Friday 19th April 2024
ଘିଅ ମଣିଷ ପାଇଁ ଅମୃତ ନା ବିଷ ,ଜାଣିରଖି କରନ୍ତୁ ସେବନ

ଘିଅ ମଣିଷ ପାଇଁ ଅମୃତ ନା ବିଷ ,ଜାଣିରଖି କରନ୍ତୁ ସେବନ

ଘିଅ ଖାଇଲେ କଣ ହୁଏ ? ମୋଟାପଣ ବଢେ ? ଦେହ ପାଇଁ ଘିଅ ବିଲକୁଲ୍ ବି ଉଚିତ୍ ନୁହେଁ ।

ଏହିଭଳି କଥା ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ସତରେ କଣ ଘିଅ ଆମ ଦେହ ପାଇଁ ଏତେ ଅସ୍ୱାସ୍ଥ୍ୟକର ? ତାହାଲେ ଚାଲନ୍ତୁ ଭଲରେ ଜାଣିବା,ପ୍ରକୃତରେ ଘିଅ ଆମ ପାଇଁ ଭଲ ନା ଖରାପ ।

 

ଆମ ହିନ୍ଦୁ ସଂସ୍କୃତିରେ ଘିଅ ବା ଘୃତର ଏକ ବଡ ମହତ୍ୱ ରହିଛି । ପୂଜା,ହୋମ,ଆଦି ମାଙ୍ଗଳିକ କାମରେ ଏହାର ବ୍ୟବହାର ବହୁତ ହିଁ ଅଧିକ । ଗୋମାତା ଆମ ହିନ୍ଦୁ ଧର୍ମରେ ଏକ ବିଶ୍ୱାସ ,ସିଏ ଆମ ହିନ୍ଦୁମାନଙ୍କର ମା । ତେଣୁ ମା ପାଖରୁ ଯାହା ବି ମିଳେ ତାହା ପିଲାଙ୍କ ପାଇଁ ଭଲ । ସ୍ୱାସ୍ଥ୍ୟରକ୍ଷା ଓ ଚିକିତ୍ସା ଦୃଷ୍ଟିରୁ ମଧ୍ୟ ଏହାର ବିଶେଷ ଭୂମିକା ରହିଛି। ଆୟୁର୍ବେଦ ମତରେ, ଗୋଘୃତ ହେଉଛି ସମସ୍ତ ପ୍ରକାରର ସ୍ନେହ ବା ଚର୍ବିଜାତୀୟ ଖାଦ୍ୟ ମଧ୍ୟରେ ଶ୍ରେଷ୍ଠ। ଏଥିରେ ଅଧିକ ପରିମାଣରେ ପରିପୃକ୍ତ ସ୍ନେହସାର ବା ଚର୍ବି ରହିଥିଲେ ମଧ୍ୟ, ଏଥିରେ ଥିବା ବସା ଅମ୍ଳ ବା ‘ଫ୍ୟାଟି ଏସିଡ଼୍‌’ର ସ୍ୱଳ୍ପ ଶୃଙ୍ଖଳ ଏବଂ ଅତ୍ୟାବଶ୍ୟକ ବସାଅମ୍ଳ ବା ‘ଏସେନ୍‌ସିଆଲ ଫ୍ୟାଟି ଏସିଡ଼୍‌’ର ଉପସ୍ଥିତି ଯୋଗୁଁ, ଏହା ଅନ୍ୟାନ୍ୟ ସ୍ନେହସାର ବା ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର। ସେଥିପାଇଁ, ଅତି ପ୍ରାଚୀନକାଳରୁ, ସ୍ୱାସ୍ଥ୍ୟରକ୍ଷାକୁୁ ଲକ୍ଷ୍ୟରେ ରଖି ଆମ ଦୈନନ୍ଦିନ ଆହାରରେ ଗୋଘୃତର ପ୍ରୟୋଗ କରାଯାଇଛି।

 

ଆୟୁର୍ବେଦ ମତରେ, ଗୋଘୃତ ନିତ୍ୟ ସେବନ କରିବା ଦ୍ୱାରା ଆମର ଧାରଣଶକ୍ତି, ସ୍ମୃତିଶକ୍ତି, ମେଧା, ଅଗ୍ନି, ବଳ, ଓଜନ ଓ ଆୟୁ ବୃଦ୍ଧି ହୋଇଥାଏ। ଏହା ଆମର ଶୁକ୍ରଧାତୁ, ସ୍ୱର ତଥା ନେତ୍ର ପାଇଁ ହିତକାରୀ। ଏହା ବାତ ଓ ପିତ୍ତର ବିକାର, ଉନ୍ମାଦ, ଅପସ୍ମାର ଓ ଜ୍ୱର ଜନିତ ପ୍ରଦାହକୁ ମଧ୍ୟ ନଷ୍ଟ କରିଥାଏ। ଶରୀରର ଓଜ ଓ ତେଜ ଏହାଦ୍ୱାରା ବୃଦ୍ଧି ହୋଇଥାଏ। ମୁଖଗହ୍ୱରରେ ଘା’ ହେଲେ ଏବଂ ଶୀତ ଋତୁରେ ଓଠ ଓ ପାଦତଳ ଫାଟିଲେ, ଗୋଘୃତ ଲଗାଇବା ଦ୍ୱାରା ଉପଶମ ମିଳିଥାଏ। ନିୟମିତ ଗୋଦୁଗ୍‌ଧ ଓ ଗୋଘୃତକୁ ଏକତ୍ର ସେବନ କଲେ ଏହା ବାର୍ଦ୍ଧକ୍ୟକୁ ବିଳମ୍ବିତ କରିଥାଏ।

 

ଗୋଘୃତ ସାଧାରଣତଃ ପ୍ରାତଃଭୋଜନ ପୂର୍ବରୁ କିମ୍ବା ପ୍ରାତଃଭୋଜନ ସହିତ ସେବନୀୟ। ଏହାର ମାତ୍ରା- ଅଗ୍ନିର ବଳ ତଥା କୋଷ୍ଠ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ। ତେବେ ଏହାକୁ ଆମେ ସାଧାରଣତଃ ଅଧଚାମଚ ମାତ୍ରାରେ ସେବନ କରିପାରିବା। ଗୋଘୃତ ସେବନ ପରେ ଉଷୁମପାଣି ପିଇବା ବିଧେୟ। ତେବେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଏହାର ସେବନ ଅନୁଚିତ। ଏହି ସ୍ୱାସ୍ଥ୍ୟ ସମସ୍ୟା ହେଉଛି- ଉଚ୍ଚ କୋଲେଷ୍ଟରଲ, ଯକୃତ ସମ୍ବନ୍ଧୀୟ ରୋଗ, ଅଜୀର୍ଣ୍ଣ, ଜ୍ୱର, ଝାଡ଼ା ଇତ୍ୟାଦି। ଉଚିତ ମାତ୍ରାରେ ଏବଂ ବିଧିପୂର୍ବକ ଗୋଘୃତ ସେବନ ମନୁଷ୍ୟକୁ ନିରୋଗ ରଖିବା ସହିତ ଦୀର୍ଘାୟୁ କରିଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )