Tuesday 16th April 2024
ଏଣିକି ସରକାରୀ ବାବୁ ଖାଇବେ ମାଣ୍ଡିଆ ସ୍ନାକ୍ସ

ଏଣିକି ସରକାରୀ ବାବୁ ଖାଇବେ ମାଣ୍ଡିଆ ସ୍ନାକ୍ସ

ମାଣ୍ଡିଆ ଯାହାକୁ ସାଧାରଣତଃ ସହରୀ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ପସନ୍ଦ ତ ଦୂରର କଥା ଅଧା ଲୋକଙ୍କୁ ମାଣ୍ଡିଆ ବିଷୟରେ ସଠିକ୍ ଧାରଣା ମଧ୍ୟ ନାହିଁ । କିନ୍ତୁ ଏହି ମାଣ୍ଡିଆ ଯେ ଆମ ମାନଙ୍କ ପାଇଁ କେତେ ଉପକାରୀ ସେ ବିଷୟରେ ପୂର୍ବରୁ ଅଧିକାଂଶକୁ ହୁଏତ ଧାରଣା ନଥିଲା ହେଲେ ବର୍ତ୍ତମାନ ଏହି ମାଣ୍ଡିଆ ଓଡିଶାର ପରିଚୟ କହିଲେ ବି ଭୁଲ୍ ହେବନି । ପୋଷଣର ଭଣ୍ଡାର କୁହାଯାଉଥିବା ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଅଣ୍ଟା ଭିଡିଛି ରାଜ୍ୟ କୃଷି ବିଭାଗ। ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ଓ ଟିଫିନ୍ ଦିଆଯିବା ନେଇ ସବୁ ବିଭାଗକୁ ଚିଠି କଲେ ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ। ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢାଇବା ସହ ଓଡିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି ଏହି ଉଦ୍ୟମ।

ଏଣିକି ସବୁ ସରକାରୀ କାର୍ଯ୍ୟକ୍ରମ ଓ ସମ୍ମିଳନୀରେ ସିଙ୍ଗଡା, ବରା ଓ ମିଠା ବଦଳରେ ମାଣ୍ଡିଆରେ ପ୍ରସ୍ତୁତ ବିସ୍କୁଟ୍‌, ମିକ୍ସଚର, ନିମ୍‌କି, ପିଠା ଏବଂ ଲଡୁ ଦେବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଓଡିଶା ମିଲେଟ୍ ମିଶନ ଜରିଆରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ସହ ଚାଷୀର ଆର୍ଥିକ ଉନ୍ନତି ଓ ସଶକ୍ତୀକରଣକୁ ଗୁରୁତ୍ୱ ଦେଇଛି ରାଜ୍ୟ କୃଷି ବିଭାଗ।

ମାଣ୍ଡିଆ ଆମ ମାଟିର ହିଁ ଖାଦ୍ୟ । ଅତି ପୁରାତନ କାଳରୁ ମାଣ୍ଡିଆ ଗାଁ ଗହଳି ତଥା ପାର୍ବତ୍ୟାଂଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ଭାବେ ଜଣାଶୁଣା । ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ । ଏଥିରେ ୪ଟି ଅତ୍ୟାବଶ୍ୟକ ଆମିନୋଏସିଡ (ସିଷ୍ଟିନ,ଟାଇରୋସିନ,ଟ୍ରିପଫିନ ଓ ମିଥିଓନଇନ ) ଥିବା ସହିତ ପ୍ରଚୁର ପରିମାଣର ପୁଷ୍ଟିସାର, ସ୍ନେହସାର,ଶ୍ୱେତସାର,ଖଣିଜ ଦ୍ରବଣ,କ୍ୟାଲସିୟମ,ଫସ୍ପରସ୍‌.ଲୌହ ଓ ତନ୍ତୁଭାଗ ଭାରି ରହିଛି । ତେଣୁ ଗୁଣାତ୍ମକ ମାନ ଦୃଷ୍ଟିରୁ ଧାନ,ମକା ଓ ଗହମଠାରୁ ମାଣ୍ଡିଆ ସବୁ ଦିଗରେ ଉନ୍ନତ । କେବଳ ସେତିକି ନୁହେଁ ଏହା ଶିଶୁ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ହିଁ ଉପଯୋଗୀ । ସବୁଜ ମାଣ୍ଡିଆ ଗଛରୁ ସାଇଲେଜ ତିଆରି କରି ଗୋ-ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ । ମାଣ୍ଡିଆ ଏକ ଗ୍ରୀଷ୍ମ ମଣ୍ଡଳିଆ ଫସଲ ହେଲେ ମଧ୍ୟ ବର୍ଷସାରା ଚାଷ କରାଯାଇପାରିବ ।

ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ବ୍ୟବସାୟୀ। ଆଶା ରଖିଛନ୍ତି ଏଥର ସେମାନଙ୍କ ଭଲ ବେପାର ହେବ। କୋରାପୁଟ ଓ ଜୟପୁରରେ ବର୍ତ୍ତମାନ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଅଧିକ ବ୍ୟବହାର ହେଉଛି। ନ୍ୟୁଟ୍ରିସନ୍‌ରେ ଭରପୁର ମାଣ୍ଡିଆରେ ବିସ୍କୁଟ୍‌, ମିକ୍ସଚର, ମୁଡ୍‌କି, ନିମ୍‌କି, ପିଠା ଓ ଲଡୁ ସହ ଚକୋଲେଟ୍, କେକ୍, ସୁପ୍ , ଦୋଷା ଏବଂ ଇଡ୍‌ଲିର ଚାହିଦା ରହିଛି। ଲୋକେ ଏସବୁକୁ ବେଶ୍ ପସନ୍ଦ କରୁଛନ୍ତି। ଏପରିକି ଜୟପୁରରେ ମିଳୁଥିବା ମାଣ୍ଡିଆ ଚାର ସ୍ୱାଦ ବି ନିଆରା।

୨୦୧୭ରେ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ ପ୍ରୋଗ୍ରାମ ଓଡ଼ିଶା ମିଲେଟ୍ ମିଶନ୍। ଏଥିରେ ମାଣ୍ଡିଆର ଚାହିଦା ବଢାଇବା ସହ ଚାଷୀଙ୍କ ଆର୍ଥିକ ଉନ୍ନତି ଲକ୍ଷ୍ୟ ରଖାଯାଇଥିଲା। ମିଲେଟ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡ଼େଲ୍‌ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି ଏବଂ ଭାରତ ସରକାର ମିଲେଟ୍‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରାୟ ୧୯ ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି। ତେବେ ସେମିତି ଆଖିଦୃଶିଆ ଲାଭ ମିଳୁନି ଚାଷୀଙ୍କୁ। ସେପଟେ ଜାତିସଂଘ ଦ୍ୱାରା ୨୦୨୩କୁ ଇଣ୍ଟର୍‌ନାସ୍‌ନାଲ୍‌ ଇଅର ଅଫ୍ ମିଲେଟ୍ସ ଭାବେ ଘୋଷଣା କରାଯାଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )