Thursday 28th March 2024
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ସ୍ଥାନ ପାଇବ ‘ଡାକୋଟା ବିମାନ’

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ସ୍ଥାନ ପାଇବ ‘ଡାକୋଟା ବିମାନ’

ଓଡ଼ିଶାର ଗୌରବ ହେଉଛନ୍ତି ଭୂମିପୁତ୍ର ବିଜୁବାବୁ ,ତାଙ୍କର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଫେରାଇ ଅଣାଯିବ । ଖାଲି ସେତିକି ନୁହେଁ, ଜାଗା ବି ମିଳିଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଡୋମେଷ୍ଟିକ ଟର୍ମିନାଲ (ଟି-୧) ସାମ୍ନାରେ ରହିବ ବିଜୁବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ । ଟର୍ମିନାଲ ସାମ୍ନାରେ ଯେଉଁଠି ପାର୍କିଂ ଲେନ ରହିଛି, ସେଇ ପାଖାପାଖି ଡାକୋଟା ରଖାଯିବ । ଏଥିପାଇଁ ୧.୧ ଏକର ଜାଗା ଦେବାକୁ ଏଏଆଇ ହଁ ଭରିଛି । ଭାରତୀୟ ବିମାନ ପ୍ରାଧିକରଣ ଏହି ଅନୁମତି ପ୍ରଦାନ କରିଛି । ତେବେ ଏହି ଡାକୋଟାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ରାଜ୍ୟ ସରକାର କରିବେ । ଏହାସହ ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେନି ରାଜ୍ୟ ସରକାର । ଏବଂ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

ବିଜୁବାବୁଙ୍କ ଡାକୋଟାର ଇତିହାସ-

ବ୍ରିଟିଶ୍ ସରକାରଙ୍କ ଅଧୀନରେ ପାଇଲଟ୍ ଚାକିରି କରିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଏକଦା ଜେଲ୍ ଯିବାକୁ ପଡ଼ିଥିଲା। ତାଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ଭାରତୀୟ ବିପ୍ଳବୀମାନଙ୍କୁ ତାଙ୍କ ବିମାନରେ ଗୋପନରେ ନେବା ଆଣିବା କରୁଛନ୍ତି। ଏପରିକି ବିଭିନ୍ନ ସ୍ଥାନରେ ଭାରତୀୟ ମୁକ୍ତି ସଂଗ୍ରାମରେ ଅଗ୍ନି ସଂଯୋଗ କରିବା ପାଇଁ ପ୍ରଚାରପତ୍ର ମଧ୍ୟ ଆକାଶମାର୍ଗରୁ ପକାଉଛନ୍ତି। ଏଥିପାଇଁ ବିଜୁଙ୍କୁ ପ୍ରାୟ ଦୁଇ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ତେବେ ଦୁର୍ଦ୍ଧଶ  ଓ ବିଚକ୍ଷଣ ପାଇଲଟ୍ ବିଜୁଙ୍କ ପାଇଁ ବିମାନର କକ୍‌ପିଟଠାରୁ ଦୂରରେ ରହିବା ଥିଲା ସବୁଠାରୁ ବଡ଼ ଯନ୍ତ୍ରଣା।

୧୯୪୫ ମସିହା ବେଳକୁ ବିଜୁବାବୁ ପାରୋଲ୍‌ରେ ଆସି କଟକରେ ତାଙ୍କ ନିଜର ଘର ଆନନ୍ଦ ଭବନରେ ରହୁଥିଲେ। ହେଲେ ବ୍ରିଟିଶ୍ ପୋଲିସ୍ ତାଙ୍କୁ ଏକପ୍ରକାର ନଜର ବନ୍ଦୀ କରି ରଖିଥିଲେ। ତାଙ୍କୁ କଟକରୁ ସର୍ବାଧିକ ୩୦ ମାଇଲ୍ ପର୍ଯ୍ୟନ୍ତ ଯିବାଆସିବା କରିବା ପାଇଁ ଅନୁମତି ମିଳିଥିଲା। ଆନନ୍ଦ ଭବନର ଚାରିକାନ୍ଥ ଭିତରେ କିଛି ଦିନ କାଟିବା ବେଳେ ବିଜୁଙ୍କ ମନରେ ଯେଉଁ ସ୍ୱପ୍ନ ଓ ସଙ୍କଳ୍ପ ଆସିଥିଲା ଏବଂ ତା’ର ଯେଉଁ ଫଳାଫଳ ବାହାରିଥିଲା ତା’ ଭିତରୁ ଗୋଟିଏ ହେଉଛି ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ। ବିଜୁ ତତ୍କାଳୀନ ଓଡ଼ିଶା ସରକାରଙ୍କୁ ଭୁବନେଶ୍ୱରରେ ଏକ ଫ୍ଲାଇଙ୍ଗ୍ କ୍ଲବ୍ ଗଠନ ପାଇଁ ଅନୁରୋଧ କଲେ। ସେତେବେଳେ ଥିବା ପ୍ରଥମ ବିଧାନସଭାରେ ଡକ୍ଟର ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ। ବିଜୁ ମହତାବଙ୍କୁ କହିଲେ ଯେ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ଗଠିତ ହେଲେ ରାଜ୍ୟର ପ୍ରତିଭାସମ୍ପନ୍ନ ଯୁବକମାନେ ବିମାନସେବା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାର ସୁଯୋଗ ପାଇବେ। ଫ୍ଲାଇଙ୍ଗ୍ କ୍ଲବ୍ ମାଧ୍ୟମରେ ପାଇଲଟ୍ ଟ୍ରେନିଂ ସହ ରେଡ଼ିଓ ଅଫିସର ଏବଂ ଗ୍ରାଉଣ୍ଡ ଇଞ୍ଜିନିୟରଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ହେଲେ ବିମାନ ଚଳାଚଳ ଶିଳ୍ପରେ ଅଧିକ ସଂଖ୍ୟାରେ ଓଡ଼ିଶାର ଯୁବକଯୁବତୀମାନେ ନିଯୁକ୍ତିର ପାଇପାରିବେ।

୧୦୦ କିଲୋମିଟର ଦୂରରେ ଅବସ୍ଥିତ ପାନାଗଡ଼ ଥିଲା ଏକ ବିଶାଳ ଆମେରିକୀୟ ଏୟାର ବେସ୍। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ଅନେକ ଡାକୋଟା ବିମାନ ସେଠାରେ ରଖାଯାଇଥିଲା। ତା’ ସହିତ କିଛି ଛୋଟ ବିମାନ ମଧ୍ୟ ସେହି ଏୟାର ବେସ୍‌ରେ ଥିଲା। ଆମେରିକା ସରକାର ସେଗୁଡ଼ିକୁ ଭାରତ ସରକାରଙ୍କ ହାତରେ ଟେକି ଦେଇଥିଲେ।କୌଣସି ପ୍ରତିକୂଳ ପରିସ୍ଥିତିରୁ କିଭଳି ଭାବେ ଏକ ନୂତନ ସମ୍ଭାବନା ସୃଷ୍ଟି କରାଯାଇପାରେ ତାହା ବିଜୁ ପଟ୍ଟନାୟକଙ୍କୁ ଜଣାଥିଲା। ବିଜୁଙ୍କ ଅନୁରୋଧକ୍ରମେ କ୍ୟାପଟେନ୍ ଧର ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ପାଇଁ ଚାରୋଟି ବିମାନ ବାଛି ଦେଇଥିଲେ। ସେଗୁଡ଼ିକ ମଧ୍ୟରେ ଥିଲା ଏକ ୨୮- ସିଟର୍ ଡବଲ୍ ଇଞ୍ଜିନ୍ ଥିବା ଡାକୋଟା, ଗୋଟିଏ ୮ ସିଟର୍ ନର୍ସମ୍ୟାନ୍, ଗୋଟିଏ ୪  ସିଟର୍ ଅର୍ଗସ୍ ଏବଂ ଦୁଇଟି ୨ ସିଟର୍ ଏଲ୍-୫ ବିମାନ। ଏଗୁଡ଼ିକୁ ବେଶ୍ ଶସ୍ତାରେ ଓଡ଼ିଶା ସରକାରଙ୍କ ପାଇଁ ଯୋଗାଡ଼ କରିଥିଲେ ବିଜୁ।

ଡାକୋଟା ବିମାନ ସହ ଇଣ୍ଡୋନେସିଆରେ ବିଜୁବାବୁଙ୍କ ଦୁଃସାହସିକ ଉଡ଼ାଣ ଘଟଣା ଭଳି ସ୍ମୃତି ଜଡ଼ିତ ରହିଛି । ଏହି ବିମାନ ଦୀର୍ଘବର୍ଷରୁ କୋଲକାତା ବିମାନବନ୍ଦରରେ ପଡ଼ି ରହିଛି । ଏହାକୁ ଫେରାଇ ଆଣିବା ପାଇଁ ଗତ କିଛି ବର୍ଷ ପ୍ରୟାସ ଆରମ୍ଭ ହୋଇଛି । ଏବେ ଏଏଆଇରୁ ଅନୁମତିି ମିଳିବା ପରେ ପ୍ରକ୍ରିୟା ଆଗେଇବ ବୋଲି ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ । ତା’ପରେ କୋଲକାତାରୁ ବିମାନକୁ ଅଣାଯିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )