Friday 19th April 2024

“ବିଦେଶୀ କମ୍ପାନୀରେ ଦେଶୀ ମାଲିକ’’ଜାଣନ୍ତୁ କେଉଁ କେଉଁ କମ୍ପାନୀର ଅଛି ନାଁ

ଗୋଟିଏ ସମୟ ଥିଲା ଆମ ଦେଶକୁ ବିଦେଶୀମାନେ ଚଳାଉଥିଲେ । ଆଉ ସବୁ ନୀତି ନିୟମ ବିଦେଶୀଙ୍କ ଭଳି ହିଁ ହେଉଥିଲା । କିନ୍ତୁ ଆମେ ଭାରତୀୟ ସବୁଥିରେ କୁଶଳୀ ଏହା ଆଜିର ସମୟରେ ପ୍ରକାଶିତ ହେଇସାରିଛି । ଆମରି ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଇଂରେଜ ଆସିବା ପରେ ଆମେ ବିକଶିତ ହେଲୁ । କିନ୍ତୁ ପ୍ରକୃତରେ ଆମ ଭାରତ ମାଟିରେ ବିଦେଶୀଙ୍କ ଆଗମନ ପୂର୍ବରୁ ବି ଅନେକ ମହାନ ମହାନ ବ୍ୟକ୍ତିତ୍ୱଙ୍କର ବିକଶିତ ଚିନ୍ତାଧାରା ଜନ୍ମ ନେଇସାରିଥିଲା । ଏତେସବୁ ଜିନିଷ କହିବାର ଅର୍ଥ ହେଉଛି । ଭାରତୀୟ ଅନେକ ସଂଘର୍ଷ କରି ଯେଉଁ ସ୍ୱାଧୀନତା ପାଇଥିଲେ ଠିକ୍ ସେମିତି ଆଜି ନିଜର ଦକ୍ଷତା ବଳରେ ବିଦେଶୀଙ୍କ ଉପରେ ରାଜ୍ କରୁଛନ୍ତି ଭାରତୀୟ । ଚାଲନ୍ତୁ ସେମିତି ଅନେକ ଉଦାହରଣଙ୍କ ଉପରେ ନଜର ପକାଇବା ।


ଦୁନିଆର ସବୁଠୁ ମହଙ୍ଗା କଫି ହାଉସ୍ ର ନାଁ ହେଲା ଷ୍ଟାରବକ୍ସ । ଯାହା ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି । ଏହାର ସବୁ ଜାଗାରେ ଫ୍ରାନଚାଇଜ୍ ରହିଛି । ହେଲେ ଏହା ଏକ ବିଦେଶୀ କମ୍ପାନୀ । ଯାହା ଭାରତ ସମେତ ବିଭିନ୍ନ ଦେଶରେ ନିଜର ଚେର ଲମ୍ବିଚାଲିଛି । ଚାହିଦା ଅଛି ବୋଲି ସିନା ଏହାର ବିଜନେସ୍ ବଢିଚାଲିଛି । ହେଲେ ଏହି ଆମେରିକୀୟ କମ୍ପାନିର ସିଇଓ ଏବେ ହେଇଛନ୍ତି ଜଣେ ଭାରତୀୟ ।

ଲକ୍ଷ୍ମଣ ନରସିମାଙ୍କୁ ବର୍ତ୍ତମାନ ଷ୍ଟାରବକ୍ସର ସିଇଓ ପଦବୀ ମିଳିଛି । ଲକ୍ଷ୍ମଣ ପୂର୍ବରୁ ରେକିଟ୍‌ ବେନ୍‌କାଇଜରର ସିଇଓ ଥିଲେ । ସେ ଭାରତର ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ଏବଂ ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟରେ ଦ ଲଣ୍ଡର ଇନ୍‌ଷ୍ଟିଚ୍ୟୁଟ୍‌ରୁ ଜର୍ମାନ ଏବଂ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନରେ ମାଷ୍ଟର ଡିଗ୍ରୀ କରିଛନ୍ତି । ସେ ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ହ୍ୱାର୍ଟନ ସ୍କୁଲରୁ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ସ୍ନାତକୋତ୍ତର କରିଛନ୍ତି ।

ଆଇଆଇଟି-ଖଡ଼ଗପୁର ଗ୍ରାଜୁଏଟ୍‌ ସୁନ୍ଦର ପିଚାଇ ଗୁଗୁଲ୍‌ର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍‌ଙ୍କୁ ହଟାଇ ୨୦୧୫ରେ ଗୁଗୁଲ୍‌ର ସିଇଓ ହୋଇଥିଲେ । ୨୦୨୦ରେ ସେ ଗୁଗୁଲ୍‌ର ମୂଳ କମ୍ପାନି ଆଲ୍‌ଫାବେଟ୍‌ର ସିଇଓ ହେଲେ । ୧୯୭୨ ଜୁନ୍‌ ୧୦ରେ ଚେନ୍ନାଇରେ ଜନ୍ମିତ ପିଚାଇ ଗୁଗୁଲ୍‌ କ୍ରୋମ୍‌ ଏବଂ କ୍ରୋମ୍‌ ଓଏସ୍‌ର ବିକାଶ ପାଇଁ ଉତ୍ପାଦ ପରିଚାଳନାର ନେତୃତ୍ୱ ନେଇଥିଲେ । ଗୁଗୁଲ୍‌ ଡ୍ରାଇଭ୍‌ ବିକାଶରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୧୯୯୨ରେ ମାଇକ୍ରୋସଫ୍ଟରେ ଜଣେ ଯୁବ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ ନାଦେଲା । ୨୦୧୪ରେ ସେ କମ୍ପାନିର ସିଇଓ ମୁକୁଟ ପିନ୍ଧିଲେ । ମାଇକ୍ରୋସଫ୍ଟ ଅଫିସ୍‌, ଏକ୍ସବକ୍ସ ଲାଇଭ୍‌ ଏବଂ ଆଜ୍ୟୁର କ୍ଲାଉଡ୍‌ ପ୍ଲାଟ୍‌ଫର୍ମର ପ୍ରାଥମିକ ଭର୍ସନଗୁଡ଼ିକର ନେତୃତ୍ୱ ସେ ନେଇଥିଲେ ।

୨୦୦୭ରୁ ନାରାୟନ ଆଡୋବ୍‌ର ସିଇଓ, ଅଧ୍ୟକ୍ଷ ଏବଂ ସଭାପତି ରହିଛନ୍ତି । ଏହା ପୂର୍ବରୁ ସେ ଦୁଇ ବର୍ଷ ପାଇଁ କମ୍ପାନିର ସିଓଓ ଥିଲେ । ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ(ହାଇଦ୍ରାବାଦ)ରୁ ସ୍ନାତକ ଡିଗ୍ରୀ ହାସଲ ପରେ ନାରାୟନ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ । ସେ ଆପଲ୍‌ରେ କାର୍ଯ୍ୟ କରିଛନ୍ତି ଏବଂ ପିକ୍‌ଟ୍ରାର ସହ-ପ୍ରତିଷ୍ଠାତା ମଧ୍ୟ । ୧୯୯୮ରେ ସେ ବରିଷ୍ଠ ଉପ-ସଭାପତି ଭାବେ ଆଡୋବ୍‌ରେ ଯୋଗ ଦେଇଥିଲେ ।

ଆଇଆଇଟି-ବମ୍ବେ ଏବଂ ଷ୍ଟାନ୍‌ଫୋର୍ଡ ଆଲୁମିନି ପରାଗ ଅଗ୍ରୱାଲ ଜ୍ୟାକ୍‌ ଡୋର୍ସିଙ୍କୁ ହଟାଇ ୨୦୨୧ ନଭେମ୍ବର ୨୯ରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ସିଇଓ ହୋଇଥିଲେ । ୨୦୧୭ରୁ ସେ ଟୁଇଟରର ଚିଫ୍‌ ଟେକ୍ନୋଲୋଜି ଅଧିକାରୀ(ସିଟିଓ) ରହି ଆସିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )