ବର୍ଷା ଋତୁରେ ପେଟ ଖରାପ ହେବାର କଣ ରହିଛି କାରଣ ? ଜାଣନ୍ତୁ ଏହି ଋତୁରେ ସୁସ୍ଥ ରହିବାର ଉପାୟ !
ଖରାଦିନ ପରେ ବର୍ଷାଦିନ ଆସେ । ଗ୍ରୀଷ୍ମ ପ୍ରବାହ ପରେ ବର୍ଷା ଋତୁର ଆଗମନ ହୋଇଥାଏ । ପାଣି ପାଇ ଘାସରୁ ଗଛଲତା ପର୍ଯ୍ଯନ୍ତ ସବୁକିଛି ବୃଦ୍ଧି ପାଇଥାଏ । ସତେ ଯେମିତି ଜୀବନ୍ତ ହୋଇଉଠେ ପୃଥିବୀ । ଓଡିଆ ମାନଙ୍କ ପାଇଁ ଆଷାଢ଼ ଓ ଶ୍ରାବଣ- ଏ ଦୁଇମାସ ହେଉଛି ବର୍ଷାଋତୁ। ଏହାକୁ ‘ଆଦାନ’ କାଳ ମଧ୍ୟରେ ଗଣାଯାଏ । ଜୌତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଚନ୍ଦ୍ରମାଙ୍କର ଶକ୍ତି କମ୍ ଓ ସୂର୍ଯ୍ୟଙ୍କର ଶକ୍ତି ପ୍ରଖରଥାଏ । ଏହି ସମୟରେ ବର୍ଷାପାତ ଯୋଗୁଁ ଭୂମିରୁ ବାଷ୍ପ ବାହାରେ ଏବଂ ଆକାଶରେ ବାଦଲ ଥାଏ। ଏହା ଅମ୍ଳ ସୃଷ୍ଟି କରେ। ତା’ ସାଙ୍ଗକୁ, ଉଷ୍ମ ଭୂମିରେ ବାରିପାତ ଫଳରେ କୃମି ଓ କୀଟ ଆଦି ଯାତ ହୁଅନ୍ତି। ଏହି ଅମ୍ଳ ଓ କୃମି ଜଳକୁ ଦୂଷିତ କରନ୍ତି। ସେହି ଦୂଷିତ ଜଳ ବ୍ୟବହାର କଲେ ଅଗ୍ନିବଳ କ୍ଷୟ ହୁଏ। ଆର୍ଦ୍ର ବା ସନ୍ତସନ୍ତିଆ ଭୂମି ମଧ୍ୟ ଶରୀରପାଇଁ କ୍ଷତିକାରକ ହୋଇଥାଏ । ତେବେ ବର୍ତ୍ତମାନ କୀଟନାଶକ ପ୍ରୋୟୋଗ ବଳରେ ଏହି ସବୁ ଆଗପରିକା ନାହିଁ । ଗାଁ ଗୁଡିକ ପ୍ରାୟ ଏବେ ସହର ହେଲାଣି । ସମାଜ ଏବେ ଆଧୁନିକତା ଆଡେ ଗତିକରୁଛି । ବିଜ୍ଞାନ ବଳରେ ମନୁଷ୍ୟ ସତେ ଯେପରି ନିଜକୁ ବଳୀୟାନ ଭାବୁଛି । କାହାରି ପାଖରେ ସମୟ ନାହିଁ । ଟଙ୍କା ରୋଜଗାର କରିବାର ଲୋଭ ହେଉ କିମ୍ବା ଟଙ୍କା ରୋଜଗାର କରିବାର ଆବଶ୍ୟକତା , ସମସ୍ତଙ୍କୁ ବିଭିନ୍ନ ବୃତ୍ତିରେ ବାନ୍ଧି ରଖିଛି । ଜୀବନ ଏବଂ ଜୀବିକା ମଧ୍ୟରେ ଅଧିକାଂଶ ଲୋକ ନିଜ ସ୍ୱାସ୍ଥ୍ୟ ବିଷୟରେ ଭାବିବା ପାଇଁ ମଧ୍ୟ ସମୟ ପାଉନାହାନ୍ତି । ସ୍ୱାସ୍ଥ୍ୟ ବିଷୟରେ ଯତ୍ନବାନ ହେବା କିମ୍ବା ସଚେତନ ହେବାତ ଦୂରର କଥା । ତେବେ ଆପଣ ଅନେକଙ୍କ ମୁହଁରୁ ଶୁଣିଥିବେ ଯେ, ମୋର ପେଟ ଗୁଡୁଗୁଡୁ କରୁଛି । ପେଟ ଖରାପ ଅଛି , ଯାହା ଖାଇଲେ ମଧ୍ୟ ହଜମ ହେଉନାହିଁ । ସେଦିନ ମେଡିସିନ୍ ଖାଇକି ଭଲ ହୋଇଥିଲି କିନ୍ତୁ ଏବେ ପୁଣିଥରେ ଯାହା କୁ ତାହା । ଏପରି ଆପଣଙ୍କର ମଧ୍ୟ ହୋଇଥିବ । ଏହି ସବୁ ସମସ୍ୟା ସାଧାରଣତ ବର୍ଷା ଋତୁରେ ଅଧିକ ଦେଖିବାକୁ ମିଳିଥାଏ ।
- ବର୍ଷା ଋତୁ ସହ ଦେହ ଖରାପର ସଂମ୍ପର୍କ କଣ ?
- ବର୍ଷା ଋତୁରେ କାହିଁକି ଅଧିକ ପେଟ ଖରାପ ହୋଇଥାଏ ?
- ବର୍ଷା ଋତୁରେ ସୁସ୍ଥ ରହିବାର ଉପାୟ
ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିଲେ , ଏହିସବୁ ପ୍ରଶ୍ନର ଉତ୍ତର ସବୁ ଜାଣିପାରିବେ ।
ବର୍ଷା ଋତୁ ସହ ଦେହ ଖରାପର ସଂମ୍ପର୍କ କଣ ?
ବର୍ଷା ଋତୁରେ ପରିବେଶ ଜୀବନ୍ତ ହୋଇ ଉଠିଥାଏ । ବିଭିନ୍ନ ପ୍ରକାରର କୀଟ ପତଙ୍ଗ ଠାରୁ ଆରମ୍ଭ କରି ବ୍ୟାକ୍ଟେରିଆ, ଜୀବାଣୁ ମାନଙ୍କର ଉତ୍ପତି ହୋଇଥାଏ । ଏହି ଋତୁରେ କୀଟ ପତଙ୍ଗ ଠାରୁ ଆରମ୍ଭ କରି ବ୍ୟାକ୍ଟେରିଆ, ଜୀବାଣୁ ମାନେ ଖୁବ୍ ଶୀଘ୍ର ବଂଶ ବିସ୍ତାର କରିପାରନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏହି ଋତୁରେ ଖାଲି ପାଦରେ ନଚାଲିବା ଭଲ । କାରଣ, ଖାଲିପାଦରେ ଚାଲିଲେ, ମାଟିରେ ଥିବା କୃମି (ହୁକ୍ ୱର୍ମ) ପାଦ ମଧ୍ୟଦେଇ ଶରୀରରେ ପ୍ରବେଶ କରନ୍ତି। ଏହା ବ୍ୟତୀତ, ପାଦରେ ଦୂଷିତ ଜଳ ଓ ମାଟି କାଦୁଅ ଲାଗି ବିଭିନ୍ନ ଚର୍ମରୋଗ ସୃଷ୍ଟି ହୁଏ। ଏଣୁ ଏହି ଋତୁରେ ଜୋତା, ଚପଲ ଆଦି ପିନ୍ଧିବା ଅଥବା ଯାନବାହନରେ ୟାତାୟାତ କରିବା ଆବଶ୍ୟକ। ପାଦରେ ସୋରିଷ ତେଲ ବା ନଡ଼ିଆ ତେଲ କିମ୍ବା ନିମ୍ବ ବା କରଞ୍ଜ ତେଲ ମାଲିସ କରିବା ମଧ୍ୟ ଏହାର ଚିକିତ୍ସା ଓ ପ୍ରତିଷେଧକ। ବର୍ଷା କାରଣରୁ ଲୁଗା ପଟାରେ ମଧ୍ୟ ବ୍ୟାକ୍ଟେରିଆ ତଥା ଜୀବାଣୁ ମାନଙ୍କର ବଂଶ ବିସ୍ତାର ଅତି ସହଜରେ ହୋଇଥାଏ । ତେଣୁ ଏହା ସଂସ୍ପର୍ଶରେ ଆସି ମଧ୍ୟ ଦେହ ଖରାପ ହୋଇଥାଏ ।
ବର୍ଷା ଋତୁରେ କାହିଁକି ଅଧିକ ପେଟ ଖରାପ ହୋଇଥାଏ ?
ବର୍ଷା ଋତୁରେ କାଛୁ କୁଣ୍ଡିଆ ତଥା ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏ । ସୁସ୍ଥ ମନୁଷ୍ୟ ବି ଅସୁସ୍ଥ ହୋଇପଡେ । ଗାଁ ହେଉ କିମ୍ବା ସହର , ପ୍ରାୟ ସବୁଆଡେ ଅବସ୍ଥା ପ୍ରାୟ ସମାନ । ଗାଁ ଗୁଡିକରେ ଦୂଷିତ ପାନୀୟ ଜଳ ପାଇଁ ଅନେକ ଲୋକ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗାଁ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ହଇଜା ତଥା ଝାଡାବାନ୍ତି ରୋଗ ଅତି ସହଜରେ ବ୍ୟାପିଯାଇଥାଏ । ସଚେତନତା ର ଘୋର ଅଭାବ ପାଇଁ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାନ୍ତି । ଗାଁ ଗୁଡିକରେ ଅନେକ ଲୋକ ଖାଲିପାଦରେ ମଳତ୍ୟାଗ କରିବା ପାଇଁ ଯାଇଥାନ୍ତି ଏବଂ ସେଠାରେ ମାଟିରେ ଥିବା କୃମି (ହୁକ୍ ୱର୍ମ) ପାଦ ମଧ୍ୟଦେଇ ଶରୀରରେ ପ୍ରବେଶ କରିଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ବିପଦଜନକ । ପରେ ପେଟରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ପେଟ ପାଇଁ ଶରୀର ମଧ୍ୟ ଅସୁସ୍ଥ ହୋଇଯାଏ । ତେବେ ସହରରେ ମଧ୍ୟ ଲୋକେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସଚେତନ ଥାଇ ଏବଂ ଘର ବାହାରେ ବ୍ଲିଚିଂ ପାଉଡର ପକାଇ ମଧ୍ୟ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ଆପଣ ଦେଖୁଥିବା ଫୋଟଟି ହେଉଛି ବର୍ଷା ଦିନର । ବର୍ତ୍ତମାନ ସମୟରେ ନାଳନର୍ଦ୍ଦମା ଏବଂ ରାସ୍ତା କଡର ଅବସ୍ତା ପ୍ରାୟ ସମାନ ପାଲଟି ଯାଏ । ବର୍ଷାକାରଣରୁ ଦୂଷିତ ପାଣି ଆସି ପାନୀୟ ଜଳରେ ବିଭିନ୍ନ ମାଧ୍ୟମ ଦେଇ ମିଶ୍ରିତ ହୋଇଥାଏ । ଏଥିରେ ଥିବା ବ୍ୟାକ୍ଟେରିଆ ଏବଂ ଜୀବାଣୁ କୀଟାଣୁ ଆସି ଆପଣଙ୍କ ଖାଦ୍ୟ ଦ୍ୱାରା ଶରୀରରେ ଅତି ସହଜରେ ପ୍ରବେଶ କରିପାରନ୍ତି । ଆପଣ ହୁଏତ ସାଧାରଣ ପାଣିରେ ହାତ ଧୋଇ ଖାଉଥିବେ । ଆପଣ ଖାଉଥିବା ହୋଟେଲ୍ ରେ ବାସନ କୁସନ ଗୁଡିକ ମଧ୍ୟ ପାଣିରେ ଧୁଆ ଯାଇଥାଏ । କିନ୍ତୁ ଆପଣଙ୍କର ମନେ ରଖିବା ଉଚିତ୍ ଯେ , ସେହି ହାତ ଧୁଆ ପାଣି କିମ୍ବା ବାସନ ମଜା ପାଣି ବର୍ଷା ଋତୁରେ ଅତି ସହଜରେ ଦୂଷିତ ହୋଇପାରେ । କାରଣ ବିଭିନ୍ନ ଟିଫିନ୍ ଷ୍ଟଲ୍ ହେଉ କିମ୍ବା ରାସ୍ତା କଡ ହୋଟେଲ୍ ଗୁଡିକ ର ଧୋଇବା ସ୍ଥାନ ଗୁଡିକ ନାଳନର୍ଦ୍ଦମା ପାଖାପାଖିଥାଏ ।
The food safety team of BMC today inspected shops near Doordarshan.
Food colours, expired sauces & also stale crabs at restaurant were destroyed.
Food registration cancelled & penalty also imposed for poor sanitation.#FoodSafetybyBMC pic.twitter.com/GF6MWvWeOq— BMC (@bmcbbsr) September 14, 2022
ଆପଣ ଦେଖୁଥିବା ଟ୍ୟୁଇଟ୍ ରେ ସବୁକିଛି ତଥ୍ୟ ଆପଣଙ୍କ ହାତ ପାହାନ୍ତାରେ ଅଛି । ଦୂଷିତ ପାନୀୟ ଜଳ ସାଙ୍ଗକୁ ବିଷାକ୍ତ ଖାଦ୍ୟ ଆପଣ ଶରୀରକୁ ଗଲେ କଣ ଅବସ୍ଥା ହେବ , ତାହା ଭଲ ଭାବରେ ବୁଝିପାରୁଥିବେ । ବର୍ଷା ଦିନେ ଖାଦ୍ୟ ପ୍ରସ୍ତୁତି ସମୟରେ ଚାଳ ଉପରୁ ପାଣି ଗଡିପଡୁଥିବ ତ ପୁଣି କେତେବେଳେ ଗୁପ୍ ଚୁପ୍ ଖଟା ପାଣିରେ ନାଳନର୍ଦ୍ଦମା ପାଣି ମିଶୁଥିବ ଆପଣ କହିପାରିବେ ନାହିଁ । ସମୟର ଅଭାବ ହେଉ କିମ୍ବା ବର୍ଷା ପାଇଁ ଅନେକ ଘରକୁ ଯାଇ ଖାଇବା ପସନ୍ଦ କରନ୍ତି ନାହିଁ । ଅଫିସ୍ ଯାଉଥିବା କର୍ମଚାରୀ ମାନଙ୍କର ଏହା ହେଉଛି ଜୀବନଚର୍ଯ୍ୟା । ସ୍କୁଲ୍ ଯାଉଥିବା ପିଲାଟେ ସ୍କୁଲ୍ ରୁ ଫେରିଲା ବେଳକୁ ରାସ୍ତା କଡ ହୋଟେଲ୍ ରୁ ନେଇ ଆସେ ବରା ପିଆଜି । କଲେଜ ପଢୁଆ ଯୁବକ ଯୁବତୀ ବୁଲାବୁଲି କଲା ବେଳେ ସିଙ୍ଗଡା , ପକୁଡି ତଥା ନାନା ପ୍ରକାର ଖାଦ୍ୟ ଖାଇଥାନ୍ତି ରାସ୍ତାକଡରୁ । ଅଫିସ୍ ଫେରନ୍ତା କର୍ମଚାରୀ ଟି ନିଜ ପରିବାର ତଥା ଛୁଆ ପିଲା ପାଇଁ ଫାଷ୍ଟ ଫୁଡ୍ ଧରି ଫେରିଥାଏ । ବର୍ଷା ଦିନେ କାହାକୁ ବା ଛଣା ଛଣି ଖାଇବା ପସନ୍ଦ ନୁହଁ । ଅନେକ ସମୟରେ ପରିବାବିକାଳି ମାନେ ମଧ୍ୟ ରାସ୍ତା କଡରୁ ଖାଇଥାନ୍ତି । ବିଭିନ୍ନ ପ୍ରକାର ର ଫୁଟ୍ ପାଥ୍ ବ୍ୟବସାୟୀ ମାନେ ରାସ୍ତା କଡ ହୋଟେଲ୍ ରୁ ଖାଇ ରୋଗ ଗ୍ରସ୍ତ ହୋଇଥାନ୍ତି । କାରଣ ବର୍ଷାରେ ଘରକୁ ଯାଇ ଫେରିବା ସମ୍ଭବ ନୁହଁ । ଦୋକାନ ର ରକ୍ଷଣାବେକ୍ଷଣ କରିବ କିଏ ? ତେବେ କିଛି ସ୍ଥାନରେ ସ୍ୱଚ୍ଛତା ଥିବା ସତ୍ୱେ ଆପଣଙ୍କ ଖାଦ୍ୟରେ ଥାଇପାରେ ବିଭିନ୍ନ ରୋଗ ସୃଷ୍ଟିକଲା ପରି ବ୍ୟାକ୍ଟେରିଆ କିମ୍ବା ଜୀବାଣୁ କିଟାଣୁ । ଖାଦ୍ୟ ପ୍ରତ୍ୟେକ୍ଷ ଭାବରେ ନହେଲେ ପରୋକ୍ଷ ଭାବରେ ଦୂଷିତ ହୋଇଥାଏ । ବର୍ଷା ଦିନେ ମାଛି ମାନଙ୍କ ସଂଖ୍ୟା ମଧ୍ୟ ବଢିଥାଏ । ବର୍ଷା ଦିନେ ଗରମ ଖାଦ୍ୟ ଶୀଘ୍ର ଥଣ୍ଡା ହୋଇଥାଏ । ରାସ୍ତାକଡ ଖାଦ୍ୟ ଖୁବ୍ ଶୀଘ୍ର ଥଣ୍ଡା ହୋଇଥାଏ । ତେଣୁ ଏହାର ଫାଇଦା ଉଠାଇ ମାଛିମାନେ ଖାଦ୍ୟ ଉପରେ ବସିଥାନ୍ତି ।
ମାଛି ମାନେ ବିଭିନ୍ନ ରୋଗର ବାହକ । ମାଛିମାନଙ୍କ ପାଇଁ ବର୍ଷାଦିନେ ଇନ୍ଫେକ୍ସନ୍ ଅଧିକ ହେବା ସହ ପେଟ ରୋଗ ସମସ୍ୟା ଉପୁଜିଥାଏ। ଏହି ସ୍ୱାସ୍ଥ୍ୟ ସମସ୍ୟା ଛୋଟ ପିଲାମାନଙ୍କ ଠାରେ ଅଧିକ ଦେଖା ଦେଇଥାଏ। ଗୁପଚୁପ, ଚାଟ୍, ପାକୋଡା, ସିଙ୍ଗଡ଼ା ଇତ୍ୟାଦି ମଧ୍ୟ ଖାଇବା ଉଚିତ୍ ନୁହେଁ। ଏହି ଜିନିଷଗୁଡ଼ିକ ଗରିଷ୍ଠ ଖାଦ୍ୟ ହୋଇଥାଏ ଏବଂ ପେଟ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ । ବର୍ଷା ଋତୁରେ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍। କାହିଁକିନା ପ୍ରତ୍ୟେକ ଗ୍ରାହକ ପାଇଁ ଗୋଟିଏ ଗୋଟିଏ ସିଙ୍ଗେଡା କିମ୍ବା ପକୋଡା କେବେ ଛାଣିକି ଦେବ ନାହିଁ ଦୋକାନୀ । ଥରେ ଛଣା ଯାଇଥିବା ଜିନିଷ କୁ ଗରମ ଘୁଘୁନି କିମ୍ବା ଖଟା ସହ ବିକ୍ରି କରିଥାନ୍ତି ଦୋକାନୀ । ଏଥିରେ ମାଛି ବସିଲେ ଘୋଉଡାଇ ଦେବେ । କିନ୍ତୁ ସେତିକି ସମୟ ମଧ୍ୟରେ ସେହି ମାଛି ଖାଦ୍ୟ ଉପରେ ରୋଗ ବାହକକୁ ଛାଡି ସାରିଥାଏ । ଫଳ ହେଉ କିମ୍ବା ଯେକୌଣସି ଖାଦ୍ୟକୁ ଭଲ ଭାବରେ ରଖିବା ଉଚିତ । ଯେପରି ମାଛି ବସିବ ନାହିଁ ।
ବର୍ଷା ଋତୁରେ ସୁସ୍ଥ ରହିବାର ଉପାୟ
- ଭିଟାମିନ୍ ସି : ଏହି ଋତୁରେ ଜୀବାଣୁ ସହ ଲଢ଼ିବା ପାଇଁ ଭିଟାମିନ୍ ସି ଜରୁରୀ । ଲେମ୍ବୁ, ଟମାଟୋ, ସେଓ, କଦଳୀ, ମୂଳା ଶାଗ ଓ ପାଳଙ୍ଗ ଆଦିରେ ଭିଟାମିନ୍ ସି ମିଳିଥାଏ। ତେଣୁ ଭିଟାମିନ୍ ସି ଥିବା ଖାଦ୍ୟ ଖାଆନ୍ତୁ ।
- ଡ୍ରାଏ ଫ୍ରୁଟ୍ସ୍: ବର୍ଷାଦିନେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ସାମିଲ କରି ପାରିବେ। ବାଦାମ, କାଜୁ ଓ ପିସ୍ତା ବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଓ ତନ୍ତୁ ରହିଥାଏ। ଯାହା ରକ୍ତରେ ହିମୋଗ୍ଲୋବିନ୍ର ମାତ୍ରାକୁ ବଢ଼ାଇ ଶରୀରକୁ ସୁସ୍ଥ ରଖିଥାଏ।
- ଜାମୁକୋଳି: ପ୍ରଚୁର ପରିମାଣରେ ଗ୍ଲୁକୋଜ୍ ଓ ଫ୍ରୁକ୍ଟୋଜ୍ ଥିବା କାରଣରୁ ଜାମୁକୋଳି ହଜମକ୍ରିୟା ପାଇଁ ବହୁ ଲାଭଦାୟକ। ଜାମୁକୋଳି ଖାଇବା ଦ୍ୱାରା ଅନେକ ପେଟ ରୋଗ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ସ୍ ପିଲାମାନଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲ୍ସିୟମ୍ ଓ ଭିଟାମିନ୍ ବି ଆଦି ମଧ୍ୟ ରହିଛି । ଏହା ଗ୍ୟାସ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
- ଛତୁ: ଏଥିରେ ଭିଟାମିନ୍ ଡି ଓ ଆଣ୍ଟିଅକ୍ସିଡେଣ୍ଟ୍ ପ୍ରଚୁର ପରିମାଣରେ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଦ୍ୱାରା ଥଣ୍ଡା-ସର୍ଦ୍ଦି ଓ ଜର ଭଳି ରୋଗର ସମସ୍ୟା କମି ଯାଇଥାଏ। ଏଥିପାଇଁ ପିଲାମାନଙ୍କ ଖାଦ୍ୟରେ ଛତୁ ସାମିଲ କରନ୍ତୁ ।
- ହାଲୁକା ଓ ଶୁଖିଲା ବସ୍ତ୍ର ପିନ୍ଧିବା ମଧ୍ୟ ଏହି ଋତୁରେ ଶରୀର ଓ ସ୍ୱାସ୍ଥ୍ୟପାଇଁ ହିତକର। ତେଣୁ ଏହି ନିୟମକୁ ପାଳନ କରନ୍ତୁ ।
- ଆୟୁର୍ବେଦ ଅନୁସାରେ , ପାଦରେ ସୋରିଷ ତେଲ ବା ନଡ଼ିଆ ତେଲ କିମ୍ବା ନିମ୍ବ ବା କରଞ୍ଜ ତେଲ ମାଲିସ କରିବା ଉଚିତ ।
- ଆପଣଙ୍କ ଖାଦ୍ୟରେ କଲରା, ନିମ୍ବ , ଲାଉ, କଦଳୀ, ମେଥି, ସୋରିଷ, କଳା ଲଙ୍କା, ଲବଙ୍ଗ, ଅଦା ଇତ୍ୟାଦି ନିଶ୍ଚିତ ଖାଇବାରେ ଅନ୍ତର୍ଭୂକ୍ତ କରନ୍ତୁ।
- ଛଣା ଛଣି ଖାଇବା ପାଇଁ ଇଚ୍ଛା ହେଲେ , ଘରେ କରନ୍ତୁ । ପକୁଡି ହେଉ କିମ୍ବା ପକୋଡା ଘରେ କରିଖାଇପାରିବେ ।
- ଖାଦ୍ୟକୁ ଘୋଡାଇ ରଖନ୍ତୁ ଏବଂ ଗରମ ଗରମ ଖାଆନ୍ତୁ ।
- ଅଣ୍ଡା ଆମଲେଟ୍ କିମ୍ବା ଅଣ୍ଡା ଭୁଜିଆ କରି ଆପଣ ଖାଇପାରିବେ । ଶରୀର ପାଇଁ ଏହା ଉତ୍ତମ ଅଟେ । ଏହା ସମୟ ବଞ୍ଚେଇବା ସହ ସ୍ୱାଦ ଦେବ ।
Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।