କଣ ସତରେ ଓଡ଼ିଶାରେ ଉଡ଼ିବ କାର
ଉଡ଼ନ୍ତା ଜାହାଜ କହିଲେ ଆମେ ଜାଣିଥାଉ କି ଉଡ଼ାଜାହାଜ କିମ୍ବା, ରକେଟ । କିନ୍ତୁ ଆପଣ ଉଡ଼ନ୍ତା କାର ବିଷୟରେ ଶୁଣିଛନ୍ତି କି? ଯଦି ବି ଶୁଣିଛନ୍ତି ଆମ ଭାରତରେ ଦେଖିଛନ୍ତି କି? କିନ୍ତୁ ଏବେ ଆପଣ ଏହି ଉଡ଼ନ୍ତା କାରକୁ ଦେଖିପାରିବେ ଓଡ଼ିଶାରେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହା ଶତ ପ୍ରତିଶତ ସତ କଥା । ଓଡ଼ିଶାରେ ଖୁବ୍ ଶୀଘ୍ର ଆପଣ ଦେଖିବାକୁ ପାଇବେ ଉଡ଼ନ୍ତା କାର । କାରଣ ଓଡ଼ିଶାରେ ତିଆରି ହେବାକୁ ଯାଉଛି ଉଡ଼ନ୍ତା କାର୍ ବା ଏୟାର ଟାକ୍ସି । ଯାହାକି ଦେଶରେ ଏକ ନୂଆ ବିପ୍ଲବ ଆଣିବ, ଟ୍ରାଫିକ୍ ସମସ୍ୟା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ସମାଧାନ ହେବ ।ଭାରତୀୟ ଏୟାର୍ ମୋବିଲିଟି ଷ୍ଟାର୍ଟଅପ୍ ତଥା ବେଙ୍ଗାଲୁରୁ ଭିତ୍ତିିକ କମ୍ପାନି ବମ୍ବଲ ବି’ ଫ୍ଲାଇଟ୍ସ ରାଜ୍ୟରେ ଏହି ପ୍ଲାଣ୍ଟ ବସାଇବ । ଏଥିପାଇଁ କମ୍ପାନିକୁ ସହଯୋଗ କରିବ ବ୍ରିଟେନ୍-ଭିତ୍ତିକ ଟେକ୍ନୋଲୋଜି କମ୍ପାନି ସ୍ରାମ୍ ଆଣ୍ଡ ମ୍ରାମ୍ ଟେକ୍ନୋଲୋଜିକ୍, ବ୍ରିଟେନ୍ କମ୍ପାନୀ ଠାରୁ ଏଥିପାଇଁ ବଲମ୍ବ ବି’ ୩୦୬ କୋଟି ଟଙ୍କା ସଂଗ୍ରହ କରିଛି । ବଲମ୍ବ ବି’ର ପ୍ରତିଷ୍ଠାତା ହେଉଛନ୍ତି ଉଦ୍ୟୋଗୀ ଅର୍ଜୁନ ଦାସ । ପୂର୍ବରୁ ଅର୍ଜୁନ ଆନାଲିଟିକ୍ସ ପ୍ଲାଟଫର୍ମ ନାଇମୋ ଟେକ୍ନୋଲୋଜି ସହ-ପ୍ରତିଷ୍ଠାତା ଥିଲେ । ନୂଆ ପାଣ୍ଠି ସହ କମ୍ପାନି ଓଡ଼ିଶାରେ ଏକ ଆସେମ୍ବଲି ପ୍ଲାଣ୍ଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଠାରେ ଏୟାର ଟାକ୍ସି ଉତ୍ପାଦନ କରାଯିବ। ୨୦୨୩ ଏପ୍ରିଲ ସୁଦ୍ଧା ଏହାର ପ୍ରଥମ ପ୍ରୋଟୋଟାଇପ୍ ଉନ୍ମୋଚନ କରିବ । ୨୦୨୪ ସୁଦ୍ଧା ଉତ୍ପାଦନ ପାଇଁ ପ୍ରମାଣିକୃତ ମଡେଲ ଉପଲବ୍ଧ କରାଇବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି । “ବି ଫ୍ଲାଇଟ୍ସ” ବ୍ରାଣ୍ଡ ଅଧୀନରେ ଇଲେକ୍ଟ୍ରିକାଲ୍ ଭର୍ଟିକାଲ୍ ଟେକ୍ଅଫ୍ ଆଣ୍ଡ ଲ୍ୟାଣ୍ଡିଂ ବିମାନ ଶୁଭାରମ୍ଭ କରାଯିବ ।ଉଡ଼ିବା ପାଇଁ, ଟେକ୍ଅଫ୍ ପାଇଁ କିମ୍ବା ଅବତରଣ କରିବା ପାଇଁ ରିପ୍ଲେସମେଣ୍ଟ ବ୍ୟାଟେରି ବ୍ୟବହାର କରିବ । ଗୋଟିଏ ବ୍ୟାଟେରୀରେ ଏହି ଯାନ ୨୦ମିନିଟ୍ ଉଡ଼ିବା ପାଇଁ ସକ୍ଷମ ରଖେ । ଏନେଇ ସହରାଞ୍ଚଳ ଯାତାୟତ ଏବଂ ପରିବହନର ଭବିଷ୍ୟତ ହେଉଛି ଇଲେକ୍ଟ୍ରିକ୍ ଭର୍ଟିକାଲ ଟେକ୍ଅଫ୍ ଆଣ୍ଡ ଲ୍ୟାଣ୍ଡିଂ ବିମାନ। ସହରାଞ୍ଚଳ ସଡ଼କରେ ଭିଡ଼କୁ ଏହା ସଂକୁଚିତ କରିବ । ଏହା ସହିତ ପ୍ରଦୂଷଣ ମତ୍ରାକୁ ହ୍ରାସ କରିବେ ବୋଲି କୁହାଯାଉଛି । ୨୦୩୫ ସୁଦ୍ଧା ଏୟାର୍ ଟାକ୍ସି ଏକ ନିୟମିତ ବ୍ୟବସ୍ଥା ପାଲଟିବ । ସେତେବେଳେ ୧୦% ପରିବହନ ଉଡ଼ନ୍ତା ଯାନ ଦ୍ୱାରା ପରିଚାଳିତ ହେବା ଆଶା ରହିଥିବା କମ୍ପାନି ପ୍ରକାଶ କରିଛି । ଏହି କମ୍ପାନିର ଉଡ଼ନ୍ତା ଟାକ୍ସି ମାନବ ପରିବହନ, ବିମାନ ଟାକ୍ସି, ଏୟାର୍ ଆମ୍ବୁଲାନ୍ସ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ବ୍ୟବହାର ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି ।