ଵ ସହ ଭାଇଚାରାର ସ୍ଵାଦ ଚଖାଇଥାଏ ଏହି ପର୍ବ। ପ୍ରକୃତି ସହିତ ମଣିଷର ରହିଥିବା ନିବିଡ଼ତାକୁ ମଧ୍ୟ ଦର୍ଶାଇଥାଏ ନୂଆଁଖାଇ।

ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ “ନୂଆଁଖାଇ” କୁହାଯାଏ।

ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି ।

ନଵାନ୍ନ ବା ନୂଆ ଖାଇ ପର୍ଵ ପରି କେରଳର ଓଣମ, ଆସାମର ଭୋଗଲି ବିହୁ ପର୍ଵ ପାଳନ ହେଉଥିବାର ଦେଖାଯାଏ । ଆମ ଓଡ଼ିଶାର ବଲାଙ୍ଗିର, ବରଗଡ଼, ସମ୍ବଲପୁର, କଳାହାଣ୍ଡି ସମେତ ରାଜ୍ୟର ପଶ୍ଚିମାଳର ପ୍ରାୟ ବାରଟି ଜିଲ୍ଲାରେ ‘ନୂଆଖାଇ ପର୍ବ’ ବା ‘ନବାନ୍ନ’ ହେଉଛି ଏକ ପ୍ରମୁଖ ପର୍ବ । ନୂଆଖାଇକୁ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ସମ୍ବଲପୁରରେ ସମଲେଶ୍ବରୀ, ବଲାଙ୍ଗୀରରେ ପାଟଣେଶ୍ବରୀ, ସୋନପୁରର ସୁରେଶ୍ୱରୀ ଓ ଭବାନୀପାଟଣାର ମାଣିକେଶ୍ବରୀଙ୍କୁ ଇଷ୍ଟଦେଵୀ ରୂପେ ପୂଜା କରାଯାଇଥାଏ । ନିର୍ଦ୍ଧାରିତ ଲଗ୍ନରେ ଦେଵୀଙ୍କ ସମ୍ମୁଖରେ କୀଟ ଓ ପକ୍ଷୀଙ୍କ ସ୍ପର୍ଶ ପୂର୍ବରୁ ଉତ୍ପାଦିତ ହୋଇଥିବା ନୂଆ ଧାନ, ପୂଜାରେ ଭୋଗ ଲଗାଯାଏ ।
ନଵାନ୍ନ ଧାନ ପ୍ରସ୍ତୁତି –

ଶ୍ରାବଣ ମାସର ଶେଷ ବେଳକୁ ଖରିଫ ଧାନ ଚାଷ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥାଏ । ଅକ୍ଷୟ ତୃତୀୟା ଓ ଶୀତଳଷଷ୍ଠୀ ସମୟରେ କରାଯାଇଥିବା ଧାନ ଚାଷର ପ୍ରଥମ ଶସ୍ୟ ନବାନ୍ନ ବେଳକୁ ଅମଳକ୍ଷମ ହୋଇଥାଏ । ଖରଡ଼ି ଚାଷ ମାଧ୍ୟମରେ ସୁରୁଆଁ କିସମର ଧାନ ବିହନ ଏଥିପାଇଁ ଚାଷୀମାନେ ଉପଯୋଗ କରିଥାନ୍ତି ।  ଜମିରେ ଚାଷୀମାନେ ନବାନ୍ନ ସକାଶେ ଏହି ଧାନ ଚାଷ କଲା ଉତ୍ତାରୁ ଖରିଫ ଫସଲର କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ସଜବାଜ –
ନୂଆଖାଇ ଦିନ ବଡ଼ି ଭୋରରୁ ଗାଁମାନଙ୍କରେ ପାରମ୍ପରିକ ଭାବେ ଏକ ନିର୍ଦ୍ଧିଷ୍ଟ ପରିବାର ନୂଆ ଧାନ ଗ୍ରାମବାସୀମାନଙ୍କୁ ପ୍ରଦାନ କରିଥାନ୍ତି । ଏପଟେ ଗୃହିଣୀମାନେ ମଧ୍ୟ ଘର ଲିପା ପୋଛା କରି ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସନ୍ତି । ଘର ଲିପାପୋଛା କରି ନୂଆ ରଂଗ ଲଗାଇ ନୂଆଁଖାଇକୁ ସ୍ୱାଗତ କରନ୍ତି । ପୁଣି କିଏ ନୂଆଁଖାଇ ପାଇଁ ପତ୍ର ତୋଳିବାରେ ଲାଗି ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ରୁହନ୍ତି । ବିଶେଷ କରି ଗୃହିଣୀମାନେ ଘରକୁ ନୂଆ କରି ସଜାଡ଼ିବାରେ ଲାଗି ପଡ଼ନ୍ତି ।

ଇଷ୍ଟଙ୍କୁ ଅର୍ପଣ –

ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ ହୋଇଥିବା ଅମୃତବେଳା ବା ଶୁଭବେଳାରେ ନୂଆ ଧାନକୁ କ୍ଷୀର ସହ ମିଶାଇ ପୂଜା କରାଯାଏ । ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ବା ମହିଳା ଏହି ପ୍ରଥମ ଧାନରେ ତିଆରି ଭୋଗକୁ ପରିବାରର ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ଆରିସା ଓ ମଣ୍ଡାପିଠା ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ପତ୍ରଥାଳିଆରେ ଖାଇଥାନ୍ତି ।

ଭେଟଘାଟ –

ନୂଆ ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ଗ୍ରାମଦେବତୀଙ୍କ ପୀଠରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପରସ୍ପର ମଧ୍ୟରେ ଥିବା ତିକ୍ତତା ଦୁରେଇ ଦେଉଥିବା ଏହି ପର୍ବରେ ନିଜଠାରୁ ବଡ଼ ଲୋକଙ୍କୁ ସମସ୍ତେ ତାଙ୍କର ଭକ୍ତି ପ୍ରଦର୍ଶନ କରିଥାନ୍ତି । ସମସ୍ତେ ମିଳିମିଶି ନୂଆ ପୋଷାକ ପିନ୍ଧିବା ସହ ମଉଜ ମଜଲିସରେ ଦିନଟି ଅତିବାହିତ କରନ୍ତି ।

ଖାଲି ଚାଷୀ ନୁହେଁ ନୂଆଁଖାଇ ପାଳିବାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି ।

ପାଳନ  –

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।

ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ଚତୁର୍ଥୀ ପରଦିନ ଅର୍ଥାତ ଋଷ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ପିତୃ ପୁରୁଷ ପିଣ୍ଡଦାନ ଶ୍ରାଦ୍ଧରେ ଏହି ନବାନ୍ନ ଦେବାର ବ୍ୟବସ୍ଥା ଅଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )