Tuesday 18th June 2024

ବାଘ ମାଆ କୋଳରେ ଜନ୍ମ ହୋଇ ମଣିଷ ମାଆ କୋଳରେ ପାଳିତ ହୋଇଥିଲା-“ଖଇରୀ”

ଯଶୀପୁରର ପୋଷାବାଘୁଣୀ ଖଇରୀ ସେତେବେଳେ ଶିମିଳିପାଳ ପାଇଁ ଅନେକ ପ୍ରସିଦ୍ଧି ଆଣିଥିଲା । ଦେଶ ବିଦେଶରୁ ପର୍ଯ୍ୟଟକ, ଗବେଷକଙ୍କମାନେ ଛୁଟି ଆସୁଥିଲେ ତାକୁ ଦେଖିବା ପାଇଁ ।
ବାଘ ମାଆ କୋଳରେ ଖଇରୀ ଜନ୍ମ ହୋଇ ମଣିଷ ମାଆ କୋଳରେ ପାଳିତ ହୋଇଥିଲା । ଶିମିଳିପାଳ ତନୟା ଖଇରୀ (ଖଇରୀ-ଭଣ୍ଡନ) ନଦୀ କୂଳରୁ ଦୁଇମାସର ବାଘ ଶାବକଟିକୁ ଖଡ଼ିଆ ଜାତିର ଲୋକେ ଉଦ୍ଧାର କରି ୫ ଅକ୍ଟୋବର ୧୯୭୪ ମସିହାରେ ଯଶିପୁର ଜଙ୍ଗଲ ବିଭାଗକୁ ଜିମା ଦେଇଥିଲେ ।  ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଭୁବନେଶ୍ବରଠାରେ  ତାକୁ ନିଜ ହାତରେ ଧରିଥିଲେ । ସେ ଖଇରୀ ନଦୀ ନାମାନୁସାରେ ବାଘୁଣୀ ଛୁଆଟିର ନାମକରଣ କରିଥିଲେ “ଖଇରୀ” ଏବଂ ତାକୁ ନନ୍ଦନକାନନରେ ନରଖି ଯଶିପୁରରେ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାଣୀ ବିଶେଷଜ୍ଞ ସରୋଜ ରାଜ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ରଖିବାକୁ ପରାମର୍ଶ ଦେଇଥିଲେ ।


ସରୋଜ ରାଜ ଚୌଧୁରୀ ଯିଏ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ପ୍ରଥମ କ୍ଷେତ୍ର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ, ନିଜ ପାଖରେ  ଶାବକଟିକୁ ରଖି ପାଳି ପୋଷି ବଡ଼ କରିଥିଲେ । ସରୋଜ ରାଜ ଚୌଧୁରୀଙ୍କର ପତ୍ନୀ ନିହାର ନଳିନୀ ଦେବୀ ନିଜ ସନ୍ତାନ ଭଳି ଖଇରୀର ଯତ୍ନ ନେଉଥିଲେ । ସ୍ନେହ, ଆଦରରେ ବାଘୁଣୀ ଭୁଲି ଯାଇଥିଲା ନିଜର ହିଂସ୍ର ପ୍ରକୃତି । ପରିବାରର ଜଣେ ସଦସ୍ୟା ଭଳି ସେ ଖୋଲା ରହୁଥିଲା । ସମସ୍ତଙ୍କ ସହିତ ଖେଳୁଥିଲା, ବୁଲୁଥିଲା, ଖାଉଥିଲା ଆଉ ଶୋଉଥିଲା ମଧ୍ୟ; କେବେ କାହାର କୌଣସି କ୍ଷତି କରି ନଥିଲା ।


ସାତ ସପ୍ତାହର ଛୁଆଟି ଚୌଧୁରୀଙ୍କ ଲାଳନ ପାଳନରେ ଖୁବ ଶୀଘ୍ର ବଢ଼ିବାକୁ ଲାଗିଲା । କେଇ ବର୍ଷ ମଧ୍ୟରେ ତାହାର ଓଜନ ୨୦୦କେଜି ଛୁଇଁଥିଲା । ନିହାର ନଳିନୀ ଦେବୀଙ୍କ ଯତ୍ନ ପାଇ ସବୁଦିନ ରାତିରେ ତାଙ୍କ ପାଖରେ ହିଁ ଶୋଇବାକୁ ଲାଗିଲା । ଖଇରୀ ଏତେ ନିର୍ଭରଶୀଳ ଓ ଆପଣାର ହୋଇଯାଇଥିଲା ଯେ ତାକୁ ଅନେକ ଥର ବଂଶ ବଢ଼ାଇବା ନିମିତ୍ତ ସାଥିଟିଏ ଖୋଜିବା ପାଇଁ ଜଙ୍ଗଲକୁ ଛାଡ଼ିଲେ ମଧ୍ୟ ସେ ପୁଣି ଘରକୁ ଫେରି ଆସୁଥିଲା ।

ସେ ଏକା ନୁହେଁ ଆହୁରି ଗୋଟିଏ ହରିଣ ଛୁଆ, ଗୋଟିଏ ବଣୁଆ କୁକୁର, ଗୋଟିଏ ଦେଶୀ କୁକୁର ମାନଙ୍କ ସହ ପାଳିତ ହେଉଥିଲା । ସେ ଅନ୍ୟ ସାଥି ଜୀବଙ୍କର କିଛି ବି କ୍ଷତି କରୁନଥିଲା । ସରକାରୀ ପୋଷାକ ପିନ୍ଧିଥିବା ଅଫିସରଙ୍କୁ ସେ ଚିହ୍ନି ପାରି ସେମାନଙ୍କ ସହିତ ଗେଲ ହେଉଥିଲା । ସେତେବେଳକୁ ତାକୁ ମାତ୍ର ସାଢ଼େ ଛଅ ବର୍ଷ ହୋଇଥାଏ । ଏକ ସ୍ଥାନୀୟ କୁକୁର କାମୁଡ଼ି ଦେବାରୁ ତାକୁ ଜଳାତଙ୍କ ରୋଗ ହେଲା । ଫଳରେ ପ୍ରସିଦ୍ଧ ବାଘରାଣୀ ଖଇରୀ ୨୮ ମାର୍ଚ୍ଚ ୧୯୮୧ ମସିହାରେ ପ୍ରାଣ ହରାଇଲା । ଖଇରୀର ମୃତ୍ୟୁ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଲେ ସରୋଜ ରାଜ ଚୌଧୁରୀ । ଖଇରୀ ପରେ ପରେ ସେହି ବର୍ଷ ହିଁ ସେ ଇହଲୀଳା ସମ୍ବରଣ କରିଥିଲେ ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ବାଘ ଓ ମଣିଷ ମଧ୍ୟରେ ଏପରି ସ୍ନେହ ସମ୍ପର୍କ ଦେଖି । କେବଳ ଥାଇଲାଣ୍ଡର ବୌଦ୍ଧ ଭିକ୍ଷୁ ବାଘମାନଙ୍କୁ ପୋଷ୍ୟ କରି ରଖନ୍ତି । ଅଷ୍ଟ୍ରେଲିଆର ଜଣେ ତରୁଣୀ କେନ୍ୟାରେ ଏକ ଶିଙ୍ଘି (ମାଈ ସିଂହ) କୁ ପୋଷ୍ୟ କରିଥିଲେ । ପୂର୍ବ ଗବେଷଣାରୁ ଜଣାଥିଲା ପୁରୁଷ ଜୀବମାନଙ୍କୁ ବିଶେଷ କରି ବାଘମାନଙ୍କୁ ପାଳି ରଖିବା କଷ୍ଟକର । ସେସମୟରେ ଭାରତରେ ଗୋଟିଏ ବାଘୁଣୀକୁ ପୋଷ୍ୟ କରି ରଖିବା ଏକ ବିରଳ ଘଟଣା ଥିଲା । ଶ୍ରୀମାନ ଚୌଧୁରୀ ଓ ନଳିନୀ ଦେବୀ ସମସ୍ତ ସନ୍ଦେହକୁ ଦୂରୀଭୂତ କରି ଯାହା କରି ଦେଖେଇଲେ ତାହା ସମସ୍ତଙ୍କୁ ଅଭିଭୂତ କରିଥିଲା । ଏଥିପାଇଁ ମୟୁରଭଞ୍ଜର ଏକ ଐତିହାସିକ ମୁହୂର୍ତ୍ତ ଥିଲା ସେଇ ଅଶି ଦଶକ ।


ସେ ସମୟରେ ଓଡ଼ିଶା ଲୋକସମ୍ପର୍କ ବିଭାଗ ଖଇରୀ ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରିଥିଲେ । ତାହା ଏବେ ଇଣ୍ଟରନେଟରେ ଉପଲବ୍ଧ ଅଛି । ଶ୍ରୀମାନ ଚୌଧୁରୀ ଏକ ଅନୁଭୂତି ପୁସ୍ତକ Khairi – the beloved tigress” ଇଂରାଜୀରେ ରଚନା କରିଛନ୍ତି । ସାହିତ୍ୟିକ ଅଖିଳ ମୋହନ ପଟ୍ଟନାୟକ “ବାଘରାଣୀ ଖଇରୀ” ପୁସ୍ତକରେ ଖଇରୀର ଜୀବନ୍ତ କାହାଣୀ ଲିପିବଦ୍ଧ କରିଛନ୍ତି । କୌଣସି ବାଘ ଉପରେ ସତ୍ୟ ଘଟଣାକୁ ନେଇ ବହି ଲେଖା ହେବାର ଏହା ହେଲା ପ୍ରଥମ ଘଟଣା । ଖଇରୀ ଚାଲିଯିବା ପରେ ସେ ରହୁଥିବା ସ୍ଥାନକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇ ତାର ସ୍ମୃତି ଉଜ୍ଜୀବିତ ରଖାଯାଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )