Thursday 25th April 2024
ଆଖିରେ ଲୁହ ଦେଇଗଲା ମୁହଁରେ ହସ ଫୁଟାଇଥିବା ମଣିଷ

ଆଖିରେ ଲୁହ ଦେଇଗଲା ମୁହଁରେ ହସ ଫୁଟାଇଥିବା ମଣିଷ

ଅନ୍ୟକୁ ହସାଉଥିବା ମଣିଷ କେତେ ବେଳେ ଯେ ନିଜ ହସେ ତାହା କେହି ଦେଖିନଥାନ୍ତି । ଅନ୍ୟ ମାନଙ୍କ ମୁହଁରେ ଖୁସି ଆଣିବା ପାଇଁ ସେହି ମଣିଷଟି କେତେ ଯେ କଷ୍ଟ କରେ ତାହା ବି କେହି ଦେଖିନଥାନ୍ତି । ତଥାପି ସେହି ମଣିଷ ସାମ୍ନାକୁ ଆସିଲେ ସମସ୍ତେ ଜାଣନ୍ତି ଯେ ଜୀବନର ଅଧା ରୁ ଅଧିକ ଟେନସ୍ ନ ଦୂର ହେଇଯାଏ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ଜଣେ ସାଧାରଣ ମଣିଷ କିନ୍ତୁ ଅସାଧାରଣ ପ୍ରତିଭା ସହିତ । କୁହାଯାଏ ଯେଉଁମାନେ କଳାକାର ଥାଆନ୍ତି ସେମାନେ ବିଭିନ୍ନ ଚରିତ୍ରରେ ହିଁ ନିଜକୁ ପ୍ରଦର୍ଶିତ କରିପାରନ୍ତି । କିନ୍ତୁ ସେମାନେ ନିଜେ ହିଁ କୁହନ୍ତି ସବୁ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ଲୋଭେଇବା ସହଜ । କିନ୍ତୁ କମେଡି କରି ନିଜେ ନ ହସି ଅନ୍ୟକୁ ହସାଇବା ଦୁନିଆର ସବୁଠୁ ବଡ ଓ କଷ୍ଟ କାମ ଥାଏ । ତେଣୁ କମେଡିୟାନ ମାନେ ଆମ ଚଳଚିତ୍ର ଆଦି ରେ ଯାହା ବି କରନ୍ତି ତାହା ସବୁବେଳେ ବହୁତ ହିଁ ପ୍ରଶଂସନୀୟ ଥାଏ । ବାସ୍ କିଛି ଏମିତି ପ୍ରଶଂସାର ଅଧିକାରୀ ଥିଲେ ରାଜୁ ଶ୍ରୀବାସ୍ତବ । ଜଣେ ବ୍ୟକ୍ତି ନିଜର ସାଧାରଣ କଥା ଓ ମଜାଳିଆ ଢଙ୍ଗରେ ଯେତେବେଳେ ମାଇକ୍ ଧରି ଷ୍ଟେଜରେ କଥା କୁହେ । ସେତେବେଳେ ଆଖିର ଲୁହ ମୁହଁର ହସରେ ବଦଳିଯାଏ । ଏସବୁ କେବଳ ସେହି ରାଜୁ ଶ୍ରୀବାସ୍ତବ ହିଁ କରିପାରୁଥିଲେ । ‘ଗଜୋଧର’ ନାମରେ ବି ଦର୍ଶକେ ତାଙ୍କୁ ବେଶ୍ ଭଲ ଭାବେ ଜାଣନ୍ତି।

କେମିତି ଥିଲା ରାଜୁଙ୍କ କ୍ୟାରିୟର ?

ଅତି ସାଧାରଣ କଥାକୁ ସେ ଥଟ୍ଟା ଓ ପରିହାସ ଛଳରେ ଏମିତି ଉପସ୍ଥାପନ କରନ୍ତି, ଯାହାକୁ ଦେଖି ଦର୍ଶକ ହସରେ ଲୋଟପୋଟ ହୋଇଯାଆନ୍ତି। ମୋଟାମୋଟି କହିବାକୁ ଗଲେ ରାଜୁ ହେଉଛନ୍ତି ଜଣେ ନିଚ୍ଛକ କମେଡିଆନ୍। ୨୦୦୫ ମସିହା । ରାଜୁ ଦ’ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ ଟିଭି ସୋ’ରେ ନଜର ଆସିଥିଲେ। ସେ ସେହି ସୋ’ରେ ଦ୍ବିତୀୟ ରନର୍ସ-ଅପ୍ ହୋଇ ଦେଶ ସାରା ପରିଚିତ ହୋଇଥିଲେ। ପରେ ପରେ ସେ ବିଗ୍ ବସ୍ ସିଜିନ୍-୩ରେ ଭାଗ ନେଇଥିଲେ। ନାଚବଲିୟେ ଟିଭି ସୋ’ରେ ମଧ୍ୟ ରାଜୁ ଅଂଶଗ୍ରହଣ କରିଥିଲେ। ଦ’ କପିଲ ଶର୍ମା ସୋ’ରେ ବି ରାଜୁଙ୍କୁ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଅନେକ ବିଜ୍ଞାପନ ଏବଂ ଆମଦାନି ଅଠନି ଖର୍ଚ୍ଚା ରୁପେୟା,ତେଜାବ୍‌,ବାଜୀଗର,ମେନେ ପ୍ୟାର କିୟା,ବିଗ୍ ବ୍ରଦର,ମେ ପ୍ରେମ କି ଦିବାନୀ ହୁଁ , ବମ୍ବେ ଟୁ ଗୋଆ ଆଦି ଅନେକ ବଲିଉଡ ଚଳଚ୍ଚିତ୍ରରେ ରାଜୁ ସଫଳ ଅଭିନୟ କରିଛନ୍ତି ।  ସେହିପରି କେନ୍ଦ୍ର ସରକାରଙ୍କ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ ପାଇଁ ସଚେତନତା ସୃଷ୍ଟି କରିବାକୁ ରାଜୁଙ୍କୁ ଦାୟିତ୍ବ ଦିଆଯାଇଛି।

ଏମିତି ଥିଲା ରାଜୁଙ୍କ ପରିବାର

ରାଜୁ ଶ୍ରୀବାସ୍ତବ ୧୯୬୩ ମସିହା ଡିସେମ୍ବର ୨୫ ତାରିଖ ଦିନ କାନପୁରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ସେ ପିଲାଟି ଦିନରୁ କମେଡି ପ୍ରତି ଆକୃଷ୍ଟ ଥିଲେ। ହସମଜା କରିବାକୁ ତାଙ୍କୁ ଭାରି ଭଲ ଲାଗୁଥିଲା। ରାଜୁଙ୍କ ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ ଭଲ କବି ଭାବେ ବେଶ୍ ପରିଚିତ ଥିଲେ। ସେ ବିଭିନ୍ନ ସମୟରେ ବିଶିଷ୍ଟ କଳାକାରମାନଙ୍କ ମିମିକ୍ରି ମଧ୍ୟ କରୁଥିଲେ। ରାଜୁ ବାପାଙ୍କ ପାଖରୁ ଅନୁପ୍ରାଣିତ ହୋଇଥିଲେ। ସେ ଧୀରେ ଧୀରେ କମେଡି ଓ ମିମିକ୍ରି କରିବାକୁ ଲାଗିପଡ଼ିଲେ। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଡକରା ଆସିଲା। ରାଜୁ ଆଉ ପଛକୁ ନାହିଁ ନଥିଲେ। କମେଡିରେ ନିଜ କ୍ୟାରିୟର ବନାଇବାକୁ ଲାଗିପଡ଼ିଲେ। ରାଜୁ ୧୯୯୩ ମସିହାରେ ଶିଖାଙ୍କୁ ବିବାହ କରିବା ସହ ଦୁଇ ପିଲାଙ୍କ ବାପା ହୋଇଥିଲେ।

ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା

ଗତ ଅଗଷ୍ଟ ୧୦ ରେ ସେ ହୃଦଘାତରେ ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୀର୍ଘ ୪୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା । ଏମିତିକି ତାଙ୍କ ଚେତା ଫେରୁନଥିଲା । ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା ।୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା । ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ କମେଡିରେ କାନ୍ଦୁଥିବା ଲୋକଟିଏ ହସୁଥିଲା। ହେଲେ ଏବେ ସେ ଆରପାରିରେ। ତାଙ୍କ ବିୟୋଗରେ ସବୁ ମ୍ରିୟମାଣ…

CATEGORIES
TAGS
Share This

COMMENTS

Wordpress (0)
Disqus (1 )